Unknown

 

 

 

 

 

 

 

 

 

 

 

ସରପଞ୍ଚ ପୁଅ

ଶ୍ରୀ ଚିନ୍ତାମଣି ଜେନା

 

(୧)

 

ଶରତ ସନ୍ଧ୍ୟା । ଶାଳିଆ ନଦୀର ସେପଟେ, ପଳାଶ କଣ ତଳେ ସୂର୍ଯ୍ୟ ବୁଡ଼ି ଯାଉଛନ୍ତି–ତାଙ୍କର ସୁନେଲି କିରଣକୁ ବିଛାଡ଼ି ଦେଇ । ଦୂରରୁ ଶୁଭୁଛି ଗୋଠବାହୁଡ଼ା ବଇଁଶୀ ସ୍ଵନ । ବିହଙ୍ଗଦଳ ମାଳ ମାଳ ହୋଇ ଉଡ଼ିଯାଉଛନ୍ତି ନିଜ ନିଜ ନୀଡ଼କୁ, ଶାଳିଆ ନଦୀ କୂଳସ୍ଥ ମଧୁପୁର ଗ୍ରାମଟି ଅସ୍ତ ରବିଙ୍କର ସ୍ଵର୍ଣ୍ଣକର ସ୍ପର୍ଶରେ ସ୍ଵର୍ଣ୍ଣ ବର୍ଣ୍ଣ ଧାରଣ କରିଛି । ତୁଳସୀ ମାଠିଆଟି ଧରି, ତୁଠ ପଥରରେ ଠିଆ ହୋଇ ଚାହିଁଲା ଶାଳିଆର ଜଳକୁ । ଅସୁମାରି ଲହରୀ ଉପରେ ଅସ୍ତରାଗର ଲୁଚକାଳୀ କୋଳରେ କୂଳର ଆଲୁଳାୟୀତ ନାରୀକେଳ ବୃକ୍ଷଗୁଡ଼ିକର ପ୍ରତିବିମ୍ବ । ତୁଳସୀ ଚତୁର୍ଦ୍ଦିଗକୁ ଚାହିଁଲା କି ସୁନ୍ଦର ସଂସାର ! ଅପୂର୍ବ ସୃଷ୍ଟି । ତୁଳସୀ ଆଖିଫେରାଇ ଚାହିଁଲା ନିଜକୁ । ପ୍ରକୃତିର କାଉଁରୀ ପରଶ ଲାଗିଛି ତା’ଦେହରେ । ସଜଫୁଟା ଯୌବନ ହସୁଛି ତାର ତନୁତୀର୍ଥରେ । ଚକ୍ଷୁରେ ମନ ମତାଣିଆ ଚାହାଣି । ମୁଖରେ ଯୌବନର ଜ୍ୟୋତି ଫୁଟି ଉଠୁଛି । ସାତସିଆ ଦରବା ଖଣ୍ଡିକ ମଧ୍ୟରୁ ତାର ମୁନିଜନ ମନଭୁଲା, ରୂପମାଧୁରୀ ଫୁଟି ଦିଶୁଛି । ସେ ରୂପକୁ ଆହୁରି ମନୋରମ କରି, ଦେଉଛି ଆଜିର ଏ ଶରତ ସନ୍ଧ୍ୟା ।

 

ଗିରାମା’ ନୁଖୁରୀନାନୀ–ଦୁହେଁ କଳସୀ ଧରି ନଦୀ ବନ୍ଧରୁ ତଳକୁ ଖସିଲେ । ତାଙ୍କୁ ଦେଖି ତୁଳସୀ ତରତରରେ ପାଣିଟି ବୁଡ଼ାଇ ବାହାରି ଆସିଲା ଘାଟ ଉପରକୁ । ଗିରାମା’ ପଚାରିଲା–ହଇଲୋ ଟୋକୀ, ତୋର ତ ବଡ଼ ସାହସ ! ଏ ଘାଟରୁ ଠାକୁରଙ୍କ ପାଇଁ ପାଣି ଯାଉଛି ଆଉ ତୁ କିମିତି ପାଣି ନେଲୁ ? ଛୋଟ କୁଳରେ ତ ଜନମ ପାଇଚ, ବଡ଼ହେବାକୁ ମନ କରୁଚୁ ନାଁ କଣ ? ତୁଳସୀ ଜବାବ ଦେଲା–ସୁଅ ପାଣିରେ ମଇଳା ଲାଗିଯାଇନି ସା’ନ୍ତାଣୀ ? ଗିରାମା’ର ଗୋଡ଼ ରକ୍ତ, ମୁଣ୍ଡକୁ ଉଠିଗଲା । କ’ଣ କହିଲୁ ଲୋ ଛତିରିଟୋକୀ ? ମୋତେ ପୁଣି ମୁହଁ ଫେରାଇ ଜବାବ ଦେଉଛୁ ? ଦେଖିବୁ ଏଇନେ–ଗାଧୋଇବି ପଛେ, ତୋ ମୁହଁ ଭାଙ୍ଗି ଦେବି ।

 

ଗିରାମା’ କଳସୀଟାକୁ ବାଲି ଉପରେ ରଖି ଦେଇ ହାତ ମୁଠା ମୁଠା କରି ଦୌଡ଼ି ଆସିଲା ତୁଳସୀ ପାଖକୁ । ହାତ ତାର ତୁଳସୀ ଗାଲରେ ବାଜେ କି ନ ବାଜେ । ବଦେଇ ପଚାରିଲା, “ଆଉ ଏ ତୁଠକୁ ଆସିବୁ ଲୋ ଝାଡ଼ା–କୋଇଆଣୀ ଟୋକୀ ?” ତୁଳସୀ ଥରି ଥରି କହିଲା, “ନାହିଁ ସା’ନ୍ତାଣୀ, ଆଉ କେବେ ନଈକୁ ଆସିବି ନାହିଁ ।”

 

ଗିରାମାଆର ରାଗ ଟିକିଏ ଥମିଗଲା । କହିଲା–ନଈକୁ ଆସିବାକୁ ତତେ କିଏ ମନା କରୁଛି ? ଏଇ ତୁଠ ତଳକୁ ତୁଠ କରି ଦେଇ ତୋର ଗାଧୋଉଥା, ପାଣି ନେଉଥା । ତତେ ଆମେ କାହିଁକି କହିବୁ । ତୁଠ ଉପରକୁ ତୁଠ କରିବୁ ନାହିଁ । ତମ ଗାଧୁଆ ପାଣି ଆମ ଦେହରେ ଲାଗିବ । କିଲୋ କହୁ ନାହୁଁ ନୁଖୁରୀ ନାନୀ କହିଲା–‘ଠିକ୍ କଥା ନା, ଯେ ଯେତିକି ସେ ସେତିକିରେ ରହିବା ଉଚିତ । ଆଉରି ଗୋଟିଏ କଥା ଲୋ ଗିରାମା’ । କଙ୍ଗରେସ୍‍ ସରକାର ପରା ତାଙ୍କ ମୁହଁ ବଢ଼େଇ ଦେଇଚି । ଗିରାମା’ କୁନ୍ଥାଣଟେ ମାରି କହିଲା–କଙ୍ଗରେସ କଣ ଆମ ଜାତି ମହତ ନେବ ? ଆଲୋ–ଆ, ବେଳ ବୁଡ଼ିଲାଣି, ପାଣି ଗଲେ ଠାକୁର ଘରେ ଆଳତି ହେବ ।

 

ଗିରାମା’, ନୁଖୁରୀ ନାନୀ ମୁହଁମୋଡ଼ି ଦେଇ କଳସୀ ଧରି ପାଣିରେ ପଶିଲେ । ତୁଳସୀ ଆଖିରୁ ଲୁହପୋଛି ଦେଇ ଧୀରେ ଧୀରେ ନଦୀ ବନ୍ଧ ଉପରକୁ ଉଠିଲା । କେତେ ଆଡ଼ୁ କେତେ କଥା ମନେପଡ଼ିଲା ତାର । ଗରିବ ଘରର ଝିଅ ବୋଲି ସିନା ଗିରାମା’ ଆଜି ତାକୁ ମାରି ଗୋଡ଼ାଇଲା । ଏଇ ଗାଁର ଆଉ କାହା ଝିଅ ହୋଇଥିଲେ ସେ କ’ଣ ପାଟି ଫିଟାଇଥା’ନ୍ତା । କାହା ଆଗରେ ଆଉ ସେ ନିଜର ଦୁଃଖ ଜଣାଇବ । ଏଇ ସାହୁକାରମାନଙ୍କ ଦାଉରୁ ତ ରକ୍ଷା ପାଇବାପାଇଁ ବାପା ତାର ଯାଇ ବିଦେଶରେ ଦୁଃଖ ଭୋଗୁଛି । ମା’ଟି ଏକା । ବାରଘରେ ବାର ପାଇଟି, ନ କଲେ ନ ଚଳେ । ତା କଥା ସରପଞ୍ଚ ବାବୁ କ’ଣ ଶୁଣିବେ ? ଗିରାମାକୁ ଦୋଷୀ ସାବ୍ୟସ୍ତ କରିବେ ? ଗିରା ମହାନ୍ତି ଯେ ସରପଞ୍ଚ ବାବୁଙ୍କ ଡାହାଣ ହାତ । ତାଙ୍କ ବାପ ଅମଳରୁ ସେ ତାଙ୍କ ଗୁମାସ୍ତାଗିରି କରିଆସୁଛି । ବର୍ତ୍ତମାନ ପୁଣି ନ୍ୟାୟପଞ୍ଚ । ନା, ଗରିବର ଗୁହାରି କେହି ଶୁଣିବେ ନାହିଁ । ହରିଜନର କେବଳ ହରି ଭରସା ।

 

ତୁଳସୀ ମନକୁ ମାରି ଦେଇ କେତେ କ’ଣ ଭାବି ଭାବି ଚାଲିଛି ନଦୀ ବନ୍ଧ ଉପରେ । ପଛରୁ–ଠିକ୍ ତାର ପାଖରେ ସାଇକେଲ୍ ବେଲ୍ ବାଜିଲା । ତୁଳସୀ ପ୍ରକୃତିସ୍ଥ ହେଲା । କେଉଁଆଡ଼କୁ ଆଡ଼େଇ ଯିବ କିଛି ଭାବି ନ ପାରି ଏପଟ ସେପଟ ହେଲା । ଫଳରେ ଶ୍ରୀକାନ୍ତବାବୁଙ୍କ ସାଇକେଲ ଧକ୍କା ହେଲା ତା’ଦେହରେ । ପାଣି ମାଠିଆଟି ତାର କାଖରୁ ଖସି ପଡ଼ି ଭଙ୍ଗିଗଲା । ମାଠିଆଟିକୁ ଧରୁ ଧରୁ ତୁଳସୀର ଆଖି ପଡ଼ିଲା ଶ୍ରୀକାନ୍ତ ଉପରେ । କଣ କହିବ ସେ, ଜିଭ ତାର ଲେଉଟିଲା ନାହିଁ । ବଡ଼ଲୋକ ପୁଅ । ପାଞ୍ଚଖଣ୍ଡ ଗାଁର ହାନିଲାଭ, ଭଲମନ୍ଦ ତାଙ୍କ ବାପା ବୁଝୁଛନ୍ତି । ଅଭାବ ପଡ଼ିଲେ ଧାନ, ଟଙ୍କା ଦେଇ ଲୋକଙ୍କ ଜୀବନ ରଖୁଛନ୍ତି । ତାଙ୍କୁ ସେ କ’ଣ କହିବ ? ଖାଲି ଭଙ୍ଗା ମାଠିଆଟି ଆଡ଼େ ଅପଲକ ଦୃଷ୍ଟିରେ ଚାହିଁ ରହିଲା । ଶ୍ରୀକାନ୍ତ ସାଇକେଲ୍‍ଟିକୁ ସଜାଡ଼ୁ ସଜାଡ଼ୁ କହିଲା–ତୁମର କିଛି ଭୁଲନାହିଁ ଭଉଣୀ, ମୋର ସାଇକେଲ୍‍ର ବ୍ରେକ୍ ଧରୁନାହିଁ । ତୁମ ଦେହରେ ଧକ୍କା କରି ମୁଁ ବଡ଼ ଦୁଃଖିତ । ମାଠିଆଟି ଭାଙ୍ଗିଗଲା, ଗରିବ ଲୋକ ହଇରାଣ ହେବ । ଯଦି କିଛି ନ ଭାବ–ଏଇ ପଇସା ନିଅ; ମାଠିଆଟିଏ କିଣିବ । ତୁଳସୀ ଲାଜରେ ଶଙ୍କିଯାଇ ଗୋଡ଼ର ବୁଢ଼ାଆଙ୍ଗୁଠିରେ ମାଟି ଖେଳାଉ ଖେଳାଉ କହିଲା–ନାହିଁ ବାବୁ ! ବୋଉ ଗାଳିଦେବ ।

 

ଭଙ୍ଗା ମାଠିଆ ଦେଖିଲେ ତମ ବୋଉ ଖୁସି ହେବେ ? ମୋ କଥାଟି ମାନ, ମାଠିଆର ଦାମ୍‍ଟା ନେଇଯାଅ ।

 

ତୁଳସୀ ବନ୍ଧ ତଳକୁ ଖସି ଯାଉଥିଲା । ଶ୍ରୀକାନ୍ତ ବାଟ ଓଗାଳି ଯୋର କରି ତା’ହାତରେ ପାଞ୍ଚଟଙ୍କିଆ ନୋଟଟିଏ ଧରାଇ ଦେଲା । ଆଶ୍ଚର୍ଯ୍ୟ ହୋଇ ତୁଳସୀ ଚାହିଁ ରହିଲା ଶ୍ରୀକାନ୍ତର ମୁହଁକୁ-! ଶ୍ରୀକାନ୍ତର ଆଖିରେ ଅକୁହା ଭାଷା । ତୁଳସୀ ଆଉ ଚାହିଁ ପାରିଲା ନାହଁ । ଆଖିରେ ଆଖିର ମିଳନ ଉଭୟଙ୍କ ମନପ୍ରାଣରେ ଚମକ ସୁଷ୍ଟି କଲା ।

 

ଗିରାମା’, ନୁଖୁରୀ ନାନୀ ଉଠି ଆସୁଥିଲେ ନଦୀ ବନ୍ଧ ଉପରକୁ । ପଡ଼ିଲା ତାଙ୍କର କୋପଦୃଷ୍ଟି ଦୁଇ ତରୁଣ ତରୁଣୀଙ୍କ ନିରବ ମିଳନ ପଥରେ । ଗିରାମା’ ହଠାତ୍ ପଛକୁ ଘୁଞ୍ଚି ଆସି କହିଲା–ଦେଖିଲୁ ନୁଖୁରୀ ନାନୀ ?

 

-ଇ ଲୋ, ରାଧାକୃଷ୍ଣଙ୍କ ମିଳନ । ହାରାମଯାଦି ଟୋକୀ ସରପଞ୍ଚ ବାବୁଙ୍କ ପୁଅକୁ ଫୁସୁଲେଇ ସାଇଲାଣି । ନୁଖୁରୀ କହିଲା–ସେମିତି ରୂପ ଖଣ୍ଡେ ପାଇଛି ଲୋ ସେ ଟୋକୀ, ବାଟଗଲା ଲୋକ ପରା ଚାହିଁ ରହିବ । ସାନବାବୁ ତ ସହଜେ କଲେଜ ପଢ଼ୁଆ ପୁଅ । ସେବା ନ ଭୁଲିବେ କାହିଁକି ? ତୁ ତୁଠ ତଳକୁ ଖସିଆ’-ସେ ଯାଇ ସାରନ୍ତୁ ।

 

ଦୁହେଁ ବନ୍ଧ ତଳକୁ ଗଡ଼ି ଯାଉଥିଲା ବେଳେ ତାଙ୍କ ଉପରେ ତୁଳସୀର ଆଖି ପଡ଼ିଲା । ଖରତୁଣ୍ଡୀ ପରଘର ବୁଡ଼େଇ ଦେଖିଲେଣି, ମିଛରେ ସତରେ ଲଗାଇ ଜୁଟାଇ କହିବେ । ଟଙ୍କା ପାଞ୍ଚଟିକୁ ଥୋଇ ଦେଇ ସେ ବନ୍ଧ ତଳକୁ ଖସିଗଲା । ଶ୍ରୀକାନ୍ତ ନୋଟଟିକୁ ଉଠାଇ ଆଣି ଡାକିଲା–ତୁଳସୀ ! ମୋ କଥା ମାନିବୁ ନାହିଁ ? ତୁଳସୀ...

 

ଶ୍ରୀକାନ୍ତର କଅଁଳିଆ ଡାକ ତା କାନରେ ବାଜୁଛି । ଇଚ୍ଛା ହେଉଛି–ଫେରି ପଡ଼ି ପଦେ ଉତ୍ତର ଦେବାକୁ । କିନ୍ତୁ ସେ ଯେ ବଡ଼ ଲୋକ ପୁଅ । ଗରିବ ଝିଅର ମନ କ’ଣ ସେ ବୁଝିବେ ? ଅଳପ ଦିନକୁ ବହୁତ କଥା–ଖାଲି ଝୁରି ମରିବାଟି ସାର ହେବ ସିନା–ପଛକୁ ନ ଚାହିଁ ତୁଳସୀ ଚାଲିଲା ଆଗକୁ ।

 

ଦିନସାରା ଉପବାସ । ଅଙ୍ଗପ୍ରତ୍ୟଙ୍ଗ ସବୁ ଅବଶ ହୋଇ ପଡ଼ିଲାଣି । ସଳଖି ଚାଲିପାରୁ ନାହିଁ ତୁଳସୀ । ଗୋଡ଼କୁ ଗୋଡ଼ ତାର ଛନ୍ଦି ହେଉଛି । ଦିନକର ମୂଲ ଚାଉଳ ସେରେ, ବେଳ ଘଡ଼ିଏ ଥିଲା ଆଣି ଦେଇଯାଇଛି ବୋଉ -ଭାତଗଣ୍ଡିକ ଫୁଟାଇ ଦେଇ ସେ ଆସିଥିଲା ନଈକୁ । ତିନି ବରଷର ଭାଇ ବସନ୍ତଟି ବସି କାନ୍ଦୁଥିଲା ଭୋକରେ–ପାଣି ନେଇଥିଲେ ଭାତ ପଖାଳି ତାକୁ କିପରି ଖାଇବାକୁ ଦେଇଥାନ୍ତା । ମାଠିଆଟି ତ ଭାଙ୍ଗି ଦେଲା–ପାଣି କିପରି ନେବ ? ନୂଆଟିଏ କିଣିବାକୁ ବି ହାତରେ ପାହୁଲାଏ ନାହିଁ । ବୋଉ ଶୁଣିଲେ ବାଡ଼େଇ ପକାଇବ ।

 

ତୁଳସୀ ବୋଉର ଭୟରେ ଆଉ ଘରକୁ ଗଲା ନାହିଁ । ଘର ପଛରେ ତରାଟ ଗଛଟିଏ-ନୂଆ ପତର ଧରୁଛି । ପେନ୍ଥାକୁ ପେନ୍ଥା ଫୁଲ ଫୁଟିଛି ଗଛଟି ସାରା । ସେଇ ଗଛକୁ ଆଉଜି ସେ କାନ୍ଦିବାକୁ ଲାଗିଲା ।

 

ଶ୍ରୀକାନ୍ତ ନଦୀ ବନ୍ଧ ଉପରେ ଠିଆ ହୋଇ ଚାହିଁଛି ଅପଲକ ଦୃଷ୍ଟିରେ ତୁଳସୀକୁ । ତୁଳସୀ ଏକ ମୁହାଁ ହୋଇ ସାଇ ଭିତରେ ପଶିଲା । ଶ୍ରୀକାନ୍ତର ମନ ହଠାତ୍ ଚଳନଶକ୍ତି ହୀନ ହୋଇପଡ଼ିଲା । ଅସୀମ ବ୍ୟାକୁଳତାରେ ଛାତି ଭିତରଟା ତା’ର ପଡ଼ିଲା ଉଠିଲା । ଅନୁଭବ କଲା ସେ–ମସ୍ତକରେ ବେଦନା, ବଳିଷ୍ଠ ଅବୟବମାନଙ୍କରେ ଦୁର୍ବଳତା । ଶରତର ସଞ୍ଜୁଆ ପବନରେ ଶୀତେଇ ଉଠିଲା ତାର ଦେହ । ପ୍ରତି ଲୋମ ମୂଳଗୁଡ଼ିକ କେଉଁ ଅଶରୀର କର ପଲ୍ଲବ ପରଶରେ ଫୁଲି ଫୁଲି ଉଠିଲା । ଜ୍ୟୋତିହୀନ ଚକ୍ଷୁଦ୍ଵୟରୁ ଝରିପଡ଼ିଲା ଦୁଇଟୋପା ଅଶ୍ରୁ । ଶ୍ରୀକାନ୍ତ ଆଉ ଚାହିଁ ପାରିଲା ନାହିଁ ଦୂରକୁ । ଦୀର୍ଘ ନିଶ୍ଵାସ ତ୍ୟାଗକରି ମୁଦ୍ରିତ ନୟନରେ ସାଇକେଲକୁ ଆଉଜି ଠିଆହୋଇ ରହିଲା । ଭାବନା ତାର ଅସୀମ । ହଠାତ୍ ମନରେ ତାର ଅଦ୍ଭୁତ ପରିବର୍ତ୍ତନ କାହିଁକି ? କେତେକେତେ ସୁସଜ୍ଜିତା, ଆଧୁନିକାଙ୍କୁ ସେ କଟକ ସହରର ସ୍କୁଲ, କଲେଜ, ରାସ୍ତାଘାଟରେ ଦେଖିଛୁ । କିନ୍ତୁ କେବେ ତ ତାର ଯୁବକ ମନ ଅସ୍ଥିର ହୋଇନାହିଁ । ତେବେ ତୁଳସୀ କ’ଣ କାଉଁରୀ ଦେଶର କୁଆଁରୀ କନ୍ୟା ? ସେ କ’ଣ କିମିଆ କରି ଚାଲିଗଲା ? କି ସୁନ୍ଦର ମନୋହର କାନ୍ତି ତାର-! କାମଧନୁ ବିନୀନ୍ଦିତ ନୟନ ଭ୍ରୂଲତା ! ଫୁଲଶର ପରି ତାର ଅପାଙ୍ଗକଟାକ୍ଷ । କି ଅମୃତ ଦେଇ ବିହି ଗଢ଼ିଛି ତା’ ତନୁ ? କି କଳାକୌଶଳେ, କେତେ ଯୁଗେ ଶେଷ କଲା ତା’ ରୂପ ଗଠନ ? ନିତି ପ୍ରକୃତି ଯାହାକୁ ବିଭୁଷିତା କରୁଅଛି ନୂଆ ନୂଆ ରୂପେ, ତା’ର ଆଉ କୃତ୍ରିମ ପ୍ରସାଧନ ଦରକାର କ’ଣ ? କିନ୍ତୁ କାହାନ୍ତି ସେ କୁଳରେ ଏପରି ରୂପର ପୂଜାରୀ ? ତେବେ କ’ଣ ବଣ ମଲ୍ଲୀ ବଣେ ଫୁଟି ବଣେ ଝଡ଼ି ପଡ଼ିବ ?

 

ନୁଖୁରୀ ବୁଢ଼ୀ, ଗିରାମା’–ଦୁହେଁ ଠରା ଠରି ହୋଇ ବନ୍ଧ ଉପରକୁ ଉଠିଲେ । ନୁଖୁରୀ କହିଲା–ସାନ ବାବୁ ତ କ’ଣ ସେଇଠି ପଥର ପାଲଟିଗଲେଣି । ଭେଣ୍ଡିଆ ଟୋକୀକୁ ଦେଖି ପାଗଳ ହୋଇ ଗଲେନା କ’ଣ ? ଗିରାମା’ ଦୁମ୍ କି’ନା କଚାଡ଼ି ଦେଲା–ତା ବାମ ଗୋଡ଼ଟା ରାସ୍ତାଉପରେ, ମଲା ମୋର–କୋଉ ସୁନ୍ଦରୀଟା, ନା ଗୁଣବତୀଟା ଲୋ, ବାବୁ ତା’ ପାଇଁ ଝୁରିବେ ? ବାବୁ ତ ଛୁଇଁଲେ ତୁଳସୀ ପତର ପାଣି ପିଇ ଘରକୁ ଯିବା ଲୋକ । ସେଇଟା ଠେଇଁ ତାଙ୍କ ଆଖି କିଆଁ ଲାଖି ରହିବ ଲୋ ? ରଜାଘରକୁ କ’ଣ ଖଜା ଅପୂରବ ? ଆଜି ଚାହିଁଲେ କାଲିକି ସରଗର ଅପସରୀ ପରି ରଜା ଝିଅଟିଏ ଘରକୁ ଆସିବ ମୂଲିଆ ଝିଅ ମୂଲିଆକୁ ସାଜେ ମିନା । ରଜାପୁଅକୁ ନୁହେଁ । କେତେ ବଡ଼ ବଡ଼ ଘରୁ ଲୋକ ଆସୁଛନ୍ତି ଝିଅ ଦେବା ପାଇଁ–ପୁଣି ଲକ୍ଷେ ଟଙ୍କାର ସମ୍ପତ୍ତି ଯାଚୁଛନ୍ତି-। ସାନ ବାବୁଙ୍କର ପଢ଼ାସାରି ନାହିଁ ବୋଲି ସରପଞ୍ଚ ବାବୁ ମନା କରି ଦେଉଛନ୍ତି । ଆଉ ତୁ କହୁଛୁ–ମୂଲିଆ ଝିଅ ତୁଳସୀ ସେ ଘରକୁ କ'ଣ ସୁନ୍ଦର ଦିଶିବ ?

 

ଦୁହେଁ ଗପ କରିକରି ଶ୍ରୀକାନ୍ତ ପାଖରେ ଯାଇଁ ପହଞ୍ଚିଲେ । ଜାଣି ଶୁଣି ଗିରାମା’ କଥାଟାକୁ ଉପରେ ଯୋର୍ ଦେଇ ଦେଖେଇ ଦେଖେଇ କହିଦେଲା ତାର ଉଦ୍ଦେଶ୍ୟ । କଥାଟା ଯେପରି ଶ୍ରୀକାନ୍ତ କାନରେ ବାଜୁ । କାମଟା ବି ସେମିତି ହେଲା । ତୁଳସୀ ନାମଟା ଶୁଣି ଶ୍ରୀକାନ୍ତର ଧ୍ୟାନ ଭାଙ୍ଗିଗଲା । ସେ ଫେରିପଡ଼ି ପଛକୁ ଚାହିଁଲା । ଗିରାମା ହଠାତ୍ ପଚାରି ଦେଲା–ବାବୁ କଟକରୁ କେବେ ଆସିଲେ କି ?

 

ଶ୍ରୀକାନ୍ତ କହିଲା–କାଲିପରା ଆସିଲାବେଳେ ତୁ ଆମ ଘରେ ବସିଥିଲୁ । ପୁଣି ପଚାରୁଛୁ କିପରି ? କଥାଟାକୁ ସୁଧାରିନେବା ପାଇଁ ଗିରାମା କହିଲା–ବାବୁ, ପଚାଶ ଡେଇଁଲାଣି, ଆଉ ଆଖିକୁ ଦିଶୁନାହିଁ । ଆପଣ ଗଲେ କି ଆଉ କିଏ ଗଲା–ଚିହ୍ନିପାରିଲି ନାହିଁ । ଏଠି ବାବୁ ଠିଆ ହେଇଛି କାହିଁକି ? ସଞ୍ଜ ହେଲାଣି, ଅନ୍ଧାର ରାତି, ଶ୍ରୀକାନ୍ତ କହିଲା–ଡର କଣ ? ଏହି ହରିଜନ ସାଇର ଝିଅଟିଏ ପାଣି ନେଇଯାଉଥିଲା ଯେ ହଠାତ୍ ମୋର ସାଇକେଲ୍ ଧକ୍କା ଲାଗି ମାଠିଆଟି ତାର ଭାଙ୍ଗିଗଲା । ପଇସା ଜାଚିଲି ନେଲା ନାହିଁ । ଘରେ ତାର ବାପ, ମା କେତେ ଗାଳିଦେଇ ପାରନ୍ତି । ଭାବୁଛି ତାଙ୍କ ଘରେ ଯାଇଁ ଦାମ୍‍ଟା ଦେଇ ଆସିବି । ଗରିବ ଲୋକ–ନୂଆଟିଏ କିଣିବାକୁ ପଇସା ପାଇବେ କେଉଁଠୁ ?

 

ଗିରାମା’ କହିଲା, ହଁ ବାବୁ, ସେଇଆ କର । ଆଠଅଣା ପଇସାର ମାମଲା । ଛୋଟଲୋକ ଗୁଡ଼ା ପଛରେ କହିବେ କାହିଁକି ?

 

ଏତିକି କହି ଗିରାମା’ ନୁଖୁରୀକୁ ଆଖିଠାର ମାରିଦେଲା । ଦୁହେଁ ସେଠୁଁ ଚାଲିଆସିଲେ । ଶ୍ରୀକାନ୍ତ ସାଇକେଲ୍ ଟିକୁ ଧରି ବନ୍ଧ ତଳକୁ ଖସିଲା ।

Image

 

(୨)

 

ଫୁଲ ସଞ୍ଜ । ଗାଁର ମହାଦେବ ମନ୍ଦିରରେ ଆରତି ହେଉଛି । ରେଣୁକା ଫେରିଲା ଧାନ ବିଲରୁ । ଘର ଅନ୍ଧାର । ବସନ୍ତ ପିଣ୍ଡାରେ ବସି କାନ୍ଦୁଛି । ବୋଉକୁ ଦେଖି ସେ ଆହୁରି ଟିକିଏ ଜୋରରେ କାନ୍ଦି ଉଠି କହିଲା–ଦେଈ ଭାତ ଦେଲା ନାହିଁ । ତାକୁ ସାନ୍ତ୍ଵନା ଦେଇ ରେଣୁକା ଡିବିରିଟି ଲଗାଇଲା । ଦେଖିଲା–ଭାତ ଗଣ୍ଡିକ ରନ୍ଧାହୋଇ ଥୁଆ ହୋଇଛି । ହାଣ୍ଡିଶାଳେ ପାଣି ମାଠିଆ ନାହିଁ-। ଜାଣିଲା–ତୁଳସୀ ନଈକୁ ଯାଇଛି । ବିରକ୍ତରେ କହି ପକାଇଲା, “ଦିନବେଳେ ପାଣି ଆଣିବାକୁ କ’ଣ ତର ହେଲା ନାହିଁ ?” ରାତି ଗୁଞ୍ଜୁ ଗୁଞ୍ଜୁ ବେଳେ ନଈକୁ ଯାଇଛି ? ବାସି- ତୁରାଣିରେ ଭାତ ଗଣ୍ଡେ ପଖାଳି ବସନ୍ତକୁ ଦେଲା କାନିସିରି ଶାଗ ଆଣିଥିଲା–ବାଛି ବସିଲା । ଏତେବେଳ ଯାଏଁ ଆଉ କୁଆଡ଼େ ଗଲା ତୁଳସୀ ?”

 

ସରପଞ୍ଚ ବାବୁଙ୍କ ଚାକର ମଧୁଆ ଚିଠିଟିଏ ଧରି ପହଞ୍ଚିଲା । ମାଉସୀ ! ତୁମର ଚିଠି ଆସିଛି । ରେଣୁକା ଚମକି ପଡ଼ିଲା–ଚିଠି ? କିଏ ଦେଇଛି ବାପା ? ତୋ ମଉସା ନା ହେମନ୍ତ ?

 

ମଧୁଆ ଭାଗବତ ପଢ଼ିବା ଯାଏ ପାଠ ପଢ଼ିଛି । ଚିଠିଟି ଆଣି ଖୋଲି ପଢ଼ିଲା । ହେମନ୍ତ ଦେଇଛି ଗୋପାଳପୁର ହାଇସ୍କୁଲରୁ । ଷ୍ଟାଇପେଣ୍ଡ୍ ଚାରିମାସ ହେଲା ମିଳି ନାହିଁ । ମେସ୍‍ର ବାକି ତିରିଶି ଟଙ୍କା ତୁଟାଇ ଦଶଟଙ୍କା ଜମା ନ ଦେଲେ ଖୋରାକି ପଡ଼ିବ ନାହିଁ । ବଛା ବଛି ପରୀକ୍ଷା ଆଉ ମାସେ ରହିଲା । ଘରକୁ ଚାଲିଗଲେ ବାର ବରଷର ତପଯାକ ଶୁଖୁଆ ପୋଡ଼ାରେ ଯିବ । ମଧୁଆ ଚିଠିଟି ପଢ଼ି ଦେଇ ଚାଲିଗଲା ।

 

ରେଣୁକାର ମସ୍ତକରେ ବଜ୍ରପାତ ହେଲା । କ’ଣ କରିବ, କୁଆଡ଼ୁ ଆଣିବ ଟଙ୍କା ? ବାପ କଲିକତାରେ ଅଚିନ୍ତାରେ ଅଛି । ଚାରି ଚାରି ମାସ ହେଲା ଟଙ୍କା ପଇସା କି ଚିଠିପତ୍ର କିଛି ପଠାଉ ନାହିଁ, ତିନି ତିନିଟା ପିଲାଙ୍କୁ ମୁଁ କିପରି ପାଳିବି ? ଏ ଦୁଇଟି ଘରେ ଅଛନ୍ତି ବୋଲି ଯୁଆଡ଼ୁ, ଆଣୁଛି, ପାଣିପଖାଳ କରି ଖାଉଛୁ । ସେ ତ ରହିଲା ବିଦେଶରେ, ତା’ପାଇଁ କୁଆଡ଼ୁ ଏହିକ୍ଷଣି ଟଙ୍କା ଆଣିବି-?

 

ସାଇକେଲ୍ ବେଲ୍ ବଜାଇ ଶ୍ରୀକାନ୍ତ ଡାକିଲା–ମାଉସୀ ଘରେ ଅଛି ? ରେଣୁକାର ଚିନ୍ତା ସ୍ଵପ୍ନ ଭାଙ୍ଗିଗଲା । ଡିବିରିଟି ଧରି ବାହାରି ଆସିଲା ପଦାକୁ । ବାବୁ ! ଆପଣ କୁଆଡ଼େ ? ଆଜି ଆମର ବଡ଼ ଭାଗ୍ୟ । ବସ ବାବୁ ! ସଅପ ଖଣ୍ଡେ ପକାଇଦେଲା ରେଣୁକା । ଶ୍ରୀକାନ୍ତ କହିଲା–ନା’ ମାଉସୀ, ମୋତେ ବସିବାକୁ ସମୟ ନାହିଁ । ତୁଳସୀ କଣ କହୁଥିଲା ତୁମ ପାଖରେ ?

 

କାହିଁ ବାବୁ ତୁଳସୀ :

 

ତୁଳସୀ ଆସି ନାହିଁ ? ତେବେ ଗଲା କୁଆଡ଼େ ? ଗୋଟିଏ କଥା ମାଉସୀ ! ତୁଳସୀ ପାଣି ନେଇ ଫେରୁଥିଲା ବନ୍ଧ ଉପରେ । ମୁଁ ଘଣ୍ଟିଦେଲି । ତରଛି ଯାଇଁ ଏପଟ ସେପଟ ହେଲା ସେ–ମୋ ସାଇକେଲଟା ଦେହରେ ବାଜିଲା । ତା’ କଳସୀ ଖସିପଡ଼ି ଭାଙ୍ଗିଗଲା । ପଇସା ଯାଚିଲି ଆଣିଲା ନାହିଁ, ପଳାଇ ଆସିଲା ।

 

ରେଣୁକା ଏଣିକିତେଣିକି ଚାହିଁ କହିଲା–ଆଉ କୁଆଡ଼େ ଗଲା ସେ ? ମୋ ଭୟରେ କୋଉଠି ବସିଥିବ ବାବୁ ! ଶ୍ରୀକାନ୍ତ କହିଲା–ତୁମେ ତାକୁ କିଛି କହିବ ନାହିଁ ମାଉସୀ, ଏଇ ପଇସା ନିଅ, କଳସୀଟେ କିଣି ଆଣିବ । ତା’ର କିଛି ଦୋଷ ନାହିଁ ।

 

–ନାହିଁ ବାବୁ, ଆପଣଙ୍କ ଠାରୁ ପଇସା ତଣ୍ଡି ନେବୁ? ଆମେ ଆପଣଙ୍କର ପରା ଖାଉଛୁ–

 

ମୁଁ ତଣ୍ଡ ଦେଉ ନାହିଁ ମାଉସୀ–ଖୁସିରେ ଦେଉଛି । ତୁମେ ଗରିବ ଲୋକ । ନୂଆଟିଏ କିଣିବାକୁ ପଇସା ନ ଥିବ । ପୁଣି ଚଳିବ କିପରି ? ମୋ କଥା ରଖ, ପଇସା ନିଆ । ପଇସା ନ ନେଲେ ମୁଁ ଘରକୁ ଯିବି ନାହିଁ ।

 

ରେଣୁକା ହାତ ବଢ଼ାଇ ଦେଲା । ଶ୍ରୀକାନ୍ତ ପାଞ୍ଚଟଙ୍କିଆ ନୋଟଟି ଦେଇ ଚାଲିଗଲା । ଜୀବନରେ ପାଞ୍ଚଟା ଟଙ୍କା ସେ କେବେ ଏକତ୍ର ଦେଖି ନାହିଁ, ଆସି ବୁଢ଼ି ହେଲାଣି । ମାଠିଆ କିଣିବ କ’ଣ–ହେମନ୍ତର ଚିଠିକଥା ମନେ ପଡ଼ିଲା । ରାତି ପାହିଲେ ଏ ଟଙ୍କାକୁ ପଠାଇଦେବ ତା’ ପାଖକୁ । ଭଗବାନଙ୍କର ପ୍ରେରିତ ଟଙ୍କା ଅପବ୍ୟୟ ହେବ ନାହିଁ । ଲୁଗାକାନିରେ ଟଙ୍କାକୁ ରଖିଦେଇ, ରେଣୁକା ପୁଣି ଶାଗ ବାଛି ବସିଲା । ଆସୁ ସେ କୋଉଠି ଅଛି, କଳସୀକୁ ଭାଙ୍ଗି ଦେଇ କାହା ଘରେ ବସିଛି ।

 

ତୁଳସୀ ବାଡ଼ିପଟ ତରାଟଗଛକୁ ଆଉଜି ସବୁ ଶୁଣୁଛି । ଶ୍ରୀକାନ୍ତ ଯେତେବେଳେ ତାଙ୍କ ବାଡ଼ିପଟ ରାସ୍ତା ଦେଇ ଗାଁ ଭିତରକୁ ଯିବାକୁ ଚେଷ୍ଟା କଲା, ତୁଳସୀ ତରାଟ ମୂଳେ, ଅନ୍ଧାରଟାରେ ଚୁପ୍ ହୋଇ ବସି ପଡ଼ିଲା । ଆଗେଇ ଗଲା ଶ୍ରୀକାନ୍ତ । ତୁଳସୀ ଉଠି ଠିଆହେଲା । ଚାହିଁଲା, ଶ୍ରୀକାନ୍ତକୁ । କ୍ରମେ କ୍ରମେ ଅନ୍ଧାରରେ ମିଶି ଯାଉଛି । ସାଇକେଲ୍‍ର ଚକା ଦି’ଟା କେତେ ଶୀଘ୍ର ଘୂରି ଚାଲିଛି ! ପୁଣି ସେ ଭାବିବାକୁ ଲାଗିଲା । ମୋ ପାଇଁ କେତେ କଷ୍ଟ ପାଇଲେ ! ଗାଡ଼ିକୁ ପେଲି ପେଲି ଅନ୍ଧାରରେ ଏତେ ବାଟ ଆସିଲେ । ଏତେ ବଡ଼ ଲୋକର ପୁଅ, କ'ଣ ସେ ଭାବିବେ ? ଏଇ ବାଟେ ଗଲେ, ମୁଁ ତାଙ୍କୁ କ୍ଷମା ମାଗି ପାରିଲି ନାହିଁ । ସେ ମଣିଷ ନୁହନ୍ତି–ଦେବତା–ଗରିବଙ୍କ ମା’ ବାପ । ଯେଉଁ ଝିଅଟି ଏପରି ମହାମାନବର ପାଦସେବା କରିବାକୁ ସୁଯୋଗ ପାଇବ, ସେ କେଡ଼େ ଭାଗ୍ୟବତୀ ହୋଇ ନ ଥିବ ? କି ସୁନ୍ଦର କଥା ପଦକ ତାଙ୍କର, ଆଉ କଣ କେବେ ଶୁଣିବାକୁ ପାଇବି ନାହିଁ ? ଏ–ମୁଁ କ’ଣ ଭାବୁଛି ? ଭଗବାନ ମୋତେ କ୍ଷମାକର । ମୁଁ ତାଙ୍କର ଉପଯୁକ୍ତା ନୁହେଁ । ମୁଁ ଗରିବ ଅଚ୍ଛବ ଘରର ଝିଅ ମୁଁ ଅଭିଶପ୍ତା ବିଚଳିତ ହୋଇଉଠିଲା ତୁଳସୀ । ମୁଣ୍ଡଟା ତା’ର ବାଡ଼େଇ ହୋଇଗଲା ତରାଟ ଗଛରେ । ସୁଖ ସ୍ଵପ୍ନ ଭାଙ୍ଗିଗଲା । ଚାହିଁଲା–ମହାଜନ ସାହି ଆଡ଼କୁ । ବିଜୁଳି ଆଲୁଅରେ ଦେଖାଗଲା–ପୋଖରୀ ବନ୍ଧରେ କିଏ ଜଣେ ତା’ ଆଡ଼କୁ ଚାହିଁ ଠିଆ ହୋଇଛି । ସେହି ହେବେ । କଣ ସେ ଭାବୁଛନ୍ତି ।

 

ଶ୍ରୀକାନ୍ତ ପୋଖରୀ ବନ୍ଧକୁ ଉଠି ଫେରି ଫେରି ଚାହିଁଛି–ତୁଳସୀର ଘରଆଡ଼କୁ ! ଅନ୍ଧାରରେ କିଛି ବାରି ହେଉ ନାହିଁ ! ତୁଳସୀଘରକୁ ଯାଇ ନାହିଁ ତ–ଗଲା କୁଆଡ଼କୁ ? ଗରିବ ଘରେ ଜନ୍ମହେଲା କାହିଁକି ସେ ? ଗଲା ଭଗବାନଙ୍କର ସୁନ୍ଦର ସୃଷ୍ଟିରେ ପୁଣି ଏ କି ବ୍ୟତିକ୍ରମ ? ଗୋବର ଗଦାରେ ପଦ୍ମଫୁଲ । କୋଇଲି ଦେହ ପୁଣି କଳା କ୍ଷୀର ସମୁଦ୍ରର ଜଳ ପୁଣି ଖାର-ଆଉ ଗୋଲାପି ଗଛରେ କଣ୍ଟା ବାହାରେ ଦୁନିଆ ! ଏହି ସମୟରେ ମେଘଟା ଗଜି ଉଠିଲା ।

 

ଶ୍ରୀକାନ୍ତ ଫେରି ଆସିଲା ଅବସ୍ଥାକୁ । ସାଇକେଲ୍‍ଟି ଧରି ଖସିଲା ବନ୍ଧ ତଳକୁ ।

 

ତୁଳସୀ ତରାଟ ମୂଳେ ଚାହିଁଛି ।

 

କିଛି ଆଉ ଦେଖାଗଲା ନାହିଁ ଅନ୍ଧାରରେ । ପୁରୁବ ଦିଗରୁ କଳାମେଘ ଖଣ୍ଡେ ଉଠାଇଆସି ଆକାଶକୁ ଆବୋରି ସାରିଲାଣି । ଏହିକ୍ଷଣି ବର୍ଷା ହେବ । ତୁଳସୀର ଛାତି ଥରିଉଠିଲା-। ଯୌବନର ସାଗର ମଧ୍ୟରେ ପୂର୍ଣ୍ଣମୀର ଜୁଆର ! ସମସ୍ତଙ୍କୁ ନବ ବୟସ ଏ ଦଶା ଦିଏ । ତା’ ଦେହରେ ବି ସେ ବୟସ ଲାଗିଛି । ସେ ଗରିବ ଝିଅ-ତଥାପି ତା’ର ତ ମନ ପ୍ରାଣଅଛି । ସମସ୍ତଙ୍କ ପରି ପ୍ରକୃତି ତାକୁ ଭଲ ପାଇବାକୁ ଶିଖାଇଛି । ଉପକାରୀ ଲୋକର ମଙ୍ଗଳ କାମନା ସେ ଅବା ନ କରିବ କିପରି ? ଭଗବାନଙ୍କୁ ହାତ ଯୋଡ଼ିଲା–ବର୍ଷାପୂର୍ବରୁ ସେ ଯେପରି ଘରେ ପହଞ୍ଚି ଯାଆନ୍ତୁ !

 

ରେଣୁକା ଶାଗ ବାଛି ସାରି ଦାଣ୍ଡଦୁଆରେ ଖୁବ୍ ଜୋର୍‍ରେ ଡାକିଲା–‘ତୁଳସୀ, ତୁଳସୀ । ତୁଳସୀ ବାଢ଼ିପଟରୁ ବାହାରି ଆସିଲା ‘‘କିଲୋ, ସେଠି କଣ କରୁଥିଲୁ ?” ରେଣୁକା ପଚାରିଲା । ତୁଳସୀ କିଛି ନ କହି ପନିକି ପକାଇ ଶାଗ କାଟି ବସିଲା, ରେଣୁକା ଭାବିଲା–ଏତେ ବଡ଼ଲୋକର ପୁଅ ତା’ ପାଇଁ ଆପତ୍ତି କରିଗଲେ, ସେ ପୁଣି ତାକୁ ବାଡ଼େଇବ କି ଗାଳିଦେବ କିପରି ? ଆଉ ତାକୁ କିଛି ନ କହି ବାହାରୁ ହାଣ୍ଡିଟିଏ ନେଇ ନଈକୁ ଚାଲିଗଲା ।

Image

 

(୩)

 

ମଧୁପୁର ଗାଁର ଭାଗବତ ଘର । ଇଲାକାର ଭୁତପୂର୍ବ ଜମିଦାର ଓରେଫ୍ ବର୍ତ୍ତମାନର ନ୍ୟାୟବାନ୍ ସରପଞ୍ଚ ବସିଛନ୍ତି–ଖଣ୍ଡେ ସଫା ସତରଞ୍ଜି ଉପରେ । ବାମକୁ ଗିରା ମହାନ୍ତି, ଦକ୍ଷିଣରେ ନିଧି ବାରିକ୍ । ଆଉ ଅନ୍ୟାନ୍ୟ ଧର୍ମପ୍ରାଣ ବୃଦ୍ଧ ବ୍ୟକ୍ତି ଦଶ ପନ୍ଦର ଜଣ–ସରପଞ୍ଚ ନରହରି ବାବୁଙ୍କ ସାମନାକୁ ଅର୍ଦ୍ଧ ଗୋଲାକାର କରି ବସିଛନ୍ତି । ପଣ୍ଡାପୁଅ–ଭାଗବତ ଗାଦୀ ପାଖରେ ଠାକୁରଙ୍କର ପ୍ରଧାନ ଭୋଗ ଗଞ୍ଜେଇ ଚିଲମ ସଜାଉଛନ୍ତି । ମଧୁ ମଳିକ କିଛି ଦୁରରେ ଖୁଣ୍ଟକୁ ଆଉଜି ଖୁଁ ଖୁଁ କରି କାଶୁଛି । ଗିରା ମହାନ୍ତି ନରହରି ବାବୁଙ୍କୁ ଚାହିଁ କହିଲା–ଆଜ୍ଞା, ମାଲଟା ଆଜି ଚୋଖା ଅଛି । ଦଳୁଦଳୁ ବାସି ଉଠିଲାଣି । ପଣ୍ଡା ପୁଅ ! ଏ ମାଲ୍ କାହାର ? ଦଧି ପଣ୍ଡା କହିଲା–ଆଜ୍ଞା, ଏଇ ମଧୁ ମଳିକର ପରା ମାନସିକ ଥିଲା । ଭାଗବତ ମହାପ୍ରଭୁଙ୍କ ମନଜାଣି ସେ ଗଞ୍ଜେଇ ଆଣିଛି । ତା ମନ ନିଶ୍ଚୟ ମହାପ୍ରଭୁ ଜାଣିବେ । ରାଣ୍ଡିଆ ହୋଇ ବିଚରା ବର୍ଷେ ହେଲା ରହିଲାଣି । ବଡ଼ ହଇରାଣ ହେଉଛି । ଏଥର ନିଶ୍ଚୟ ତା’ର ମନକାମନା ପୂରଣ ହେବ । ମଧୁଆ କହିଲା–କାହିଁ ଆଜ୍ଞା, ଭାଗବତ ମହାପୁରୁ ମୋ ଦୁଃଖ କୋଉଠି ଶୁଣୁଛନ୍ତି ? ଦୋବେଇ ବୋଲି ଶୁଣିଲା ମାତ୍ରେ ତ କେହି ପାଖ ପଶୁ ନାହାନ୍ତି । ଦିଅଁ ଦେବତାଙ୍କ ପାଇଁ ଯେତେ ପଇସା ଖର୍ଚ୍ଚକଲିଣି –ରଖିଥିଲେ ଶଏଟଙ୍କା ହୁଅନ୍ତାଣି । ସରପଞ୍ଚ ନରହରି ବଡ଼ ଜେନାଙ୍କର ଗୋଡ଼ ମୋଡ଼ି ଦେଉ ଦେଉ ନିଧିବାରିକ କହିଲା–ଏତେକଥା କଲୁଣି, ଠାକୁରେ ଶୁଣୁନାହାନ୍ତି ? ତାହାହେଲେ ତୋ ମୁଣ୍ଡରେ ବିଲୁଆ ଛିଙ୍କିଛିରେ ମଧୁଆ ।

 

ମୁହୂର୍ତ୍ତକ ପାଇଁ ଗୋଟାଏ ହସରା ଢେଉ ଖେଳିଗଲା । ପଣ୍ଡାପୁଅ ଗଞ୍ଜେଇ ଚିଲମରେ ନିଆଁ ଲଗାଇ ଭାଗବତ ଗାଦି ତଳେ ଥୋଇ ଦେଲେ । ମଧୁ ମଳିକ ସେଇ ବାରଣ୍ଡା ଖୁଣ୍ଟ ପାଖରୁ ଲମ୍ବ ହୋଇ ଅଧିଆ ପଡ଼ିଗଲା । ଗିରା ମହାନ୍ତି କହିଲେ–ହରି ବୋଲି ଦିଅ–ମଧୁଆର ମନକାମନା ପୂର୍ଣ୍ଣ ହେଉ । ସମସ୍ତେ ଏକ ସମୟରେ ହରି ବୋଲ ଦେଲେ । ଗାଁ ଉଛୁଳି ପଡ଼ିଲା । ତା’ ପରେ ପଣ୍ଡାପୁଅ ଚିଲମଟିକୁ ଉଠାଇଆଣି ଧରାଇ ଦେଲେ ବାବୁଙ୍କୁ । ସରପଞ୍ଚ ବାବୁଙ୍କଠାରୁ ନ୍ୟାୟପଞ୍ଚ ଗିରା ମହାନ୍ତିଙ୍କ ହାତକୁ ଗଲା, ସେଠୁ ପୁଣି ନିଧି ବାରିକ ହାତକୁ–ଏହିପରି ଚିଲମଟି ଚାରିପାଖ ବୁଲି ବୁଲି ପୁଣି ଆସି ସରପଞ୍ଚଙ୍କ ହାତରେ ପଡ଼ିଲା । ଆଉ ଦି’ ଢୋକ ଟାଣିଦେଇ ସରପଞ୍ଚବାବୁ ଡାକିଲେ–ମଧୁଆ ଅଛୁ ନାରେ ?

 

–ହଁ ହଜରୁ, ବସିଛି ।

 

–ଆବେ ଏଠାକୁ ଆ–ଏତେ ଦୂରରେ କାହିଁକି ବସିଛୁ ? ଦେବ ମନ୍ଦିର, ଗଞ୍ଜେଇ ଖଟି, ମଦଭାଟି ଆଉ ଡଙ୍ଗା ଘାଟି–ଏ ଜାଗାରେ ପରା ଜାତି ଅଜାତି ବାରଣ ନାହିଁ । ଉଠିଆ–ଢୋକେ ଟାଣି ଦେ । ଖୋସାମତିଆ ନିଧି ବାରିକ ବାବୁଙ୍କ ପିଠିରେ ତେଲ ମାରୁ ମାରୁ କହିଲା–ଆରେ ଉଠି ଆସୁନାହିଁ ? ବାବୁ ପରା ଡାକୁଛନ୍ତି । ବାବୁ ତ ହୁକୁମ ଦେଲେ, ଆଉ କିନ୍ତୁ କିନ୍ତୁ ହେଉଛୁ କାହିଁକି ?

 

ବାମ ହାତରେ ଆଣ୍ଠୁ ଉପରକୁ ଲୁଗାକୁ ଚାପି ଧରି ଡାହାଣ ହାତଟି ତଳକୁ କରି ମଧୁଆ ଆସି ପାଖରେ ଛଡ଼େଇ ହୋଇ ବସିଲା । ନିଧିଆ ବଢ଼େଇ ଦେଲା–ଚିଲମଟି ଦୁଇ ତିନି ଢୋକ–ଏକ ବିଶ୍ଵାସରେ ଟାଣିଦେଲା ମଧୁଆ । ବାରିକ ପୁଅ–ମାଲଟା ପ୍ରକୃତରେ ବଢ଼ିଆ । ନିଧି ବାରିକ କହିଲା–ଆରେ, ମାଲ୍‍କୁ ପିଇ ବାବୁଙ୍କର ମିଜାସ୍ ଖୁସ୍ ଅଛି । ଲମ୍ବହୋଇ ଗୋଡ଼ ତଳେ ପଡ଼ିଯା’ । ବାବୁ ସନ୍ତୁଷ୍ଟ ହେଲେ–କାଲି ବାହା ହେବୁ । ବାବୁ ତ ସବୁ–ଆଉ କି ଠାକୁର ବେ ? ବର୍ଷ ହେଲାଣି ତୋ ତିରିଲା ମଲାଣି । ହଇରାଣ କ’ଣ କମ୍ ହେଲୁଣୁ ?

 

–ହଁ ବାବୁ, ସେକଥା ଆଉ, କାହିଁକି କହୁଛ ।

 

–ସେଇୟା’ ଯଦି ବୁଝିଛୁ ମୋ କଥାକର । ମଧୁଆ ଲମ୍ବ ହୋଇ ଶୋଇଗଲା–ହଜୁର, ମୋତେ ରକ୍ଷାକର । ସରପଞ୍ଚ ବାବୁ ଚିନ୍ତାଖୋରରେ ଥଙ୍ଗେଇ ଥଙ୍ଗେଇ ପଚାରିଲେ–ଆବେ ଚୋର କ’ଣ ଆପତ୍ତି ଅଛି କହ ? ବାରିକ ଜବାବ ଦେଲା–ହଜୁରଙ୍କର ଆଉ ସବୁ କାମ ସରୁ–ସେ କହିବ ନାହିଁକି ?

 

ନ୍ୟାୟପଞ୍ଚ ଗିରା ମହାନ୍ତିଙ୍କର ଭାଷଣ ଆରମ୍ଭ ହେଲା । ସମସ୍ତେ ଦେଖିଥିବ–ସେଦିନ ଜାଜପୁର ଜମିଦାର, ତାଙ୍କ ଝିଅଟିକୁ ଆମ ଶ୍ରୀକାନ୍ତ ବାବୁଙ୍କୁ ଦେବେ ବୋଲି ଆସିଥିଲେ । ସରପଞ୍ଚ ବାବୁ ତାଙ୍କୁ ମନା କରି ଦେଇଥିଲେ କିନ୍ତୁ ଆମେ ଯାହା ଦେଖିଲୁ ଶ୍ରୀକାନ୍ତ ବାବୁଙ୍କର ମନଟା ଟିକେ ଅନ୍ୟ ରକମ ହେଲାଣି । ନଇଲେ ସେ କ’ଣ ଆଜି ହରିଜନ ସାହି ଫକିର ଝିଅ ସାଙ୍ଗରେ କଥା ହେଉଥା’ନ୍ତେ ? ଏ କଥା ଶୁଣି ବାବୁଙ୍କର ମନ ବଡ଼ ଦୁଃଖ | ମୁଁ ରାତି ପାହିଲେ ଜାଜପୁର ଯିବି । କାମଟା ଆସନ୍ତା ମାର୍ଗଶିରକୁ କରିବା କି ନାହିଁ, ଆପଣମାନେ ଜବାବ ଦିଅନ୍ତୁ ।

 

ସମସ୍ତେ କହିଲେ-ହଁ କରିବା । ମହାନ୍ତିଏ ପୁଣି କଲେ–ହଁ, କରିବା ବୋଲି କହିଲ ଯେ–ବାବୁଙ୍କ ହାତରେ ବର୍ତ୍ତମାନ ଅର୍ଥ ନାହିଁ । ସେ ଆମକୁ କିଛି କିଛି ସାହାଯ୍ୟ ମାଗୁଛନ୍ତି । ମାନେ ସେ ବେଳତ ଗଲାଣି । ଜମିଦାରୀ ଥିଲେ –ଆମେ ସମସ୍ତେ କିଛି କିଛି ତ ଭେଟି ଦେଇଥାନ୍ତେ । ଜମିଦାରୀ ସିନା ଉଠିଗଲା–ହେଲେ ଆମର ଜମିଦାର ତ ବସିଛନ୍ତି । ତାଙ୍କୁ ତ ଟିକିଏ ଚାହିଁବାକୁ ହେବ ।

 

ପଣ୍ଡା ପୁଅ କହିଲା–ସେଇଟା ପ୍ରଜାମାନଙ୍କର କର୍ତ୍ତବ୍ୟ । ତେବେ ଆମେ କ’ଣ ଦେବାକୁ ନାହିଁ କରୁଛୁ ? କ’ଣ କହୁଛ, ଭାଇମାନେ କହୁନାହଁ ? କାହାର କିଛି କହିବାର ଅଛି ? ସମସ୍ତେ ନିରବ ରହିଲେ । ସରପଞ୍ଚ ନରହରି ବାବୁ ସଳକି ବସିଲେ । ମହାନ୍ତିଏ ଦେଖିଲି ପ୍ରଜାମାନେ ସମସ୍ତେ ରାଜି ଅଛନ୍ତି । ତୁମେ କାଲି ଜାଜପୁର ଯାଅ । କଥାଟା କାଇମି କରି ଆସିବ, ଦବା ନବା ବୁଝିଆସିବ–ଆଉ ପିଲାଟିକୁ ଦେଖି ଆସିବ । ତା’ପରେ ମୁଁ ଯିବି । ଏ କୁଳାଙ୍ଗାର ପୁଅଟାକୁ ଆଉ ବେଶି ଦିନ ଅଟକେଇ ହେବ ନାହିଁ । ଆରେ–ତୋର ସ୍ଥାନ କେଉଁଠି–ତାର ସ୍ଥାନ କେଉଁଠି ? ତୋର ଜାତି କ’ଣ, ତା ଜାତି କ’ଣ ? ଛୁଇଁଲେ ପରା–ପାପ ? କଣ କହିବି, ଇଙ୍ଗିରାଜି ପାଠଗୁଡ଼ା ସବୁ ପିଲାମାନଙ୍କୁ ଖରାପ କାମ ଶିକ୍ଷା ଦେଲା ।

 

ସରପଞ୍ଚ ବାବୁଙ୍କର ଦୃଷ୍ଟି ପଡ଼ିଲା–ମଧୁଆ ଉପରେ । ଆରେ, ତୁ ଅଧିଆ ପଡ଼ିଛୁ କାହିଁକି-? ବାରିକ କହିଲା–ବାବୁ, ବର୍ଷେ ହେଲା ଭାରିଜାମଲାଣି । ବିଚରା ବଡ଼ ହଇରାଣ ହେଉଛି-। କେଉଁଠି ଗୋଟିଏ ଯୋଗାଡ଼ କରିଦେଲେ–ବିଚରା ! ନିଧି ବାରିକର କଥା ନ ସରଣୁ ନରହରି ବାବୁ କହି ପକାଇଲେ, ଏଥପାଇଁ ଚିନ୍ତା କ’ଣ ? ଫକିର ଝିଅ ତୁଳସୀକୁ ତୋତେ ବାହା କରି ଦେବି-। ମଧୁଆ ଉଠି ବସିଲା–ବାବୁ ସେ କ’ଣ ରାଜି ହେବ ? ମହାନ୍ତି କହି ପକାଇଲା–ତୁ ଯା’ ପଇସା ପତ୍ର ଯୋଗାଡ଼ କର । ଠାକୁର ଘରକୁ ପଚିଶ୍ ଟଙ୍କା ସଲାମି ଦେ, ଆମକୁ ପଙ୍ଗତ ଦେ–ତୋ ବାହାଘର ହେବ କି ନାହିଁ–କହିବୁ ।

 

ମଧୁଆ ଚୁପ୍ । ନିଧି ବାରିକ କହିଲା–ମଧୁଆ ତୋ ଭାଗ୍ୟରେ । ନଇଲେ–ତୁଳସୀ ପରି ଝିଅ–ତୋତେ ମିଳିଥାନ୍ତା ? ଏ ଆଖ ପାଖ ଦଶକୋଶରେ, ଭଦ୍ରଲୋକ ଘରେ ଏମିତି ଝିଅଟେ ନାହିଁ । କିଏ କହିବ ତାକୁ ହରିଜନ ଝିଅ ବୋଲି ?

 

ନରହରି ବାବୁଙ୍କୁ ବେଶି ନିଶା ଘାରିଲା । ସେ ଆଉ ବସି ପାରିଲେ ନାହିଁ । ଏତିକିରୁ ସଭା ଭାଙ୍ଗିଲା । ପଣ୍ଡାପୁଅ ଭାଗବତ ଟୁଙ୍ଗିରେ ତାଲା ଦେଲା ।

Image

 

(୪)

 

ଦଶ ବାଜିଲାଣି, ଗାଧୁଆ ପାଧୁଆ ନାହିଁ । ଶ୍ରୀକାନ୍ତ ବୈଠକଖାନାରେ ବସି–କେତେ କଣ ଭାବିଚାଲିଛି । ଦୁଇଦିନ ହେଲା ବାପା କାହିଁକି ବିରକ୍ତ ହେଉଛନ୍ତି । କଟକ କେବେ ଯିବି ବାରମ୍ବାର ପଚାରୁଅଛନ୍ତି । ନୂଆ ମା’ ଦେଖିଲା ମାତ୍ରେ ମୁହଁ ହଲାଉଛି । ଏହାର କାରଣ କ'ଣ ? କିଏ ତା’ର ପ୍ରକୃତ ଜବାବ ଦେବ ।

ଶ୍ରୀକାନ୍ତ ମୁଣ୍ଡଟେକି ଚାହିଁଲା କାନ୍ଥ ଉପରକୁ । ପାଖକୁ ପାଖ ଲାଗି ଦୁଇଟି ଫଟୋ । ନରହରି ବାବୁ ଓ ତାଙ୍କ ବଡ଼ଭାଇ ଗୌରହରିଙ୍କର ପିଲାଦିନର ଫଟୋ । ଫଟୋରୁ ଜଣାପଡ଼ୁଛି–କିଏ କିପରି ଲୋକ । ଦୁଇ ମା’ ପେଟରୁ ଦୁଇଟି ଭାଇ–ବାପ ଏକା, ଜଣେ ଦୁଷ୍ଟ ନିଷ୍ଠୁର ଆଉ ମୂଃର୍ଖ–ଅନ୍ୟ ଜଣେ ଶାନ୍ତ, ସାଧୁ ଏବଂ ଦୟାଳୁ । ବଡ଼କୁ ଭଗବାନ ସବୁଦିନେ ବଡ଼ କରିଛନ୍ତି । ସାନ ନିଜ ବୁଦ୍ଧି ଯୋଗୁହିଁ ସବୁ ଦିନେ ସାନ । ଶ୍ରୀକାନ୍ତ ଗିରା ମା’ଠାରୁ ଶୁଣିଛି–ବଡ଼ ବାପାଙ୍କର ମା’ ମରିଗଲା ପରେ ବୁଢ଼ା ଜମିଦାର ପୁଣି ବିଭା ହେଲେ । ଜନ୍ମ ହେଲେ ସାନବାବୁ । ବୁଢା ଜମିଦାରେ ଗୌରହରି ଓ ନରହରି ଦୁଇପୁଅଙ୍କୁ ଖୁବ୍ ସ୍ନେହ କରୁଥିଲେ । ଦେଖିଲେ ଭାତ ଖାଉ ନ ଥିଲେ କିନ୍ତୁ ସାନ ମାଆଙ୍କ ଆଖିରେ ସବୁ ଗଲା ନାହିଁ । କ୍ରମେ କ୍ରମେ ବୁଢ଼ାବି ସ୍ତ୍ରୀ ବୁଦ୍ଧିରେ ବଢ଼ି ଚାଲିଲେ । ନରହରି ବାବୁ ମଧ୍ୟ ନିଜ ମା’ କଥାରେ ପଡ଼ି ରାମ ପରି ଭାଇଙ୍କୁ ନାନା ଦୁଃଖ ଦେଲେ । ମିଛରେ ସତରେ ତାଙ୍କ ନାମରେ ନିଜ ମା’ ପାଖରେ ଏଣୁ ତେଣୁ ଲଗାଇ କହିଲେ । ଚତୁର୍ଦ୍ଦିଗରୁ ନିରାଶ ହୋଇ ଶେଷରେ ସେ କୋଡ଼ିଏ ବର୍ଷ ବୟସରେ ଖ୍ରୀଷ୍ଟିଆନ୍‍ଙ୍କ ସାଙ୍ଗରେ କୁଆଡ଼େ ଚାଲିଗଲେ । ଆଉ ଆଜିଯାଏ ଫେରି ନାହାନ୍ତି । ଶ୍ରୀକାନ୍ତ ଭାବିଲା–ମୋର ବି ଆଜି ଠିକ୍ ବଡ଼ ବାପାଙ୍କ ଅବସ୍ଥା ହେବ–ଆଝୁଁ ତାର ସୂଚନା ମିଳିଲାଣି । ସାନ ମା’ତ ଆଜି–ଏ ବଡ଼ ଯେନା ଘରେ ମାଲିକ । ବାପା ବି ଏ ମାୟାବିନୀର ମାୟାରେ ପଡ଼ି ଏକ ମାତ୍ର ପୁତ୍ରକୁ ତାଙ୍କର ଅବହେଳା କଲେଣି । ମାୟାବିନୀ ଏ ଘର ଭାଙ୍ଗିବ–ବାପ ଘରେ ଯାଇଁ କୋଠ ତୋଳିବ । ଆଜି ଯଦି ମୋର ମା’ ଥାନ୍ତା–ସାଧୁ ସୁହୃଦ ବଡ଼ ବାପା ଥାନ୍ତେ–ଏ ଘରେ କ’ଣ ପାପ ପଶିଥାନ୍ତା ? ଦୀର୍ଘନିଶ୍ଵାସ ପକାଇ ଶ୍ରୀକାନ୍ତ ଉଠିଲା–ଚେୟାର୍ ଉପରୁ । ଭାବିଲା–ବର୍ତ୍ତମାନ ପ୍ରତିବାଦ କରିବାକୁ ସମୟ ଆସି ନାହିଁ । ନିରବ ସବୁଠାରୁ ଭଲ ।

ପଛରୁ ଡାକିଲେ ଗିରା ମହାନ୍ତି–ସାନବାବୁ ! ବାପା ଘରେ ଅଛନ୍ତି ? ଶ୍ରୀକାନ୍ତ ପ୍ରକୃତିସ୍ଥ ହେଲା–ଉତ୍ତର ଦେଲା–ହଁ । ନରହରି ବାବୁ ଘରୁ ବାହାରି ଆସିଲେ–କ’ଣ ମହାନ୍ତିଏ ? ମହାନ୍ତି କହିଲା–ଆଜ୍ଞା, ମଧୁଆ ସକାଳୁ ଆସି ଆମ ଘରେ ବସିଛି । ଠାକୁର ଘରକୁ ସଲାମି ପଚିଶ୍ ଟଙ୍କା ଦେଇଛି । ଆଉ ଗୋଟେ ଖାସି ଆମ ପାଇଁ ଆଣିଛି । ଆନନ୍ଦରେ ନରହରିବାକୁ କହିଲେ–ବେଶ୍, ତୁମେ ତାକୁ କୁହ–ସେ ଫକିର ଭାରିଯାକୁ ଡାକିଆଣୁ । ମହାନ୍ତିଏ କହିଲା–ଆଜ୍ଞା, ମୁଁ ତାକୁ ପଠାଇସାରିଛି । ବର୍ତ୍ତମାନ ଆସି ଦୁହେଁ ଝିଅହେବେ । ଗରିବ ଲୋକଟା କାନ୍ଦୁଛି । କଥାଟା ସ୍ଥିରକରି ମୁଁ ଜାଜପୁର ଯିବି । ନରହରି ବାବୁ ଘରଭିତରକୁ ଯାଉଁଯାଉଁ କହିଲେ–ହଉ ବସ, ସେ ଆସନ୍ତୁ । ମୁଁ ଘରେ ଅଛି–ମୋତେ ଡାକିବ । ବୈଠକଖାନା ସେପାଖ ରୁମରେ ଶ୍ରୀକାନ୍ତର ପଢ଼ାଘର । ସେଇଠି ସେ ବସିଥାଏ ନିରବରେ । ବୁଝିପାରିଲା ଗିରାମହାନ୍ତିଙ୍କର ଠାର ଠୁର । ତୁଳସୀ ଆଉ ମଧୁଆ ମଳିକର ଢିଙ୍କିଗିଳା ବିଭାଘର ମଧ୍ୟସ୍ଥ ପଣିଆ । କାହିଁ ଆକାଶ ପାତାଳ ତଫାତ୍ । କଳାବଜାରୀ ଦଳ କିଳା ପୋତୋଇ ଖାଇ ଅସମ୍ଭବକୁ ସମ୍ଭବ କରିବାକୁ ଯାଉଛନ୍ତି । ଭଗବାନ କିପରି ସହିଛନ୍ତି–ଏମାନଙ୍କର ପାପ ଭାରକୁ । ସନ୍ଦେହଟାକୁ ସତ୍ୟରେ ପରିଣତ କରିବାପାଇଁ ସେ ରେଣୁକାର ଅପେକ୍ଷାରେ ସ୍ଥିର ହୋଇ ବସି ରହିଲା । ଗିରା ମହାନ୍ତି ବୈଠକଖାନାରେ ବସି ମଧୁଅର ସଲାମି ଟଙ୍କାକୁ ବାରମ୍ବାର ଗଣୁଥାଏ ।

ମଧୁଆ ରେଣୁକାକୁ ଡାକଟେ ମାରିଦେଇ ନିଜ ଘରକୁ ଗଲା । ତାର ଯିବା ଦରକାର ନାହିଁ । ତା’ ଖାସି ଓ ପଚିଶ ଟଙ୍କା ତା ପାଇଁ କଥା କହିବେ । ସରପଞ୍ଚ ବାବୁଙ୍କ ଆଜ୍ଞାକୁ ଅବଜ୍ଞା କରିବାକୁ ଶକ୍ତି କାହାର ଅଛି, ମଧୁପୁର ଇଲାକାରେ ? ରେଣୁକା ସରପଞ୍ଚ ବାବୁ ଡାକୁଛନ୍ତି ବୋଲି ଶୁଣି, ସବୁକାମ ପଛକୁ ପକାଇ ଚାଲିଆସିଲା । ତୁଳସୀର ମନକୁ ପାପ ଛୁଇଁଲା । ଶ୍ରୀକାନ୍ତ ବାବୁ ତା ପାଖରେ ବନ୍ଧଉପରେ ଠିଆ ହୋଇଥିବା ବେଳେ କଳିହୁଡ଼ୀ ଗିରା ମା’ ଓ ନୁଖୁରୀ ବୁଢ଼ୀ ଦେଖିଥିଲେ-। ସେମାନେ ଯଦି ବାବୁଙ୍କ ଆଗରେ ଲଗାଇ ଜୁଟାଇ କହିଥିବେ, ଏକ୍ଷଣି ବାବୁ ଏ ଗାଁରୁ ଆମକୁ ତଡ଼ି ଦେବେ । କଥାଟା ମନଭିତରେ ରଖି ବୋଉର ଲେଉଟାଣି ବାଟକୁ ଚାହିଁ ରହିଲା ତୁଳସୀ ।

ଗିରା ମହାନ୍ତି ବୈଠକଖାନାରେ ବସି ଗୋଡ଼ ହଲାଉଥାଏ ଖୁସିରେ । ରେଣୁକା ପହଞ୍ଚି ଓଳଗି ହୋଇ ବାରଣ୍ଡା ଉପରେ ଖୁଣ୍ଟକୁ ଆଉଜି ବସିଲା । ମହାନ୍ତି ଡାକିଲା ବାବୁ ! ଫକିରା ଭାରିଯା ଆସିଲାଣି । ନରହରି ବାବୁ ଶୋଇଥିଲେ । ଉଠି ଆସିଲେ । ରେଣୁକା ତାଙ୍କୁ ଓଳଗି ହେଲା । ସରପଞ୍ଚ ବାବୁ ଚେୟାର୍ ଉପରେ ବସୁ ବସୁ କଥା ଆରମ୍ଭ କଲେ । ତୁଳସି ବୋଉ, ମୁଁ ତୋତେ ଡାକିଛି କେତେଟା କଥା ପଚାରିବି ବୋଲି । ପ୍ରଥମରେ ତୋ ସ୍ଵାମୀ ଫକିରା ମୋ ଘରେ ଶହେ ଟଙ୍କା ନେଇ ମୂଲ ଲାଗୁଥିଲା । କାମଦାମ ନ କରି କାଳିମାଟିରେ ପଶିଛି । ସେ ଟଙ୍କା ଦେବ କିଏ ? ରେଣୁକା କହିଲା–ବାବୁ ! ଦେଖୁଛ ତ ସେ ଚାରିମାସ ହେଲା ଗଲେଣି ଯେ ଚିଠି ପତ୍ର କି ଟଙ୍କା ପଇସା କିଛି ପଠାଉନାହାନ୍ତି । ଯେତେଲୋକ କାଳିମାଟିରୁ ଆସୁଛନ୍ତି, କେହି ତାଙ୍କର ଠିକଣା କହି ପାରୁନାହାନ୍ତି । ମୁଁ ମାଇପୀ ଲୋକ କ’ଣ କରିବି ? ଗିରା ମହାନ୍ତି ରେଣୁକାର କଥା ଛଡ଼ାଇ ନେଇ କହିଲା–ତେବେ ଫକିରା ବୋଧେ ଆଉ ନାହିଁ । କିଏ ତାକୁ କେଉଁଠି ମାରିଦେଲାଣି । ରେଣୁକା ଛାତିରେ ବଜ୍ର ପଡିଲା । ଚମକି ପଡଡି ଚିତ୍କାର କଲା- ବାବୁ !

ଚାହିଁ ଦେଲେ ସରପଞ୍ଚ ରେଣୁକାର ମୁହଁକୁ । କୋଟର ଗତ ଚକ୍ଷୁଦୁଇଟିରେ ତାର ଲୁହ ଜକେଇ ଆସୁଛି । ଛଳ ଛଳ ନୟନରେ ସେ ଚାହିଁଛି–ଗିରା ମହାନ୍ତିଙ୍କୁ । ମୁଖରେ ତାର ପ୍ରଶ୍ନବାଚୀ ଚିହ୍ନ । ସରପଞ୍ଚ ବାବୁଙ୍କର ପାଷାଣ ହୃଦୟ ଟିକିଏ ତରଳିଗଲା । ଗିରା ମହାନ୍ତିଙ୍କୁ ସେ ବିରକ୍ତ ହେଲେ । ତୁମେ ମହାନ୍ତିଏ କଥା କହି ଜାଣ ନାହିଁ । ଲୋକଙ୍କ ମୁହଁରେ ଏମିତି କହନ୍ତି ? ଯେଉଁଥିପାଇଁ ଡକାଇଛ ସେ କଥା କୁହ । ବାଜେ ଗପ କର ନାହିଁ ।

 

ମହାନ୍ତିଙ୍କ କଥା ଯେତେବେଳେ ସ୍ଵଂୟ ସରପଞ୍ଚ ନରହରି ବାବୁ ଧରି ପକାଇଛନ୍ତି ସେକଥା ଠିକ୍ ହୋଇଥିଲେ ବି ଭୁଲ । ଏ ଇଲାକାରେ ଆଉ ଯଦି କେହି ଏକଥା ଭୁଲ ବୋଲି କହିଥା’ନ୍ତା–ଦେଖି ନେଇଥାନ୍ତା ମହାନ୍ତି–ତାହା ଜିଭରେ କେତେ ହାଡ଼ ଉଠିଲାଣି । ବଡ଼ଲୋକକୁ ଉତ୍ତର ନାହିଁ । ତେଣୁ ତା’ ଭଳିଆ ଲୋକ ସରପଞ୍ଚବାବୁଙ୍କ ପାଖରୁ ଏ ପଦକ ଶୁଣିଲା । କାହା ପାଇଁ ଶୁଣିଲା ? ଏଇ ରେଣୁକା ହେଲା ମୂଳ ପୋଡ଼ା । ଆଚ୍ଛା ! କାମଟା ଆଗ ସରିଯାଉ । ମହାନ୍ତି ସଳଖି ବସିଲା । କ୍ରୋଧରେ ଚାହିଁଲା ସରପଞ୍ଚଙ୍କ ଆଡ଼କୁ । ସରପଞ୍ଚ କ’ଣ ଭାବୁ ଭାବୁ ଘରୁ ଡାକିଲେ–ତୁଳସୀ ବୋଉ ! ମନ ଦୁଃଖ ହେଲାକି ?

 

–ନାହିଁ ହଜୁର୍, ବାବୁ ଥଟ୍ଟାରେ କହିଲେ କହନ୍ତୁ । ମନ ଦୁଃଖ ହେବ କାହିଁକି? –ବେଶ୍, ପ୍ରଥମ କଥା ତ ଶୁଣିଲୁ ।

 

ଫକିରା କାଳିମାଟିରୁ ଫେରୁ ବା ନ ଫେରୁ ତୋତେ ମୋ ଟଙ୍କା ଦେବାକୁ ହେବ ! ପନ୍ଦର ଦିନ ସମୟ ଦେଲି ।

 

ଜମିଦାର ବାବୁଙ୍କର ତାଗଦା ଶୁଣି ରେଣୁକା ଭୟଭୀତ ହୋଇପଡ଼ିଲା । ପନ୍ଦର ଦିନ ଛାଡ଼ି ମାସେ ସମୟ ଦେଲେ ବି ସେ ଟଙ୍କା ଆଣିବ କେଉଁଠୁ ? କାତର କଣ୍ଠରେ ସେ କହିଲା–ଟଙ୍କା ଏକ୍ଷଣି ଆଣିବି କୁଆଡ଼ୁ ବାବୁ ?

 

ଗିରା ମହାନ୍ତି ମଝିରୁ ବାହାରି ପଡ଼ି କହିଲା–ଟଙ୍କା ଆସିବ କୁଆଡ଼ୁ–ତୁ ଜାଣୁ ନ ବାବୁ ଜାଣନ୍ତି ? ନେଲାବେଳେ ଖୁସି ଲାଗୁଥିଲା, ଦେଲାବେଳକୁ ବାଧୁଛି କାହିଁକି ? ରେଣୁକା ଚୁପ୍ ।

 

ପୁଣି ଆରମ୍ଭ କଲେ ନରହରି ବାବୁ–ଦ୍ଵିତୀୟରେ ତୋ ଝିଅ ତୁଳସୀ ନାମରେ ବହୁତ ନିନ୍ଦାଅପବାଦ ମୋ କାନକୁ ଆସିଲାଣି । ତାକୁ ଶୀଘ୍ର ଏ ଗାଁ’ରୁ ବିଦାକର । ଚମକି ପଡ଼ି ରେଣୁକା କହିଲା, “ବାବୁ ! ଆପଣ କ’ଣ କହୁଛନ୍ତି ? ଝିଅ ତ ମୋର ସୁନା ।” ରାଗିଗଲେ ନରହରି ବାବୁ । ସେ କୈଫିୟତ ମୁଁ ଦେଇପାରିବି ନି ତୋତେ । ମୁଁ ଯାହା କହୁଛି ତାହା କର । ବରପାତ୍ର ବି ସ୍ଥିର ହୋଇସାରିଛି, ତୋତେ ଚୁଡ଼ା ଚାଉଳ ଧରି ଖୋଜିବାକୁ ପଡ଼ିବ ନାହିଁ । ବର ଆମ ହାତ ମୁଠାରେ–ତୁମ ସାଇ ମଧୁଆ । ଝିଅଟି ପାଖରେ ରହିଲେ ତୋର ଭଲ ମନ୍ଦ, ହାନିଲାଭ ବୁଝିବ । ତୁ’ତ ପନ୍ଦର ଦିନ ଭିତରେ ଟଙ୍କା ଦେବାକୁ ନାହିଁ କରୁଛୁ, ମଧୁଆକୁ କହିବି ତୁମ ପାଇଁ ଆଉ ବର୍ଷେ ସେ ମୋ ଘରେ କୋଠିଆ ରହିବ । ଯେପରି ହେଉ ଟଙ୍କା ଗଣ୍ଡାକ ପାଇଲେ ହେଲା । କିହୋ ମହାନ୍ତିଏ ! କହୁନା... । ମହାନ୍ତି ଟାଙ୍ଗରାମୁଣ୍ଡକୁ ଆଉଁସୁ ଆଉଁସୁ କହିଲା–ଠିକ୍ କଥା ନା’ ?

 

ରେଣୁକାର ଛାତି ଥରିଉଠିଲା । କ’ଣ କହୁଛନ୍ତି ବାବୁ ! ଚନ୍ଦ୍ରମା’ ଦେହରେ କଳଙ୍କ ଅଛି, ତୁଳସୀ ଦେହରେ ନାହିଁ । ଏପରି ଝିଅକୁ ମୁଁ ମଦୁଆ, ବଜାରିଛତରା ମଧୁଆ ହାତରେ ଦେବି କିପରି-? ତାହା ହେବ ନାହିଁ । ଖାଇବାକୁ ନ ଦେଇ ପାରିଲେ ତଣ୍ଟି ଚିପି ମାରି ଦେବି ପଛେ–ମୁଁ ତାକୁ ଯମ ହାତକୁ ଟେକି ଦେଇ ପାରିବନି ।

 

ଗର୍ଜି ଉଠିଲେ ନରହରି ବାବୁ–ତାହା ହେଲେ ତୁ ମୋ କଥା ରଖିବୁ ନାହିଁ ? ମୁଁ ଯାହା କହେ ତା’ ବେଦର ଗାର । ମୋ କଥା ନ ମାନିଲେ ଜାଣୁ ତୋର ଅବସ୍ଥା କ’ଣ ହେବ ?

 

ଗିରା ମହାନ୍ତି ନରହରିବାବୁଙ୍କ ଉଦ୍ଦେଶ୍ୟକୁ ନିଜଭାଷାରେ କହି ପକାଇଲା–ଏ ଇଲାକାରୁ ଯିବୁ ତୁଳସୀ ବୋଉ । କଥାଟା ରଖୁନାହୁଁ କାହିଁକି ? ବାବୁ ତ ଖରାପ କହୁ ନାହାନ୍ତି । ବାହାଘର କରିବାକୁ ଯଦି ପଇସା ନାହିଁ, ତାହା ବି କହ । ବାବୁ ପାଞ୍ଚ ପଚିଶ ସାରି ଦେଇ କାମଟା ଚଳାଇ ନେବେ, କଣ କହୁଛୁ ?

 

ରେଣୁକା କହିଲା–ନାହିଁ ବାବୁ ! ହଜୁର ମୋତେ କ୍ଷମା କରନ୍ତୁ । ଆମର ଆଖି ଆଗରେ ମଧୁଆ ମଦ, ଗଞ୍ଜେଇ ଖାଇ ସୁନା କଣ୍ଢେଇ ପରି ବୋହୁଟାକୁ ପିଟି ପିଟି ମାରିଦେଲା । ଆଉ ପୁଣି ତାକୁ ଝିଅ କିଏ ଦେବ ? ହଜୁର କିପରି କହୁଛନ୍ତି । ସେ କ’ଣ ତୁଳସୀର ସରି ହେବ ?

 

ନରହରି ବାବୁ ଗର୍ଜି ଉଠିଲେ–ତୁଳସୀ ବୋଉ ! ତୁ ଜାଣୁ କାହାମୁହଁରେ କଥା କହୁଛୁ ? ଖାଲି ମାଇପୀଟା ବୋଲି ତୋତେ ଏପର୍ଯ୍ୟନ୍ତ କିଛି କହି ନାହିଁ । ଆଉ କେହି ହୋଇଥିଲେ ଏତେବେଳକୁ ପିଠିରୁ ଚମଡ଼ା ନିକାଲି ସାରନ୍ତିଣି । ଭଲଗତି ଥିଲେ ମୋ କଥା ରଖ । ତୋତେ ଦୁଇଟି ଦିନ ଭାବିବାକୁ ସମୟ ଦେଲି । ଦୁଇ ଦିନ ଭିତରେ ହଁ, କି ନା, ଜବାବ ଦେବୁ । ଯା’–ମୋଆଗରୁ ଉଠି ଯା’ । ମୋ କଥା ଯେ ନ ମାନେ ସେ ମୋର ପରମଶତ୍ରୁ ।

 

ନରହରିବାବୁଙ୍କ ପାଟି ଶୁଣି ରେଣୁକା ନିରବ । ସେ ଏ ଗାଁକୁ ବୋହୂ ହୋଇ ଆସିଲା ଦିନରୁ ଦେଖିଆସୁଛି ତାଙ୍କର ଅତ୍ୟାଚାର । ଜମିଦାରୀ ଥିଲାବେଳେ ଯେଉଁ ଶୋଷଣ ନୀତିଥିଲା, ଏବେ ସରପଞ୍ଚ ହୋଇ ସେ ନୀତିକୁ ଦ୍ଵିଗୁଣିତ କରି ଦେଇଛନ୍ତି । ସାମାନ୍ୟ କଥାରେ ଗରିବ ମଳି ମୁଣ୍ଡିଆଙ୍କ ଉପରେ ଚଢ଼ାଉ, ଗାଳିମାଡ଼ ପୁଣି ଜରିମାନା । ଯେ ପ୍ରତିବାଦ କଲା, ସେ ହେଲା ତାଙ୍କର ଚକ୍ଷୁଶୀଳ । ସ୍ଵାଧୀନ ଦେଶର ପଞ୍ଚାୟତ ଶାସନ ପାଇଁ କ’ଣ ଏଇ ଆଇନ ବିଧାନ ହୋଇଛି ?

 

ରେଣୁକା ତଳକୁ ମୁହଁପାତି କେତେ କ’ଣ ଭାବି ଚାଲିଛି । ନରହରିବାବୁ ଭିତର ଘରକୁ ଚାଲିଗଲେ । ଗିରା ମହାନ୍ତି ତାଙ୍କୁ ଅନୁସରଣ କଲା ।

 

ବୈଠକଖାନାରେ ଏକୁଟିଆ ରେଣୁକା ବସିଛି ଗୋଟିଏ କାନ୍ଥ କଡ଼ ଖୁଣ୍ଟକୁ ଆଉଜି । ଅଜଣା ଆଶଙ୍କାରେ ଛାତିଟା ତାର ପଡ଼ୁଛି ଉଠୁଛି । କି ଉପାୟ କରିବ ସେ । ମନାକରିବ ଯଦି ନିଶ୍ଚୟ ସେମାନେ ବଳପୂର୍ବକ ତୁଳସୀକୁ ଟାଣି ନେଇ ମଧୁଆକୁ ବିଭା କରାଇ, ତାକୁ ଏ ରାଜ୍ୟରୁ ତଡ଼ି ଦେବେ ।

 

ରେଣୁକା ଚାହିଁଲା ମୁକ୍ତ ଆକାଶକୁ । କାହଁ କେଉଁଠି କିଛି ବୁଦ୍ଧି ଦିଶୁନାହଁ । ତେବେ କ’ଣ ପୁନେଇ ଚାନ୍ଦକୁ ସେ ରାହୁ କବଳରୁ ରକ୍ଷା କରିପାରିବନି ?

 

କଳ୍ପନାତରୀରେ ତୁଳସୀ ଭାସି ଭାସି ଆସି ରେଣୁକାର ଦୃଷ୍ଟି ପଥାରୁଢ଼ ହେଲା ତନ୍ମୟ ହୋଇପଡ଼ିଲା । ତୁଳସୀର ରୂପ ଲାବଣ୍ୟରେ । କି ସୁନ୍ଦର–ସରଗର ପରୀଟିଏ ସତେ । ଗରିବ ଘରେ ଏପରି ଝିଅକୁ ଜନ୍ମଦେଲ କାହିଁକି ପ୍ରଭୁ ? ବିଜୁଳିଗତିରେ ମଧୁଆର ରୌଦ୍ର ମୂର୍ତ୍ତିଟି ଚାଲି ଆସିଲା ରେଣୁକାର ଦୃଷ୍ଟିପଥକୁ । ରାହୁ ଚନ୍ଦ୍ରମା’କୁ ଗ୍ରାସ କରିବାକୁ ଧାଇଁଛି ! ଏଇକ୍ଷଣି ଚନ୍ଦ୍ର ହେବ ରାହୁର କରଗତ । ପୃଥିବୀର ଉପରକୁ ମାଡ଼ି ଆସିବ ଅମା ଅନ୍ଧକାର । ରେଣୁକା ଆଉ ଭାବି ପାରିଲାନାହିଁ । ଦୁଃଖରେ ଛାତି ଭିତରଟା ତା’ର କରତି ହୋଇ ପଡ଼ୁଥିଲା ।

 

ଶ୍ରୀକାନ୍ତ ନିଜର ପଢ଼ା ଗୃହରୁ ବାହାରି ଆସି ଡାକିଦେଲା–ମାଉସୀ ! ରେଣୁକାର ସ୍ଵପ୍ନ ଭାଙ୍ଗିଗଲା । ଚାହିଁଦେଲା ସେ ଶ୍ରୀକାନ୍ତକୁ । କ’ଣ କୁହ ବାବୁ ? ଶ୍ରୀକାନ୍ତ କହିଲା–ସବୁ ମୁଁ ଶୁଣୁଛି ମାଉସୀ ! ସେମାନେ ମଧୁଆଠାରୁ ଲାଞ୍ଚଖାଇ ତୁଳସୀକୁ ତା’ ହାତରେ ଛନ୍ଦି ଦେବେ ବୋଲି ସ୍ଥିରିକୃତ ହୋଇଛନ୍ତି । ତୁମେ ରାଜି ନ ହେଲେ ସେମାନେ ନିଶ୍ଚୟ ତୁମର ଅନିଷ୍ଟ କରିବେ । ମୁଁ ଗୋଟିଏ କଥା କହିବି–ମାନିବ ?

 

ରେଣୁକା ଚାହିଁ ରହିଲା ଶ୍ରୀକାନ୍ତର ମୁଖକୁ । ଆଖିରେ ତାର ଆଶ୍ଚର୍ଯ୍ୟଜନକ ପ୍ରଶ୍ନବାଚୀ-। ମନରେ ତାର କେତେଭାବନା ଖେଳିଗଲା । ଶ୍ରୀକାନ୍ତ ରେଣୁକାର କାତରଦୃଷ୍ଟି ଲକ୍ଷ୍ୟ କରି କହିଲା–ମାଉସୀ ! ଭୟ କରିବାର କୌଣସି କାରଣ ନାହିଁ । ମୁଁ କାଲି କଟକ ଯାଉଛି, ତୁମେସମସ୍ତେ ମୋ ସାଙ୍ଗରେ ଯାଇପାରିବ ? ରେଣୁକାର ମୁହଁ ଖୋଲିଲା । ଭାବି ଭାବି କହିଲା–ବାବୁ ! କଟକରେ ଆମେ କ’ଣ କରିବୁ ? ଶ୍ରୀକାନ୍ତ ଉତ୍ତର ଦେଲା–ତୁମର କିଛି କରିବାର ନାହିଁ । ମୁଁ ତୁମକୁ ଅନାଥାଶ୍ରମରେ ଛାଡ଼ି ଦେବି । ସେଠାକାର ମେନେଜର ବାବୁ ମୋର ଜଣେ ପ୍ରିୟ ବନ୍ଧୁଙ୍କର ବାପା । ତୁମେ ସେଇଠି ଅଚିନ୍ତାରେ ରହିବ । କାଲି ପ୍ରଭାତରୁ ଉଠି ତୁମେ ସମସ୍ତେ ମଟରଷ୍ଟାଣ୍ଡ୍‍ରେ ପହଞ୍ଚିବ । ମୁଁ ସେଠାରେ ଥିବି, ସାଥିହୋଇ କଟକ ଯିବା । ମଟରଭଡ଼ା କଥା ଭାବିବ ନାହିଁ–ସେ ସବୁ ମୁଁ ଜାଣେ । ତୁମେ ଏଠାରେ ରହିଲେ ବିପଦ । କାହା ଆଗରେ ଏ କଥା କହିବ ନାହିଁ ।

 

ରେଣୁକାର ମନ କୃତଜ୍ଞତାରେ ନଇ ପଡ଼ିଲା । କହିଲା–ବାବୁ ! କହିବି ଆଉ କାହା ଆଗରେ । ସେଇ ଝିଅଟା ପାଇଁ ତ ସମସ୍ତେ ମୋର ଶତ୍ରୁ । ଭଗବାନ ତୁମର ମଙ୍ଗଳ କରନ୍ତୁ ।

 

ରେଣୁକାର ଦଗ୍ଧ ପ୍ରାଣଟା ଶୀତଳ ହେବାକୁ ଲାଗିଲା । ଏକ ମୁହାଁ ହୋଇ ସେ ଚାଲିଲା ତାର ମାଟିର କୁଡ଼ିଆ ଘରକୁ । ଶ୍ରୀକାନ୍ତ ଶାନ୍ତିରେ ଗୋଟିଏ ନିଶ୍ଵାସ ଛାଡ଼ିଲା ।

Image

 

(୫)

 

ଶ୍ରୀକାନ୍ତ ବାବୁଙ୍କ ସାହାଯ୍ୟରେ ରେଣୁକା, ତୁଳସୀ ଓ ବସନ୍ତ କଟକକୁ ଆସି ଅନାଥାଶ୍ରମରେ ରହିଲେ । ଆଉ କିଛି ଅସୁବିଧା ହେଲା ନାହିଁ । ଆଶ୍ରମ ଜୀବନ ସରଳ ନିରାଡ଼ମ୍ବର ହେଲେ ମଧ୍ୟ ଶାନ୍ତିପୂର୍ଣ୍ଣ । ସେଠାରେ ନାହିଁ ଦୁର୍ବଳ ଉପରେ ସବଳତାର ଅତ୍ୟାଚାର, ଉଚ୍ଚ, ନୀଚ ଭେଦଭାବ, ହିଂସା, ଦ୍ଵେଷ, ଅହମିକା, କଳାବଜାରୀଙ୍କର ଗୋପନୀୟ ଷଡ଼ଯନ୍ତ୍ର । ଅଛି କେବଳ ଭ୍ରାତୃଭାବ, ସତ୍ ଶାନ୍ତି, ନ୍ୟାୟ, ଧର୍ମ । ସେଥିପାଇଁ ଆଶ୍ରମର, ଅନାଥ, ଅନାଥିନୀମାନଙ୍କୁ, ସଂସାରର ଜଟିଳତା ସ୍ପର୍ଶ କରିପାରେ ନାହିଁ । ସମାଜର ଦାଉକୁ ତାଙ୍କର ଭୟ ନାହିଁ । ରାଜା, ଜମିଦାର, ହାକିମକୁ ଦଣ୍ଡବତ ନାହିଁ । କାମର ବଶବର୍ତ୍ତୀ ହେଲେ ସିନା ମନୁଷ୍ୟ ଦୁଃଖ ଭୋଗିବ । ନିଷ୍କାମ, ସନ୍ୟାସୀ ଜୀବନରେ ଆତ୍ମାର ନିର୍ବାଣ ହିଁ ଏକମାତ୍ର ଉଦ୍ଦେଶ୍ୟ । ଏଇଟା ହିଁ ଆଶ୍ରମରେ ଆଶ୍ରୟ ନେବା ପୂର୍ବରୁ ପ୍ରତ୍ୟେକ ଅନାଥ–ଅନାଥିନୀଙ୍କୁ ଜାଣିବାକୁ ହୁଏ । ସଂସାରର ମାୟା ବନ୍ଧନକୁ ଛିନ୍ନ କରିବାକୁ ପଡ଼ିଥାଏ । ତେବେ ସେ ଦୁଃଖ ଭୋଗିବର କାହିଁକି ?

 

କିନ୍ତୁ ଆଶ୍ରମବାସିନୀ ତୁଳସୀ ଜୀବନରେ ଠିକ୍ ତା’ର ବିପରୀତ ଫଳ ଫଳେ । ଖାଲି ଆଖି ଆଗେ ତା’ର ଉଭାହୁଏ–ଅତୀତର କେତେ ଦରଭୁଲା ସ୍ମୃତି । ତରୁଣ ଜୀବନ ତାର କରୁଣା ହୋଇଉଠେ । ପେଟଭିତରେ କୋହ ଜାତ ହୁଏ । ଯେଣେ ଚାହେଁ , ତେଣେ ଦିଶେ ତାକୁ ସେଇ ଶାନ୍ତମୂର୍ତ୍ତି । କାନରେ ବାଜେ । ତାଙ୍କର ଥିରି ଥିରି ଡାକ–ତୁଳସୀ ! ମୋ କଥାଟି ରଖ । ଭାବ ପ୍ରାଣ ତାର ବିଚଳିତ ହୋଇଉଠେ । ମାୟା ଖାଲି ମାୟା ଦୌଡ଼ିଯାଇ ତୁଳସୀ ଚଉଁରା ପାଖକୁ । ସଞ୍ଜବତୀଟି ଲଗାଇ ଦେଇ ବୃନ୍ଦାବତୀଙ୍କ ପାଖରେ ତାଙ୍କର ମଙ୍ଗଳ କାମାନା କରେ ।

 

ଶ୍ରୀକାନ୍ତ ବାବୁଙ୍କର ଏମ୍.ଏ. ପରୀକ୍ଷା । କେବେ ଯଦି ସମୟ ମିଳେ ଆଶ୍ରମକୁ ବୁଲି ଚାଲି ଆସନ୍ତି । ତୁଳସୀର ଦଗ୍ଧ ପ୍ରାଣ ଶୀତଳ ହୁଏ । ଆଖି ତାର ପବିତ୍ର ହୁଏ । ପାଦଧୂଳି ନେଇ ମୁଣ୍ଡରେ ମାରେ । ପାଗଳୀଙ୍କ ପରି କେତେଆଡ଼ୁ କେତେକଥା କହି ବସେ । ବସନ୍ତର ଦୁଷ୍ଟାମୀ, ସାଙ୍ଗ ସାଥୀମାନଙ୍କର ଥଟ୍ଟା ପରିହାସ–ସବୁ କଥା ଶୁଣିସାରି ଶ୍ରୀକାନ୍ତ ସରୁ ଚାପୁଡ଼ାଟିଏ ଦିଏ ତୁଳସୀର ଗାଲରେ । ଲାଜକୁଳି ଲତା ଝାଉଁଳି ପଡ଼େ ।

 

ରେଣୁକା ଆସି ହେମନ୍ତର ଖବର ପଚାରେ । ଶ୍ରୀକାନ୍ତ ହେମନ୍ତର ଚିଠି ଆଉ ତା ପାଖକୁ ପଠାଇଥିବା ମନଅର୍ଡର ରସିଦ ଦେଖାଇ ଦିଏ ତାଙ୍କୁ । କହେ-ତୁମେ ତା’ ପାଇଁ ଚିନ୍ତା କରନାହିଁ । ତାର ହାନିଲାଭ ମୁଁ ବୁଝିବି । ଆଉ ଦୁଇଟା ମାସ ପରେ ପରୀକ୍ଷା ଦେଇ ସେ କଟକ ଆସିବ ! ଏଇଠି ପଡ଼ିବ । ରେଣୁକାର ମାତୃହୃଦୟ ନଇଁ ଆସେ । କହେ-କେତେ କଷ୍ଟ ସହୁଛନ୍ତି ବାବୁ ଆମ ପାଇଁ । ଭଗବାନ ମଙ୍ଗଳ କରନ୍ତୁ ଆପଣଙ୍କର ।

 

ଶ୍ରୀକାନ୍ତ ଯେତେବେଳେ ସାଇକେଲ୍‍ଟି ଧରି ଆଶ୍ରମର ଗେଟ୍ ପାଖକୁ ଆସେ–ତୁଳସୀ ଓ ବସନ୍ତ ଆସନ୍ତି ତାଙ୍କୁ ବିଦାୟ ଦେବାକୁ । ଶ୍ରୀକାନ୍ତ ଫେରିଚାହେଁ–ତୁଳସୀ ଆଖିରେ ଲୁହ । ଛି ତୁଳସୀ ! ତୁ କାନ୍ଦୁଛୁ ? କଣ ଅସୁବିଧା ତୋର କହ ? କିଛି ଉତ୍ତର ଦିଏନା ସେ । ପଦିଏ କଥାରେ କ’ଣ ଅନ୍ତରର ନିବେଦନ ପ୍ରକାଶ କରି ହେବ ? ଖାଲି ପଚାରେ–ପୁଣି କେବେ ଆସିବେ ? ‘ଏଇ ଆସନ୍ତା ରବିବାର’ କହି ଶ୍ରୀକାନ୍ତ ସାଇକେଲରେ ବସେ । ସେ ଅଦୃଶ୍ୟ ହୋଇଯାଏ । ତୁଳସୀ ଠିଆ ହୋଇଥାଏ ଗେଟ୍ ପାଖରେ । ଆଖିରୁ ଲୁହପୋଛି ଆଶ୍ରମକୁ ଲେଉଟେ ।

 

ଦୁଇମାସ ପରେ । କୁଆଡ଼ୁ ମହାମାରୀ ମାଡ଼ି ଆସିଲା । କଟକ ସହରରେ ଆତଙ୍କ ପଡ଼ିଗଲା । ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁ ମୁଖରେ ପଡ଼ିଲେ । ଆଶ୍ରମ ମଧ୍ୟରେ ରେଣୁକା ଓ ବସନ୍ତ । ଦୁହିଁଙ୍କୁ ମଧ୍ୟ ଏକସମୟରେ ହଇଜା ଧଇଲା । ସଞ୍ଜବତୀ ଲାଗୁଛି–ମା’ ପୁଅ ଦୁହିଁଙ୍କର ପାଟି ପଡ଼ିଗଲା । ତୁଳସୀ ମା’, ଭାଇଙ୍କ ପାଖରେ ବସି ମର୍ମଫଟା କାନ୍ଦ କାନ୍ଦୁ ଥାଏ । ଶ୍ରୀକାନ୍ତ ଖବରପାଇ ଡାକ୍ତରଙ୍କୁ ଧରି ଦୌଡ଼ି ଆସିଲା । ଡାକ୍ତର ରୋଗୀର ଅବସ୍ଥା ଭୟଙ୍କର ଜାଣି ଫେରିଗଲେ । ଶ୍ରୀକାନ୍ତଙ୍କୁ ଦେଖି ରେଣୁକା ଆଖିରୁ ଦୁଇଟୋପା ପରମଲୁହ ଗଡ଼ି ପଡ଼ିଲା । କଥା କହିବାକୁ ଶକ୍ତି ନ ଥାଏ । ଖାଲି ସେ ଚାହିଁଲା ଶ୍ରୀକାନ୍ତ ଓ ତୁଳସୀକୁ । କି ସୁନ୍ଦର ଏ ଯୁଗଳମୂର୍ତ୍ତି । ମୃତ୍ୟୁଶଯ୍ୟାରେ ତାର ପ୍ରାଣ ଉଲ୍ଲସି ଉଠିଲା । ଅତି କଷ୍ଟରେ ସେ ହାତଟି ଉଠାଇ ମାରିଲା ତୁଳସୀ କପାଳରେ । ଜଣାଇ ଦେଲା–ତୋର ଭାଗ୍ୟ ମା’ । ପୁଣି ହାତ ବଢ଼ାଇଲା ଶ୍ରୀକାନ୍ତ ଆଡ଼କୁ । ଶ୍ରୀକାନ୍ତ ଧରିନେଲା ତାର ହାତକୁ । ରେଣୁକା ଦେଖାଇ ଦେଲା ତୁଳସୀକୁ । ସେତିକି ବେଳେ ମହାଦେବ ମନ୍ଦିରରେ ଆଳତି ହେଉଛି-ମା’ ପୁଅ ଦୁହେଁ ଆଖି ବୁଜିଲେ । ତୁଳସୀ ମା’ ମା’ ହୋଇ କଚାଡ଼ି ପଡ଼ିଲା । ତୋଳି ଧରିଲା ଶ୍ରୀକାନ୍ତ !

Image

 

(୬)

 

ଶୀତ ପ୍ରଭାତ । ରାତି ଚାରିଟା ବେଳେ ଅସରାଏ ବର୍ଷା ହୋଇ ଛାଡ଼ି ଯାଇଛି । ଶୀତରେ ବିଛଣା ଛାଡ଼ିବାକୁ ମନ ହେଉ ନାହିଁ । ଗୋପାଳପୁର ହାଇସ୍କୁଲ ହଷ୍ଟେଲରେ ପ୍ରାର୍ଥନା ଘଣ୍ଟା ବାଜିଲା-। ଛାତ୍ରାବାସର ଛାତ୍ରମାନେ ବିଛଣା ଛାଡ଼ି ବାରଣ୍ଡାରେ ଧାଡ଼ି ହୋଇ ବସିଲେ ପ୍ରାର୍ଥନା କରିବେ ବୋଲି । ହେମନ୍ତ ବିଛଣାରୁ ଉଠିପାରିଲା ନାହିଁ । ଦୁଇଦିନ ହେଲା ତାକୁ ଜ୍ଵର । ଖିଆପିଆନାହିଁ, ଶକ୍ତି ନାହିଁ ଉଠିବାକୁ । ସେଇ ବିଛଣା ଉପରେ ସେ ହାତଯୋଡ଼ି ନିଜକୁ ସମର୍ପି ଦେଲା–ବିଶ୍ଵକର୍ତ୍ତାଙ୍କ ଠାରେ । ବଧିର ଭଗବାନଙ୍କୁ କ’ଣ ତାର ଡାକ ଶୁଭୁଛି ? କେଉଁଥିରେ ତାକୁ ସୁଖି କରିଛନ୍ତି ? ଖାଇବାକୁ ଦାନା ନାହିଁ କି ପିନ୍ଧିବାକୁ କନା ନାହିଁ । ବାପା ପୁଣି ଛ’ ମାସ ହେଲା କୁଆଡ଼େ ଗଲେଣି ଯେ, ତାଙ୍କର ପତ୍ତା ମିଳୁନାହିଁ । ମା’ ଭାଇ ଆଶ୍ରମରେ ଦୁଃଖ ଭୋଗୁଛନ୍ତି । ଏଇତ ସୁଖ ଶାନ୍ତି ? ହଉ–ଆଉ କେତେଦିନ ତାଙ୍କର ପରୀକ୍ଷା କରିବାକୁ ଅଛି କରନ୍ତୁ ।

 

ପ୍ରାର୍ଥନା ସରିଲା । ଛାତ୍ରମାନେ ନିଜ ନିଜର ବିଛଣାପତ୍ର ଗୁଡ଼ାଉଥାନ୍ତି–ହଷ୍ଟେଲ ସୁପରିଟେଣ୍ଡଟ୍ ଓ ଆଉ ଦୁଇଜଣ ଶିକ୍ଷକ ପ୍ରବେଶ କଲେ । ସୁପରିଟେଣ୍ଡେଣ୍ଟ ସବୁ ପିଲାମାନଙ୍କୁ ପଦାକୁ ବାହାରି ଯିବାକୁ ଆଦେଶ ଦେଲେ । ସମସ୍ତେ ଅବାକ୍ । ଗୋଟିକ ପରେ ଗୋଟିଏ ଟ୍ରଙ୍କ୍ ଖୋଲା ହେଲା । ହେମନ୍ତର ବାକ୍ସଟି ଖୋଲିଲା ବେଳକୁ ମିଳିଲା ହାତ ବନ୍ଧା ଘଡ଼ି ! ସୁପରିଟେଣ୍ଡେଣ୍ଟ ଚିତ୍କାର କଲେ–ହେମନ୍ତ ! ଘଡ଼ିତ ମିଳିଲା, ଟଙ୍କା କ’ଣ କଲୁ ?

 

ବଜ୍ର ପଡ଼ିଲା ହେମନ୍ତର ଛାତିରେ । ସେ ମୁଣ୍ଡଟେକି ଚାହିଁଲା ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଆଉ ସେହି ହାତବନ୍ଧା ଘଡ଼ିକୁ । ପଚାରିଲା–ସାର୍ ଘଡ଼ି କଣ ? ଟଙ୍କା କ’ଣ ?

 

–ବେଶୀ ଚାଲାକି ଦେଖା ନା ହେମନ୍ତ । କାଲି ଚାରିଟାବେଳୁ ମୋର ଘଡ଼ି ଆଉ ପଚାଶ ଟଙ୍କା ଚୋରିଗଲଣି । ଘଡ଼ି ତ ମିଳିଲା–ଟଙ୍କା କ’ଣ କଲୁ ଦେଇ ଦେ–

 

–ସାର୍ ମୁଁ ଦୁଇଦିନ ହେଲା ବିଛଣାରୁ ଉଠି ନାହିଁ । ଆପଣଙ୍କ ଘଡ଼ି, ଟଙ୍କା କିପରି ଆଣିଲି ।

 

–ବେଶୀ କଥା କହନା ଆଉ, ତୋ ଗୁଣ ଜଣାଗଲା । ହଷ୍ଟେଲରେ ଯେତେ ସବୁ ଚୋରିଯାଉଛି, ସେ ସବୁ ତୋର ହାତ ସଫେଇ । ଟଙ୍କାତକ କେଉଁଠି ରଖିଛୁ ଆଣି ଦେଇ, ବର୍ତ୍ତମାନ ତୁ ହଷ୍ଟେଲରୁ ବାହାରିଯା–ହଁ ଏଇ ଗୋଟେ ଚିଠି ତୋର କାଲିଠୁ, ଆସିଲାଣି–ନେ’ ।

 

ଚିଠିଟି ପକାଇ ଦେଇ ସୁପରିଣ୍ଟେଣ୍ଡଣ୍ଟ ଓ ଅନ୍ୟ ଶିକ୍ଷକ ଦୁଇଜଣ ଛାତ୍ରାବାସରୁ ବାହାରିଗଲେ ।

 

ହେମନ୍ତ ଦୀର୍ଘନିଶ୍ୱାସ ଛାଡ଼ିଲା ! ହେ ଭଗବାନ !! ଏକି ବିପଦ । କାହାର ମୁଁ କି ଦୋଷ କଲି । ସେ ମୋତେ ଏ ଦୁଃଖ ଦେଲା । ଛାତ୍ରମାନେ ସବୁନିଜନିଜ ଭିତରେ ଠରା ଠରି ହେଉଥା’ନ୍ତି । ହେମନ୍ତ ଚିଠିଟି ଖୋଲିଲା ।

 

ଚକ୍ଷୁତାର ବିସ୍ଫାରିତ ହୋଇ ଉଠିଲା । ଘୂରିଗଲା ମୁଣ୍ଡ ଭିତରର ସ୍ନାୟୁଗୁଡ଼ାକ । ଦୁର୍ବଳ ଛାତିଟା ତା’ର ପଡ଼ିଲା ଉଠିଲା । ପାଗଳପରି ସେ ଡେଇଁ ପଡ଼ିଲା–ତା’ର ଖଟିଆ ଉପରୁ । ‘ମା’ ବସନ୍ତ ମୁଁ କ’ଣ କରିବି ଏକ୍ଷଣି” ଦୌଡିଗଲା ସୁପରିଣ୍ଟେଣ୍ଡେଣ୍ଟଙ୍କ ରୁମକୁ । “ସାର ମୋର ମା’, ଭାଇ ଦୁହେଁ ମରି ଯାଇଛନ୍ତି । ମୁଁ ଘରକୁ ଯିବି । ସୁପରିଣ୍ଟେଣ୍ଡଣ୍ଟ କହିଲେ ଟଙ୍କା କେଉଁଠି ରଖିଛୁ–ଆଣି ଦେଇ ଚାଲି ଯା କିଛି ଆପତ୍ତି ନାହିଁ । ହେମନ୍ତ କହିଲା–ସାର୍, ଆପଣ ମୋର ଗୁରୁ, ଆପଣଙ୍କ ପାଦ ଛୁଇଁ ନିୟମ କରୁଛି–ଚୋରି ମୁଁ କରି ନାହିଁ କିଏ ମୋତେ ଏ ବିପଦରେ ପକାଇଛି । ମୁଁ ସତ କହୁଛି ସାର୍ ! ମୋତେ ବିଶ୍ଵାସ କରନ୍ତୁ । ସୁପରିଣ୍ଟେଣ୍ଡଣ୍ଟ କହିଲେ–ସେ ସବୁ ମୁଁ ଶୁଣିବାକୁ ଚାହେଁନା । ଆଗ ମୋର ଟଙ୍କା ଆଣ; ଗଣ୍ଠିଳିପତ୍ର ଧରି ଘରକୁ ଯା’ । ତୋ’ ପରି ଛାତ୍ର ଆମର ଦରକାର ନାହିଁ । ହେମନ୍ତ କିଂ କର୍ତ୍ତବ୍ୟ–ବିମୁଢ଼ ହୋଇ ଠିଆହୋଇଛି କବାଟ ବନ୍ଧକୁ ଆଉଜି ।

 

ଗୋପାଳପୁର ଷ୍ଟେସନରେ ଗାଡ଼ି ସିଟି ମାରିଲା, “ହେଇ ସାର୍, ଗାଡ଼ି ଆସିଲାଣି–ମୁଁ ଯାଉଛି–ଏତିକି କହି ହେମନ୍ତ ଏକ ନିଶ୍ଵାସକେ ଷ୍ଟେସନରେ ଉଠିଲା । ଗାଡ଼ି ଛାଡ଼ିବା ଉପରେ, ଦୌଡ଼ି ଦୌଡ଼ି ଚଢ଼ିଗଲା ଗୋଟିଏ ଡବାକୁ ।

 

ଏକ୍ସ୍ ପ୍ରେସ୍ ଗାଡ଼ି ବାଟରେ ଆଉ କେଉଁଠି ଅଟକିବ ନାହିଁ । ପୁଣି ଯାଇ କଟକରେ । କ୍ଲାନ୍ତ ଶ୍ରାନ୍ତ ଚକ୍ଷୁଦ୍ଵୟରୁ ତା’ର ଝରିପଡ଼ୁଛି ଶ୍ରାବଣର ଧାରା । ରୋଗ ଓ ଦୁଃଖଯନ୍ତ୍ରଣାରେ ପ୍ରାଣଟା ତା’ର ଦହଲି ହେଉଛି । ବଡ଼ ବାଧିଲା ହେମନ୍ତକୁ । ଡବାର ଏକ ବେଞ୍ଚ ଉପରେ ଶୋଇ ପଡ଼ିଲା ଟିକିଏ ।

 

କାଳନିଦ୍ରା ଘାରିଲା ତାକୁ, କଟକ ଷ୍ଟେସନ ଯାଇ ବାଲେଶ୍ଵରରେ ଗାଡ଼ି ପହଞ୍ଚିଲାଣି–ତଥାପି ତା’ର ନିଦ ଭାଙ୍ଗି ନାହିଁ । ସେଇଠି ଗାଡ଼ି ଚେକ୍ ହେବାକୁ ଥିଲା । ପଶି ଆସିଲେ ଡବା ଭିତରକୁ ଟି. ଟି. ଆଇ ବାବୁ, ହେମନ୍ତକୁ ଉଠାଇଲେ । ହେମନ୍ତ ତା’ର ଦୁଃଖର କାହାଣୀ କହିଗଲା; କିନ୍ତୁ କେହି ଶୁଣିଲେ ନାହିଁ ତା’ କଥା । ହେମନ୍ତ ଓ ଆଉ କେତେଜଣଙ୍କୁ ଚାଳାଣ କଲେ ଖଡ଼ଗପୁରକୁ । ସେଇଠି ତାଙ୍କର ବିଚାର ହେଲା । ସମସ୍ତଙ୍କୁ ଦୁଇମାସ ସଶ୍ରମ କାରାଦଣ୍ଡ ।

 

ଜେଲରେ ରହି ଦୁଃଖର ଚାପାରେ ହେମନ୍ତ ହେଲା ପାଗଳ । ବୁଦ୍ଧି ବୃତ୍ତି ତା’ର କିଛି ରହିଲା ନାହିଁ । ସ୍ମୃତି ଅଚଳ ହୋଇ ପଡ଼ିଲା । କିଛି ମନେପଡ଼ିଲା ନାହିଁ ତା’ର । ପୂରା ପୂରି ବୋକା ବନିଗଲା । ଜେଲରଙ୍କ ହୁକୁମ ଓ ଲାଠି ମାଡ଼ ଭୟରେ ଯନ୍ତ୍ର ସଦୃଶ କାମ କରିବାକୁ ଲାଗିଲା ।

 

ଏ କ’ଣ ଭଗବାନଙ୍କର ଆଶୀର୍ବାଦ ନା ଅଭିଶାପ–

Image

 

(୭)

 

ଏଇ ଦଶଦିନ ମଧ୍ୟରେ ତିନି ଚାରିଖଣ୍ଡ ଚିଠି ଗଲାଣି, ତାର ଉତ୍ତର ନାହିଁ କି ହେମନ୍ତର ଦେଖା ନାହିଁ । ଚାହିଁ ଚାହିଁ ଆଖିରୁ ପାଣି ମଲାଣି । ସନ୍ଦେହ ଓ ଆଶଙ୍କାରେ ତୁଳସୀ ଓ ଶ୍ରୀକାନ୍ତର ମନ ବ୍ୟାକୁଳ । ଆଜି ଶୁଦ୍ଧକ୍ରିୟା । ସକାଳ ଗାଡ଼ିରେ ତ ଆସିଲ ନାହିଁ, ପୁଣି ଦୁଇଟା ବେଳ ଗାଡ଼ି ଗଲାଣି । ଆଉ କେତେବେଳେ ଆସିବ ? ଶ୍ରୀକାନ୍ତ ଭାବିଲା–ଚିଠି ଗୁଡ଼ା କ’ଣ ସେ ପାଉ ନାହିଁ ? ତେବେ ତାର ହେଲା କ’ଣ ! ହଁ ପରୀକ୍ଷା ନିକଟ, ସେଇଥିପାଇଁ ସେ ଆସି ପାରି ନାହିଁ ବୋଧହୁଏ । କଥାଟା ଲେଖି ଜଣାଇ ଦେଇଥିଲେ ଆମକୁ ହନ୍ତସନ୍ତ ହେବାକୁ ପଡ଼ନ୍ତାନି ।

 

ମା’ଭାଇ ମଲାଦିନରୁ ତୁଳସୀ ଆଖିରୁ ଲୁହ ବନ୍ଦ ନାହିଁ । ସବୁବେଳେ ସେ ତାର କୋଠରୀରେ ବସି ସୁଁ ,ସୁଁ ହୋଇ କାନ୍ଦୁଛି । ଶ୍ରୀକାନ୍ତ ତୁଳସୀକୁ ସାନ୍ତ୍ଵନା ଦେଇ ନିଜେ କାମରେ ଲାଗି ପଡ଼ିଲା ।

 

ସବୁ କାମ ସାରି କଲେଜ ଫେରିଲା ବେଳକୁ ରାତି ଆଠ । ଶ୍ରୀକାନ୍ତ ମସ୍ତିଷ୍କରେ ଏକ ଅବ୍ୟକ୍ତ ବେଦନା ଅନୁଭବ କଲା । ଏମ୍. ଏ., ପରୀକ୍ଷା ଆସି ମୁଣ୍ଡ ଉପରେ । ସବୁ ପିଲାମାନେ ପଢ଼ାରେ ଲାଗି ପଡ଼ିଛନ୍ତି । ତୁଳସୀଟା ପାଇଁ ସେ ବହୁତ ସମୟ ନଷ୍ଟ କରି ସାରିଲାଣି । ପୁଣି ମନକୁ ବୁଝାଇଲା–ଦରିଦ୍ର ନାରାୟଣ ସେବା କ’ଣ ବିଫଳ ? ଖାଲି ପୁସ୍ତକକୀଟ ହୋଇ ସୁପାରିଶ ପତ୍ର ହାସଲ କରିବା ତ ମୋର ଉଦ୍ଦେଶ୍ୟ ନୁହେଁ । ଜ୍ଞାନ ଅର୍ଜନ କରି ଯଦି ତାକୁ ଜଗତର ସେବାରେ ନିୟୋଜିତ ନ କଲି–ସେ ଜ୍ଞାନର ମୂଲ୍ୟ କ’ଣ ?

 

ସାଇକେଲ୍‍ଟି ଥୋଇ ଦେଇ ଶ୍ରୀକାନ୍ତ କୋଠରୀର ତାଲା ଖୋଲିଲା । ଟେବୁଲ ଉପରେ ଥିବା ବିଜୁଳିବତୀଟିକୁ ଲଗାଇ ଦେଇ ପୋଷାକପତ୍ର ଖୋଲିଲା, ଦେଖିଲା ଟେବୁଲ ତଳେ ଖଣ୍ଡିଏ ଚିଠି । ବାହାରୁ ଥାଇ ଭିତରକୁ କିଏ ଗଳାଇ ଦେଇଛି । ଚିଠିଟି ଆଗ୍ରହରେ ଉଠାଇଆଣି ପଢ଼ିଲା । ଗୋପାଳପୁର ହାଇସ୍କୁଲ ହେଡ଼ମାଷ୍ଟର ଲେଖିଛନ୍ତି ।

ଶ୍ରୀକାନ୍ତ ବାବୁ ! ହେମନ୍ତ ପାଖରୁ ସମସ୍ତ ଶୁଣିଥିବେ । ପ୍ରକୃତରେ ସେ ଚୋରୀ କରି ନାହିଁ । ଚୋର ଯିଏ ଧରା ପଡ଼ିଛି । ସୁପରିଣ୍ଟେଣ୍ଡେଣ୍ଟ୍ ହେମନ୍ତର ଟ୍ରଙ୍କ ତାଙ୍କର ୱାଚ୍‍ଟି ପାଇଲେ ବୋଲି ଆମେ ତାକୁ ସନ୍ଦେହ କରୁଥିଲୁ । ସେଥିପାଇଁ ଆମେ ଅନୁତପ୍ତ । ପରୀକ୍ଷା ଖୁବ୍ କମ୍ ଦିନ ଅଛି । ହେମନ୍ତକୁ ଶୀଘ୍ର ପଠାଇ ଦେବେ । ଇତି ।

ଆଶ୍ଚର୍ଯ୍ୟ ହେଲା ଶ୍ରୀକାନ୍ତ ! ତେବେ ଏପରି କିଛି ଘଟଣା ଘଟିଛି । ହେମନ୍ତ ନାହିଁ ହଷ୍ଟେଲରେ, କଟକ ବି ଆସି ନାହିଁ । ଗାଁ କୁ’ତ ଯାଇ ନ ଥିବ । ଆଉ ଗଲା କୁଆଡ଼େ ? ହଉ–ରାତି ପାହୁ, ଚିଠିଟି ଥୋଇ ଦେଲା ଟେବୁଲ ଉପରେ । ସବୁ ଚିନ୍ତା ଓ ଭାବନାକୁ ପଛକୁ ପକାଇ ଦେଇ ଆଲମୀରାରୁ ପାଠ୍ୟପୁସ୍ତକ ଖଣ୍ଡିଏ ଟାଣି ଆଣି ପଢ଼ି ବସିଲା । ଦୁଇଚାରି ପୃଷ୍ଠା ପଢ଼ିଛି କି ନାହିଁ; କ୍ଲାନ୍ତ ଓ ଅବସାଦରେ ଆଖି ଦୁଇଟା ତାର ଢାଙ୍କି ହୋଇପଡ଼ିଲା । ଦରମେଲା ପୁସ୍ତକଟି ଉପରେ ମୁଣ୍ଡ ରଖି ସେ ଶୋଇଗଲା ନିଘୋଡ଼ ନିଦରେ-। କୋଠରୀର କବାଟ ମେଲା, ବିଜୁଳୀବତୀଟି ଜଳୁଛି ଟେବୁଲ ଉପରେ ।

ଆଖି ଆଗେ ଉଭା ହେଲେ ମହାମାନବ ମହାତ୍ମାଗାନ୍ଧୀ, ପ୍ରଣାମ କଲା ଶ୍ରୀକାନ୍ତ । ବାବୁଜୀ ପ୍ରଶ୍ନ କଲେ–ଶ୍ରୀକାନ୍ତ ମୋର ଆଦେଶ ପାଳନ କରିପାରିବ ? –ପାରିବି ସାର୍, ଯେତେ ଜଟିଳ ହେଲେ ବି ପାଳନ କରି ପାରିବି । ଜୀବନ ବି ଦେବାକୁ ପ୍ରସ୍ତୁତ । କହନ୍ତୁ ସାର୍–

–ତେବେ ତୁଳସୀକୁ ତୁମେ ବିବାହ କର । ତାର ପିତୃଋଣ ସୁଝ । ତୁମେ ଭାବନା ଯେ ତୁମର ବାପାଙ୍କ ଅର୍ଥରେ ତୁମେ ଏତେ ଦୁର ଆସିଛ । ଭାବି ଦେଖ, ସେ ଅର୍ଥରେ ବି ତୁଳସୀ ବାପର ମୁଣ୍ଡଝାଳ ଓ ଶରୀର ରକ୍ତ ମିଶିଛି । ପିଲାଟି ଦିନରୁ ତା’ ବାପ ତୁମ ଘରେ କୋଠିଆ ଥିଲା । ସେ ମୁଣ୍ଡଝାଳ ତୁଣ୍ଡରେ ମାରି, ଖରା, ବର୍ଷା, ଶୀତ ସହି ଧନ ଅର୍ଜେ, ଆଉ ତୁମ ବାପା ସେ ଧନକୁ ସାଇତି ରଖନ୍ତି । ତେବେ କୁହ, କାହା ଧନରେ ତୁମେ ମଣିଷ ହୋଇଛ ? ତୁଳସୀକୁ ବିବାହ କର । ପତିତ ଦଳିତ ହରିଜନମାନଙ୍କୁ ଉଦ୍ଧାର କର ।

 

ଶ୍ରୀକାନ୍ତ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଏ ବାପୁଜୀଙ୍କୁ । ପୁନଶ୍ଚ ବାପୁଜୀ ଆରମ୍ଭ କଲେ–

 

ଅସଙ୍ଗତ ନୁହେଁ ଶ୍ରୀକାନ୍ତ, ସେ ତୁମର ସ୍ତ୍ରୀ ଓ ତୁମେ ତାର ସ୍ଵାମୀ–ଏତ ବିଧିର ବିଧାନ । ଆଜି ନୁହେଁ ଯୁଗ ଯୁଗ ଧରି ତୁମେ ଦୁହେଁ ସ୍ଵାମୀ ସ୍ତ୍ରୀ ରୂପରେ ଜନ୍ମ ହୋଇଛି । ପ୍ରେମ ତୁମର ଅନାବିଳ । ସେଥିପାଇଁ ସୃଷ୍ଟି କର୍ତ୍ତାଙ୍କର ଏ ବିଡ଼ମ୍ବନା । ଏ ଜନ୍ମରେ ତୁମେ ଉଚ୍ଚକୁଳ ସମ୍ଭୁତ ଆଉ ସେ ଆଭିଯାତ ହୀନା । ଜଗତର ମଙ୍ଗଳପାଇଁ ଏ ବ୍ୟତିକ୍ରମ । ତୁମେ ତୁଳସୀକୁ ବିବାହ କରି ଅନ୍ଧ ସମାଜକୁ ଚକ୍ଷୁଦାନ କର । ବିଶ୍ଵକୁ ଦେଖାଇ ଦିଅ ଏକ ଅଲୌକିକ ଆଦର୍ଶ । ଗଢ଼ ନୂଆ ଧର୍ମ । ବିଶ୍ଵରେ ଶାନ୍ତିର ପ୍ରଚାର, କର । ବର୍ତ୍ତମାନ ତୁଳସୀ ଅନାଥିନୀ । ଜୀବନକୁ ତା’ର ହରାଇ, ଦେବାକୁ ବସିଛି । ତୁମେ ତାକୁ ଉଦ୍ଧାର କର ।

 

ଅନ୍ତର୍ଦ୍ଧାନ ହୋଇଗଲେ ବାପୁଜୀ । ଶ୍ରୀକାନ୍ତର ସ୍ଵପ୍ନ ଭାଙ୍ଗିଗଲା । ଚାହିଁଲା–କାନ୍ଥଦେହରୁ ବାପୁଜୀଙ୍କ ବନ୍ଧାଇ ଫଟୋଟି ଖସି ପଡ଼ି ଟେବୁଲ ଉପରେ ପଡ଼ିଛି । ଭକ୍ତିଭରେ ଫଟୋଟିକୁ ନେଇ ମୁଣ୍ଡରେ ଲଗାଇଲା । ଭାବିଲା, ଗୋଟିଏ ଦିଗରେ ଦେବତାର ଆଦେଶ, ଆଉ ଅନ୍ୟ ଦିଗରେ ରକ୍ଷଣଶୀଳ ପୂଜନୀୟ ପିତାଙ୍କର ଦୃଢ଼ ପ୍ରତିଦାନ । ପରସ୍ପର ବିପରୀତ ମୁଖୀ ଦୁଇଟି ସ୍ରୋତର ସଂଘର୍ଷ । କେଉଁଟି ଶ୍ରେୟସ୍କର ?

 

କେତେ ପ୍ରଶ୍ନ ତାର ମସ୍ତିଷ୍କରେ ଖେଳିଗଲା । ସେ କିଛି ସ୍ଥିର କରି ପାରିଲାନି । ସେଇ ବିଶ୍ଵକର୍ତ୍ତାଙ୍କଠାରେ ନିଜକୁ ସମର୍ପି ଦେଲା । ସେ ଯେଉଁଆଡ଼କୁ ଚଳାଇବେ, ସେ ଆଡ଼େ ସେ ଯିବ । ସେହି କେବଳ ଏ ସମସ୍ୟାକୁ ସମାଧାନ କରିବାକୁ ତାକୁ ସାହାଯ୍ୟ କରିବେ ।

 

ତୁଳସୀ ନିଜର ଜୀବନକୁ ହରାଇ ଦେବାକୁ ବସିଛି । ବାପୁଜୀଙ୍କ ଉପଦେଶ । ନିଶ୍ଚୟ ସେ ଆଶ୍ରମକୁ ଯିବ । ତାର ଖବର ବୁଝିଆସିବ । ଆସିଲାବେଳେ ବିଚାରୀ ଭାରି କାନ୍ଦୁଥିଲା । ସାଇକେଲ୍‍ଟିକୁ ପଦାକୁ ବାହାରକରି ଆଣି କୋଠରୀରେ ତାଲା ଦେଲା ଶ୍ରୀକାନ୍ତ ।

 

ରାତି ପ୍ରାୟ ଏଗାରଟା । ବିଜୁଳି ଯୋଗାଣରେ କିଛି ଅସୁବିଧା ଯୋଗୁଁ ହଠାତ୍ ସହରଟି ସାରା ଅନ୍ଧାର ହୋଇଗଲା । ଅମାବାସ୍ୟର ରାତି । ରାସ୍ତାଘାଟ କିଛି ବାରି ହେଉନାହିଁ । ଚୋର, ଡକାୟତ ଗୁଡ଼ା ଏକ୍ଷଣି ମାତି ଉଠିବେ । ଅନ୍ଧାରରେ ଛୁଟିଛି ଶ୍ରୀକାନ୍ତ–ଆଶ୍ରମ ଅଭିମୁଖରେ । ମନେପଡ଼ୁଛି ତାର–ରେଣୁକାର ଅନ୍ତିମ ଅନୁରୋଧ । ପୁଣି ମହାମାନବଙ୍କର ଆଦେଶ । କେତେ କ’ଣ ଭାବି ଭାବି ଶ୍ରୀକାନ୍ତ ଆଶ୍ରମ ଫାଟକ ପାଖରେ ପହଞ୍ଚିଲା ।

 

ଆଶ୍ରମଟି ଶୁନ୍ ସାନ୍ । ଚାରିଆଡ଼ ଅନ୍ଧାର ରାଜୁତି କରୁଛି । ଆମ୍ବ ବଗିଚାରେ ବସି ସେ ପେଚାଟା କୁନ୍ଥେଇ ହେଉଛି । ଟେଁଟେଁଇଁ ଟା ଆଶ୍ରମ ଚାରିପାଖ ଏଗଛରୁ ସେ ଗଛକୁ ଉଡ଼ି ବୁଲି ରଡ଼ି ଛାଡ଼ୁଛି । ଶ୍ରୀକାନ୍ତ ସାଇକେଲ୍‍ରୁ ଓହ୍ଲାଇ ପଡ଼ି ଠିଆ ହେଲା । ଫାଟକ ପାଖରେ ମଣିଷର ପାଟି ତୁଣ୍ଡ କେଉଁଆଡ଼ୁ ଶୁଭୁ ନାହିଁ । ଭୟରେ ଛାତିଟା ତାର ଥରି ଉଠିଲା । ଅନ୍ଧାରର ଭୂତ ତା’ ଆଡ଼କୁ ମାଡ଼ି ଆସିଲା ପରି ତାକୁ ଜଣାଗଲା । କିଛି ସମୟପରେ ସେ ଶୁଣିବାକୁ ପାଇଲା–ଦୂରରେ ଏକ ରମଣୀର କ୍ରନ୍ଦନରୋଳ । କାଠଯୋଡ଼ି ନଦୀ ମଧ୍ୟରୁ ରହି ରହି ପବନରେ ଭାସିଆସୁଛି ଆଶ୍ରମ ଆଡ଼କୁ । ଶ୍ରୀକାନ୍ତର ଦେହଟା ଆହୁରି ଫୁଲ ଉଠିଲା । କିଏ କାନ୍ଦୁଛି ଏତେ ରାତିରେ ? ଡାଆଣୀ ନା’ ଚିରିଗୁଣୀ ? ପୁଣି କାନଡେରି ଶୁଣିଲା । ନା’–ଏତ ମଣିଷର କଣ୍ଠ ସ୍ଵର । କିଏ ଜଣେ ଦୁଃଖିନୀ କାଠଯୋଡ଼ି ବାଲି ମଧ୍ୟରେ କାନ୍ଦି କାନ୍ଦି ଖୋଜି ବୁଲୁଛି, ତା’ର ଚିର ଶାନ୍ତିର ଆଶ୍ରୟ । ତେବେ ସେ କ’ଣ ତୁଳସୀ !

 

ମନକୁ ତାର ପାପ ଛୁଇଁଲା । ସାଇକେଲ୍‍ଟି ଧରି ଆଗେଇଲା କାଠଯୋଡ଼ିର ସାହେବଘାଟ ଆଡ଼କୁ । ନଦୀର ଅପରପାର୍ଶ୍ଵରୁ ଶୁଭୁଛି ପାହାନ୍ତିଆ ବିଲୁଆ ଗୁଡ଼ାକର ‘ହୁକେ ହୁଆ’ ରଡ଼ି । ଏପଟରୁ ଦେଶୀ କୁକୁର ଗୁଡ଼ାକ ଭୁକି ଉଠୁଛନ୍ତି । କିଛି ବିପଦର ସୂଚନା ପ୍ରାଣକୁ ଶତ ଆଶଙ୍କାରେ ବିବ୍ରତ କରିଦେଲା । ରାସ୍ତାର ଦୁଇକଡ଼ରେ ଦୁଇଧାଡ଼ି ଦେବଦାରୁ ଗଛ–ଦୂରରୁ ଶ୍ରୀକାନ୍ତକୁ ଭୂତ ପରି ଦେଖାଯାଉଛନ୍ତି । ପକ୍ଷୀଗୁଡ଼ାକର ଡେଣା ଫଡ଼ ଫଡ଼ ଶବ୍ଦରେ ଶ୍ରୀକାନ୍ତ ଚମକି ପଡ଼ୁଛି, ତଥାପି ସେ ଆଗେଇ ଚାଲିଛି ।

 

କ୍ରନ୍ଦନର ରୋଳ କ୍ରମେ କ୍ରମେ କ୍ଷୀଣରୁ କ୍ଷୀଣତର ଅନୁଭବ କଲା ଶ୍ରୀକାନ୍ତ । ସାହେବଘାଟ ଉପରକୁ ଉଠି ଚାହିଁଲା ଏଣିକି ତେଣିକି, ଅନ୍ଧାରରେ କିଛି ବାରି ହେଉନାହିଁ । ଗାଢ଼ରାତ୍ରର ନୀରବତା ଭଗ୍ନକରି ଝିଙ୍କାରୀ ପୋକଗୁଡ଼ାକ ଝିଁ ଝାଁ କରି ଉଠିଲେ । ସେପାଖରୁ ଡାଆଣୀ ଆଲୁଅ ରହି ରହି ଜଳି ଉଠୁଛି । କାନ୍ଦଣା ତ କେଉଁଆଡ଼ୁ ଶୁଭୁନାହିଁ । ତେବେ କ’ଣ ପିତେଇଶୁଣୀ କାନ୍ଦୁଥିଲା ? ଭୟରେ ଫୁଲି ଉଠିଲା ଶ୍ରୀକାନ୍ତର ଛାତିଟା । ଚିତ୍ତଦମ୍ଭ କରି ସନ୍ଦେହରେ ଥରୁଟିଏ ସେ ଡାକିଦେଲା–‘‘ତୁଳସୀ !” ଘାଟତଳେ ପାଣିଟା ଚହଲି ଯିବାର ଜଣାଗଲା । ପୁଣି ଡାକିଲା–‘ତୁଳସୀ !

 

ନଦୀ ମଧରୁ ଉତ୍ତର ଆସିଲା–‘ବାବୁ’ !

 

ଆଶ୍ଚର୍ଯ୍ୟ ହେଲା ଶ୍ରୀକାନ୍ତ । ସାଇକେଲ୍‍ଟିକୁ ଠିଆ କରି ଦେଇ ତୁଠତଳକୁ ଖସିଲା । ନିରୀକ୍ଷଣ କରି ଚାହିଁଲା–ବେକେ ପାଣିରେ ତୁଳସୀ ଠିଆ ହୋଇଛି । ଡାକିଲା ତୁଳସୀ, ତୁମର ଏ କି ବୁଦ୍ଧି ? ବାହାରି ଆସ ପାଣି ଭିତରୁ । ଆତ୍ମହତ୍ୟା ଯେ ମହାପାପ–ଏତିକି ତୁମେ ଜାଣ ନାହିଁ !

 

ତୁଳସୀ ଥର ଥର କଣ୍ଠରେ କହିଲା–ଆଉ କାହିଁକି ବାବୁ ଏ ନିଲଠା ଦେହ ଧରି ବଞ୍ଚି ରହିବି । ଆପଣ ଫେରିଯା’ନ୍ତୁ । ମୋତେ ବଳାନ୍ତୁ ନାହିଁ । ମୁଁ ଆଉ ଦୁଃଖ କଷ୍ଟ ଭୋଗିପାରିବି ନାହିଁ ।

 

ପାଣି ଭିତରକୁ ପଶି ଯାଉଁ ଯାଉଁ ଶ୍ରୀକାନ୍ତ କହିଲା–ଭୁଲବୁଝିଛ ତୁଳସୀ । ଦୁଃଖ କଷ୍ଟ ତ ଭଗବାନଙ୍କର ଆର୍ଶୀବାଦ । ସେ ଦୁଃଖ ଦିଅନ୍ତି, ପୁଣି ସୁଖ ମଧ୍ୟ ଦିଅନ୍ତି–ଏଇ ତ ତାଙ୍କର ଖେଳ । ଏ ଦୁଃଖ ଗହନ ପୃଥିବୀ ଉପରେ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ସବୁଦିନେ ସୁଖରେ କିମ୍ବା ଦୁଃଖରେ କଟେନାହିଁ-। ସମସ୍ତେ ବଞ୍ଚିବାର ଆଶା ନେଇ ଦୁଃଖ ସୁଖକୁ ଅଙ୍ଗେ ନିଭାଇଥା’ନ୍ତି । ଦେବତା ବି ମର୍ତ୍ତ୍ୟମଣ୍ଡଳରେ ଜନ୍ମ ହୋଇ ଦୁନିଆର ଦାଉରୁ ରକ୍ଷାପାଇନାହାନ୍ତି । ତା’ ବୋଲି କ’ଣ ସେମାନେ ଜୀବନକୁ ଅକାଳରେ ନଷ୍ଟକରି ଦେଇଛନ୍ତି ? ସୃଷ୍ଟିକର୍ତ୍ତାଙ୍କ ଦରବାରରେ ଆତ୍ମହତ୍ୟାକାରୀର ଦୋଷ ଅକ୍ଷମଣୀୟ । ଆତ୍ମାର ନିର୍ବାଣ ନାହିଁ । ଏ କଥା କ’ଣ ଆଶ୍ରମ ଶିକ୍ଷାରୁ ଜାଣି ପାରିନ ?

 

ତୁଳସୀର ମୁହଁରୁ ଉତ୍ତର କିଛି ବାହାରୁ ନାହିଁ । ସେ ଖାଲି ପାଣି ଭିତରେ ବରଡ଼ା ପତ୍ର ଥରୁଛି ଆଉ ଭାବୁଛି–ବାବୁ ଏସବୁ ଜାଣି ଏଠାକୁ ଆସିଲେ କିପରି । ପଚାରିବାକୁ ବି ମୁହଁ ଖୋଲୁ ନାହିଁ । ଦୋଷୀଙ୍କ ପରି ସେ ଖାଲି ଠିଆ ହୋଇ ରହିଛି ।

 

ଶ୍ରୀକାନ୍ତ ତା’ ପାଖରେ ପହଞ୍ଚି ତା’ର ହାତକୁ ଧରି ତୁଠ ଉପରକୁ ଉଠାଇ ଆଣିଲା । ନିଜର ଓଦା ଲୁଗାକୁ ଚିପୁଡ଼ି ଚିପୁଡ଼ି କହିଲା–ତୁଳସୀ, ମୋ ରାଣ ! ତୁମେ ଆଉ ଏପରି କର୍ମ ଆଉ ଜୀବନରେ କେବେ କରିବନି । ତୁମେ ଅନାଥିନୀ ବୋଲି ଭାବୁଛି କାହିଁକି ? ମୁଁ ସେ ତୁମର ପାଖେ ପାଖେ ଅଛି । ମୃତ୍ୟୁଶଯ୍ୟାରେ ତୁମର 'ବୋଉ ମୋତେ ତୁମର ଦାୟିତ୍ଵ ଦେଇ ଯାଇଛନ୍ତି । ତେଣୁ ତୁମେ ମୋର ଅଧିନା । ମୋର ବିନାନୁମତିରେ ଆଗକୁ ପାଦେ ଘୁଞ୍ଚିବାର ଅଧିକାର ତୁମର ନାହିଁ । ତେବେ–କେଉଁ ସାହସରେ ତୁମେ ଏପରି କର୍ମ କରିବାକୁ ଯାଉଥିଲ ? କି ଦୁଃଖରେ ?

 

ତୁଳସୀ ନୀରବ । ଲଜ୍ୟା ଓ ଭୟରେ ସେ ମର୍ମାହତ । ମନେମନେ କେତେ ନିଜକୁ ଧିକାରି କହୁଛି, ନିଜର ଅପକର୍ମ ପାଇଁ ବାବୁଙ୍କ ଚକ୍ଷୁରେ ସେ କେତେ ଦୋଷୀ ହୋଇପଡ଼ିଲା ? ଭାବୁଛି–ଅନୁତାପ କରି ଆଉ କିଛି ଲାଭ ନାହିଁ । ଏଥପାଇଁ ସେ ବାବୁଙ୍କଠାରୁ କ୍ଷମା ମାଗିନେବ । ଆଉ ଜୀବନରେ ଏପରି ଅପକର୍ମ କେବେହେଲେ କରିବ ନାହିଁ ।

 

ଶ୍ରୀକାନ୍ତ ଓଦାଲୁଗାକୁ ଚିପୁଡ଼ି ପାଲଟି ସାରି ସାଇକେଲ୍‌କୁ ଆଉଜି ଠିଆ ହୋଇଥାଏ । ତୁଳସୀ ଲୁଗାଚିପୁଡ଼ି ତୁଠ ଉପରକୁ ଉଠିଲା । ଦୁହେଁ ବନ୍ଧତଳକୁ ଖସିଲେ । ଶ୍ରୀକାନ୍ତ କହିଲା ତୁଳସୀ, କେହି ଯେପରି କଥା ନ ଜାଣନ୍ତି । ଜାଣିଲେ ଛି ଛି କରିବେ । ନିଜର ମୂଲ୍ୟ କମିଯିବ । ଭଲ ପିଲାଟି ପରି ଯାଇ ଶୋଇପଡ଼ିବ । ତୁମେ ମା’, ଭାଇଙ୍କ ପାଇଁ ଚିନ୍ତାକଲେ କ’ଣ ସେମାନେ ଆଉ ଫେରିଆସିବେ ? ମୋର ପରୀକ୍ଷା ସରୁ । ହେମନ୍ତକୁ ସଙ୍ଗରେ ନେଇ ମୁଁ କଲିକତା ଯିବି । ତୁମ ବାପାଙ୍କୁ ଯେଉଁଠି ପାଇବି ନେଇ ଆସିବି । ବର୍ତ୍ତମାନ ଆଶ୍ରମକୁ ଯିବା ମୋର ଉଚିତ ନୁହେଁ–ମୁଁ କଲେଜ ଯାଉଛି । ଦୁହେଁ ଆଶ୍ରମର ଗେଟ୍ ପାଖରେ ପହଞ୍ଚିଗଲେ । ଗେଟ୍‍କୁ ଆଉଜି ଠିଆହେଲା ତୁଳସୀ । ଗେଟ୍ ଖୋଲି ସେପଟକୁ ଯିବାକୁ ତାର ପାଦ ଚଳୁ ନାହିଁ । ଶ୍ରୀକାନ୍ତ କହିଲା–ଭାବୁଛ କ’ଣ-? ଯାଅ, ମୋର ପରା ଡେରି ହେଉଛି । ତୁଳସୀ ନୀରବ । ଅନ୍ତର ତଳୁ ତାର ଜାର କୋହ ଦବାଇ ଉଠୁଛି । ଶତଚେଷ୍ଟା କଲେ ସୁଦ୍ଧା ସେ ତାକୁ ଦବାଇ ପାରୁନାହିଁ । ଅଜାଣତରେ ତାର ଦୁଇ ଆଖିରୁ ଝରି ପଡ଼ୁଛି ଶ୍ରାବଣର ଧାରା । ଶ୍ରୀକାନ୍ତକୁ ଶୁଭୁଛି ତୁଳସୀର କଇଁ କଇଁ କାନ୍ଦ । ସେଇ କନ୍ଦାହିଁ ସୁଚାଇ ଦେଉଛି ତାକୁ ନାରୀର ଚିରନ୍ତନ କ୍ଷୁଧା । କ୍ଷୁଧାତୁରା ତୁଳସୀର ସାହସ ହେଉଛି ଶ୍ରୀକାନ୍ତକୁ ପଚାରିବାକୁ, ବାବୁ ତୁମେ କ’ଣ ମୋତେ ଅନ୍ତରରେ ଭଲ ପାଅ ? କାହିଁକି ମୋତେ ମୃତ୍ୟୁମୁଖରୁ ଛଡ଼ାଇ ଆଣିଲ ?

 

ଧର୍ମଭୀରୁ ଶ୍ରୀକାନ୍ତ ଅବାକ୍ ହୋଇ ଚାହିଁ ରହିଛି ତୁଳସୀକୁ । ମାୟାବନ୍ଧନ ପୂର୍ବରୁ ଥରୁଟିଏ ତାକୁ ତାର ବିସ୍ତୃତ ବକ୍ଷ ଉପରେ ବାନ୍ଧି ରଖି ଦଗ୍ଧପ୍ରାଣକୁ ତାର ଶୀତଳ କରିବାପାଇଁ ସାହସ ନାହିଁ । ତଥାପି ସେ ତୁଳସୀର ଆଖିରୁ ନିଜ ରୁମାଲରେ ଲୁହ ପୋଛି ଦେଲା । କହିଲା–ତୁଳସୀ, ଯଦି ତୁ ମୋତେ ଖୁସି କରିବାକୁ ଚାହୁଁ, ମନରୁ ସବୁ ଅବସାଦ ପୋଛିପକା । ଆଶ୍ରମକୁ ଯା–ମୁଁ ଯାଉଛି କଲେଜକୁ । ଆଉ ଅଳ୍ପଦିନ ପରୀକ୍ଷା ରହିଲା ମୋର ।

 

ଶ୍ରୀକାନ୍ତର ସାନ୍ତ୍ଵନାବାଣୀ ଶୁଣି ତୁଳସୀ ଆଖିରୁ ଲୁହ ପୋଛିଲା । ଭାବିଲା, ସେ ଅନାଥିନୀ ନୁହେଁ । ଦୁଃଖବେଳେ ଆହା କହିବାକୁ ତାର ଜଣେ ସାହା ଅଛନ୍ତି । ପଚାରିଲା, ଆଉ କେବେ ଆସିବେ ବାବୁ ? ଶ୍ରୀକାନ୍ତ ଉତ୍ତର ଦେଲା, ତୁମେ ଯେତେବେଳେ ଚାହିଁବ । ରାତି ବେଶୀ ହୋଇଗଲାଣି–ତୁମେ ଆଶ୍ରମକୁ ଯାଅ । ତୁମେ ଘରେ ପଶିଲେ, ମୁଁ ଯିବି ।

 

ତୁଳସୀ ବାଧ୍ୟ ଶିଶୁଟିପରି ଶ୍ରୀକାନ୍ତର ଆଦେଶ ପାଳନ କରୁ କରୁ କହିଲା, ବାବୁ ରବିବାର ଦିନ ଆସିବେ । ଶ୍ରୀକାନ୍ତ କହିଲା–ହଁ, ନିଶ୍ଚୟ ଆସିବି । ତୁମେ ଆଉ କାନ୍ଦିବ ନାହିଁ । ମୋ ରାଣ ।

 

ଆଶ୍ରମ ବାରଣ୍ଡାକୁ ଉଠିଲା ତୁଳସୀ । ହାତଠାରି ଶ୍ରୀକାନ୍ତକୁ ଯିବାକୁ କହିଲା । ଶ୍ରୀକାନ୍ତ ସାଇକେଲ୍ ଉପରକୁ ଉଠିଲା । ପାହାନ୍ତିଆ ତରାଟି ଉଙ୍କି ମାରିଲାଣି ସେତେବେଳକୁ ।

Image

 

(୮)

 

ଚାରିଟା ବାଜିଲାଣି । ଗିରାମା’ ବାବୁଆଣୀ ହିରାଦେଇଙ୍କର ମୁଣ୍ଡ ଅଣାଇ ଦେଉଛି । କେତେଆଡୁ କେତେ କଥା ପକାଉଛି ଗିରାମା’, ହିରା ସବୁ ଶୁଣୁଛୁ । ଆଗ ହିରାର ଶ୍ଵଶୁର କ୍ଷେତ୍ରମୋହନ ବଡ଼ ଜେନାଙ୍କ ପାଖରୁ କଥା ଆରମ୍ଭ । ସେ ଭାରି ସୁନ୍ଦର ଲୋକ ଥିଲେ । ମାଛିକୁ ‘ମ’ ବୋଲି କହି ନାହାନ୍ତି । ତାଙ୍କ ଅମଳରେ ପ୍ରଜାମାନେ ରାମ ରାଇଜ ଭୋଗ କରୁଥିଲେ । ଏତେ ବଡ଼ ସୁନ୍ଦର ଲୋକ ନା’ରେ ପୁଣି ଏଗାଁ ଲୋକେ କଳଙ୍କ ଲଗାଇଲେ । କ’ଣ କହିବ ବାବୁଆଣୀ, ଗିରାଟି ମୋର ସେତେବେଳେ ପିଲା । ତା’ବାପ ମରିଗଲା । ମାଇପୀ ଲୋକ ଚଳିବାକୁ ବଡ଼ ହଇରାଣ ହେଲି । ଦୁଃଖ କରିବାକୁ ଶକ୍ତି ଥିଲା; କିନ୍ତୁ କରଣ ଘର ତମ ତ ଜାଣୁଛ । ଭିତରେ ଯାହାହେଉ ପଛେ–ବାହାରେ ବଡ଼ଲୋକୀ ଆଡ୍‍ଡ଼ା ଦେଖାଇବାକୁ ପଡ଼ିବ । କ୍ଷେତ୍ରମୋହନ ବାବୁ ମୋ ଦୁଃଖ ସହି ପାରିଲେ ନାହିଁ । ଭଲରେ ମନ୍ଦରେ ସେ ମୋତେ ଚଳାଇ ନେଲେ । ଜମିବାଡ଼ି ଦି’ଖଣ୍ଡ ବି ମୁଲିଆଙ୍କ ଦ୍ଵାରା କରାଇଦେଲେ । ସେଇଠୁ ଏ ଯୋଗିନୀ ଝିଅମାନେ ଫୁସୁଫୁସୁ ହେଲେ-। ଏଠି ସେଠି ପଲେ ପଲେ ବସି ଟୁପଟାପ ହେଲେ । ବାବୁ ଥିଲେ ସିନା ତାଙ୍କୁ ଗୁଣ କହନ୍ତେ । ସେ ତ ଯାଇ ସରଗରେ ରହିଲେଣି । ଯେଉଁ ଗାତପଶାଯାକ ତାଙ୍କ ଚନ୍ଦ୍ରମା ଦେହରେ କଳଙ୍କ ଲଗାଉଥିଲେ, ସେମାନେ ଏଇ ଦେଖ ନର୍କ ଭୋଗୁଛନ୍ତି ।

 

ଆଉ ତୁମ ଆଗ ଶାଶୁ ଭାରି ଭଲ ଲୋକ ଥିଲେ । ବିଲେଇ କୁକୁରର ବି ସେ ମନ ଜାଣି ଖାଇବାକୁ ଦେଉଥିଲେ । ଆଜିଯାଏ ତାଙ୍କୁ ଲୋକେ ଝୁରୁଛନ୍ତି । ଭଲ ମଣିଷଟା–ବସୁ ବସୁ ମରିଗଲେ । ତାପରେ ତୁମ ନିଜ ଶାଶୁ ଆସିଲେ । ସେ ବି ଭଲ ଲୋକ; କିନ୍ତୁ ଟିକିଏ କଡ଼ା । ତାଙ୍କରି ପୁଅ ତୁମ ସ୍ୱାମୀ । ଆଉ ତୁମ ଆଗ ଶାଶୁଙ୍କ ପୁଅ ଗୌରହରି ବାବୁ । ଦେଖୁନା, ବୈଠକଖାନାରେ ବାବୁଙ୍କ ସଙ୍ଗରେ ତାଙ୍କର ଫଟୋ ଅଛି । ସେ ବି ତାଙ୍କ ମା’ ପରି ଭାରି ଭଲ ଲୋକ ଥିଲେ । ତୁମ ଶାଶୁଙ୍କର କଡ଼ା କଥା ସହି ନ ପାରି କୁଆଡ଼େ ଇଂରାଜି ହୋଇ ଚାଲିଯାଇଛନ୍ତି ଯେ ଆଉ ଫେରି ନାହାନ୍ତି–ପଚିଶ ତିରିଶ ବର୍ଷ ହେଲାଣି ।

 

କୋଡ଼ିଏ ବର୍ଷ ବୟସରେ ବାବୁ ବିଭା ହେଲେ ତୁମ ଆଗ ସଉତୁଣୀକୁ । ଆଳି କନିକା କୁଆଡ଼େ ଲୋ ମା’–ସେଇ ରାଇଜର, ଝିଅ । ଶ୍ରୀକାନ୍ତ ବାବୁ ତାଙ୍କରି ପୁଅ । ବାହାଘରର ବର୍ଷ ନ ପୁରୁଣୁ ତୁମ ଶାଶୁ ବାଟ କାଟିଲେ । ସେ ଶ୍ରୀକାନ୍ତ ବାବୁଙ୍କ ଜନ୍ମ ଦେଖି ନାହାନ୍ତି । ସମସ୍ତେ କହିଲେ–ଏ ବୋହୂଟା, ହେଲା କାଳୀ ଘରେ ଗୋଡ଼ ଦେଉଁ ଦେଉଁ ଶାଶୁଙ୍କୁ ଖାଇଲା ।

 

ସେ ତ ନିଜେ ତେରସ୍ତା ବର୍ଷ ମଲେ–ତା’ପରେ ତୁମେ ଆସିଲ । ତୁମେ ଆସିଲାଦିନୁ ତ ଧନ ଦଉଲତ ହୁ ହୁ ବଢୁଛି । କେବଳ ଏତିକି, ଗରିବ ଘରର ଝିଅ ତୁମେ । ବାପ ଟଙ୍କା ନେଇ ବୁଢ଼ାବରରେ ଦେଇଛି । ନ ହେଲେ ତୁମେ ଲକ୍ଷ୍ମୀ । ମୁଣ୍ଡ ବିନ୍ଧା ସରିଲା–ଗିରାମା’ର କଥା ସରିଲା ।

 

ହିରାର ମୁହଁ ଖୋଲିଲା । କହିଲା–ମୁଁ କି ଲକ୍ଷ୍ମୀ ଲୋ ଗିରାମା’–ମୁଁ ଆସିଲାରୁ କୁଆଡ଼େ ପରା ତାଙ୍କ ଜମିଦାରୀ ଗଲା ?

 

ଗିରାମା’ ସଳକି ବସୁ ବସୁ କହିଲା–କିଏ କହୁଛି ଗୋ ସେ କଥା ? ମୁଲକ ଯାକର ଜମିଦାରୀ ଗଲା–ତା’ ସାଙ୍ଗରେ ଆମର ବି ଗଲା । ଏଥିରେ ତୁମର ଦୋଷ କଣ ? ଜମିଦାରୀ ଗଲା ସିନା, ବାବୁ ତ ସରପଞ୍ଚ ଗାଦି ପାଇଛନ୍ତି । ପରକଥା ତୁମେ ଶୁଣ ନାହିଁ । ସରପଞ୍ଚ ବାବୁ କୁଆଡ଼େ ଯାଇଛନ୍ତି ?

 

–ଅଫିସ କରୁଛନ୍ତି ପରା । ତୁମ ପୁଅ ?

 

–ସେତ ଅଫିସ ଯାଇଛି । ଆସିବାବେଳ ହୋଇଗଲାଣି ଗୋ ମା’ ମୁଁ ଯାଉଛି । ଗରିବ ବୋଲି ତ ଆଜିଯାଏ ତାକୁ ହାତକୁ ଦିହାତ କରିପାରିଲି ନାହିଁ । ଗିରାର ଚାଳିଶ ପୂରି ଆଉରି ବର୍ଷକୁ–ଧକ ଦେଲାଣି । ଆଉ କିଏ ଝିଅ ଦେବେ । ମୁଁ ବଞ୍ଚିଥିବା ଯାଏ ଖଣ୍ଡେ ଫୁଟାଇ ଦେଉଥିବ–ଆଖି ବୁଜିଲେ ତେଣିକି ତା’ ଭାଗ୍ୟ

 

ହଁ ଗୋ ବାବୁଆଣି, କଥାଟେ ଭୁଲି ଯାଇଥିଲି । ଏ ବର୍ଷ ଶ୍ରୀକାନ୍ତ ବାବୁଙ୍କର ବାହାଘର କରୁଛ ?

 

–ନ କଲେ ଏତେ ନିନ୍ଦା ଅପବାଦ ସହି ହେବ ନାହିଁ ।

 

–ମୁଁ ନିଜେ ଦେଖିଛି ଗୋ’ ବାବୁଆଣୀ, ଆଉ କାହା କଥା କହିବି କ’ଣ । ପୁଣି କ’ଣ ଶୁଣୁଛି ତାଙ୍କ ମା’ ଛୁଆଙ୍କୁ ଶ୍ରୀକାନ୍ତ ବାବୁ କାଳେ ଏଠୁଁ ନେଇଯାଇ କଟକରେ କେଉଁଠି ରଖାଇଛନ୍ତି । ବଡ଼ଜେନା କୁଳରେ କଳଙ୍କ ଲାଗିଲା ଗୋ ବାବୁଆଣୀ । ଆମେ ଖାଲି ଈଶ୍ୱରଙ୍କୁ ହାତ ଯୋଡ଼ୁଛୁ, ତୁମରି କୋଳରେ ବକଟେ ପିଲା ହେଲେ ଏକୁଳ ଉଦ୍ଧାର ହେବ ।

 

ପିଲା ନା’ ଶୁଣି ହିରାର ମନ ଉଚ୍ଛର୍ଣ୍ଣ ହୋଇଗଲା ? ବରଷେ ହେଲାଣି ସେ ଏ ଘରକୁ ଆସିଲାଣି । ସ୍ଵାମୀ ସୁଖ କ’ଣ ଜାଣି ପାରିଲା ନାହିଁ । ପିଲାର ମା’ ହେବାକୁ ସେ ଇଚ୍ଛା କରିବ କିପରି ?

 

ବାହାରେ କବାଟ ଖଡ଼ ଖଡ଼ ଶୁଭିଲା । ହିରା ପ୍ରକୃତିସ୍ଥ ହେଲା । ଦାଣ୍ଡକବାଟ ପାଖକୁ ଯାଇ କିଳିଣି ଖୋଲି ଦେଲା । ନରହରି ବାବୁ ପଶି ଆସିଲେ ଘର ଭିତରକୁ । ଗିରାମା’ ବାହାରି ଗଲା ପଦାକୁ । ଫେରି ପଡ଼ି ନରହରି ବାବୁ କହିଲେ–ମାଉସୀ, ଶୀଘ୍ର ତୁମ ପୁଅକୁ ଡାକିଦେବ, ଗାଡ଼ି ବେଳ ହୋଇଗଲାଣି । ଗିରାମା–‘ହଁ’ କହି ଚାଲିଗଲା ।

 

ବାବୁ ତାଙ୍କ ଶୋଇବା ଘରକୁ ଗଲେ । ହିରା ଅଇନା, ପାନିଆଁ ଧରି ସେ ଘରକୁ ଯାଉଁ ଥାଉଁ ଚାହିଁ ଦେଲା ଅଇନାକୁ । ମୁଣ୍ଡରେ ନାଇଲନ୍ ଫିତା ଦେଇ ଖଲାସି ପାରିଛି । ମୁହଁରେ ଲାଗିଛି ହିମାଳୟ ସ୍ନୋ । ଦୁଇଭୃଲତା ମଝିରେ ସିନ୍ଦୁର ବିନ୍ଦୁଟି ମୁଖମଣ୍ଡଳକୁ ତାର ଶତଗୁଣ ମନୋରମ କରି ଦେଉଛି । ହିରା ପୁଣି ଚାହିଁଲା ତାର ବକ୍ଷକୁ । ସଜଫୁଟା ଯଉବନ ଉକୁଟି ଉଠୁଛି । ଦେହଟା ତାର ଶୀତେଇ ଉଠିଲା । ଦୌଡ଼ିଗଲା ସେ ନରହରି ବାବୁଙ୍କ ପାଖକୁ । ବାବୁ ସିଲ୍‍କିନି ପଞ୍ଜାବ ପିନ୍ଧି, ତହିଁରେ ସୁନା ବୋତାମ ଲଗାଉଥିଲେ । ଛଡ଼ାଇ ଆଣିଲା ହିରା ସେ ବୋତାମକୁ । ନିଜେ ବୋତାମଗୁଡ଼ିକୁ ପିନ୍ଧାଇ ଦେଉଁ ଦେଉଁ କଣେଇ ଚାହିଁ ଦେଲା ତାଙ୍କ ମୁହଁକୁ । ଦରଫୁଟା ହସଟିଏ ଖେଳିଗଲା ତାର ଗୋଲାପି ଅଧରରେ । ତଳି ପଡୁଥିଲା ସେ ନରହରି ବାବୁଙ୍କ ଛାତି ଉପରେ । ନରହରି ବାବୁ ଘୁଞ୍ଚିଗଲେ କିଛି ଦୂରକୁ । କହିଲେ–ସବୁବେଳେ ମୋତେ ଏଗୁଡ଼ା ଭଲ ଲଗେ ନା ।” ତୋର କ’ଣ ସମୟ ଜ୍ଞାନ ନାହିଁ ? ଯିବା ଆସିବାବେଳେ....

 

ହିରାର ହସ ହସ ମୁଖଟି ମଳିନ ପଡ଼ିଗଲା । ସେ ଖାଲି ଅବାକ୍ ହୋଇ ଚାହିଁ ରହିଲା ତାଙ୍କ ମୁହଁକୁ । ସେ ପକେଟରୁ ଚିଠି ଖଣ୍ଡେ ବାହାର କରି ସିନ୍ଧୁକ ଉପରେ ଥୋଇ ଦେଇ କହିଲେ–ଏ ଚିଠି ଶ୍ରୀକାନ୍ତ ପାଖକୁ ଯିବ । ମଧୁଆ ହାତରେ ପୋଷ୍ଟକରି ଦେବ । ମୁଁ ଜାଜପୁର ଯାଉଛି । ଏତିକି କହି ନରହରି ବାବୁ ବାହାରିଗଲେ ଘରୁ । ହିରା ଖାଲି ବଲବଲ କରି ତାକୁ ଚାହିଁଥାଏ ।

 

ହିରାର ଦୁଇ ଆଖିରୁ ଦୁଇଟୋପା ତତଲା ଲୁହ ଗଡ଼ି ପଡ଼ିଲା । ତାର ଛାତି ଭିତରୁ ବାହାରି ଆସିଲା ଗୋଟିଏ ଦୀର୍ଘଶ୍ଵାସ । ଅଜାଣତରେ କହି ପକାଇଲା–ବୁଢ଼ା କି ବୁଝିବ ଯୁବତୀର ମନ ? ଧନସମ୍ପତ୍ତି ପାଇଁ ଜୀବନଟାକୁ ମୋର ନଷ୍ଟ କରିଦେଲା–ମୋ ବାପା ।

Image

 

(୯)

 

ରବିବାର ସକାଳ । ଶ୍ରୀକାନ୍ତ ବିଛଣାରୁ ଉଠି ଚାହିଁଲା ଟେବୁଲ କ୍ଳକ୍‍କୁ । ଆଠଟା ବାଜିଲାଣି । ଚମକି ପଡ଼ିଲା ସେ, ବିଛଣାଗୁଡ଼ାଇ ଦେଇ ବାହାରିଗଲା ଗାଧୋଇବାକୁ ।

 

ଓ. ଏ ଏସ୍ ପରୀକ୍ଷା ଦେଇଥିଲା ଯେ ଗତକାଲି ତାକୁ ଭାୟାବସୁକୁ ଡକା ଯାଇଥିଲା । ତେଣୁ ଫେରୁ ଫେରୁ ସଞ୍ଜ ପାଞ୍ଚଟା । ତାଙ୍କ ଗ୍ରାମର ପୋଷ୍ଟମାଷ୍ଟର କଟକ ଆସିଥିଲେ, ତାଙ୍କ ସଙ୍ଗେ ଗପସପ କରି ହେମନ୍ତର ଖବର ନେଉ ନେଉ ରାତି ସାତଟା । ପୋଷ୍ଟମାଷ୍ଟରଙ୍କଠାରୁ ବୁଝିଲା ହେମନ୍ତ ଘରକୁ ଯାଇନାହିଁ । ମନ ଦୁଃଖରେ ଗୋପାଳପୁର ହାଇସ୍କୁଲ ହେଡ଼ମାଷ୍ଟରଙ୍କ ପାଖକୁ ଚିଠି ଖଣ୍ଡେ ଲେଖି ବସିଲା–ହେମନ୍ତ କଟକ ଆସି ନାହିଁକି ଘରକୁ ଯାଇନାହଁ । ସ୍କୁଲରୁ ଗଲାଣିକ ନାହିଁ ଦୟାକରି ଜଣାଇବେ । ଚିଠିଟି ଲେଖି ଟେବୁଲ ଉପରେ ଥୋଇଦେଲା । ଖୋଲିଲା ଘରୁ ଆସିଥିବା ଲଫାପାଟି ।

 

ବାପା ଲେଖିଛନ୍ତି–ତୁ ଆସିଲେ ଲଗ ଧରାଯିବ । ଜାଜପୁର ମୁଁ ଯାଇଥିଲି, ସେମାନେ ତାଗଦା କରିଛନ୍ତି । ଆଠଦିନ ପାଇଁ ଛୁଟି ନେଇ ଆସିବୁ । ଜମିଦାର ଘର, ମଟରକାର୍ ଦେବେ, ଆଉ ଦଶହଜାର ଟଙ୍କାର ସମ୍ପତ୍ତି । ଆମର ଏଣେ ସବୁ ଯୋଗାଡ଼ ସରିଲାଣି ।

 

ବଡ଼ ବିରକ୍ତି ଲାଗିଲା ଶ୍ରୀକାନ୍ତକୁ । ଚିଠିଟି ଟିକିଟିକି କରି ଚିରି ଦେଲା । ମନେପଡ଼ିଲା ତାର ସେ ରାତିର ସ୍ଵପ୍ନ । ଆଖି ଆଗେ ଉଭାହେଲେ ସତ୍ୟ, ଶାନ୍ତ ମୂର୍ତ୍ତି–ମହାମାନବ ବାପୁଜୀ ।

 

ଶୁଭିଗଲା ତାଙ୍କର ଆଦେଶ –ବିଶ୍ଵର ମଙ୍ଗଳପାଇଁ ତୁମେ ତୁଳସୀକୁ ବିବାହ କର । ନଇଁ ଆସିଲା ଶ୍ରୀକାନ୍ତର ମଥା ।

 

କଲମ କାଗଜ ଧରିଲା । ବିବାହ ସ୍ଥଗିତ ରଖିବାକୁ ଚିଠି ଲେଖି ବସିଲା । ପରଧନରେ ବାପାଙ୍କର ଆଖି । ମଟର ଦେବେ, ହାତୀଘୋଡ଼ା ଦେବେ ଲେଖିଲେ । କନ୍ୟାଟି କିପରି ତ ଲେଖିଲେ ନାହିଁ । ତାଙ୍କର ଧନଲୋଡ଼ା; କିନ୍ତୁ ମୋର ଲୋଡ଼ା କ'ଣ, ସେ କଥା ତ ଚିନ୍ତା କରୁ ନାହାନ୍ତି । ସେ ମନ ଜାଣନ୍ତି ନାହିଁ–ଧନକୁ ଚିହ୍ନନ୍ତି । ଧନବଳରେ ସେ ବୃଦ୍ଧବୟସରେ ଗୋଟିଏ ଷୋଡ଼ଶୀକୁ ବିବାହ କରି ତାର ନାରୀ ଜୀବନକୁ ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି ।

 

ବେଶିଗୁଡ଼େ ଭାବିବାକୁ ସମୟ ନାହିଁ । ମୁଣ୍ଡଉପରେ ପରୀକ୍ଷା । ଚିଠିଟି ବନ୍ଦ କରିଦେଇ ଶ୍ରୀକାନ୍ତ ପଢ଼ି ବସିଲା । ଆଉ କୁଆଡ଼କୁ ନଜର ନାହିଁ । ପୂଜାରୀ ଭାତ ତରକାରୀ ଥୋଇ ଦେଇଗଲାଣି । ପ୍ରତିଜ୍ଞା କରିଛି–ବହିଟି ଶେଷହେଲେ ଖାଇବ । ସଦରଥାନାରେ ବାଜିଲା–ରାତି ଦୁଇ । ବହିଟି ଶେଷ ହେଲ । ଶୁଖିଲା ଭାତ ଦୁଇଚାରି ଗୁଣ୍ଡା ଖାଇଦେଇ ବିଛଣା ଧରିଲା । ସେଇଥିପାଇଁ ଆଜି ନିଦ ଭାଙ୍ଗୁ ଭାଙ୍ଗୁ ଦିନ ଆଠ ।

 

ଗାଧୋଇ ଆସି ଶ୍ରୀକାନ୍ତ ରବିବାର ରୁଟିନ୍ ଦେଖିଲା । ଇଂରେଜ ବହିଗୁଡ଼ାକ ଆଜି ଯେପରି ରିଭାଇଜ ସରିବ । ତରତର ହୋଇ ଜଳଖିଆ ଗଣ୍ଡେ ଖାଉଛି–ମନେପଡ଼ିଲା ତୁଳସୀର ଅନୁରୋଧ । ନିଶ୍ଚୟ ଆଜି ତା’ ପାଖକୁ ଯିବାକୁ ହେବ । ନ ଗଲେ ପାଗିଳୀଟା କିଛି ବୁଝିବ ନାହିଁ–କାନ୍ଦିବ । ସାନ୍ତ୍ଵନା ଦେବାକୁ ଆଉ ତାର କିଏ ଅଛି ? ହେମନ୍ତର ଖବର ସେ ଶୁଣି ନାହିଁ । ଶୁଣିଲେ ଅବସ୍ଥା ତାର କ’ଣ ହେବ–କିଛି ଠିକଣା ନାହିଁ । ତେଣୁ ଟିକିଏ ତାକୁ ଦେଖା ଦେବା ନିହାତି ଉଚିତ ।

 

ଟେବୁଲ କ୍ଳକ୍‍ରେ ନଅ ବାଜିଲା । ଶ୍ରୀକାନ୍ତ ସାଇକେଲ୍ ଧରି ବାହାରିଲା ଆଶ୍ରମକୁ । ବାଟରୁ ତୁଳସୀ ପାଇଁ “ସହଜ ଇଂରାଜୀ ଶିକ୍ଷା” ବହିଖଣ୍ଡେ କିଣି ନେଲା । ଆଶ୍ରମର କାମ ସାରି ଖାଲିଖାଲି ବସିବାରୁ ବାର କଥା ମନେ ପକାଇ ସେ କାନ୍ଦୁଛି । ସେଇ ସମୟଟା ପଢ଼ାରେ ଲଗାଇ ଦେଲେ ସେ ଆଉ କିଛି ଭାବିପାରିବ ନାହିଁ । ଏମିତି କେତେ କ’ଣ ଭାବି ଭାବି ଶ୍ରୀକାନ୍ତ ପହଞ୍ଚିଗଲା ଆଶ୍ରମ ଗେଟ୍ ପାଖରେ । ସାଇକେଲ୍‍ଟା ଠିଆକରାଇ ଦେଇ ପଶିଗଲା ଆଶ୍ରମ ଭିତରକୁ । ଭାବିଲା–ସବୁଦିନେ ତ ତୁଳସୀ ମୋର ଆସିବା ବାଟକୁ ଚାହିଁଥାଏ । ଆଜି କ’ଣ କେଉଁଠି ଦିଶୁନାହିଁ-। ପୁଣି କ’ଣ ହେଲାକି ତାର ?

 

ତୁଳସୀର କୋଠରୀ ଆଡ଼କୁ ଗଲା । ତୁଳସୀ ଶୋଇଥାଏ ତାର ଖଟିଆ ଉପରେ । ଯୋତା ମଚ ମଚ ଶବ୍ଦ ଶୁଣି ସେ ଉଠି ବସିଲା । ନମସ୍କାର କଲା ଶ୍ରୀକାନ୍ତକୁ । ଶ୍ରୀକାନ୍ତ ପଚାରିଲା–ଏ ପର୍ଯ୍ୟନ୍ତ ଶୋଇଚ କାହିଁକି ? ତୁଳସୀ କହିଲା–ବାବୁ, କାଲି ରାତିରୁ ଜ୍ଵର ।

 

–ଚାଲ, ଡାକ୍ତରଖାନା ଯିବା ।

 

–ନାହିଁ ବାବୁ, ସେମିତି ସେ ଭଲ ହେବ । ବେଶି କିଛି ସାଂଘାତିକ ଜଣାପଡ଼ୁ ନାହଁ । ଆନାସିନ୍ ଖାଇଛି ।

 

–ହଉ, ବେଶି ଖରାପ ଲାଗିଲେ ଡାକ୍ତରଖାନା ଚାଲିଯିବ । ଏଇ ବହିଟି ଆଣିଛି ତୁମ ପାଇଁ । ତୁମେ ଇଂରେଜ ଶିଖିବ । ମାଷ୍ଟର ଦରକାର ନାହିଁ । ଟିକିଏ ଚେଷ୍ଟା କଲେ ନିଜେ ଶିଖିଯିବ । ତୁମେ ପରା ଗାଁ ସ୍କୁଲରେ ପଢ଼ୁଥିଲ ?

 

–ହଁ, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି ।

 

–ବେଶ୍ ଏଣିକି ଇଂରେଜି ଶିଖ । ଆରବର୍ଷକୁ ମାଟ୍ରିକ୍ ପଡ଼ିବ । ମୋର ପରୀକ୍ଷା ବୁଧବାରଠାରୁ ଆରମ୍ଭ । ଦେଢ଼ମାସ ପ୍ରାୟ ଲାଗିଯିବ । ତେଣୁ ତୁମ ପାଖକୁ ଆସିପାରିବି ନାହିଁ । ପରୀକ୍ଷା ସରିଲେ ଆସିବ । ଏହା ଭିତରେ ତୁମେ ଏବହିଟି ମୁଖସ୍ତ କରି ସାରିଥିବ ।

 

ତୁଳସୀ ନୀରବ । ଶ୍ରୀକାନ୍ତ ବହିଟିକୁ ତା ହାତକୁ ବଢ଼ାଇ ଦେଇ ଗେଟ୍ ପାଖକୁ ଚାଲିଆସିଲା । ସାଇକେଲ୍‍ର ଚାବି ଖୋଲୁ ଖୋଲୁ ଚାହିଁଦେଲା ଆଶ୍ରମ ଆଡ଼କୁ । ତୁଳସୀ ଝରକା ପାଖରେ ତାକୁ ଚାହିଁଛି । ଆଖିରୁ ତାର ଝରିପଡ଼ୁଛି ଲୁହ ।

 

ଶ୍ରୀକାନ୍ତ ହାତଠାରି ତୁଳସୀକୁ ସାନ୍ତ୍ଵନା ଦେଲା । ସାଇକେଲ୍ ଛୁଟିଲା ଆଗକୁ । ତୁଳସୀ ଚାହିଁଥାଏ ସେହିପରି ଝରକା ଫାଙ୍କରେ ।

Image

 

(୧୦)

 

ଇତିମଧ୍ୟରେ ପନ୍ଦରଟି ଦିନ ଅତୀତ ହୋଇଛି । ବିଭାଘରର ଯୋଗାଡ଼ଯନ୍ତ୍ରରେ ସରପଞ୍ଚ ନରହରିବାବୁ ଅତି ବ୍ୟସ୍ତ । ବାହାଘରର ଦିନ, ବାର ଆସି ମୁଣ୍ଡ ଉପରେ । ତଥାପି ଶ୍ରୀକାନ୍ତ କଟକରୁ ଫେରିନାହିଁ । ନରହରିବାରୁ ବଡ଼ ବିବ୍ରତ ହୋଇ ଉଠିଲେ । ପାଞ୍ଜିରେ ଆଉ ଦିନ, ବାର ନାହିଁ । ଏଇ ତିଥିରେହିଁ ବାହାଘର କରିବାକୁ ପଡ଼ିବ । ନରହରି ବାବୁ କ’ଣ କରିବେ–କୌଣସି କର୍ତ୍ତବ୍ୟରେ ସେ ପହଞ୍ଚି ପାରୁ ନ ଥିଲେ । ଶ୍ରୀକାନ୍ତ କ’ଣ ସତରେ ତାଙ୍କୁ ହତାଶ କରିଦେବ ? ଅପମାନରେ ତାଙ୍କର ମୁଣ୍ଡଟା ନଇଁଯିବ ସିନା । ନରହରିବାରୁ ନାଗ ଦଂଶନର ତୀବ୍ରଜ୍ଜ୍ୱାଳା ଅନୁଭବ କଲେ ।

ଗୋଟାଏ ବିଷାକ୍ତ ସାପର ଦାନ୍ତ ଭାଙ୍ଗିଲା ପରି ଗିରା ମହାନ୍ତି ଲଫାପା ଖଣ୍ଡିଏ ଧରି ନରହରିଙ୍କ ବୈଠକଖାନାରେ ପହଞ୍ଚିଲା । ସାନବାବୁ ଚିଠି ଦେଇଛନ୍ତି ବୋଲି କହି ଲଫାପାଟି ତାଙ୍କ ହାତକୁ ବଢ଼ାଇ ଦେଲା । ସରପଞ୍ଚ ନରହରିବାକୁ ଲଫାପାଟି ଭିତରୁ ଚିଠିଟି ବାହାର କରି କହିଲେ, “ମହନ୍ତିଏ, ପଢ଼ିଲ କ’ଣ ଲେଖିଛି ।”

ଗିରା ମହାନ୍ତି ଚିଠି ପଢ଼ିଲା । ସରପଞ୍ଚବାବୁଙ୍କ ରକ୍ତ ତାତି ଉଠିଲା । ଚିତ୍କାର କଲେ–କ’ଣ ବିଭାଘର ସ୍ଥଗିତ ରଖିବି ? ଭଦ୍ରଲୋକଙ୍କୁ ଜବାବ ଦେଇଛି କ’ଣ ଅପମାନ ପାଇବାପାଇଁ ? ଏମ୍. ଏ. ପରୀକ୍ଷା ତା ପାଇଁ ଏତେ ବଡ଼ ହେଲା ? ବାପର ମାନସମ୍ମାନ କିଛି ନୁହେଁ ? ତୁମେ ଆଜି ମୋ ସାଙ୍ଗରେ କଟକ ଚାଲ ମହାନ୍ତିଏ । ଏ ତିଥିରେ ବାହାଘରଟା ଅଲବତ୍ ହେବ । ଚାଲ–

ଗିରା ମହାନ୍ତି କହିଲା–କ’ଣ ଏଇ ସାଙ୍ଗେ ସାଙ୍ଗେ ?

ହଁ, ବର୍ତ୍ତମାନ–ଏଇଠୁ ଚାଲ–ନରହରିବାବୁ କହିଲେ । ଅବସ୍ଥାର ଗୁରୁତ୍ଵ ଦୃଷ୍ଟିରୁ ଗିରା ମହାନ୍ତି ମନା କରି ପାରିଲେ ନାହିଁ ।

 

କଟକ ଯିବା ପାଇଁ ପ୍ରସ୍ତୁତ ହୋଇପଡ଼ିଲେ । ମଧୁଆ ବେଗ୍ ପତ୍ର ଧରି ବସ୍ ଘାଟୀକୁ ତାଙ୍କ ସଙ୍ଗରେ ଗଲା । ବସ୍ ଆସିବାକୁ ଟିକିଏ ଡେରିଥାଏ । ସରପଞ୍ଚବାବୁ ଓ ଗିରା ମହାନ୍ତି ଦୁହେଁ ଚା’ ଦୋକାନରେ ବସି ଚା’ ଖାଇଲେ । ଦୋକାନ ଖୁଣ୍ଟକୁ ଆଉଜି ଠିଆ ହୋଇଥାଏ ମଧୁଆ । ମହାନ୍ତି ଚା ଗ୍ଲାସ୍‍ଟି ଶେଷ କରିଦେଇ ପଚାରିଲେ–ଆଉ ତୋର ହାଲ କ’ଣରେ ମଧୁ ? ଭାଗବତ ଟୁଙ୍ଗି ଆଡ଼କୁ ଆଉ ତ କିଆଁ ଯାଉନାହୁଁ ?

 

ମଧୁଆ କହିଲା–ମୋ କପାଳକୁ ଠାକୁର ତ ପଥର ହେଲେ । ଆପଣମାନେ ତ ତହୁଁ ବଳି । ଯାହାପାଇଁ ଏତେ ସବୁ ଭିଆଣ ଭିଆଇ ବସିଥିଲି–ସେ ତ ଯାଇ କଟକରେ । ହେଇଟି ବାବୁ, ଯାହା ତ ହେବାର ହେଲା....ମୋ ପଚଶଟା ଟଙ୍କା ଭଲା ଫେରାଇ ଦିଅନ୍ତୁ । ଗରିବ ଲୋକ...

 

ଗିରା ମହାନ୍ତି କହିଲା–ଆରେ ବୋକା, ଟିକିଏ ଥୟ ଧର । ଆମେ ତ ଯାଉଛୁଁ । ସାନବାବୁଙ୍କୁ ଫେରାଇ ଆଣିବୁ । ଆଉ ତା ସାଙ୍ଗରେ ତୁଳସୀକୁ ବି । ଦୁଇଟା ଦିନ ସମ୍ଭାଳି ଯା । ମଧୁଆ କହିଲା, “ଆଜ୍ଞା, ତୁଳସୀ କଥା ଛାଡ଼ି–ଆଉ କୋଉଠି ଦେଖନ୍ତୁ ।”

 

ସରପଞ୍ଚବାବୁ ଚା’ ଗ୍ଲାସ୍‍ଟା ଥୋଇ ଦେଇ ଗର୍ଜି ଉଠିଲେ–ଏକ୍ଷଣି ହେଲେ ହେବ ନଇଲେ ନାହିଁ ? ଚଣ୍ଡୀଟା ଏକାବେଳକେ ଅଶୁଦ୍ଧ ହୋଇଯିବ ଆମେ କଟକରୁ ଫେରିଆସୁଁ, ଏତେ ଅସମ୍ଭାଳ କାହିଁକି ?

 

ମଧୁଆ ତଳକୁ ମୁହଁ ପୋତି ନୀରବ ରହିଲା । ବଡ଼ ଲୋକଙ୍କୁ ତ ଉତ୍ତର ନାହିଁ । ବସ୍ ଆସି ପହଞ୍ଚିଲା । ସରପଞ୍ଚ ନରହରିବାବୁ ଓ ନ୍ୟାୟ ପଞ୍ଚ ମହାନ୍ତି ଉଠିଗଲେ ବସ୍ ଉପରକୁ । ମଧୁଆ ଦୀର୍ଘ ନିଶ୍ଵାସଟେ ଛାଡ଼ି ରାସ୍ତା ତଳକୁ ଗଡ଼ିଲା ।

 

ଶ୍ରୀକାନ୍ତ ନରହରି ବାବୁଙ୍କୁ ଧରା ଦେଲା ନାହିଁ । ଗାଁରୁ ବାପା ଆସିଛନ୍ତି ବୋଲି ଶୁଣି ଆଉ ହଷ୍ଟେଲକୁ ଗଲା ନାହିଁ । ଜଣେ ବନ୍ଧୁଙ୍କ ଘରେ ରାତିଟା କଟାଇ ଦେଲା । ନରହରିବାବୁ ଓ ଗିରା ମହାନ୍ତି ରାତି ବାରଟା ପର୍ଯ୍ୟନ୍ତ ଶ୍ରୀକାନ୍ତକୁ ଚାହିଁ ଚାହିଁ ବଡ଼ ହତାଶ ହୋଇପଡ଼ିଲେ । ସକାଳ ହେଲା । ତଥାପି ଶ୍ରୀକାନ୍ତର ପତ୍ତା ନାହିଁ । ଗିରା ମହାନ୍ତି କହିଲା–ବାବୁ ଅନାଥାଶ୍ରମକୁ ଚାଲଯିବା । ସେଇଠ ହୁଏ ତ ସାନ ବାବୁ ଥିବେ । ମୁଁ ପରା ଜାଣେ–ସେ ଟୋକୀ ସାନ ବାବୁଙ୍କୁ କିମିଆ କରି ଦେଇଛି । ଏଠାକା ପିଲାମାନେ ତ କହୁଛନ୍ତି–ଏଠି ଖାଇ, ସେଠିକୁଳି ପକାଉଛନ୍ତି । ମୋର ବିଶ୍ଵାସ–ସେଇଠି ସେ ନିଶ୍ଚୟ ଥିବେ । ଆମେ ଏଠି ବସିବା କାହିଁକି ? ସେ ଆଜି ଆସି ନ ପାରନ୍ତି । ମଝିରେ କୁଆଡ଼େ ତିନିଦିନ ତାଙ୍କର ପରୀକ୍ଷା ନାହିଁ । ତିନିଦିନ ପର୍ଯ୍ୟନ୍ତ ଆମେ କ’ଣ ଏଇଠି ବସିଥିବା ? ଉଠନ୍ତୁ–ଯିବା ଆଶ୍ରମକୁ ।

 

ଦୁହେଁ ଛୁଟିଲେ ଆଶ୍ରମକୁ । ଆଶ୍ରମର ମେନେଜର ଗୋପାଳକୃଷ୍ଣ ବାବୁଙ୍କୁ ନିଜ ନିଜର ପରିଚୟ ଦେଲେ । ମେନେଜର ବାବୁ ସେମାନଙ୍କୁ ଆଦର ଓ ସମ୍ମାନର ସହ ବସାଇଲେ । ଆରମ୍ଭ ହେଲା କଥା । ମେନେଜର ବାବୁ ପଚାରିଲେ–କୁଆଡ଼େ କିମିତି ଆସିଲେ ଆଜ୍ଞା ? କଟକରେ କ’ଣ କାମଥିଲା ?

 

ନରହରି ବାବୁ କହିଲେ–ଶ୍ରୀକାନ୍ତ ପାଖକୁ ଆସିଥିଲି । କାଲିଠୁ ହଷ୍ଟେଲରେ ବସିଛି–ତାର ଦେଖା ନାହିଁ ଭାବିଲି ଆପଣଙ୍କ ଘରଆଡ଼େ ଆସିଥିବ । ମେନେଜର ବାବୁ କହିଲେ–ଶ୍ରୀକାନ୍ତ କେବେକେବେ ଆସେ କିନ୍ତୁ କାଲି ତ ଆସିନାହିଁ । ତାର ଏମ୍ ଏ, ପରୀକ୍ଷା ଚାଲିଛି । କେଉଁଠି ପଢ଼ୁଥିବ । ତାକୁ ଏତେ ଜିଗର କରି ଖୋଜୁଛନ୍ତି କାହିଁକି ?

 

ତାର ବାହାଘର ତିନିଟା ଦିନ ରହିଲା । ଯିବାକୁ ଚିଠି ଲେଖିଥିଲି । ପରୀକ୍ଷା ବାହାନାରେ ଏଠି ପଡ଼ି ରହିଛି । କ’ଣ କରିବି ? ଭଦ୍ରଲୋକଙ୍କ ପାଖରେ ଅପଦସ୍ତ ହେବି ସିନା ?

 

ଅପଦସ୍ତ କାହିଁକି ହେବେ ? କହନ୍ତୁ–ପୁଅର ପରୀକ୍ଷା ସରିନାହିଁ । ମଝିରେ ମାସଟିଏ ଛାଡ଼ି ଆଷାଢ଼ ମାସରେ ବିଭାଘର ହେବ । ବିଭାଘର କରିବେ ବୋଲି କ’ଣ ପରୀକ୍ଷା ବନ୍ଦ ହେବ ? ମୋ ମତରେ ଆପଣମାନେ ତାକୁ ଗଣ୍ଡଗୋଳରେ ନ ପକାଇ ଫେରିଯାଆନ୍ତୁ । ସେ ଶାନ୍ତିରେ ପରୀକ୍ଷା ଦେଇସାରୁ । ମୁଁ ଜାଣେ–ଶ୍ରୀକାନ୍ତ ଭଲ ପିଲା । ମୋ ପୁଅ ରମେଶର ସେ ଘନିଷ୍ଠ ବନ୍ଧୁ । ତା’ ସାଙ୍ଗରେ ପ୍ରାୟ ତିନିଦିନ ସେ ମୋ ଘରକୁ ଆସେ । ରମେଶ ପ୍ରାୟ ଚାରିମାସ ହେବ ଆମକୁ ଶୋକସାଗରରେ ଭସାଇ ଦେଇ ଚାଲିଗଲାଣି । ସେଇଦିନଠୁ, ସେ ଆଉ ସେତେ ଏଣେ ଆସେ ନାଁ-। ଯଦି ଆସେ–ଆଶ୍ରମ ଯାଏ । ମୋ ବସାକୁ ଯାଏନା ।

 

ମେନେଜର ବାବୁଙ୍କ ଆଖିକୋଣରେ ଲୁହ ଜମା ହୋଇ ଗଲା–କଥା କହୁକହୁ । ନରହରିବାବୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି ତାଙ୍କ ବିଷର୍ଣ୍ଣ ବଦନକୁ । ଗିରା ମହାନ୍ତି କହିଲା–ଆଜ୍ଞା, ଯେ ଯାଇଛି, ତା ପାଇଁ କାନ୍ଦିଲେ ସେ କ’ଣ ଆଉ ଫେରିବ । ମନକଷ୍ଟ କରନ୍ତୁ ନି । ମେନେଜର ବାବୁ ଆଖିରୁ ଲୁହପୋଛି ପ୍ରକୃତିସ୍ଥ ହେଲେ ।

 

ନରହରି ବାବୁ ପଚାରିଲେ–ତୁଳସୀ କ’ଣ ଆଜ୍ଞା, ଏଇଠି ଅଛି ? ହଁ କଲେ ମେନେଜର ବାବୁ । ମା’ଭାଇତ ତାର ମରିଗଲେ । ଏକୁଟିଆ ଏଠି ଅଛି । ଭାରି ଭଲ ଝିଅଟିଏ । ମୁଁ ତାକୁ ସବୁ ଝିଅଙ୍କୁ ଅପେକ୍ଷା ବେଶି ଭଲପାଏ । ରୂପରେ ଯେମିତି, ଗୁଣରେ ମଧ୍ୟ ସେମିତି । ରମେଶ ଯଦି ବଞ୍ଚିଥା’ନ୍ତା–ତୁଳସୀକୁ ମୁଁ ବୋହୁ କରିଥା’ନ୍ତି ।

 

ଗିରା ମହାନ୍ତି କହି ପକାଇଲା, “ଆପଣ ପରା ବ୍ରାହ୍ମଣ ?”

 

“ହଁ, ବ୍ରାହ୍ମଣର କର୍ମହିଁ ଅଲୌକିକ । ଅଜାତିକୁ ଜାତି କରାଇବା, ପତିତକୁ ପବିତ୍ର କରିବା, ଅନାଥକୁ ଆଶ୍ରୟଦେବା ଆଉ; ବିଶ୍ଵର ମଙ୍ଗଳ ଲାଗି ନିଜକୁ ଉତ୍ସର୍ଗ କରିବା ତ ବ୍ରାହ୍ମଣର ପ୍ରଧାନ ଧର୍ମ । ବ୍ରାହ୍ମଣ ଚକ୍ଷୁରେ କୀଟ ପତଙ୍ଗଠାରୁ ବ୍ରହ୍ମଯାଏ ସମସ୍ତେ ସମାନ । ବ୍ରାହ୍ମଣ ଗୁଣର ପୂଜାରୀ । ତୁଳସୀ ତ ଗୁଣବତୀ । ଗୁଣର ଆଦର କେବଳ କରିଛି ?”

 

“ନାହିଁ ଆଜ୍ଞା, ମୁଁ ଭାବୁଥିଲି–କାଳେ ତା’ର ଜାତିଟା ଜାଣି ନ ଥିବ ।”

 

“ସବୁ ଜାଣେ ।”

 

“ସେମାନଙ୍କୁ ଏଠିକି ଆଣିଲା କିଏ ?”

 

“ଶ୍ରୀକାନ୍ତ । ପର ଉପକାରୀ ପୁଅ ବୋଲି ମୁଁ ତାକୁ ଅତି ଭଲପାଏ । ତା’ର କର୍ମଯୋଗୁଁ ସେ ଦିନେ ମହାନ୍ ହେବ । ତୁଳସୀକୁ ଏଠାରେ ଭରତି କରିବା ପୂର୍ବରୁ ଶ୍ରୀକାନ୍ତ ମୋତେ ତାଙ୍କର ଅବସ୍ଥା ସମ୍ବନ୍ଧରେ ସବୁ ଶୁଣାଇଛି । ନିଜେ ବି ଦୁସ୍ଥ ପରିବାରଟି ପାଇଁ ଦୁଃଖ ପ୍ରକାଶ କରିଛି । ଆଶ୍ରମରେ ସ୍ଥାନ ନଥିଲେ ବି ବାଧ୍ୟ ହେଲି ସେମାନଙ୍କୁ ଆଶ୍ରୟ ଦେବାକୁ । ଆଚ୍ଛା, ତୁଳସୀ ବାପାର କ’ଣ କିଛି ସନ୍ଧାନ ମିଳୁନି ?

 

ମେନେଜର ବାବୁ ଚାହିଁଲେ ନରହରି ବାବୁଙ୍କ ମୁହଁକୁ ଉତ୍ତର ଆଶାରେ । ନରହରିବାବୁ ଆରମ୍ଭ କଲେ-ବିଶ୍ଵସ୍ତ ସୂତ୍ରରୁ ଜଣାଯାଏ, ସେ ଆଉ ଜୀବନରେ ନାହିଁ । ମୋ ଇଲାକାର ଜଣେ କଲିକତାରେ କାମ କରୁଥିଲା । ସେ କୁଆଡ଼େ ମାସେ ଗୋଟିଏ ଲୁଗାକଳରେ କାମ କରିଛି । ପ୍ରଥମ ମାସର ଦରମା ଗଣ୍ଡାକପାଇ ପୋଷ୍ଟ ଅଫିସକୁ ଆସିଲା–ଘରକୁ ଟଙ୍କା ମନିଅର୍ଡର କରିବାକୁ । ବଡ଼ ଡାକଖାନା । ଅସଂଖ୍ୟ ଲୋକ । ପ୍ରତ୍ୟେକ ବିଭାଗ ଝରକା ପାଖରେ ପେଲାଠେଲା । ତୁଳସୀ ବାପ ଫକୀରା ବି ଲୋକଙ୍କ ଭିତରେ ପଶିଛି । କିଏ ପକେଟମାର କରିଦେଲା । ଦାରିଦ୍ର୍ୟ ଓ ନିର୍ଯ୍ୟାତନାର କଷାଘାତରେ ସେ ହେଲା ପାଗଳ । ତା'ପରେ ସେ କୁଆଡ଼େ ଗଲା–ଆଉ କେହି ଜାଣି ନାହାନ୍ତି ।

 

ମେନେଜର ବାବୁ ଟିକିଏ ଚିନ୍ତାକଲା ପରେ କହିଲେ-ତୁଳସୀର ବାପା ଦେଖିବାକୁ କିପରି ସରପଞ୍ଚ ବାବୁ ? ସରପଞ୍ଚ ନରହରି ବାବୁ ଉତ୍ତର ଦେଲେ–ଆଜ୍ଞା, କଳା ମଚ ମଚ ପାଞ୍ଚହାତିଆ ମରଦ । କପାଳରେ ତାର କଟା ଦାଗ ଅଛି । ସେତେକ ସେ ୧୯୪୨ ଆନ୍ଦୋଳନରେ ଯୋଗଦେଇ ପୋଲିସଠାରୁ ପୁରସ୍କାର ପାଇଥିଲା । ଏଇ ରକମର ଲୋକ କେବେ ଯଦି ଆପଣଙ୍କ ଦୃଷ୍ଟିରେ ପଡ଼େ–ଅନୁଗ୍ରହ କରି ତାକୁ ଆଶ୍ରମରେ ଆଶ୍ରୟ ଦେବେ । ସେ ଥିଲେ କ’ଣ ତୁଳସୀ ଏତେ ହିନସ୍ଥା ହୁଅନ୍ତା । ଆପଣ ତ ଭାରତସାରା ବୁଲୁଛନ୍ତି । କେଉଁଠି କ’ଣ ଏପରି ଲୋକ ଦେଖିନାହାନ୍ତି ମେନେଜର ବାବୁ ?

 

ମୋର ମନେପଡୁଛି, ଆଜକୁ ଛ’ ମାସ ତଳେ ମୁଁ ବମ୍ବେ ଯାଇଥିଲି । ମୁଁ ଓଡ଼ିଆ ମଣିଷ ବୋଲି ଚିହ୍ନିପାରି ଜଣେ ପାଗଳ ମୋ ପାଖକୁ ଦୌଡ଼ିଆସି ହାତ ପତାଇ ଖାଇବାକୁ ମାଗିଥିଲା । ସେ ଥିଲା ଓଡ଼ିଆ । ତାର ରୂପ ମନେ ପଡ଼ିଛି–ଠିକ୍ ଆପଣଙ୍କ ବର୍ଣ୍ଣନା ମୁତାବକ । ଦଶପଇସା ମୁଁ ତାକୁ ଦେଲି । ସେ ଗୋଟାଏ ଅଟ୍ଟହାସ ହସି, କହି କହି ଚାଲିଗଲା–ମୋ ଟଙ୍କା ତୁ ତ ନେଲୁ । ମୋ ପିଲା ବଞ୍ଚିବେ କିପରି ? ତା ପରେ ମୁଁ ଚାଲିଆସିଲି ମୋ ବସାକୁ । ଠିକ୍ ତା’ ପରଦିନ ଶୁଣିଲି–ଯେଉଁ ପାଗଳଟି ବୁଲୁଥିଲା–ସେ–ସେ ପର ପାଇଁ ପୋଡି ହୋଇ ମରିଛି । ରାତି ଦୁଇଟାବେଳେ ଡକାୟତ ଦଳ ଜଣେ କୋଟିପତି ଘରେ ଅଗ୍ନି ସଂଯୋଗ କଲେ । କୋଟିପତି ଓ ତାଙ୍କର ସ୍ତ୍ରୀ ପ୍ରାଣ ବିକଳରେ ପଦାକୁ ବାହାରି ଆସିଲେ । ଏକମାତ୍ର ନୟନପିତୁଳୀ । ଦଶବର୍ଷର ଝିଅଟି ତାଙ୍କର ଉପର ତାଲାରେ ଶୋଇଥାଏ । କୋଟି ପତି ଝିଅଟି ପାଇଁ ଅଧୈର୍ଯ୍ୟ ହୋଇପଡ଼ିଲେ । ପାଗଳଟି କେଉଁଠି ଥିଲା କେଜାଣି–ଦୌଡ଼ି ଆସିଲା ଘଟଣା ସ୍ଥଳକୁ । ମୁହୁର୍ତ୍ତେ ବିଳମ୍ବ ନ କରି ସେ ଉପରତାଲାକୁ ଉଠି ଯାଇ ଝିଅଟିକୁ ଧରି ତଳକୁ ଖସିଲା । ଝିଅଟି ବଞ୍ଚିଗଲା । ପୁନଶ୍ଚ ଅର୍ଦ୍ଧଦଗ୍ଧ କୁକୁରଟିର ବିକଳ ସହି ନ ପାରି ସେ ଉପରକୁ ଉଠିଲା । ଆଉ ତଳକୁ ଖସିଲା ନାହିଁ । ଡକାୟତମାନେ ଅଗ୍ନିନିବାରୀ ବସ୍ତ୍ର ପିନ୍ଧି ଉପର ତାଲାକୁ ଉଠି ସାରିଥିଲେ ସେତେବେଳକୁ । ଗୁଳିକଲେ ସେ ପାଗଳକୁ ପାଗଳର ମୃତ୍ୟୁହେଲା । ନିଆଁଲିଭାଳି ଦଳ ଆସିଲାବେଳେ ଡକାୟତମାନେ କୋଟିଏ ଟଙ୍କାର ସମ୍ପତ୍ତି ଲୁଟି ନେଇ ଚାଲି ଯାଇଥିଲେ । ସେମାନେ ଅଗ୍ନି ଲିଭାଇ ସାରିଲା ପରେ–ପାଗଳର ଶବକୁ ବାହାର କଲେ । କୋଟିପତିଙ୍କର ଅନ୍ତର କୃତଜ୍ଞତାରେ ପୂରି ଉଠିଲା । ସେ ତାର ଠିକଣା ଖୋଜିଲେ; କିନ୍ତୁ ପାଇଲେ ନାହିଁ । ନିଜପ୍ରାସାଦର ସମ୍ମୁଖ ଉପବନ ମଧ୍ୟରେ ସେ ପାଗଳର ଶବକୁ ସମାଧି କରାଇଲେ । ମୋର ମନେ ହେଉଛି ସେଇ ଆମର ତୁଳସୀ ବାପ ଫକୀର ହେବ ?”

 

–“ହଁ ଆଜ୍ଞା, ସେଇ ଠିକ’ । ପୁଣି ତ କ’ଣ ଆଜ୍ଞା–ତାର ଭାଇ ହେମନ୍ତଟି ସ୍କୁଲରୁ କୁଆଡ଼େ ଯାଇଛି ଯେ-ମାସେ ହେଲା ଖୋଜି ପାଉନାହାନ୍ତି । ଆମ ଗାଁର ପିଲାମାନେ ତା’ସଙ୍ଗରେ ପଢ଼ୁଥିଲେ–ସେମାନେ ଆସି ଗାଁରେ କହୁଛନ୍ତି ।”

 

–କଣ ଆପଣ କହଛନ୍ତି ?

 

–ସତ କଥା ଆଜ୍ଞା, ମିଥ୍ୟା ନୁହେଁ ।

 

–ତେବେ, ମା’ଭାଇଙ୍କର ମୃତ୍ୟୁ ଖବର ଶୁଣି ସେ କ’ଣ ପାଗଳ ହେଲା କି ଆଉ? ହଉ, ମୁଁ ଗୋପାଳପୁର ସ୍କୁଲକୁ ଚିଠି ଲେଖୁଛି ।

 

–ଆପଣ ଏକଥା ତୁଳସୀକୁ କହନ୍ତୁ ନାହିଁ । ସେ ଶୁଣିଲେ ମୁଣ୍ଡ ବାଡ଼େଇ ଦେବ ।

 

–ନାହିଁ ଆଜ୍ଞା; ସେ ଶୁଣିବ କାହିଁକି ? ମୁଁ ଭାବୁଛି –ତୁଳସୀକୁ ଆଶ୍ରମରୁ ନେଇ କେଉଁଠି ହେଲେ ବିଭା କରାଇ ଦେଲେ ଭଲ ହୁଅନ୍ତା । ତା ବାପ ମୋର ଉପକାରୀ ଲୋକ, ପୁରୁଣା କୋଠିଆ । ସେ ତ କୁଆଡ଼େଗଲାଣି । ଝିଅଟିକୁ ପରଘରୀ କରି ଦେଲେ–ମୋ ନାଁ ରହନ୍ତା ।

 

–ଆପଣ ଯଦି ନେଇଯିବେ ମୋର ଆପତ୍ତି ନାହିଁ; କିନ୍ତୁ ତୁଳସୀ ଯଦି ରାଜି ନ ହୁଏ–ମୁଁ ତାକୁ ବାଧ୍ୟ କରିପାରିବି ନାହିଁ ।

 

–ନ ହେଲେ ନାହିଁ ଆଜ୍ଞା, ତା’ରି ଭଲପାଇଁ କହୁଥିଲି ।

 

Unknown

ମେନେଜର ବାବୁ ଉପରକୁ ଚାହିଁ ଆକାଶ ପାତାଳ ଭାବି ଚାଲିଛନ୍ତି । ଗିରା ମହାନ୍ତି–ମନେମନେ ଭାବୁଛି, ମଧୁଆ କପାଳରେ ତୁଳସୀ ନାହିଁ । ତୁଳସୀ ତ ସ୍ଵଇଚ୍ଛାରେ ଯିବନାହିଁ । ମଧୁଆ ବିଭାହେବ କାହାକୁ ? ଗାଁରେ ପହଞ୍ଚିଲାକ୍ଷଣି ତ ମଧୁଆ କନ୍ୟା କାହିଁ ବୋଲି ଖାଇଯିବ । ବଡ଼ ମୁସ୍କିଲରେ ପଡ଼ିଲି ତା’ଠାରୁ ଖାସିଟା ଆଉ ଟଙ୍କାଟା ନେଇଯାଇ । ସରପଞ୍ଚବାବୁ ତ ଖାଇଦେଇ ମୁହଁ ପୋଛିଦେବେ । ମୁଁ ମରିବି । ବିଷେଇ ଉଠିଲା ଗିରା ମହାନ୍ତିର ମନ । ଭାଙ୍ଗି ମୋଡ଼ିହୋଇ ଉଠିବସି କହିଲା ବାବୁ, ଚାଲ ଏଥର ଆମେ ଯିବା । ନରହରିବାବୁ ଉଠିଲେ । ଦୁହେଁ ଶୁଭ ବିଦାୟ ଜଣାଇଲେ ମେନଜର ବାବୁଙ୍କୁ । ମେନେଜର ବାବୁ ପ୍ରତି ବିଦାୟ ଜଣାଇଲେ । ଯିବାବେଳେ ନରହରିବାବୁ କହିଲେ–ହଁ ମେନେଜର ବାବୁ, ଶ୍ରୀକାନ୍ତକୁ ଆଉ ଆଶ୍ରମ ଆଡ଼େ ଯିବାକୁ ଦେବେ ନାହିଁ ।

 

କାହିଁକି ନରହରିବାବୁ–ଚମକି ପଡ଼ିଲେ ପଚାରିଲେ ମେନେଜର ବାବୁ–

 

–ଯଥେଷ୍ଟ କାରଣ ଅଛି ଆଜ୍ଞା । ବର୍ତ୍ତମାନ କହିବାକୁ ବେଳ ନାହିଁ । ସବୁ ମୋର ଦୋଷ-। ଆଜିଠାରୁ ତା’ର ସମସ୍ତ ଖର୍ଚ୍ଚ ପତ୍ର ବନ୍ଦ କରିଦେବି । ନାଚୁ ସେ କେତେ ନାଚୁଛି ।

 

ଏତିକି କହି ସରପଞ୍ଚ ନରହରିବାବୁ ଏବଂ ଗିରା ମହାନ୍ତି ବାରଣ୍ଡା ତଳକୁ ଖସିଲେ । ମେନେଜର ବାବୁ ତାଙ୍କର ଏପରି କଥାଶୁଣି ତଳକୁ ଚାହିଁ କେତେ କଣ ଭାବିବାକୁ ଲାଗିଲେ–ଏ ଦୁହେଁ ଆଶ୍ରମକୁ ଆସିଥିଲେ କାହିଁକି ? ଏହାପଛରେ ନିଶ୍ଚୟ କିଛି କାରଣ ରହିଛି । ତୁଳସୀକୁ ନେବାପାଇଁ କହୁଥିଲେ କାହିଁକି ?

 

ସେପାଖ କୋଠରୀରେ ତୁଳସୀ ବସି ସହଜ ଇଂରାଜୀ ଶିକ୍ଷା ବହିଟି ପଢୁ ପଢୁ, ମେନେଜର ବାବୁ ଓ ନରହରି ବାବୁଙ୍କର କଥୋପକଥନ ସବୁ ଶୁଣୁଥିଲା । ହଠାତ୍ ଯେତେବେଳେ ବାପାର ମୃତ୍ୟୁ ଓ ଭାଇର ଅନ୍ତର୍ଦ୍ଧାନ ଖବର ତା’ କାନରେ ବାଜିଲା, ସେ ଅଧୈର୍ଯ୍ୟ ହୋଇ କାନ୍ଥ ଦେହରେ ନିଜ ମୁଣ୍ଡକୁ ବାଡ଼େଇ ଦେଲା । ସେତେବେଳୁ ସେ ସେଇଠି ଅଚେତ ହୋଇ ପଡ଼ିଛି ।

 

କିଛି ସମୟ ପରେ ମେନେଜର ବାବୁ ଦୁଃଶ୍ଚିନ୍ତା ରାଜ୍ୟରୁ ଫେରି ଆସିଲେ–ବାସ୍ତବକୁ ଡାକିଲେ ତୁଳସୀକୁ । ସେପଟ କୋଠରୀରୁ ଉତ୍ତର କିଛି ଆସିଲା ନାହିଁ । ପୁଣି ଡାକିଲେ, ତଥାପି କିଛି ଉତ୍ତର ମିଳିଲା ନାହିଁ । ନିଜେ ଯାଇ ଯାହା ଦେଖିଲେ ତାଙ୍କର ଚେତା ହଜିଗଲା । ତୁଳସୀ ଅଚେତ ହୋଇପଡ଼ିଛି ଚଟାଣ ଉପରେ । ମୁଣ୍ଡଫାଟି ଧାରଧାର ରକ୍ତ ବହିଯାଉଛି । ଜାଣିପାରିଲେ ସବୁ କଥା । ଶ୍ରୀକାନ୍ତ ପାଖକୁ ପିଅନ ହାତରେ ଖବର ପଠାଇ ନିଜେ ତୁଳସୀକୁ ନେଇଗଲେ ଡାକ୍ତରଖାନାକୁ । ତୁଳସୀର ଚେତନା ଆସିବା ପର୍ଯ୍ୟନ୍ତ ସନ୍ତାନ ରଙ୍କୁଣା ମେନେଜର ଗୋପାଳକୃଷ୍ଣ ବାବୁଙ୍କ ଚକ୍ଷୁରୁ ଝରି ପଡୁ ଥାଏ ଧାର ଧାର ଲୁହ ।

Image

 

(୧୧)

 

ବିଷର୍ଣ୍ଣ ଗୋଧୂଳିର ସେ ଏକ ଅଳସ ସନ୍ଧ୍ୟା । ଶ୍ରୀକାନ୍ତ ତା’ର ବନ୍ଧୁ ଘରୁ ଆସି ପହଞ୍ଚିଲା ହଷ୍ଟେଲରେ । ହଷ୍ଟେଲ ପିଅନ ପାଖରୁ ଚିଠିଟି ପାଇ ସମସ୍ତ ବିଷୟ ଅବଗତ ହେଲା । ଛୁଟିଲା ହସ୍ପିଟାଲକୁ ।

 

ତୁଳସୀ ଶାନ୍ତିରେ ଖଟିଆ ଉପରେ ଶୋଇଥାଏ | ମୁଣ୍ଡରେ ବନ୍ଧା ହୋଇଛି ପଟି । ଶ୍ରୀକାନ୍ତ ନର୍ସଙ୍କୁ ପଚାରି ବୁଝିଲା–ତାର ଅବସ୍ଥା ଟିକିଏ ଭଲ । ଆଉ ଉଠାଇଲା ନାହିଁ ସେ ତୁଳସୀକୁ-। ଷ୍ଟୁଲଟିଏ ଟାଣି ଆଣି ତା’ ପାଖରେ ବସିଲା । ଏତେ ଡେରିରେ ଆସିଛି ବୋଲି ନିଜେ ଅନୁତାପ କରିବାରେ ଲାଗିଲା ।

 

ଅସ୍ତମୁଖୀ ସୂର୍ଯ୍ୟଙ୍କର ସୁନେଲି କିରଣ ଗବାକ୍ଷଫାଙ୍କ ଦେଇ ପଡ଼ୁଥାଏ ରୋଗୀମାନଙ୍କ ଉପରେ । ଛାତ ତଳେ ବିଜୁଳି ପଙ୍ଖାଟି ମୃଦୁମଳୟ ସୃଷ୍ଟି କରି କେତେକାଂଶରେ ରୋଗୀମାନଙ୍କର ରୋଗ ଯନ୍ତ୍ରଣା ଲାଘବ କରିଦେଉଛି । ସୂର୍ଯ୍ୟ ଲୁଚିଗଲେ ବାରୁଣୀ ରାଣୀଙ୍କ କୋଳରେ । ପ୍ରାଚୀକୋଳରୁ ମାଡ଼ି ଆସିଲା ଅନ୍ଧକାର, ପୃଥିବୀ ଉପରକୁ । ଜାଗ୍ରତ ରୋଗୀମାନେ ହାତଯୋଡ଼ି ନିଜ ନିଜର ଦୁଃଖ ଜଣାଇଲେ ବିଭୁଙ୍କୁ ।

 

ତୁଳସୀର ନିଦ ଭାଙ୍ଗିଲା । ଆଖି ମେଲି ଚାହିଁଲା । ପାଖରେ ବସିଛନ୍ତି ତା’ର ମନର ମଣିଷ ଶ୍ରୀକାନ୍ତ–ଯାହାର ଇଙ୍ଗିତ ବଞ୍ଚି ରବିବାର ମୋହରେ ତାକୁ ବାରମ୍ବାର ଉନ୍ମାଦ କରିଛି–ସେଇ ଶ୍ରୀକାନ୍ତ ତାର ଅତି ନିକଟରେ । ତୁଳସୀ ଉଠି ବସିବାକୁ ଚେଷ୍ଟାକଲା । ଶ୍ରୀକାନ୍ତ ତାର ଦୁଇବାହୁକୁ ଧରି ଶୁଆଇ ଦେଉଁ ଦେଉଁ କହିଲା–ଉଠିବା ଦରକାର ନାହିଁ, ଶୋଇପଡ଼ । ମୁଣ୍ଡ ଫାଟିଲା କିପରି ?

 

କିଛି ଉତ୍ତର ଦେଲା ନି ତୁଳସୀ । ଖାଲି ଆଖିରୁ ତାର ଝରିପଡ଼ିଲା ଦୁଇ ଟୋପା ଲୁହ । ଶ୍ରୀକାନ୍ତ ଆଉ ଧୈର୍ଯ୍ୟ ଧରି ପାରଲାନି । ବିରକ୍ତ ହୋଇ କହିଲା, “ତୁମେ ଅବିରତ କାନ୍ଦୁଛ କାହିଁକି-? ଯେତେ କହିଲେ ମନା ମାନୁନା ?” ଡରି-ଡରି ତୁଳସୀ ଉତ୍ତର ଦେଲା–ବାବୁ ମୋ କାନ୍ଦ ବନ୍ଦ ହେବ ନାହିଁକି; ଆଖିରୁ ଲୁହ ଶୁଖିବ ନାହିଁ । ବାପା ମୋର ବମ୍ବେରେ ପୋଡ଼ି ମରିଛନ୍ତି । ଆଉ ହେମନ୍ତ ଭାଇ କୁଆଡ଼େ ସ୍କୁଲରୁ ପଳାଇ ଯାଇଛନ୍ତି । ସବୁ ତ ଗଲେ, ମୋର ହୋଇ ଆଉ ରହିଲା କ’ଣ ? କାହା ପାଇ, କେଉଁ ସୁଖ ଆଶାରେ ଏ ପୋଡ଼ା ଜୀବନଟାକୁ ଗଣ୍ଠିଧନ ପରି ସାଇତି ରଖିବି-?

 

ଶ୍ରୀକାନ୍ତ କହିଲା–ନିୟତିର ନିର୍ଦ୍ଦେଶକୁ କିଏ ରୋଧି ପାରିବ ତୁଳସି ? ଦୁଃଖ ସଙ୍ଗରେ ଆମକୁ ଯୁଦ୍ଧ କରିବାକୁ ପଡ଼ିବ । ଦୁଃଖର ଅବସାନ ପରେ ସୁଖ ଆସେ । ଏଇଟା ତ ଦୁନିଆଁର ନୀତି-। ତେବେ, ଏତେ ଅଧୈର୍ଯ୍ୟ ହୋଇପଡ଼ିଲେ କ’ଣ ଚଳିବ ! ମୋର ପରୀକ୍ଷା ସରିଯାଉ ମୁଁ ନିଜେ ହେମନ୍ତକୁ ଖୋଜିବାକୁ ଯିବି । ଏହାଭିତରେ ମୁଁ ତାଙ୍କ ହେଡ୍‍ମାଷ୍ଟରଙ୍କ ପାଖରୁ ଚିଠି ପାଇଥିଲି–ସେ ସବୁକଥା ଆଜି ତୁମକୁ କହିଥାନ୍ତି । ସେମାନେ ବି, ବହୁତ ଚେଷ୍ଟା କଲେଣି । ଥାନାରେ ହୁଲିଆ କରିଛନ୍ତି । ଖବର କାଗଜରେ ବିଜ୍ଞାପନ ମଧ୍ୟ ବାହାର କରିଛନ୍ତି । କିନ୍ତୁ ହେମନ୍ତର କିଛି ଖବର ମିଳୁନାହିଁ । ଭଗବାନଙ୍କର କଣ ଯେ ଇଚ୍ଛା–ସେ କେବଳ ଜାଣନ୍ତି । ତୁମେ ବାଡ଼େଇ ପିଟିହେଲେ, ସେ କ’ଣ ଆସିଯିବେ ?

 

ଏତିକିବେଳେ ମେନେଜର ବାବୁ ଆସି ପହଞ୍ଚିଲେ । ତୁଳସୀ ଟିକିଏ ପ୍ରକୃସ୍ଥିତ ହେଲା । ଶ୍ରୀକାନ୍ତ ମେନେଜର ବାବୁଙ୍କୁ ପ୍ରଣାମ କଲା । ମେନେଜର ବାବୁ ପଚାରିଲେ–କେତେବେଳୁ ଆସିଲଣି ଶ୍ରୀକାନ୍ତ ?

–ଏଇ ଅଧ ଘଣ୍ଟାଏ ହେବ ସାର୍ ।

–ତୁଳସୀର ଦେହ କିପରି?

–ଟିକିଏ ଭଲ ଅଛି ସାର୍ !

–ଆଚ୍ଛା ହେଉ । ଆଜି ତ ତୁମ ବାପା ଆସିଥିଲେ, ଆଶ୍ରମକୁ । ବଡ଼ ବିରକ୍ତ ହୋଇଯାଇଛନ୍ତି, ଆଉ କହି ଯାଇଛନ୍ତି–ଏଇ ମାସଠାରୁ ତୁମ ଖର୍ଚ୍ଚପତ୍ର ବନ୍ଦ କରିଦେବେ ! ଆଶ୍ରମ ବି ତୁମକୁ ମନା । ତୁମେ ତୁମ ବାପାଙ୍କର ଅବାଧ୍ୟ ହେଉଛି କାହିଁକି ?

–ସାର୍ ସେ ସବୁ ବହୁତ କଥା–କଣ କହିବି, ଆପଣଙ୍କୁ ।

–ମୁଁ ସବୁ ଜାଣିଛି ଶ୍ରୀକାନ୍ତ, ମୋତେ ଆଉ କହିବାକୁ ପଡ଼ିବ ନାହିଁ । ତଥାପି ସେ ତୁମର ବାପା, ତାଙ୍କପ୍ରତି ତୁମର କର୍ତ୍ତବ୍ୟ ଅଛି । ପରୀକ୍ଷା ପରେ ତୁମେ ଗ୍ରାମକୁ ଯାଇ ତାଙ୍କୁ ବୁଝାଇଶୁଝାଇ ଆସ ।

ଶ୍ରୀକାନ୍ତ ନୀରବରେ ସବୁ ଶୁଣିଲା ତଳକୁ ମୁହଁପୋତି । ପୁଣି କହିଲେ ମେନେଜର ବାବୁ-। ହଉ; ବର୍ତ୍ତମାନ ସେସବୁ କିଛି ଚିନ୍ତା କରନି । ପରୀକ୍ଷା ତୁମର ସରୁଛି କେବେ ?

–ଆଉ ମୋଟେ ଦୁଇ ପେପ୍‍ର ଅଛି । ଏଇ ସପ୍ତାହରେ ସରିବ ।

–ବେଶ, ପରୀକ୍ଷା ସରୁ, ସବୁ ସମାଧାନ ହୋଇଯିବ । ମୁଁ ଯାଉଛି–ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ କଥାବାର୍ତ୍ତା ଅଛି ଆଶ୍ରମ ସମ୍ବନ୍ଧରେ । ତୁମେ ଡାକ୍ତରଙ୍କୁ ଦେଖାକରି ଭଲ ମନ୍ଦ ବୁଝି ହଷ୍ଟେଲକୁ ଯିବ ।” ଶ୍ରୀକାନ୍ତ ସମ୍ମତି ଜଣାଇଲା ।

 

ମେନେଜର ବାବୁ ବାହାରି ଆସିଲେ–ପଦାକୁ । ତାଙ୍କ ସଙ୍ଗେ ସଙ୍ଗେ ଶ୍ରୀକାନ୍ତ । ମେନେଜର ବାବୁ ରିକ୍ସାରେ ବସିଲେ ଶ୍ରୀକାନ୍ତ ତାଙ୍କୁ ଅବ୍ୟକ୍ତ ଦୃଷ୍ଟିରେ ଚାହିଁ ରହିଥାଏ ।

 

ବେଡ଼୍ ଉପରୁ କଡ଼େଇ ଚାହିଁଲା ତୁଳସୀ । ଶ୍ରୀକାନ୍ତ ବାରଣ୍ଡାରେ ଠିଆହୋଇ ନୀଳ ଆକାଶକୁ ଚାହିଁ କେତେ କ'ଣ ଭାବି ଚାଲିଛି । ମନେପଡ଼ିଲା ତାର ତା ଅଙ୍ଗେ ଲିଭାଇଲା ଦୁଃଖ–ସୁଖ । ଶ୍ରୀକାନ୍ତ ବାବୁ ତାର କିଏ ? କାହିଁକି ସେ ଏତେ ସବୁ ଦୁଃଖସୁଖରେ ଭାଗ ନେଇ ଆମୀୟସ୍ଵଜନଙ୍କ ଠାରେ ଅପ୍ରିୟ ହେଉଛନ୍ତି ? ଆଖିରୁ ତାର ଝରିପଡ଼ିଲା କୃତଜ୍ଞତାର ଝର । ଅନ୍ତର ତଳୁ ଛୁଟି ଆସିଲା–ଭକ୍ତିର ଜୁଆର । ଶ୍ରୀକାନ୍ତ ବଡ଼ ଉଦାର । ଅତି ମହତ । ମଣିଷ ନୁହନ୍ତି–ଦେବତା-

 

ଡାକ୍ତର ଆସି ପହଞ୍ଚିଲେ ୱାର୍ଡ ଦୁଆର ମୁହଁରେ । ଶ୍ରୀକାନ୍ତ ଶୁଭ ସନ୍ଧ୍ୟା ଜଣାଇ ନିଜ ରୋଗୀର ପରିଚୟ ଦେଲା । ଡାକ୍ତର ବାବୁ ୱାର୍ଡ ଭିତରକୁ ଆସି ପ୍ରଥମେ ତୁଳସୀର ଅବସ୍ଥା ପରୀକ୍ଷା କଲେ । ଶ୍ରୀକାନ୍ତ ତାଙ୍କ ପାଖରେ ଠିଆହୋଇ ତାଙ୍କୁ ଉପଦେଶକୁ ଅପେକ୍ଷା କରିଥାଏ ।

 

ପରୀକ୍ଷା ଶେଷକରି ଡାକ୍ତରବାବୁ ନିଜର ମତାମତ ବ୍ୟକ୍ତ କଲେ । ଶାରୀରିକ ଅବସ୍ଥା ଅପେକ୍ଷା ରୋଗୀଟିର ମାନସିକ ଦୁଶ୍ଚିନ୍ତା ଭୀଷଣ ପ୍ରବଳ ହୋଇଉଠିଛି । ରକ୍ତଚାପର ସଙ୍କେତ ମଧ୍ୟ ମିଳୁଛି । ଦୁଶ୍ଚିନ୍ତାରୁ ମୁକ୍ତ ନ ହେଲେ ଏ ପ୍ରକାର ରୋଗୀ ପାଗଳ ହୋଇଯିବା ଅତି ସ୍ଵାଭାବିକ । ତେଣୁ, ରୋଗୀର ମନପରିବର୍ତ୍ତନ ପାଇଁ ଶୀଘ୍ର ବ୍ୟବସ୍ଥା କରିବା ଦରକାର । ଚିତ୍ତ ବିନୋଦନରେ ସେ ହୁଏତ ଆରୋଗ୍ୟ ଲାଭ କରିପାରନ୍ତି ।

 

ଡାକ୍ତର ବାବୁ ୱାର୍ଡର ଅନ୍ୟାନ୍ୟ ରୋଗୀଙ୍କ ପରୀକ୍ଷା ଶେଷକରି ବାହାରକୁ ଚାଲିଗଲେ । ଶ୍ରୀକାନ୍ତ ବଡ଼ ଚିନ୍ତିତ ମନରେ ଝରକା ବାହାରର ଖୋଲା ମେଲା ଆକାଶ ଉପରେ ଦୃଷ୍ଟି ନିକ୍ଷେପ କରିଛି । ଶୁଭ୍ର ଆକାଶରେ ଧୀରେ–ଧୀରେ ଉଇଁ ଆସୁଥିଲା ଉତ୍ସୁଳା ଜହ୍ନ ।

 

ଶ୍ରୀକାନ୍ତ ଫେରି ଚାହିଁଲା ।

 

ତୁଳସୀର ଆଖିରେ ଲାଖି ରହିଛି କେତେ ଗୋପନ ଭାଷା ! ବାହାରେ, ବଗିଚାର ଫୁଲ ପାଖୁଡ଼ାରେ ଶିହରଣ......ପଣି କେତେ ଗୁଣୁ–ଗୁଣୁ ଗୁଞ୍ଜନ । ସୁଲୁ–ସୁଲିଆ ପବନ ବଡ଼ ଅମାନିଆ ହୋଇଉଠିଛି । ଏଇତ ସୃଷ୍ଟି ଆଉ ତାର ସ୍ଥିତି । ସୁନ୍ଦର... !

Image

 

(୧୨)

 

ନାରୀର ମନ ଖୋଜେ ସ୍ଵାମୀ ସୁଖ । ଅଗାଧ ଧନ ସମ୍ପତ୍ତି, ଗଜଦନ୍ତ ପଲଙ୍କ, ଶତ ଶତ ଦାସଦାସୀ ଥିଲେ କ’ଣ ହେବ–ଯଦି ମନଜାଣି ସାଥୀ ନାହିଁ । ସବୁବେଳେ ଏହିକଥା ଭାଳି ଭାଳି ହୀରା ଦେଈର ଶରୀର କ୍ଷୀଣ ହେବାକୁ ବସିଲାଣି । ବୃଦ୍ଧ ନରହରି ବଡ଼ଜେନାଙ୍କ ହାତ ଧରି ଏଘରେ ନଇଁ ପଶିଲା ଦିନଠୁଁ କେବେ ସେ ସ୍ଵାମୀ ସୁଖ ପାଇଁ ନାହିଁ । ବରଂ ଭାଗ୍ୟକୁ ଆଦରି ବୃଦ୍ଧ ସ୍ଵାମୀର ସେବା କରିଛି । ତଥାପି ନରହରି ବାବୁ ତାର ଜୀବନର ମୂଲ୍ୟ ବୁଝିନାହାନ୍ତି । ଯୌବନର ଉଦ୍ଦେଶ୍ୟକୁ ସ୍ୱୀକାର କରି ଆତ୍ମତୃପ୍ତି କରିପାରି ନାହାଁନ୍ତି । ଯୌବନର ଉତ୍ତେଜନା ମରି ଯାଉଛି । ତେଣୁ ସେ ନୀରବ । ପଙ୍ଗୁ । ଯୁବତୀ ହୀରା ବା ସୁଖୀ ହେବ କେମିତି ? ତା’ ବୋଲି କ’ଣ ସେ ବୃଦ୍ଧ ସ୍ଵାମୀର ଚକ୍ଷୁରେ ଧୂଳି ପକାଇ ଦେହର କ୍ଷୁଧାକୁ ଚରିତାର୍ଥ କରିବ ? ପ୍ରବଳ ଉତ୍ତେଜନାରେ ବଶବର୍ତ୍ତୀ ହୋଇ ଚିରଦିନ ପାଇଁ କଣ ବଡ଼ଜେନା ବଂଶରେ କଳଙ୍କର କାଳକୂଟ ବିଷ ବୋଳି ଦେବ-?

 

ସୀମାହୀନ ଭାବନାରେ, ଉତ୍ତେଜନାର ଉଗ୍ର ଚାପରେ ବଡ଼ ବିବ୍ରତ ହୋଇଉଠେ ହୀରା । ପୁଣି ସେ ଲେଉଟି ଆସେ ବାସ୍ତବର ଅନ୍ଧକାର ଭିତରକୁ । ସେ ଏ ଘରର ବୋହୁ । କୁଳର ଲକ୍ଷ୍ମୀ । ସାବତ ହେଲେ ବି ଘରେ ଭେଣ୍ଡା ପୁଅ ଶ୍ରୀକାନ୍ତ । ରାତି ପାହିଲେ ହାତକୁ ଦି ହାତ ହେବ । ଏ ଘରକୁ ବୋହୁ ଆସିବ । ହୀରା ହେବ ସମସ୍ତଙ୍କର ମୂରବୀ । ସା’ନ୍ତାଣୀ । ବାର ଲୋକ ତା’ ହାତକୁ ଚାହିଁ ରହିବେ । ଭୋକୀ ଶୋଷୀଙ୍କର ପେଟ ଚିହ୍ନିବ । ଦୀନ ଦୁଃଖିଙ୍କୁ ଆଶ୍ରା ଦେବ । ଏଇତ ତାର ସୁଖ । ସ୍ଵାମୀ ସୁଖ କେବଳ ଦୁଇଦିନର ଧୂଳି ଖେଳ । ତେବେ ଏତେ ବ୍ୟାକୁଳ କାହିଁକି ? ଯେଉଁ ଦେହ ମାଟିରେ ମାଟି ହୋଇଯାଏ–କେବଳ ତାଆରି ସୁଖ ପାଇଁ ସେ ନିଜର ଚଲା ବାଟକୁ ଛାଡ଼ି ଅଣବାଟରେ ପାହୁଣ୍ଡ ପକାଇ ସବୁ ଦିନପାଇଁ ଗୋଟାଏ ବୁନିଆଦି ବଂଶର ଉନ୍ନତ ପରଂପରାକୁ ସେ କଳଙ୍କିତ କରି ଦେଇପାରିବ ନାହିଁ ।

 

ହୀରାର ବହୁ ଭାବନାର ଇନ୍ଦ୍ରଜାଲ ଛିନ୍ନ କରି ମଧୁଆ ଡାକିଳା–‘ମା’ ତୁମର ଚିଠି ନିଅ । ଚିଠି ଆସିଛି ଶୁଣି ହୀରାଦେଈ ଉଠିଗଲା–ପଲଙ୍କ ଉପରୁ ବାହାରକୁ । ମଧୁଆ ଚିଠି ଖଣ୍ଡକୁ ବଢ଼ାଇ ଦେଲା ତା’ ହାତକୁ । ଲଫାପାଟି ଖୋଲି ପଢ଼ିଲା । ଟଙ୍କା ପାଇଁ କଟକରୁ ଲେଖିଛି ଶ୍ରୀକାନ୍ତ । ତା’ଉପରେ ରାଗି ବାପା ଖର୍ଚ୍ଚ ପତ୍ର ବନ୍ଦ କରି ଦେଇଛନ୍ତି । ପୁଅଟା ଚଳିବାକୁ ବଡ଼ ହଇରାଣ ହେଉଛି ।

 

ମଧୁଆ ଚାଲି ଯାଉଥିଲା । ହୀରାଦେଈ ପଛରୁ ତାକୁ ଡାକି କହିଲା–ମଧୁଆ, ଗିରା ମହାନ୍ତି ତୁମ ଟଙ୍କା ଦେଲା ?

 

–ନାହିଁ ମା’ ଟଙ୍କା ନାହିଁକି କନିଆ ନାହିଁ । ଖାସିଟା ଗଲେ ଗଲା–ମୋ ଟଙ୍କା ପଚିଶଟା ଭଲା ଫେରାଇ ଦିଅନ୍ତେ । କଥାରେ ପରା ଅଛି ମା’–ସ୍ଵର୍ଗକୁ ନିଶୁଣି ନାହିଁକି ବଡ଼ ଲୋକଙ୍କୁ ଉତ୍ତର ନାହିଁ ।

 

–ହଉ, ତୁମେ ବ୍ୟସ୍ତ ହୁଅନାହିଁ । ମୁଁ ତୁମ ଟଙ୍କା ଦେଇଦେବି । ତୁମେ ଗୋଟେ କାମ କର । ମୁଁ ତୁମକୁ ପାନଖିଆ ପାଇଁ ଟଙ୍କାଟାଏ ଦେବି । ବର୍ତ୍ତମାନ ଟଙ୍କା ଶହେଟା ନେଇ ଶ୍ରୀକାନ୍ତ ପାଖକୁ ମନିଅର୍ଡ଼ର କରିଦେଇ ଆସ । ଏ କଥା ବାବୁ ଯେପରି ନ ଜାଣନ୍ତି–ବୁଝିଲ ?

 

ହୀରା ଦେଈ ସିନ୍ଦୁକ ଖୋଲି ଶହେ ଟଙ୍କିଆ ନୋଟ୍ ଟିଏ, ଡାକ ଖର୍ଚ୍ଚ ଓ ମଧୁଆର ପୁରସ୍କାର ଆଦି ଆଣି ମଧୁଆ ହାତରେ ଦେଲା । ମଧୁଆ ପୋଷ୍ଟ ଅଫିସ ଆଡ଼େ ମୁହେଁଇଲା । ହୀରା ଦେଈ ହସ–କାନ୍ଦର ଦ୍ଵନ୍ଦ ଭିତରେ ମଧ୍ୟ କେବଳ ହସର ଉତ୍ସ ଉଚ୍ଛୁଳାଇ ଚାହିଁ ରହିଲା ମଧୁଆର ଯିବା ବାଟକୁ ।

Image

 

(୧୩)

 

ଦୁଇମାସ ପରେ ଜେଲରୁ ଖଲାସ ହୋଇ ହେମନ୍ତ ତାର ଭାଗ୍ୟକୁ ଅନୁସରଣ କରି, ଘୁରି ଘୂରି ଶେଷରେ ବମ୍ବେ ସହରରେ ପହଞ୍ଚିଲା । ଖାଦ୍ୟାଭାବ ଓ ନାନା ଚିନ୍ତା ଯୋଗୁଁ ଶରୀର ତାର କ୍ଷୀଣ ହୋଇଗଲାଣି । ପିନ୍ଧିଥିବା ଲୁଗା ଖଣ୍ଡିକ ଓ କାମିଜ ଖଣ୍ଡିକ ମଇଳା ହୋଇ ଠାଏଁ ଠାଏଁ ଚିରିଗଲାଣି । ତଥାପି ସେ ଦୁଃଖକୁ ଖାତିରି ନ କରି ଚାଲିଛି ଆଗକୁ । କେଉଁଠି ତାର ଯାତ୍ରା ଶେଷ ହେବ–ସେ ଜାଣେ ନାହିଁ ।

 

ସନ୍ଧ୍ୟା ! ସୂର୍ଯ୍ୟ ମା’ କୋଳରେ ଲୁଚି ଯାଉଛନ୍ତି । ହେମନ୍ତ ରାଜଦାଣ୍ଡରେ ଯାଉଁ ଯାଉଁ ଆତୁର ହୋଇ ଦୌଡ଼ିଗଲା–ଦ୍ଵି’ତଳ ପ୍ରାସାଦ ତଳେ ଲାଗିଥିବା ଏକ ପାଣି କଳ ପାଖକୁ । କଳରେ ମୁହଁ ଲଗାଇ ପେଟେ ପିଇଗଲା । ଗୋଟିଏ କଡ଼କୁ ବାରଣ୍ଡା ଉପରେ କୁସୁନ୍ ଚେୟାରରେ ବସିଥିଲେ ଜଣେ ବୃଦ୍ଧ । ବେକରେ ତାଙ୍କର ସୁନାଚେନ୍‍ରେ ଝୁଲୁଥିଲା–ଭଗବାନ ଯୀଶୁଙ୍କର କ୍ରୁଶାଙ୍କିତ ପଦକଟିଏ । ହେମନ୍ତ ପାଣି ପିଇସାରି ଚାଲିଗଲା ବେଳକୁ ସେ ଡାକିଲେ–ହେ ପୁଅ ।

 

ହେମନ୍ତ ଫେରି ଚାହିଁଲା ।

 

ପୁଣି ଡାକିଲେ–ଶୁଣି ଯାଅ ।

 

ହେମନ୍ତ ଭାବିଲା–ତାଙ୍କ କଳରୁ ପାଣି ପିଇ ଭୁଲ କରିଛି ବୋଧହୁଏ । କ’ଣ ନାହିଁ କ’ଣ କହିବେ ଏକ୍ଷଣି । ମନରେ କେତେ ଆଶଙ୍କା କରି, ଗଲା ବାରଣ୍ଡା ତଳକୁ । ତଳେ ଠିଆ ହୋଇ ନମସ୍କାର କଲା ବାବୁଙ୍କୁ । ବାବୁ କଅଁଳେଇ ପଚାରିଲେ–

 

–ପୁଅ, ତୁମର ନାମ କଣ?

 

–ହେମନ୍ତ ।

 

–ତୁମ ଘର କେଉଁଠି?

 

–ବାବୁ–ଓଡ଼ିଶାରେ ।

 

–ଏଣେ କୁଆଡ଼େ ଆସିଛ?

 

–ଚାକିରୀ ଖୋଜୁଛି ।

 

–କି’ ଚାକିରୀ କରିବ? କେତେ ପର୍ଯ୍ୟନ୍ତ ପାଠ ପଢ଼ିଛ ?

 

–ମାଟ୍ରିକ ପରୀକ୍ଷା ଦେଇନାହିଁ ବାବୁ । ଅର୍ଥାଭାବ, ବହୁ ଦୁଃଖ କଷ୍ଟରେ ପଡ଼ି, ପଢ଼ା ଛାଡିବାକୁ ବାଧ୍ୟ ହେଲି । ଜୀବନରେ ଗୋଟିଏ ମହାନ ଉଦ୍ଦେଶ୍ୟ ଥିଲା, କିନ୍ତୁ ସେ ଆଶା ଖାଲି ଆଶାରେ ହିଁ ରହିଲା । ଆଉ କେତେ ଦିନ ଦୁଃଖ ଭୋଗିବି; ଭାବୁଛି–ଯୋଗ୍ୟତା ଅନୁସାରେ କେଉଁଠି ଖଣ୍ଡିଏ ଚାକିରୀ ମିଳିଲେ–ରହିଯା’ନ୍ତି ।

 

ଗୋରାଚାନ୍ଦ ବାବୁ ହେମନ୍ତର କଥା ଶୁଣି ଟିକିଏ ଚିନ୍ତିତ ହେଲେ । କହିଲେ–ପୁଅ, ତଳେ ଠିଆହୁଅନା । ବାରଣ୍ଡା ଉପରକୁ ଆସ । ବସ ଏଇ ଚେୟାର ଉପରେ ।

 

ହେମନ୍ତ ବାରଣ୍ଡା ଉପରକୁ ଉଠି ଖୁଣ୍ଟକୁ ଆଉଜି ଠିଆ ହେଲା । ଗୋରାଚାନ୍ଦ ବାବୁ କହିଲେ–ଚେୟାର୍‍ରେ ବସ ପୁଅ । ଠିଆହେଲ ଯେ ? ହେମନ୍ତ କହିଲା–ବାବୁ, ମୁଁ ଅଯୋଗ୍ୟ ।

 

–“କଣ ହେଲା ? ଭଗବାନଙ୍କ ସୃଷ୍ଟିରେ ତୁମେ ତ ମଣିଷ । ମୋର ଧନୀ, ଗରିବ, ପର, ଆପଣା କିଛି ବାରଣ ନାହିଁ । ମୁଁ ଜାଣେ–ସମସ୍ତେ ଆମେ ଈଶ୍ଵରଙ୍କ ପୁଅ । ଧନରେ କିମ୍ବା ଜାତିରେ ବଡ଼ ସାନ ହେଲେ କେହି ପୂଜାର ଅଯୋଗ୍ୟ କିମ୍ବା ଘୃଣାର ପାତ୍ର ହୁଏ ନାହିଁ । ବ୍ୟବହାର ହିଁ ମଣିଷକୁ ଉଚ୍ଚ ନୀଚ ଆସନ ଦେଇଥାଏ ।

 

ହେମନ୍ତ କହିଲା–ନାହିଁ ବାବୁ, ମୁଁ ଏଇଠି ଠିଆହେବି । ବାବୁ କହିଲେ–ହଉ । ତୁମର ଘରେ ଆଉ କିଏ ଅଛି ପୁଅ ? ଓଡ଼ିଶାରେ, କେଉଁ ଜିଲ୍ଲାରେ, କେଉଁ ସ୍ଥାନରେ ତୁମ ଘର ?

 

ହେମନ୍ତ ଆମୂଳ ଚୂଳ ବର୍ଣ୍ଣନା କରି ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ସବୁ ଦୁଃଖଗୁଡ଼ିକ କହିଗଲା । ସମସ୍ତ ଅବଗତ ହେଲେ ଗୋରାଚାନ୍ଦ ବାବୁ । ହେମନ୍ତର ଦୁଃଖରେ ଦୁଇ ଆଖିରୁ ତାଙ୍କର ଲୁହ ଝରି ପଡ଼ିଲା । ଚିହ୍ନି ପାରିଲେ ସେ ହେମନ୍ତକୁ । କିନ୍ତୁ ନିଜେ ଆଉ ଚିହ୍ନା ଦେଲେ ନାହିଁ ।

 

କିଛି ସମୟ ଚିନ୍ତିତ ରହି ଚାହିଁଲେ ସେ ହେମନ୍ତର ମୁହଁକୁ । ହେମନ୍ତ ନିଜର ମଇଳା ପିନ୍ଧା କାମିଜ୍‍ରେ ଆଖିରୁ ଲୁହ ପୋଛୁଛି । ପିତୃ ହୃଦୟ ତାଙ୍କର ତରଳିଗଲା । କହିଲେ- କାନ୍ଦ ନାହିଁ ପୁଅ । ବିଧିର ବିଧାନକୁ ଶତଚେଷ୍ଟା କଲେ ସୁଦ୍ଧା ଆନ କରିହେବ ନାହିଁ । ସବୁ ସେ ହରିଙ୍କ ଇଚ୍ଛା । ତୁମେ ଚାକିରୀ କରିବ କହୁଛି । ଆଉ କିଛି ପଢ଼ିଲେ ହୁଅନ୍ତା ନାହିଁ ? ତୁମେ ତ ପିଲା, ଆଜିଠୁ ଖଟିବ କ’ଣ ?

 

ହେମନ୍ତ କହିଲା–ପଢ଼ିବି କିପରି ସାର୍ ? ମନଥିଲେ ବି ଧନ ନାହିଁ ।

 

ଟିକିଏ ଚିନ୍ତା କଲେ ଗୋରାଚାନ୍ଦ ବାବୁ । କହିଲେ–ତୁମେ ଆମଘରେ ରହି ପାଠପଢ଼ି ପାରିବ ? କିନ୍ତୁ ଆମେ ଯେ ଖ୍ରୀଷ୍ଟିଆନ୍ ।

 

–ମୋର ଆପତ୍ତି ନାହିଁ ସାର୍ ! ମୁଁ ମଧ୍ୟ ଅତି ନୀଚ । ଆପଣ ଶୁଣିଲେ ।

 

–ତୁମେ ଉଚ୍ଚ ହୁଅ ବା ନୀଚ ହୁଅ ତୁମେ–ମୋ ଘରେ ରହିବ । ପଢ଼ିବ । ଆଉ ମୋର ଗୋଟିଏ ପିଲାକୁ ପଢ଼ାଇବ, ପାରିବନି?

 

–ହଁ ସାର !

 

–ଆଚ୍ଛା, ବସ୍ । ମୁଁ ଆସୁଛି ।

 

ଗୋରାଚାନ୍ଦବାବୁ ଚାଲିଗଲେ ଘର ଭିତରକୁ । ହେମନ୍ତ ଠିଆହୋଇଥାଏ–ସେଇଠି ।

 

ଗୋରାଚାନ୍ଦ ବାବୁଙ୍କ ଶୋଇବା ଘରକୁ ଲାଗି ଠାକୁର ଘର । ଭଗବାନ ଯୀଶୁ, ବୃଦ୍ଧ, ରାମକୃଷ୍ଣ ଓ ମହାତ୍ମାଗାନ୍ଧୀ ଆଦି ମହାପୁରୁଷଙ୍କର ପାଞ୍ଚଟି ପ୍ରତିମୂର୍ତ୍ତି ଖଟୁଲି ଉପରେ ପୂଜା ପାଉଛନ୍ତି-। କୋଠରୀଟି ସାରା ଝୁଣାଧୂଆଁର ମହକରେ ପୂରି ଉଠୁଛି । ଗୋରାଚାନ୍ଦ ବାବୁଙ୍କର ସ୍ତ୍ରୀ ରାଧାରାଣୀ ଖଟୁଲି ପାଖରେ ସଞ୍ଜବତୀ ଜାଳିଦେଇ ନିଜକୁ ସମର୍ପି ଦେଇଛନ୍ତି ପଞ୍ଚଦେବତାଙ୍କ ପାଦତଳେ । ଏତେ ସେବାବ୍ରତ କରିସୁଧା ତାଙ୍କର ଡାକ ଭଗବାନଙ୍କୁ ଶୁଭୁନାହିଁ । ତାଙ୍କ ପାଇଁ ସମସ୍ତେ ନୀରବ, ମୂକ । ବୁଢୀକାଳକୁ ଗୋଟିଏ ବୋଲି ଝିଅ ସନ୍ଧ୍ୟା । ସାତବର୍ଷବେଳେ ତାକୁ ଦାନକରି ଦେଇଥିଲେ ପର ପୁଅକୁ । ବରଷଟେ ପୂରିନାହିଁ, ତା ହାତରୁ ଚୁଡି, ମଥାର ସିନ୍ଦୂର ଚିରଦିନ ପାଇଁ ଉଭେଇଗଲା-। ସେ ବାରବର୍ଷର ଝିଅ ହେଲାଣି । ତଥାପି ସନ୍ଧ୍ୟା ନିଜର ବିପର୍ଯ୍ୟୟ କାହାଣୀ ଜାଣିନାହିଁ । ଦିନେତ ଜାଣିବ । ସେତେବେଳେ ତାର ଅବସ୍ଥା କ’ଣ ହେବ ? ଏ କୋଟି କୋଟି ଟଙ୍କାର ସଂପତ୍ତି କିଏ ଭୋଗ କରିବ ? ସନ୍ଧ୍ୟାର ଚିନ୍ତାରେ ରାଧାରାଣୀ ଦିନକୁ ଦିନ ଶୁଖି ଶୁଖି କଣ୍ଟା ହେଲେଣି । ପୂଜା ସରିଗଲା ପରେ ସେ ପଛକୁ ଫେରିଚାହିଁଲେ–ସ୍ଵାମୀ ତାଙ୍କର ଚିନ୍ତିତ ଅବସ୍ଥାରେ ଠିଆ ହୋଇଛନ୍ତି କାନ୍ଥକୁ ଆଉଜି । ପ୍ରଶ୍ନକଲେ ରାଧାରାଣୀ–କ’ଣ କହୁଛ ?

 

–ପୂଜାକାମ ସରିଗଲା ?

 

–ହଁ

 

–ହଁ, ପିଲାଟି ଆମ ବାରଣ୍ଡାରେ ବସିଛି । କଥା ଦିପଦରୁ ମୁଁ ତା’ର ଚରିତ୍ର ସମ୍ବନ୍ଧରେ ସବୁ ଜାଣିପାରିଲି । ଅତିଶାନ୍ତ । ସଂସାରର କୂଟନୀତି, ଛନ୍ଦକପଟ ତାର ଅନ୍ତରକୁ ସ୍ପର୍ଶ କରିନାହିଁ । ସେ ପିଲାଟି କହୁଛି–ଆମଘରେ ରହି ପାଠ ପଢ଼ିବ । ମାଟ୍ରିକ୍ ପଢ଼ିଛି ।

 

–ସେ କ’ଣ ରହିବ ଆମ ଘରେ? ଆଜିକାଲି ତ କାହାରିକୁ ବିଶ୍ଵାସ କରିହେଉନି ।

 

–ନିରାଶ୍ରୟକୁ ଆଶ୍ରୟ ଦେବା ଯିଶୁଙ୍କର ଆଦେଶ । ତାପରେ ଯଦି କେହି ବିଶ୍ଵାସଘାତକତା କରେ–ତାର ଫଳ ସେ ଭୁଞ୍ଜିବ । ମନୁଷ୍ୟର କଲାକର୍ମ–ତାକୁ ଲୋକଲୋଚନରେ ଘୃଣ୍ୟ ଅଥବା ପୂଜ୍ୟ କରିଗଢ଼େ । ଦୁନିଆକୁ ଚିହ୍ନି ଚିହ୍ନି ମୁଁ ଆସି ବୁଢ଼ା ହେଲିଣି । ପିଲାଟି ଜଣାଯାଏ–କୃତଘ୍ନ ହେବ ନାହିଁ ।

 

–ଜାତି

 

–ମଣିଷ । ସ୍ରଷ୍ଟାଙ୍କ ସୃଷ୍ଟିରେ ଉଚ୍ଚ ନୀଚ ଭେଦାଭେଦର ସ୍ଥାନ ନାହିଁ । ସେ ସମସ୍ତଙ୍କର ଜନକ । ତେଣୁ ସେ ଯାହାକୁ ଆମ ପାଖକୁ ପଠାଇଛନ୍ତି, କାହିଁକି ଆମେ ତାକୁ ଆଶ୍ରୟ ନ ଦେବା ? ସାରା ଭାରତରେ ମୋର ଦଶ ହଜାର ଶ୍ରମିକ କାମକରନ୍ତି । ସମସ୍ତେ ତୁମର ସନ୍ତାନ । ତୁମରି ଅନ୍ନରେ ପ୍ରତିପାଳିତ । କେହି କେବେ ବିଶ୍ଵାସଘାତକତା କରି ନାହାନ୍ତି । ତୁମେ ଭାବୁଛ–ଆଜି ଏହି ଯୀଶୁ ପ୍ରେରିତ ପିଲାଟି ଅସତ୍ ପଥରେ ଚାଲିବ ? ଏଇ ଚାହଁ ମହାପ୍ରଭୁ ଯୀଶୁଙ୍କୁ, ବୁଦ୍ଧ–ରାମକୃଷ୍ଣଙ୍କୁ ଆଉ ମହାମାନବ ମହାତ୍ମାଗାନ୍ଧୀଙ୍କୁ, ସମସ୍ତଙ୍କ ମୁଖମଣ୍ଡଳ ଉଜ୍ଜ୍ଵଳ ଦିଶୁଛି । ସମସ୍ତେ ମୋତେ ଆଦେଶ ଦେଉଛନ୍ତି–ସେ ପିଲାଟିକୁ ଆଶ୍ରୟ ଦିଅ । ସେହି ଦେବତାଙ୍କ ଆଦେଶକୁ ଆମେ ଅମାନ୍ୟ କରିବା କିପରି ?

 

ରାଧାରାଣୀ ଚାହିଁଲେ ଥରେ ଥରେ ସବୁ ଦେବତାଙ୍କ ମୁଖକୁ । ସମସ୍ତେ ହସିଲା ପରି ଜଣାଯାଉଛନ୍ତି । ସ୍ୱାମୀଙ୍କୁ କଲେ–ତୁମେ ପିଲାଟିକୁ ପଚାର–ସେ ରହିବ କି ନାହିଁ । ଆମେ ତ ଖ୍ରୀଷ୍ଟିଆନ୍ ।

 

–ତୁମେ ଆସ ପଚାରିବ । ମୁଁ ଆଗରୁ ପଚାରିଛି ।

 

ଗୋରାଚାନ୍ଦ ବାବୁ ଓ ତାଙ୍କ ସ୍ତ୍ରୀ ରାଧାରାଣୀ ବାହାରି ଆସିଲେ ଘରଭିତରୁ ବାରଣ୍ଡାକୁ । ହେମନ୍ତ ପ୍ରଣାମ କଲା ରାଧାରଣୀଙ୍କୁ । ରାଧାରଣୀ ପଚାରିଲେ, “ପୁଅ, ତୁମ କଥା ସବୁ ଶୁଣିଲିଣି ବାବୁଙ୍କ ପାଖରୁ । ତୁମେ ଆମ ଘରେ ରହିବ ?”

 

ହେମନ୍ତ ନୀରବ ରହିଲା । ତାର ନୀରବତା ସମ୍ମତିର ଲକ୍ଷଣ ଜାଣି ପୁଣି କହିଲେ–ବାପ, ଆମ ଘରେ ତୁମର କିଛି ଅସୁବିଧା ହେବ ନାହିଁ । ତୁମର ଗୋଟିଏ ଭଉଣୀ ଅଛି । ପାଗଳୀଟା ସେ । ତାକୁ ତୁମେ ପଢ଼ାଇବ ।

 

ଗୋରାଚାନ୍ଦ ବାବୁ ପଚାରିଲେ–ପୁଅ, କିଛି କହୁନାହଁ କାହିଁକି ? ଆମେ ଖ୍ରୀଷ୍ଟିୟାନ୍ ବୋଲି କୁଣ୍ଠାବୋଧ କରୁଛ କି ? ଚମକି ପଡ଼ିଲା ହେମନ୍ତ–ସାର୍ ! ଜଗତଚକ୍ଷୁରେ ଆପଣ ପୂଜ୍ୟ । ମୋର ନମସ୍ୟ । ଭାରତର ଅର୍ଦ୍ଧେକ ସ୍ଥାନ ମୁଁ ଭାଗ୍ୟ ଦୋଷରୁ ବୁଲି ଆସିଲିଣି, ଅଚ୍ଛବ ବୋଲି ମୋତେ କେହି ସ୍ଥାନ ଦେଇନାହାନ୍ତି । ମୁଁ ଆଜି ପୁଣି ଆପଣଙ୍କୁ ଉପେକ୍ଷା କରିବି ? ସେ ଧୃଷ୍ଟତା ମୋର ନାହିଁ ଆଜ୍ଞା ।

 

–ବେଶ୍ । ଆଜିଠାରୁ ଏ ତୁମର ଜନନୀ । ତାଙ୍କ ପାଖରେ ତୁମର ସବୁ ଅଳିଦଳି । ଏକମାତ୍ର କନ୍ୟା ମୋର ସନ୍ଧ୍ୟା ! ସେ ତୁମର ଭଉଣୀ । ତାର ଦାୟିତ୍ଵ ତୁମ ଉପରେ ।

 

ଗୋରାଚାନ୍ଦ ବାବୁ ଡାକିଲେ–‘ସନ୍ଧ୍ୟା ! ସନ୍ଧ୍ୟା ।’ ଉପର ତାଲାରୁ ‘ବାପା’ ବୋଲି ଜବାବ ଦେଇ ଛୁଟି ଆସିଲା ଦ୍ଵାଦଶ ବର୍ଷିୟା କୁମାରୀ କନ୍ୟା ସନ୍ଧ୍ୟା । ବିଜୁଳି ଆଲୋକରେ ହେମ ଗୌର କାନ୍ତିଟି ତାର କମନୀୟ ଦିଶୁଛି । ଦ୍ଵାରବନ୍ଧରେ ଠିଆହୋଇ ବାପାଙ୍କ ଆଦେଶକୁ ଅପେକ୍ଷା କରି ରହିଲା । ଗୋରାଚାନ୍ଦ ବାବୁ କହିଲେ, “ମା’ ସନ୍ଧ୍ୟା ! ପ୍ରଭୁ ଯୀଶୁ ପଠାଇଛନ୍ତି ତୋପାଇଁ ଗୋଟିଏ ଭାଇ । ଆଜିଠୁଁ ସେ ଆମ ଘରେ ରହି ପାଠ ପଢ଼ିବ । ତୋତେ ପଢ଼ାଇବ । ତୁ’ ତୋ ଭାଇର ଖିଆ ପିଆ ଦାୟିତ୍ଵ ନେବୁ ।”

 

ସନ୍ଧ୍ୟା ଚାହିଁଲା ହେମନ୍ତକୁ । ଜରାଜୀର୍ଣ୍ଣ ବସ୍ତ୍ର ମଧ୍ୟରୁ ତାର ଅସ୍ଥିକଙ୍କାଳ ସାରା ଶରୀରରେ ମଧ୍ୟ କମନୀୟ କାନ୍ତି ଫୁଟି ଦିଶିଯାଉଛି । କୋଟରଗତ ଚକ୍ଷୁ ଦୁଇଟିରୁ ଶାନ୍ତି ରଶ୍ମି ନିର୍ଗତ ହେଉଛି । ସନ୍ଧ୍ୟା କିଛି କହି ପାରିଲାନି । ବିଜୁଳି ପରି ପୁଣି ଦୌଡ଼ି ପଳାଇଲା–ନିଜ ପଢ଼ା କୋଠରୀକୁ ।

 

ଗୋରାଚାନ୍ଦ ବାବୁ ହେମନ୍ତର ହାତଧରି ତାକୁ ଘର ଭିତରକୁ ନେଇଗଲେ । ରାଧାରାଣୀ ଦାଣ୍ଡ କବାଟ ବନ୍ଦ କଲେ ।

Image

 

(୧୪)

 

ନିୟତିର ରଥଚକ ଗଡ଼ିଚାଲେ । ସୁଖ ପରେ ଦୁଃଖ, ଦୁଃଖପରେ ସୁଖ–ଏଇତ ଦୁନିଆଁ । ହେମନ୍ତ ଦିନକୁ ଦିନ ନିଜଚରିତ୍ର ବଳରେ ଗୋରାଚାନ୍ଦ ବାବୁଙ୍କର ଅତି ଆଦରର ପାତ୍ର ହେବାକୁ ବସିଲା । ରାଧାରାଣୀ ଭୁଲିଗଲେ ଅପୁତ୍ରିକା ଦୁଃଖ । ସନ୍ଧ୍ୟା ଏପରି ଏକ ଗୁଣବନ୍ତ ଭାଇକୁ ପାଇ ନିଜକୁ ଧନ୍ୟା ମନେ କଲା । ମୋ ଉପରେ ହେମନ୍ତ ହେଲା ସେ ପରିବାରର ନୟନ ପିତୁଳା ।

 

ବ୍ୟବସାୟରେ ବ୍ୟସ୍ତରହି ଗୋରାଚାନ୍ଦ ବାବୁ କ୍ଵଚିତ ଘରକୁ ଆସନ୍ତି । ରାଧାରାଣୀ ପୁଅ ଝିଅ ଦୁହିଁଙ୍କର ଖବର ଓ ଘରର ଯାବତୀୟ କର୍ମ ନିଜେ ବୁଝନ୍ତି । ସନ୍ଧ୍ୟା ଓ ହେମନ୍ତ ଦୁହେଁ ସ୍କୁଲକୁ ଯିବାବେଳେ ମା’ଙ୍କୁ ପ୍ରଣାମକରି ବିଦାୟ ନେଇଯା’ନ୍ତି । ରାଧାରାଣୀଙ୍କର ମନ ଆନନ୍ଦରେ ନାଚି ଉଠେ ।

 

ସେ ଦିନ ଗୋରାଚାନ୍ଦ ବାବୁ ରାଜଦାଣ୍ଡ ପାଖ ବାରଣ୍ଡାରେ ବସି କେତେ କ’ଣ ଭାବି ଚାଲିଛନ୍ତି । ଚାହିଁଛନ୍ତି ରାସ୍ତା ସେ ପାଖ ଆମ୍ବ ବଗିଚାକୁ । ବଗିଚା ଭିତରୁ ଦିଶୁଛି ଗୋଟାଏ ସମାଧି ମନ୍ଦିର । ଆଖି ତାଙ୍କର ଛଳ ଛଳ ହୋଇ ଆସୁଛି । ହେମନ୍ତର ପରିଚୟ ପାଇଲା ଦିନଠୁଁ ଅନ୍ତରରେ ତାଙ୍କର ବ୍ୟାକୁଳତା କ୍ଷଣକୁ କ୍ଷଣ ବଢ଼ିଚାଲିଛି । କେଉଁ ଉପାୟରେ ସେ ସେଥିରୁ ରକ୍ଷା ପାଇବେ–ଏଇ ଚିନ୍ତାରେ ସେ ବ୍ୟଥିତ । ସନ୍ଧ୍ୟା ଓ ହେମନ୍ତ ବାହାରି ଆସିଲେ ଘରୁ । ହେମନ୍ତର ପରୀକ୍ଷା ଆଜି ଆରମ୍ଭ । ଦୁହେଁ ଗୋରାଚାନ୍ଦ ବାବୁଙ୍କୁ ପ୍ରଣାମ କଲେ । ଆର୍ଶୀବାଦ କଲେ ଗୋରାଚାନ୍ଦ ବାବୁ । ଦୁହିଁକୁ କୋଳକୁ ଆଉଜାଇ ଆଣି କହିଲେ–ରାସ୍ତାର ସେପଟେ କ’ଣ ଦେଖୁଛ ପିଲେ ?

 

ହେମନ୍ତ କହିଲା–ଆମ୍ବ ବଗିଚା ଭିତରେ ଗୋଟିଏ ଛୋଟ ମନ୍ଦିର । ଗୋରାଚାନ୍ଦ ବାବୁ କହିଲେ–ହଁ, ସେଇ ମନ୍ଦିରଟି ଜଣେ ମହାମାନବଙ୍କ ସମାଧି ଉପରେ ନିର୍ମିତ । ମୋତେ ତୁମେ ଭକ୍ତି କରିବାକୁ ମୁଁ କହୁନାହିଁ । ତୁମେ ଯଦି ପ୍ରତିଦିନ ତାଙ୍କୁହିଁ ପ୍ରଣାମ କର–ଯୁଆଡ଼େ ଯିବ–ସିଆଡ଼େ ତୁମେ ବିଜୟୀ ହେବ । ଆଜିଠାରୁ ଦୁହେଁ ସେ ସେହି ମହାମାନବର ମନ୍ଦିରକୁ ଯାଇ ପ୍ରଣାମ କର । ସଞ୍ଜ ହେଲେ ସଞ୍ଜବତୀ ଜାଳି ତାଙ୍କର ପାଦରେ ମୁଣ୍ଡ ନୁଆଁଅ । ତାଙ୍କର ଅତୃପ୍ତ ଆତ୍ମା ତୁମକୁ ସଦ୍‍ବୁଦ୍ଧି ଦେବ । ଏତିକି ମୋର ଆଦେଶ ।

 

ଦୁହିଁଙ୍କ ମୁହଁକୁ ଚାହିଁଲେ ଗୋରାଚାନ୍ଦ ବାବୁ । ଛାତିଟା ତାଙ୍କର ଆନନ୍ଦରେ ଫୁଲି ଉଠିଲା-। କି ସୁନ୍ଦର ଦୁହେଁ ! ଏଇମିତି ପୁଅ ଝିଅ ଦୁଇଟି ଯାହାର ଅଛନ୍ତି–ତାର ଧନ କ’ଣ ହେବ ?

 

–ଏଇତ ଧନ, ଚାହିଁ ଦେଲାକ୍ଷଣି ଦୁଃଖ ପାଶୋରା ଯାଉଛି । ପୁଣି କାହିଁକି ମନଟା ତାଙ୍କର ବିଷେଇ ଉଠିଲା । ଦୁହିଁଙ୍କୁ ଛାଡ଼ିଦେଇ କହିଲେ–ଯାଅ, ଡେରି ହୋଇଯିବ ।

 

ସନ୍ଧ୍ୟା ଗଲା ସ୍କୁଲକୁ । ହେମନ୍ତ ଗଲା କଲେଜକୁ । ବୃଦ୍ଧ ଗୋରାଚାନ୍ଦଙ୍କର ସନ୍ଧ୍ୟାର ବୈଧବ ଦଶା ମନେ ପଡ଼ିଲା । ଚନ୍ଦ୍ରମା ଦେହରେ କଳଙ୍କ ଲାଗିଛି ।

 

ଦୀର୍ଘ ନିଶ୍ଵାସ ଛାଡ଼ିଲେ ଗୋରାଚାନ୍ଦ ବାବୁ–“ପ୍ରଭୁ ଯୀଶୁ, ତୁମରି ଇଚ୍ଛା ପୂର୍ଣ୍ଣହେଉ । ସର୍ଜନା ମୂଳରେ ତୁମେ । ଧ୍ଵଂସ ବି ତୁମରି ଲୀଳା । ତୁମେ ସବୁ ।

 

ବାରମ୍ବାର ହେମନ୍ତର ମନେପଡ଼େ ଗୋରାଚାନ୍ଦ ବାବୁଙ୍କ–କଥା ପଦକ । ସେଇ ମନ୍ଦିରଟି ଜଣେ ମହାମାନବଙ୍କ ସମାଧି ଉପରେ ନିର୍ମିତ । କିଏ ସେ ମହାମାନବ ? ତାଙ୍କର ପରିଚୟତ ଦେଲେ ନାହିଁ । ବହୁତଥର ଚେଷ୍ଟାକଲାଣି ଗୋରାଚାନ୍ଦ ବାବୁଙ୍କୁ ପଚାରି ବୁଝିବାକୁ । କିନ୍ତୁ ତାଙ୍କୁ ବ୍ୟବସାୟରେ ସବୁବେଳେ ବ୍ୟସ୍ତ ଦେଖି ପଚାରି ପାରୁନାହିଁ ।

 

ଏହିପରି ଦିନଗୁଡ଼ିକ ବିତିଯାଏ । ହେମନ୍ତର ରୂପ ବଦଳେ । ଗୋରାଚାନ୍ଦବାବୁ ଓ ରାଧାରଣୀଙ୍କର ସ୍ନେହ ସହାନୁଭୂତି ପାଇ ସେ ଭୁଲିଯାଏ ଜୀବନର ସମସ୍ତ ଦୁଃଖ, ଦୁର୍ଦ୍ଦଶାକୁ ।

Image

 

(୧୫)

 

ଦିନ ଦି’ପ୍ରହର । ବୈଶାଖୀ ଝାଞ୍ଜି ବହୁଛି । ତୁଳସୀ ଖୋଲିଲା ନଈକୂଳ ପାଖ ଝରକାଟିକୁ । ଧୂଳି ବାଲିମିଶା ଗରମ ପବନ “ସୁଁ” କରି ପଶି ଆସିଲା ଘରକୁ । ତୁଳସୀ ଅଣନିଶ୍ଵାସୀ ହୋଇ ଚଟ୍ କରି ବନ୍ଦ କରିଦେଲା ଝରକାକୁ । ଅଳ୍ପ ଫାଙ୍କଥାଏ । ସେଇ ଫାଙ୍କ ଦେଇ ଚାହିଁଲା ବାହାରକୁ । ରାସ୍ତାର ପିଚୁ ସବୁ ତରଳି ଯାଇଛି ଗରମରେ । ସେ ବାଟରେ ଯାନବାହାନ ଆଦି କେହି ଯା’ଆସ କରୁନାହାନ୍ତି । ନିର୍ଜନ ରାସ୍ତା । ନଈ ତୁଠ ବରଗଛ ମୂଳେ, ଗାଈ ଦୁଇଟି ଶୋଇ ରୋମନ୍ଥନ କରୁଛନ୍ତି । ଉପରେ ମାଙ୍କଡ଼ ଦଳେ ବସି ବର ଫଳ ଖାଉଛନ୍ତି । ନଈ ମଝିରେ କାଶତଣ୍ଡି ପଠା ଉପରେ ଘୂରୁଛି ଖଣ୍ଡିଆ ଭୂତ । ବାଲିଗୁଡ଼ାକ ପ୍ରଖର ସୂର୍ଯ୍ୟ କିରଣରେ ଚକ୍ ଚକ୍ କରୁଛି । ସେଇ ପଠାର ପଟୁରେ ମିଶିଛି ତା ମାଆ ଓ ଭାଇର ଦେହ । ନିଷ୍ଠୁର ମଶାଣୀଟା ସେ । ଦିଶିଲା ତୁଳସୀକୁ–ରେଣୁକା ଆଉ ବସନ୍ତର ମୁହଁ । ଛାତିଟା ତା’ର ପଡ଼ିଲା ଉଠିଲା । ଧଡ଼୍ କରି ସେ ବନ୍ଦ କରିଦେଲା ଦରଆଉଜା ଝରକାଟିକୁ । ବିଚଳିତ ହୋଇ ମୁହଁମାଡ଼ି ପଡ଼ିଲା ତାର ଖଟିଆ ଉପରେ । ସାଥି ପିଲାଟି ନିଦରେ ଘୁଙ୍ଗୁଡ଼ି ମାରୁଛନ୍ତି ।

 

ବ୍ୟଥାଭରା ଅନ୍ତରଟା ତା’ର ଜଳି ପୋଡ଼ିଗଲା । ମୁଣ୍ଡରେ ତାର ଅବ୍ୟକ୍ତ ବେଦନାର ସୁଅ ଖେଳିଲା । ମୋ’ର କେହି ନାହିଁ । ମୁଁ ଅନାଥିନୀ । ଅନାଥଶ୍ରମର ଆଶ୍ରିତା । ଶ୍ରୀକାନ୍ତ ବାବୁ ! ସେ ମୋର କିଏ ? ସେ କାହିଁକି ପ୍ରାଣଭରି ମୋତେ ଭଲ ପାଉଛନ୍ତି ? ପଚାରିଲେ କହୁଛନ୍ତି, “ତୁମର ମଙ୍ଗଳ ମୋର କାମନା” । ତେବେ ସେ କ’ଣ ମୋତେ । କ’ଣ ମୁଁ ଭାବୁଛି ! ପ୍ରଭୁ, କ୍ଷମାକର । ମୁଁ ଚାହେଁ ନା ତାଙ୍କର ଅମଙ୍ଗଳ ମୋ ପାଇଁ ସେ କାହିଁକି ଜଗତ ଚକ୍ଷୁରେ ଘୃଣ୍ୟ ହେବେ-? ଏଇ ଆଶ୍ରମରେ ମୋର ଜୀବନ ଦୀପ ଲିଭି ଯାଉ । ଏ ଆଶ୍ରମର ଆଶ୍ରିତଙ୍କ ସେବାରେ ମୋ ଦିନ ବିତିଯାଉ ।

 

ତୁଳସୀ ମନକୁ କେତେ କ’ଣ ବୁଝାଇ ଆଖିରୁ ଲୁହ ପୋଛିଲା । ଟିକିଏ ନ ଶୋଇଲେ ରାତିକୁ ନିଦ ଆସିବ । ରାତିରେ ପୁଣି ରୋଷେଇ ପାଳି । ତୁଳସୀ ଶୋଇବାକୁ ଚେଷ୍ଟାକଲା ।

 

X X X X

 

ଆଜି ଶ୍ରୀକାନ୍ତର ଗୋଟିଏ ପେପର୍‍ ଥିଲ । ଗୋଟାଏ ବାଜିବା ପୂର୍ବରୁ ପେପର୍‍ଟି ଦେଇସାରି ମନ ଖୁସିରେ ଶ୍ରୀକାନ୍ତ ଫେରିଲା ହଷ୍ଟେଲକୁ । ଆଉ ପରୀକ୍ଷା ନାହିଁ । ସେ ଯେପରି ଲେଖିଛି–ଦ୍ଵିତୀୟ ଶ୍ରେଣୀଟା ସୁନିଶ୍ଚିତ । ପ୍ରଥମ ଶ୍ରେଣୀରେ ହୁଏତ ପାଶ୍ କରି ନ ପାରେ, ଦ୍ଵିତୀୟ ଶ୍ରେଣୀଟି ନିଶ୍ଚିତ । ନାନା’ ବାଧାବିଘ୍ନ ସତ୍ତ୍ୱେ ସେ ଯେ କୃତକାର୍ଯ୍ୟ ହୋଇପାରିଛି, ଏଥିପାଇଁ ମିନିଟକ ପାଇଁ ଆଖିବୁଜି ନିଜକୁ ଲୋଟାଇ ଦେଲା ତକ୍‍ତପୋସ୍ ଉପରେ ।

 

ବାବୁ, ତୁମର ରେଜିଷ୍ଟରୀ ଚିଠି ଆଉ ମନିଅର୍ଡ଼ର । ପୋଷ୍ଟମ୍ୟାନ୍‌ଟି କୋଠରୀ ଦୁଆରେ ଠିଆ ହୋଇ ଡାକିଲା । ଶ୍ରୀକାନ୍ତ ଆଖି ଖୋଲି ଚାହିଁଲା–ପୋଷ୍ଟମ୍ୟାନ୍‍ । ଶହେଟଙ୍କା ବୋଉ ପଠାଇଛନ୍ତି । ଶ୍ରୀକାନ୍ତ ଆନନ୍ଦିତ ହେଲା । ବୋଉ ତାକୁ ଭଲପା’ନ୍ତି ନାହିଁ ବୋଲି ସେ ଭୁଲ ବୁଝିଥିଲା । ସେଥିପାଇଁ ଅନୁତାପ କଲା । ପୁଣି ଚିଠିଖଣ୍ଡିକ ଆଣି ଖୋଲିଲା । ଉଜ୍ଜ୍ୱଳ ହୋଇଉଠିଲା ତାର ଚକ୍ଷୁଦୁଇଟା । ବାଲେଶ୍ୱରରେ ଡେପୁଟି ଚାକିରୀ । ପଅରି ଦିନ ତାକୁ ଜଏନ୍ କରିବାକୁ ପଡ଼ିବ-। ମଝିରେ ଜମାରୁ ଗୋଟିଏ ଦିନ ।

 

ପୁଣି ଥରେ ପଢ଼ିଲା–ଚିଠିଟିକୁ । ପ୍ରତିଧାଡ଼ିରେ, ପ୍ରତି ଶବ୍ଦରେ ପ୍ରତି ଅକ୍ଷର ମଧ୍ୟରେ ସେ ଦେଖିଲା, ତୁଳସୀକୁ । କାନରେ ବାଜିଲା–ମହା ମାନବର ଉପଦେଶ, “ଜଗତର ମଙ୍ଗଳପାଇଁ ତୁମେ ତୁଳସୀକୁ ବିବାହ କର” । ତେବେ ଉପାୟ କ’ଣ ? ଏକଦିଗରେ ବଡ଼ ଜେନାଙ୍କର ବଂଶର ମର୍ଯ୍ୟାଦା; ସମାଜର କଠୋର ନିୟମ ଆଉ ବାପାଙ୍କର ଅନ୍ତିମ ଉଦ୍ଦେଶ୍ୟ । ଅନ୍ୟଦିଗରେ ଗରିବ ଅଚ୍ଛବର କନ୍ୟା ତୁଳସୀ ଆଉ ମହାମାନବର ଆଦେଶ, “ଜଗତର ମଙ୍ଗଳ ପାଇଁ ତୁମେ ତୁଳସୀକୁ ବିବାହ କର ।” କିଏ ଶ୍ରେଷ୍ଠ ?

 

କେତେ ପ୍ରଶ୍ନ ଉଙ୍କି ମାରିଲା ଶ୍ରୀକାନ୍ତ ମନ ମଧ୍ୟରେ । ସବୁର ମିମାଂଶା କଲା ଶ୍ରୀକାନ୍ତ । ସମାଜ ସଂସ୍କାର ହିଁ ଜଗତର ପରମ ସୁକଲ୍ୟାଣ । ଏଥିପାଇଁ ମହାମନୀଷୀମାନେ ଅଶେଷ ତ୍ୟାଗ କରିଛନ୍ତି । ମୁଁ ବା ନ ପାରିବି କାହିଁକି ? ଏ ତ କିଛି ଅସଙ୍ଗତ ନୁହେଁ । ତୁଳସୀ ଉପଯୁକ୍ତା–ଅନ୍ତର ତାର ନିର୍ମଳ ! ଏଇ ପୃଥିବୀର ପବିତ୍ର ରକ୍ତ ମାଂସର ମଣିଷ ସେ । ତା ରକ୍ତର ରଙ୍ଗ ବେରଙ୍ଗ ନୁହେଁ-। ବେରଙ୍ଗ ଦିଶେ ଦେଖିଲା ଲୋକର ହୀନ ଆଖିକୁ କେବଳ । ମଣିଷ ମଣିଷକୁ କେବଳ ମଣିଷର ସମ୍ମାନ ସେ ଦେଇ ଶିଖିଛି । ଏ ସୃଷ୍ଟିଟା ତା ପାଇଁ ସୁନ୍ଦର । ସ୍ରଷ୍ଟାଙ୍କର ଉଦ୍ଦେଶ୍ୟ ଅତି ମହତ୍ ।

Image

 

(୧୬)

 

ଏକ କମନୀୟ ସନ୍ଧ୍ୟାର ନମନୀୟ ଶୁଭ ଲଗ୍ନରେ, ଶ୍ରୀକାନ୍ତର ସାଇକଲ୍ କେତେ ଗଳି କନ୍ଦି ରାସ୍ତା କଟାଇ ପହଞ୍ଚିଲା ଆଶ୍ରମର ଫାଟକ ପାଖରେ । ଫାଟକଟି ବନ୍ଦ ଥାଏ । ସାଇକେଲ୍‌ରୁ ଓହ୍ଳାଇ ପଡ଼ି ଶ୍ରୀକାନ୍ତ ଚାହିଁଲା ଫାଟକ ଫାଙ୍କରେ–ଆଶ୍ରମ ଭିତରକୁ । ଚଉଁରାମୁଳେ ତୁଳସୀ ସଞ୍ଜଦୀପ ଜାଳି ଲୋଟିପଡ଼ିଛି ବୃନ୍ଦାବତୀଙ୍କ ଚରଣ ତଳେ । ସଞ୍ଜୁଆ ପବନରେ ଚଉଁରା ଉପରେ ତୁଳସୀ ଗଛଟି ଦୋହଲୁଛି । ଦୋଳି ଖେଳିଲା ପରି ତୁଳସୀ ଆଖିରୁ ଝରିପଡ଼ୁଛି ମିନତୀ ଭରା ଅଶ୍ରୁବିନ୍ଦୁ । ସବୁ ବାରି ହେଉଛି–କ୍ଷୁଦ୍ର ଦୀପାଲୋକରେ । ଶ୍ରୀକାନ୍ତର ଅନ୍ତର ତଳ ଘୁମୁରି ଉଠିଲା–କାହାପାଇଁ ଏ କୋଠର ସାଧନା ? ଏ ଅଶ୍ରୁତର୍ପଣ ?

 

ତୁଳସୀ ଆଖିରୁ ଲୁହପୋଛି କୁଅ ଉପରକୁ ଉଠିଲା ପାଣି ଟାଣିବାକୁ । ବାଲ୍‍୍‍ଟିରେ ପାଣି ଟାଣି ମାଠିଆରେ ଢାଳୁଛି–ପଶି ଆସିଲା ଶ୍ରୀକାନ୍ତ ଗେଟ୍‍ଟି ଖୋଲିଦେଇ । ଡାକିଲା–ତୁଳସୀ-!

 

ଚମକି ଚାହିଁ ଦେଲା ତୁଳସୀ । ଦରିଦ୍ରକୁ କୋଟିନିଧି ମିଳିଲା ପରି ତା’ର ଛାତିଟା ଫୁଲି ଉଠିଲା । ଚାହିଁଛି ସେ–ଶ୍ରୀକାନ୍ତକୁ । ପାଣିଗୁଡ଼ା କଳସିରେ ନ ପଡ଼ି ତଳେ ଢାଳି ହୋଇଯାଉଛି । ଶ୍ରୀକାନ୍ତ ଡାକିଲା–ପାଣି ତଳେ ଢାଳୁଛ ? ନା’ ମାଠିଆରେ ? ନରମି ଗଲା ତୁଳସୀର ଛାତି । ସତେତ ବାଲ୍‍ଟି ଯାକ ପାଣି ତଳେ ଢାଳି ସାରିଲାଣି । ଲଜ୍ଜିତା ହେଲା ସେ ।

 

ତୁଳସୀ କୂଅ ଉପରେ ଠିଆ ହୋଇଥାଏ–ଶ୍ରୀକାନ୍ତ ସାଇକେଲ୍‌ରେ ଚାବି ଦେଇ ମେନେଜର ବାବୁଙ୍କ କୋଠରୀ ଆଡ଼କୁ ଗଲା ।

 

ସେଇଠି ଠିଆ ହୋଇ ତୁଳସୀ ଚାହିଁଥାଏ–ଶ୍ରୀକାନ୍ତର ସାଇକେଲ୍‍କୁ–ନିର୍ମିମେଷ ଦୃଷ୍ଟିରେ-। ନୂଆ ସାଇକେଲ୍‍ଟା, ପୋଛା ପୋଛି ନାହିଁ । ରଜନୀ ପଛରୁ ଚୁପ୍ ଚୁପ୍ ଆସି ତା’ର ଆଖି ଧରି ପକାଇଲା । ଚମକି ପଡ଼ିଲା ସେ ।

 

–କିଏ ?

 

–ତୋ ନଟନାଗର ଶ୍ରୀକାନ୍ତ । ହାତ ଛାଡ଼ିଦେଲା ରଜନୀ ।

 

–ରଜନୀ ଅପା, ତୁ ଭାରି ଦୁଷ୍ଟ ।

 

–ସତ କଥାଟି କହିଲେ–ଦୁଷ୍ଟ ହେବି ନାହିଁ ତ ଶିଷ୍ଟ ହେବି ?

 

–ଅପା, ତୋ ଗୋଡ଼ ଧରୁଛି, ତୁ ଆଉ ପାଟି କରନା । ଗୋଟିଏ କଥା ମୋର ରଖିବୁ?

 

–କ’ଣ କହ ।

 

–ମୋର ଆଜି ରୋଷେଇ ପାଳି । ବାବୁ ଆସିଛନ୍ତି–ମୁଁ ତାଙ୍କର କିଛି ବ୍ୟବସ୍ଥା କରି ନାହିଁ-। ରୋଷେଇ କରିବାକୁ ଗଲେ ସେ ଚାଲିଯିବେ । ଏତେ ଦିନରେ ଆସିଛନ୍ତି । କ’ଣ ଭାବିବେ କହିଲୁ-? ସେ ତ ଭାରି ଲାଜକୁଳା । ତୁମେମାନେ ଥିଲେ–ମୋତେ କିଛି ସେ ଭଲମନ୍ଦ ପଚାରିବେ ନାହିଁ । ସହଜ ଇଂରାଜି ଶିକ୍ଷା ବହିଟି ସାରିଲିଣି । ଆଉ ଖଣ୍ଡେ ଭଲ ବହି ପାଇଁ କହିବି–ଆଣି ଦେବେ ।

 

–ହଉ, ବେଶି କହନା । ତୁ, ଯା’ ବାବୁଙ୍କ ଖବର ନେ’ । ମୋ ପାଇଁ କହିବୁ ବାବୁଙ୍କୁ–ଖଣ୍ଡେ ଲକ୍ଷ୍ମୀ ପୁରାଣ ଆଣି ଦେବେ । ମୁଁ ଲୁଗା ଧୋଇ ଯାଉଛି । ତୋ ପାଇଁ ରୋଷେଇ କରିବି । ପାଣି ଦି’ ବାଲ୍‍ଟି ରୋଷେଇ ଘରେ ଥୋଇଦେଇ ଶୀଘ୍ର ଚାଲିଆ’ ।

 

ରୋଷେଇ ଘରେ ପାଣି ଥୋଇ ଦେଇ ତୁଳସୀ ଆସିଲା ନିଜ ରୁମ୍‍କୁ । ବସି ଶୁଣିଲା ଶ୍ରୀକାନ୍ତ ଓ ମେନେଜର ବାବୁଙ୍କ କଥୋପକଥନ । ମେନେଜର ବାବୁ କହୁଛନ୍ତି–ଶ୍ରୀକାନ୍ତ, ତୁମେ ତ ବଡ଼ ହାକିମ ହେଲ । ବାଲେଶ୍ଵରକୁ ଚାଲି ଯିବ । ତୁଳସୀର ଦାୟିତ୍ଵ ମୁଁ ନେଇପାରିବି ନାହିଁ । ତାକୁ ଏଠାରୁ ନେଇ ତୁମେ ଅନ୍ୟ କୌଣସି ସ୍ଥାନରେ ଛାଡ଼ିଦେଇ ଯାଅ । ଭାବିବ ନି–ମଉସା ତୁମର ଖରାପ କହୁଛି । ତୁଳସୀର ଅନାସ୍ଥାଭାବ ମୁଁ ବହୁଦିନରୁ ଲକ୍ଷ୍ୟ କଲିଣି । ଦୁଃଖ କଷ୍ଟ ସହି ସେ ଏ ଆଶ୍ରମରେ ରହି ପାରିବନି । ସଦାବେଳେ ବସି କ’ଣ ଚିନ୍ତା କରୁଛି । କାନ୍ଦୁଛି । ଜୀବନକୁ ତାର ଲୋଭନାହିଁ । କେତେବେଳେ ଯେ କ’ଣ ଘଟାଇବ ତାହା ଭାବିବାର କଥା । ତୋରି ନା’ କହି ତାକୁ ଡରାଇ ଭୁଲାଇ ମୁଁ ରଖିଛି । ତୁମେ ତାର କିଛି ବ୍ୟବସ୍ଥା କରିଯାଅ । ହଁ, ତୁମେ ତାର ।

 

–ମୁଁ ଆଉ କ’ଣ ବ୍ୟବସ୍ଥା କରିବି ମଉସା ? ଆପଣ ଗୋଟିଏ କାମ କରି ଦିଅନ୍ତୁ ।

 

–କଣ କରିବି କୁହ ।

 

–ତୁଳସୀର ବିବାହ–

 

ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ମେନେଜର ବାବୁ, ଶ୍ରୀକାନ୍ତର ମୁହଁକୁ । ପାଟିରୁ ତାଙ୍କର କିଛିକ୍ଷଣ ପାଇଁ ବାକ୍ୟ ସ୍ଫୁରଣ ହେଲା ନାହିଁ । ସେ ଖାଲି ଅପଲକ ଦୃଷ୍ଟିରେ ଚାହିଁ ରହିଲେ ନିରିହଙ୍କ ପରି ।

 

ସେ ପାଖ କୋଠରୀରେ ତୁଳସୀ ବସି ଶୁଣୁଥିଲା ସବୁ । ମୁଣ୍ଡରେ ତାର ମହାମେରୁ ଭୁଷୁଡ଼ି ପଡ଼ିଲା । ସରଳପ୍ରାଣରେ ତାର ଆଘାତ ଲାଗିଲା । ବାବୁଙ୍କର ସବୁ ଅଭିନୟ କ’ଣ କୃତ୍ରିମ-? ମାୟାବୀ ମୋତେ ମାୟା କରି ଆସୁଥିଲେ ? ମୁଁ କ’ଣ କରିବି ଏକ୍ଷଣି ? ମା’ ମୋତେ ସଙ୍ଗରେ ନ ନେଇ କାହିଁକି ଦୁଃଖ ଭୋଗାଉଛୁ ?

 

ତୁଳସୀ ତାର ମସ୍ତିଷ୍କରେ ଶତ ବୃଷ୍ଚିକର ଦଂଶନ ଅନୁଭବ କଲା । ଅସହ୍ୟ ହେଲା ତାକୁ ଦୁନିଆଁର ଚକ୍ରାନ୍ତ । ‘ଢୁ’ କରି ବାଡ଼େଇ ଦେଲା ସେ ମୁଣ୍ଡକୁ ଖଟିଆ ବାଡ଼ରେ । ସଜ୍ଞାହୀନା ହୋଇ ପଡ଼ିଗଲା–ଚଟାଣ ଉପରେ ।

 

ମୁହଁ ଖୋଲିଲା ପୁଣି ମେନେଜର ବାବୁଙ୍କର । ତୁମେ କ’ଣ ଜାଣୁନା ଶ୍ରୀକାନ୍ତ–ଆଶ୍ରମରେ ପ୍ରତିପାଳିତା କନ୍ୟାମାନଙ୍କୁ ବିବାହ କରିବାକୁ କେହି ସମ୍ମତ ନୁହନ୍ତି । ଲୋକଦୃଷ୍ଟିରେ ଏମାନେ ଆଭିଜାତ୍ୟ ହୀନା । ପଚାଶଟି ଝିଅର ଯୌବନ ଫୁଲ ମଉଳି ଗଲାଣି–ଭୋକଉପାସର ନିଷ୍ଠୁର କଷାଘାତରେ । ସେଇମାନଙ୍କ ଦୁଃଖରେ କାନ୍ଦି କାନ୍ଦି ଏ ବୃଦ୍ଧ ଆଖିରୁ ଲୁହ ଶୁଖିଗଲା–କିଛି ବ୍ୟବସ୍ଥା କରି ହେଲାନି–ପୁଣି ତୁଳସୀ ପରି ଝିଅକୁ କାହା ହାତରେ ଦେବି ମୋତେ କୁହ । ମରିଗଲେ ବରଂ ନଈ ମଝି–କାଶତଣ୍ଡି କୁଦରେ ଶୋଇଦେଇ ଆସିବି । କେତେ ଅନାଥିନୀର ହାଡ଼ ମାଂସ ଧରି ସେ ବାଲିଚର ଉଚ୍ଚ ହୋଇଛି । କେତେ ଅବିନାଶୀ ଆତ୍ମା ଘୂର୍ଣ୍ଣିବାୟୁ ରୂପରେ ତାହାର ଚତୁର୍ଦ୍ଦିଗରେ ଘୂରି ବୁଲୁଛନ୍ତି । କାଳର କରାଳ ଗତିରେ ଦିନେ ପୁଣି ତୁଳସୀକୁ ସେ କୋଳରେ ଧରିବ । ଏଥିପାଇଁ ଚିନ୍ତା କ’ଣ ? କିନ୍ତୁ ଉପଯୁକ୍ତ ପାତ୍ର ନ ପାଇଲେ ମୋର ସୁନା କୁଣ୍ଢେଇକୁ ମୁଁ ଯାହା ତା’ ହାତରେ ଦେବିନି । ତୁମେ ଯଦି ତାର କିଛି ବ୍ୟବସ୍ଥା ନ କରି ପାରିବ–ତେବେ ଚାଲିଯାଅ ନିଜବାଟରେ । ବିଭାଘର କଥା ମୋତେ କୁହ ନାହିଁ ।

 

ଆପଣ ମୋର ଗୋଟିଏ ଅନୁରୋଧ ରକ୍ଷା କରିପାରିବେ ମଉସା ?

 

–କୁହ କ’ଣ ଆଉ କହିବ ।

 

–ତୁଳସୀର ମଙ୍ଗଳ ଛଡ଼ା କୌଣସି ଦିନ ତାର ଅମଙ୍ଗଳ ମୁଁ କାମନା କରିନି । ଆପଣ ଯଦି ମୋତେ ବିଶ୍ଵାସ କରନ୍ତି, ତୁଳସୀକୁ ମୋରି ହାତରେ ଅର୍ପଣ କରି ।

 

–ଶ୍ରୀକାନ୍ତ ! କ’ଣ କହୁଛ ତୁମେ ।

 

–ହଁ ମଉସା, ମୋତେ ବିଶ୍ଵାସ କରନ୍ତୁ ।

 

–ଅବିଶ୍ଵାସ ବି ମୁଁ କରୁନାହିଁ ଶ୍ରୀକାନ୍ତ । ତଥାପି ଆଉ ଥରେ ଭାବିବାକୁ ଚେଷ୍ଟା କର । ମଧୁପୁରର ଖ୍ୟାତନାମା ସରପଞ୍ଚ ନରହରି ବାବୁ ବଡ଼ ଜେନାଙ୍କ ଜ୍ୟେଷ୍ଠ ପୁତ୍ର ତୁମେ । ଏ କାର୍ଯ୍ୟରେ ବାପା ତୁମରି ସମ୍ମତ ହେବେ ନାହିଁ । ସମାଜ ତୁମକୁ ଘୃଣା କରିବ । ଜୀବନର ମୀମାଂସା ଏତେ ଶସ୍ତା ନୁହେଁ । ବହୁତ ଚିନ୍ତା କରିଛି ମଉସା । ଚାହଁନ୍ତୁ କାନ୍ଥ ଉପରର ବାପୁଜୀଙ୍କ ନିର୍ଜୀବ ଫଟୋକୁ । ହସି ହସି ସେ କିପରି ଆଦେଶ ଦେଉଛନ୍ତି । ସେ ମହାମାନବ ହରିଜନ ବନ୍ଧୁ–ବାପୁଜୀଙ୍କର ଆଦେଶକୁ କିପରି ମୁଁ ଅମାନ୍ୟ କରିବି ? ଜଗତର ମଙ୍ଗଳ ଓ ସମାଜର କୁସଂସ୍କାରକୁ ଦୂରକରିବା ପାଇଁ ମୁଁ ନିଜକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ବାପା ସମ୍ମତ ନ ହୋଇପାରନ୍ତି । କିନ୍ତୁ ଛୁଆବୋଉଙ୍କୁ ମୁଁ ଆଜି ଚିଠିଲେଖି ଜଣାଇବି । ସେ ମୋତେ ଭାରି ଭଲପା’ନ୍ତି ।

 

ଉଠି ବସିଲେ ମେନେଜର ଗୋପାଳକୃଷ୍ଣବାବୁ । କହିଲେ–ତେବେ ମୋର କିଛି ଆପତ୍ତି ନାହିଁ । ତୁମେ ଯେପରି ତୁଳସୀକୁ ହିନସ୍ତା ନ କର ।

 

–ସେ ଚିନ୍ତା ମନରୁ ପୋଛି ଦିଅନ୍ତୁ ମଉସା । ଆଉ ବେଳନାହିଁ । ଦୁଇଦିନ ମଧ୍ୟରେ ଏଠାରୁ ମୁଁ ବାଲେଶ୍ଵରକୁ ଚାଲିଯିବି । ଅତି ଶୀଘ୍ର କାମରେ ଯୋଗ ଦେବାକୁ ହେବ ।

 

–ବେଶ୍, ମୁଁ ବି ତାହା ଚାହୁଁଛି । ଯେତେ ଶୀଘ୍ର ମୋ ମୁଣ୍ଡରୁ ବୋଝ ଖଲାସ ହେବ ସେତେ ମୁଁ ନିଶ୍ଚିନ୍ତ ହେବି । କାଲି ବାରଟାବେଳକୁ ସବୁ କାମ ସରି ଯାଇଥିବ । ତୁମେ ସନ୍ଧ୍ୟାଗାଡ଼ିରେ ବାଲେଶ୍ଵର ଯାଅ–ଆପତ୍ତି ନାହିଁ ।

 

–ହଁ, ମୋତେ ଆଉ କିଛି ବ୍ୟବସ୍ଥା କରିବାକୁ ହେବ ମଉସା?

 

–ନା, କିଛି ଦରକାର ନାହିଁ । ସବୁ ମୋର ଅଛି । ତୁମର ଧୋତି ହଳେ ଆଉ ଝିଅ ପାଇଁ ଶାଢ଼ୀ ଦି’ଟା, ଶଙ୍ଖାମୁଠେ ମୁଁ ଦେଇପାରିବି ନାହିଁ ? ତୁମେ ଆଜି ଏଇଠି ରହିଯାଅ । କାଲି ପ୍ରଭାତର ସିନ୍ଦୁରା ଫାଟି ନ ଥିବ, ମୁଁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରି ଦେବି ।

 

ତୁଳସୀ ଶ୍ରୀକାନ୍ତର ଶେଷ ନିଷ୍ପତ୍ତି ଶୁଣି ଆଶ୍ଚର୍ଯ୍ୟ ହୋଇଗଲା । ସତରେ ସେ ଯାହାସବୁ ଶୁଣିଗଲା–ସେ ଗୁଡ଼ାକ ତା ବିକାର ମନର ବାଚାଳତା ନୁହେଁ ତ ? ସେ ସପ୍ନ ଦେଖୁ ନାହିଁ ତ ! ତା ଭାଗ୍ୟରେ ପୁଣି ଏତେ ବଡ଼ ସୌଭଗ୍ୟ ଆତ୍ମଗୋପନ କରି ରହିଛି । ସତରେ ସେ ହେବ ଶ୍ରୀକାନ୍ତର ସ୍ତ୍ରୀ–ଧର୍ମପତ୍ନୀ ଅର୍ଦ୍ଧାଙ୍ଗିନୀ । କ୍ଷଣିକ ପାଇଁ ତୁଳସୀ ନିଜର ମନକୁ ବିଶ୍ୱାସ କରିପାରିଲା ନାହିଁ ।

 

କାନ୍ଥ ଘଣ୍ଟାରେ ବାଜିଲା ଦି’ଟା । ମେନେଜର ବାବୁ ବାହାରକୁ ଆସି ଦେଖିଲେ–ପିଲାମାନେ ସବୁ ଖାଇପିଇ ଯେ’ ଯାହା ରୁମ୍‍ରେ ଶୋଇଲେଣି । ଭାବିଲେ, ତୁଳସୀକୁ ଉଠାଇ ଏ ସମ୍ବନ୍ଧରେ ପଚାରିବାର ଦରକାର କ’ଣ ? ସେ ତ କିଛି ଆପତ୍ତି କରିବ ନାହିଁ ବରଂ ଖୁସି ହେବ ।

 

ମେନେଜର ଗୋପାଳକୃଷ୍ଣ ବାବୁ ଡାକିନେଲେ ଶ୍ରୀକାନ୍ତକୁ ନିଜ ରହିବା ଘରକୁ । ଶ୍ରୀକାନ୍ତକୁ ଦେଖି ତାଙ୍କର ସ୍ତ୍ରୀ ସୁମିତ୍ରା ଦେବୀ ଅତ୍ୟନ୍ତ ଆନନ୍ଦିତା ହେଲେ । ମନେପଡ଼ିଲା–ତାଙ୍କ ପୁଅ ରମେଶର କଥା । ଦୁଇବନ୍ଧୁ ଏକମାଆ ପେଟ ଭାଇ ପରି । ହୃଦୟ ତାଙ୍କର ଫାଟି ପଡ଼ିଲା । ସେ ବାହୁନି କରି କାନ୍ଦିଲେ । ମେନେଜର ବାବୁ ତାଙ୍କୁ ସାନ୍ତ୍ଵନା ଦେଲେ ।

 

ଶ୍ରୀକାନ୍ତକୁ ଖୋଇ ସେଇ ଶୋଇ ପକାଇ ଦୁଇ ପ୍ରାଣୀ ବିଭାଘର ଆୟୋଜନରେ ଲାଗି ପଡ଼ିଲେ । ସତେ ଯେପରି ତାଙ୍କର ପୁଅ ବାହାହବ ।

 

ହସି ହସି ସେ କିପରି ଆଦେଶ ଦେଉଛନ୍ତି । ସେ ମହାମାନବ ହରିଜନ ବନ୍ଧୁ–ବାପୁଜୀଙ୍କର ଆଦେଶକୁ କିପରି ମୁଁ ଅମାନ୍ୟ କରିବି ? ଜଗତର ମଙ୍ଗଳ ଓ ସମାଜର କୁସଂସ୍କାରକୁ ଦୂର କରିବା ପାଇଁ ମୁଁ ନିଜକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ବାପା ସମ୍ମତ ନ ହୋଇପାରନ୍ତି । କିନ୍ତୁ ଛୁଆବୋଉଙ୍କୁ ମୁଁ ଆଜି ଚିଠିଲେଖି ଜଣାଇବି । ସେ ମୋତେ ଭାରି ଭଲପା’ନ୍ତି ।

 

ଉଠି ବସିଲେ ମେନେଜର ଗୋପାଳକୃଷ୍ଣ ବାବୁ । କହିଲେ–ତେବେ ମୋର କିଛି ଆପତ୍ତି ନାହିଁ । ତୁମେ ଯେପରି ତୁଳସୀକୁ ହୀନସ୍ତା ନ କର ।

 

–ସେ ଚିନ୍ତା ମନରୁ ପୋଛି ଦିଅନ୍ତୁ ମଉସା । ଆଉ ବେଳ ନାହିଁ । ଦୁଇଦିନ ମଧ୍ୟରେ ଏଠାରୁ ମୁଁ ବାଲେଶ୍ଵରକୁ ଚାଲିଯିବି । ଅତି ଶୀଘ୍ର କାମରେ ଯୋଗ ଦେବାକୁ ହେବ ।

 

–ବେଶ୍, ମୁଁ ବି ତାହା ଚାହୁଁଛି । ଯେତେ ଶୀଘ୍ର ମୋ ମୁଣ୍ଡରୁ ବୋଝ ଖଲାସ ହେବ ସେତେ ମୁଁ ନିଶ୍ଚିନ୍ତ ହେବି । କାଲି ବାରଟାବେଳକୁ ସବୁ କାମ ସରି ଯାଇଥିବ । ତୁମେ ସନ୍ଧ୍ୟା ଗାଡ଼ିରେ ବାଲେଶ୍ଵର ଯାଅ–ଆପତ୍ତି ନାହିଁ ।

 

–ହଁ, ମୋତେ ଆଉ କିଛି ବ୍ୟବସ୍ଥା କରିବାକୁ ହେବ ମଉସା?

 

–ନା, କିଛି ଦରକାର ନାହିଁ । ସବୁ ମୋର ଅଛି । ତୁମର ଧୋତି ହଳେ ଆଉ ଝିଅ ପାଇଁ ଶାଢ଼ୀ ଦି’ଟା, ଶଙ୍ଖାମୁଠେ ମୁଁ ଦେଇପାରିବି ନାହିଁ ? ତୁମେ ଆଜି ଏଇଠି ରହିଯାଅ । କାଲି ପ୍ରଭାତର ସିନ୍ଦୁରା ଫାଟି ନ ଥିବ, ମୁଁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରି ଦେବି ।

 

ତୁଳସୀ ଶ୍ରୀକାନ୍ତର ଶେଷ ନିଷ୍ପତ୍ତି ଶୁଣି ଆଶ୍ଚର୍ଯ୍ୟ ହୋଇଗଲା । ସତରେ ସେ ଯାହାସବୁ ଶୁଣିଗଲା–ସେ ଗୁଡ଼ାକ ତା ବିକାର ମନର ବାଚାଳତା ନୁହେଁ ତ ? ସେ ସପ୍ନ ଦେଖୁ ନାହିଁ ତ ! ତା ଭାଗ୍ୟରେ ପୁଣି ଏତେ ବଡ଼ ସୌଭାଗ୍ୟ ଆତ୍ମଗୋପନ କରି ରହିଛି । ସତରେ ସେ ହେବ ଶ୍ରୀକାନ୍ତର ସ୍ତ୍ରୀ–ଧର୍ମପତ୍ନୀ ଅର୍ଦ୍ଧଙ୍ଗିନୀ । କ୍ଷଣିକ ପାଇଁ ତୁଳସୀ ନିଜର ମନକୁ ବିଶ୍ୱାସ କରିପାରିଲା ନାହିଁ ।

 

କାନ୍ଥ ଘଣ୍ଟାରେ ବାଜିଲା ଦି’ଟା । ମେନେଜର ବାବୁ ବାହାରକୁ ଆସି ଦେଖିଲେ–ପିଲାମାନେ ସବୁ ଖାଇପିଇ ଯେ’ ଯାହା ରୁମ୍‍ରେ ଶୋଇଲେଣି । ଭାବିଲେ, ତୁଳସୀକୁ ଉଠାଇ ଏ ସମ୍ବନ୍ଧରେ ପଚାରିବାର ଦରକାର କ’ଣ ? ସେ ତ କିଛି ଆପତ୍ତି କରିବ ନାହିଁ ବରଂ ଖୁସି ହେବ ।

 

ମେନେଜର ଗୋପାଳକୃଷ୍ଣ ବାବୁ ଡାକିନେଲେ ଶ୍ରୀକାନ୍ତକୁ ନିଜ ରହିବା ଘରକୁ । ଶ୍ରୀକାନ୍ତକୁ ଦେଖି ତାଙ୍କର ସ୍ତ୍ରୀ ସୁମିତ୍ରା ଦେବୀ ଅତ୍ୟନ୍ତ ଆନନ୍ଦିତା ହେଲେ । ମନେପଡ଼ିଲା–ତାଙ୍କ ପୁଅ ରମେଶର କଥା । ଦୁଇବନ୍ଧୁ ଏକମାଆ ପେଟ ଭାଇ ପରି । ହୃଦୟ ତାଙ୍କର ଫାଟି ପଡ଼ିଲା । ସେ ବାହୁନି କରି କାନ୍ଦିଲେ । ମେନେଜର ବାବୁ ତାଙ୍କୁ ସାନ୍ତ୍ଵନା ଦେଲେ ।

 

ଶ୍ରୀକାନ୍ତକୁ ଖୋଇ ପେଇ ଶୋଇ ପକାଇ ଦୁଇ ପ୍ରାଣୀ ବିଭାଘର ଆୟୋଜନରେ ଲାଗି ପଡ଼ିଲେ । ସତେ ଯେପରି ତାଙ୍କର ପୁଅ ବାହାହବ ।

Image

 

(୧୭)

 

ରାତି ପାହିଲେ ବାହାଘରର ଶୁଭକାର୍ଯ୍ୟ ଅନୁଷ୍ଠିତ ହେବ । ଏଇ ଶୁଭ ବିବାହରେ ବାହାରର ଆଡ଼ମ୍ବର ନ ଥିଲେ ମଧ୍ୟ-ଦୁଇଟି ପବିତ୍ର ଆତ୍ମାର ଅହେତୁକ ପ୍ରୀତିର ନିରାଡ଼ମ୍ବର ବାତାବରଣ ଭିତରେ–ଦୁଇ ଶୁଦ୍ଧ-ପୂତ ଜୀବନର ଐକ୍ୟ ପ୍ରତିଷ୍ଠିତ ହେବ । ସମାଜ ସେମାନଙ୍କୁ ହୁଏତ ସ୍ୱୀକାର କରିବ ନାହିଁ । ପୁରାଣ–ଶାସ୍ତ୍ରର ବୃଥା ଅହଙ୍କାର ହୁଏତ ଆତ୍ମ ସମ୍ମାନରେ କ୍ଷୁର୍ଣ୍ଣ ହେବ । ତଥାପି ଏ ସୁନ୍ଦର ସୃଷ୍ଟିରେ ସେମାନେ ଐକ୍ୟର ବିଜୟ ଡିଣ୍ଡିମ ବଜାଇବେ । ସଂସାରର ସାର ସେମାନଙ୍କ ପାଇଁ ଅସାର ହେବ ନାହିଁ । ସେମାନେ ମଧ୍ୟ ସ୍ୱାମୀ–ସ୍ତ୍ରୀ । ସଂସାର କରିବେ । ସୃଷ୍ଟି କରିବେ । ବ୍ୟତିକ୍ରମ ନ ଥିବ । ମନଗଢ଼। ସମାଜର ହିଂସା କେବଳ ଅଗ୍ନି ବୃଷ୍ଟି କରିବ । ତଥାପି-ସେମାନେ ଦମ୍ପତି ।

 

ଶ୍ରୀକାନ୍ତର ତାରୁଣ୍ୟ ମନରେ ଅସୁମାରୀ କଳ୍ପନାର ଉତ୍ସବ । ତରୁଣ ଜୀବନର ଏକମାତ୍ର ଶୁଭ ପର୍ବରେ ସେ ଉନ୍ମାଦ କିନ୍ତୁ ପଥ ଭ୍ରଷ୍ଟା ନୁହେଁ ।

 

ସୁ–ସ୍ଵପ୍ନରେ ଶ୍ରୀକାନ୍ତର ତରୁଣମନ ଜାଗର ଦୀପାଳି ଜଳିଲା । ତୁଳସୀ ! ଯୁବତୀ । ତାର କମନା ଆଉ ଉନ୍ମାଦନା ଅତି ଅବାଞ୍ଛିତା ନ ହେଲେ ମଧ୍ୟ–ଅସ୍ଵାଭାବିକ ନୁହେଁ ।

 

ରାତି ପାହିଲା ।

 

ଶୁଭ କାଉ ଆସନ୍ନ ଦିନର ଶୁଭବାର୍ତ୍ତା ଦେଇଗଲା । ଶ୍ରୀକାନ୍ତ ଆଉ ତୁଳସୀର ବିବାହ ! ସମାଜର ସମ୍ମତି ନାହିଁ । ମନରେ ଐକ୍ୟ ବହୁ ଆଗରୁ ସୁପ୍ରତିଷ୍ଠିତ । ଏଇ ଅସବର୍ଣ୍ଣ ବିବାହ, ଦେଶପାଇଁ, ଜାତି ପାଇଁ, ସମାଜ ପାଇଁ ଗୋଟିଏ ଅଦ୍ଭୁତ ଆଦର୍ଶ । ଏଥିରେ ପାପ ନାହିଁ । ମଣିଷ–ମଣିଷର ସୁ-ସଂପର୍କର ପ୍ରତିଷ୍ଠା କେବଳ !

 

ତୁଳସୀର ବହୁ ଆକାଂକ୍ଷୀତ ବାସନା ପୂର୍ଣ୍ଣ ହେଲା । ଶ୍ରୀକାନ୍ତର ଉଦ୍ଦେଶ୍ୟ ସାର୍ଥକ ହେଲା-। ବିବାହ ସରିଲା । ଶୁଭ ଶଙ୍ଖ ବାଜୁଥିଲା–ଉଂ–ଉଂ–ଉଂ

Image

 

(୧୮)

 

ମେନେଜର ବାବୁ ଓ ଶ୍ରୀକାନ୍ତ ବାବୁ ଦୁହେଁ ବଜାରକୁ ଯାଇଛନ୍ତି ଦରକାରୀ ଜିନିଷପତ୍ର କିଣା କିଣି କରିବାକୁ । ଆଶ୍ରମର ପିଲାମାନେ ଆନନ୍ଦରେ ରନ୍ଧା ବଢ଼ାରେ ଲାଗିଛନ୍ତି । ତୁଳସୀ ବସି ତା’ରି କୋଠରୀ ଭିତରେ ଚିପୁଡ଼ି ହୋଇ କାନ୍ଦୁଛି । ଆଜି ତା’ରି ଯଦି ବାପ ମା’ ଥା’ନ୍ତେ, କେତେ ଆନନ୍ଦ ହେଉ ନ ଥାନ୍ତେ । ଝିଅର ବିଭାଘର ବୋଲି ଗୋଡ଼ ତାଙ୍କର ତଳେ ପଡ଼ୁ, ନ ଥା’ନ୍ତା । ହତଭାଗିନୀ ସେ, ସମସ୍ତଙ୍କୁ ଖାଇ ବସିଛି ।

ମେନେଜର ବାବୁଙ୍କ ସ୍ତ୍ରୀ ସୁମିତ୍ରା ଦେବୀ–ତୁଳସୀ, ତୁଳସୀ, ଡାକି କୋଠରୀ ଭିତରକୁ ପ୍ରବେଶ କଲେ । ତୁଳସୀ ତାଙ୍କୁ ଦେଖି ପଣତରେ ଲୁହପୋଛି ହେଉଥାଏ । ତା’ର କାନ୍ଦଣା ଦେଖି କହିଲେ–ଛି, ତୁଳସୀ ! ଆଜି ପରା ଶୁଭଦିନରେ ତୁ ପୁଣି କାନ୍ଦୁଛୁ ? ମା’, ଭଗବାନ ତୋର ଡାକ ଶୁଣିଛନ୍ତି । ଏଇଠୁ ଦୁଃଖ ତୋର ଅପସରି ଗଲା । ସଂସାର ଭଲମନ୍ଦ କିଛି ଜାଣି ନାହୁଁ । କିପରି ଘର କରିବୁ ? ଝିଅଟିଏ ଥିଲୁ ବୋଲି ଚଳି ଯାଉଥିଲା । ବର୍ତ୍ତମାନ ହାକିମର ବୋହୂ ହେଲୁ । ପାତ୍ରୀର ଜଳ ସଙ୍ଗେ ପୁରୋହିତ ତୋ ମୁଣ୍ଡ ଉପରେ ବହୁତ ଦାୟିତ୍ଵ ଢାଳି ଦେଲେ । କିପରି ତୁ ସେ ସବୁ ବହନ କରିବୁ ? ଏଠି କିଏ ଅଛି ତୋତେ ଘରକରଣା ଶିଖାଇବ । ତେବେ–କେତୋଟି କଥା ମୁଁ ତୋତେ କହୁଛି –ତୁ ତାକୁ ଗୁରୁଜ୍ଞାନ କରିଥିବୁ ।

ସୁମିତ୍ରା ଦେବୀ ତୁଳସୀ ପାଖକୁ ଘୁଞ୍ଚି ବସୁ ବସୁ କହିଲେ–ମା’ ସ୍ଵାମୀ ସେବା ତୋର ପ୍ରଥମ କର୍ତ୍ତବ୍ୟ । ସେ ତୋର ଦେବତା । ଦେବତାର ସେବାକରି, ପୂଜାକରି ଜନ୍ମକୁ ସାର୍ଥକ କରିବୁ । ସେ ତୋର ଇଷ୍ଟ । ସ୍ଵାମୀହିଁ ସ୍ତ୍ରୀର ସର୍ବସ୍ଵ । ମନ ମନ୍ଦିରର ଚଳନ୍ତି ବିଷ୍ଣୁ ।

ଜାୟା, ଜନନୀ, ଭଗିନୀ–ଏଇ ତିନି ରୂପର ପ୍ରତିମୂର୍ତ୍ତି ନାରୀ । ତେଣୁ–ଜାୟା ରୂପରେ ପ୍ରେମ ଦେବୁ, ଜନନୀ ରୂପରେ ସେବା କରିବୁ ଏବଂ ଭଗିନୀ ରୂପରେ ସ୍ନେହ ଦେବୁ । ସ୍ୱାମୀ ତୋର ହାକିମ । ଗୋଟାଏ ମୂଲକର ହାନିଲାଭର ଜଞ୍ଜାଳ ତାଙ୍କ ମୁଣ୍ଡ ଉପରେ । ଆଉ–ଯେ ଏତେବଡ଼ ଘର ମସ୍ତକରେ ଧାରଣ କରିଛି–ତାର ପାଦ ତୋର ମଥା ଉପରେ । ତେଣୁ ଭାବୁଥିବୁ–ତୋତେ କେତେ ଧୈର୍ଯ୍ୟଶାଳିନି ହେବାକୁ ପଡ଼ିବ । କିଛି ବ୍ୟତିକ୍ରମ ହେଲେ–ସମ୍ଭାଳି ନେବୁ । ଜଣା କିମ୍ବା ଅଜାଣରେ ତାଙ୍କ ମନରେ ଦୁଃଖ ହେଲା ଭଳି କିଛି କହିବୁନି । ତାଙ୍କ ଅଜଣାରେ କିଛି କାମ କରିବୁନି । ତାଙ୍କଠାରେ ବେଶି ଅଭିମାନ କରିବୁନି । ଅଭିମାନର ଅତିମାତ୍ରା–ବିରକ୍ତି ସୃଷ୍ଟି କରେ । ବିରକ୍ତିରୁ ରାଗ ବଢ଼େ । ଫଳରେ ଦାମ୍ପତ୍ୟ ଜୀବନ ଅଶାନ୍ତିରେ କଟେ । ନାରୀଯିଏ–ବସୁଧା ସିଏ । ସବୁ ସହିଯିବୁ । ସମ୍ଭାଳ ଯିବୁ । ତେବେ ଯାଇ ଜୀବନରେ ତୁ ପାଇବୁ ସୁଖ, ଶାନ୍ତି, ଆନନ୍ଦ । କ’ଣ ମୋ କଥା ମନେ ରହିଲାଟି ?

–“ହଁ ମାଉସୀ !

–ଆଉ ଶୁଣ ? ସ୍ଵାମୀ ସେବାଠାରୁ ବଡ଼ ଶାଶୁ ଶ୍ଵଶୁରଙ୍କ ସେବା । ଭାବିବୁ–ସେ ତୋର ଶାଶୁ ଶ୍ଵଶୁର ନୁହନ୍ତି ପୁଅ-ଝିଅ । ତାଙ୍କର ମନ ଜାଣି ତାଙ୍କୁ ସନ୍ତୁଷ୍ଟ କରିବୁ । ସେ ହେଉଛନ୍ତି–ତୋର ଜୀଅନ୍ତା ଲକ୍ଷ୍ମୀ-ନାରାୟଣ । ସେ ଯେଉଁ ଆର୍ଶୀବାଦ ଦେବେ ତାହା ଫଳିବ । ଆଜି ସିନା ତୋତେ ଘୃଣା କରୁଛନ୍ତି । କାଲି କି ଯୁଗ ବଦଳି ଯିବ । ତୋତେ କୋଳରେ ବସାଇବେ । ପୁଣି ପାଖ ପଡ଼ିଶାଙ୍କ ପ୍ରତି କର୍ତ୍ତବ୍ୟ । କାହାରିକୁ ମୁହଁ ଛିଞ୍ଚାଡ଼ି କିଛି କହିବୁ ନାହିଁ । ଲୋକଙ୍କ ମନରେ ଦୁଃଖ ହେବ । କାହାରି ମନରେ ଦୁଃଖ ଦେବା ଉଚିତ ନୁହେଁ । କିଏ ଯଦି ଅଭାବରେ ଅସୁବିଧାରେ ତୋର ସାହାଯ୍ୟ ଚାହିଁଲା–ଥିଲେ ଦେବୁ ନ ଥିଲେ ମଧୁର ବଚନ କହି ଲେଉଟାଇ ଦେବୁ ।

ତା’ପରେ ଦରିଦ୍ର ନାରାୟଣ ସେବା । ଦେଖୁଛୁ–ଦରିଦ୍ର ନାରାୟଣର ସେବା କରି ଆମ ଗୋପବନ୍ଧୁ ଦାସ ମଲେ । ପତିତପାବନ ମହାତ୍ମାଗାନ୍ଧୀ ଗୁଳି ମୁହଁରେ ଗଲେ । ତୁ’ତ ସେପରି କରିପାରିବୁ ନାହିଁ । ତୋ ଦୁଆରକୁ ଦୁଃଖିରଙ୍କି ଆସିଲେ–ତାଙ୍କୁ ମୁହୁର୍ତ୍ତେ ଠିଆ ନ କରାଇ ଖୁସିରେ ତାଙ୍କୁ ବିଦାୟ ଦେବୁ ।

 

ଏ ସବୁ ତ ଶୁଣିଲୁ–ଆଉ ଅଧିକ କିଛି ମୋର ନାହିଁ–ତୋତେ କହିବାକୁ । ତୋର ମା’ ମରିଗଲା–ମୁଁ ବଞ୍ଚିଛି । ଅଳ୍ପ ଦିନ ତା’ର ମୋର ସାଙ୍ଗ । ସେ ତା’ର ଦୁଃଖ ମୋ ଆଗରେ କହିଛି–କେତେ କାନ୍ଦିଛି । ତା’ରି ନା’ ଯେପରି ରଖୁ । ତୋର ଭଲ ଶୁଣିଲେ ମୁଁ ଖୁସି ହେବି । ମନ୍ଦ ଶୁଣିଲେ–ତୋ ଦୁଆର ମାଟି ମାଡ଼ିବି ନାହିଁ ।

 

ଘଣ୍ଟାରେ ବାଜିଲା–ଦୁଇ । ମେନେଜର ବାବୁ ଓ ଶ୍ରୀକାନ୍ତ ବାବୁ ଦୁହେଁ ଫେରିଲେ ବଜାରରୁ । ଏତେ ବେଳଯାଏ ଖିଆପିଆ ସରିନାହିଁ ବୋଲି ବଡ଼ ବିରକ୍ତ ହେଲେ । ପାଟି ଶୁଣି ସୁମିତ୍ରା ତୁଳସୀ ପାଖରୁ ଉଠି ଆସି କହିଲେ–“ମଲା ମୋର ଏତେ ତରତର । ଦିନ ଗାଡ଼ିଟା ଯାଉ । ରାତିରେ ତ ତିନିଟା କି ଚାରିଟା ଗାଡ଼ି ଅଛି । ସେଥିରେ ଯିବେ । ମିଛଟାରେ ତୁମେ ପାଟି କରୁଛ କାହିଁକି ? ପିଲାଲୋକ ବାଗ ପାଉ ନାହାଁନ୍ତି–ତାକୁ କହିକୁହା ଦିଅ ।”

 

ତୁମେ ସେଠି କ’ଣ କରୁଚ–ରୋଷେଇ ଘରକୁ ଟି’କେ ଆସ । ମୁଁ ଜିନିଷପତ୍ର ସଜାସଜି କରି ବାନ୍ଧି ଦିଏଁ । ଖିଆ ପିଆ ସରିଲେ–ତାଙ୍କୁ ଷ୍ଟେସନକୁ ବିଦା କରିଦେବ । କଲିକତା ବଗିରେ ବସିଥିବେ–ତେଣିକି ଯେତେବେଳେ ଯା’ନ୍ତୁ ।

 

ମେନେଜର ବାବୁ ରିକ୍‍ସାରୁ ଜିନିଷ ଓହ୍ଲାଇବାକୁ ଫାଟକ ପାଖକୁ ଦୌଡ଼ିଗଲେ । ସୁମିତ୍ରା ଦେବୀ–ରୋଷ ଘରକୁ ଗଲେ–ତାଙ୍କରି ଆଦେଶରେ ରଜନୀ ଓ ଆଉ କେତୋଟି ଝିଅ ଆସିଲେ–ତୁଳସୀର ମୁଣ୍ଡ କୁଣ୍ଡାଇ ଦେବାକୁ । ଖାଇ ସାରିଲେ ବିଦା ହେବେ ।

 

ରଜନୀ, ହାରା, ଚମ୍ପା ଆଉ ଦୁଇ ତିନୋଟି ଝିଅ ତୁଳସୀର ମୁଣ୍ଡ ବାନ୍ଧି ବସିଲେ । କେତେ ଆଡ଼ୁ କେତେ କଥା ପଡ଼ିଲା । କେତେ ହସ–କେତେ ଖୁସି । ରଜନୀ କହିଲା–ତୁଳସୀ, ତୁ ଆଉ କ’ଣ ଆମକୁ ମନେ ପକାଇବୁ ? ସମସ୍ତେ ନୂଆ ସାଥି ପାଇ ପୁରୁଣାକୁ ଭୁଲିଯା’ନ୍ତି । ଏଇଟା ତ ଦୁନିଆର ନୀତି । ଏଇ ଆଶ୍ରମ ଅଛି, ତୋପରି କେତେ ଆସି କେତେ ଗଲେଣି । ଆମେ କେତୋଟି, ହୀନିମାନି ଏଇଠି ପଡ଼ି ରହିଛୁଁ । ଆମର କୁଆଡ଼କୁ ଆଶ୍ରା ନାହିଁ ଲୋ ଭଉଣୀ । ଏଇଠି ମରିବୁ । ସଂସାରର ସୁଖ କ’ଣ ଜାଣିବୁ ନାହିଁ । ତୁ ବି ଆମକୁ ଛାଡ଼ି ଯାଉଛୁ । କେତେ ଦୁଃଖ ସୁଖର ଦିନ ଏଇ ଆଶ୍ରମରେ ବିତିଛି ଲୋ ତୁଳସୀ–ଭଲଗୁଣ ପାଇଁ ତୋର ପ୍ରଶଂସା କରିଛୁ, ମନ୍ଦ ପାଇଁ ତୋତେ କେତେ ଗାଳି ଦେଇଛୁଁ । ସେ ସବୁ ମନରୁ ଭୁଲିଯିବୁ ।

 

ରଜନୀ ଆଉ କିଛି କହିପାରିଲା ନାହିଁ । ଛାତି ତଳର ଛପିଲା ବେଦନା ତାର କଣ୍ଠରୁଦ୍ଧ କରିଦେଲା । ଦୁଇ ତିନି ଟୋପା ବ୍ୟଥା ଭରା ଉଷୁମ ଲୁହ, ଖସି ପଡ଼ିଲା ତା’ ଆଖିରୁ–ତୁଳସୀର ମୁଣ୍ଡ ଉପରକୁ । ହୀରା, ଚମ୍ପା, ଆଦି ସମସ୍ତେ ସୁଁ, ସୁଁ, ହୋଇ ନିଜ ନିଜର ପଣତରେ ଲୁହ ପୋଛୁଥାନ୍ତି । ସାଥିମାନଙ୍କର ଆଖିରେ ଲୁହ ଦେଖି ତୁଳସୀ ଧୈର୍ଯ୍ୟଧରି ପାରିଲା ନାହିଁ । ନିଜର ବ୍ୟାକୁଳିତ ହୃଦୟକୁ ସଞ୍ଜତ କରି, ସେ ନିଜ ପଣତରେ ରଜନୀର ଲୁହ ପୋଛି ଦେଲା । କହିଲା–“ମୋ’ରାଣ ରଜନୀ ଅପା ! ତୁମେ କାନ୍ଦନା ।” –କହୁ–କହୁ ନିଜେ ମଧ୍ୟ ସୁଁ ସୁଁ ହୋଇ କାନ୍ଦି ପକାଇଲା ।

 

ପ୍ରବେଶ କଲେ ସୁମିତ୍ରା ଦେବୀ । ବାମ ହାତରେ ଖଣ୍ଡେ ପେରି ଶାଢ଼ୀ । ଡାହାଣ ହାତରେ ଶଙ୍ଖା ମୁଠେ । ସିନ୍ଦୁର ଡିବାଟେ । ରଜନୀ ପାଖରେ ସେ ସବୁ ଥୋଇଦେଇ ସମସ୍ତଙ୍କୁ କାନ୍ଦୁ ଥିବାର ଦେଖିଲେ । ସାନ୍ତ୍ଵନା ଛଳରେ କହିଲେ–କିଲୋ, ତୁମେ କାନ୍ଦୁଛ କାହିଁକି ? ଝିଅ ଜନ୍ମ ତ ପରଘରକୁ । ତାକୁ ସବୁ କଲ୍ୟାଣ କର । ଏତିକି କହି ସେ ତୁଳସୀ ଆଖିରୁ ଲୁହ ପୋଛି ଦେଲେ-। ରଜନୀ ଆଖିରୁ ଲୁହ ପୋଛି ଶାଢ଼ୀ ଖଣ୍ଡକ ଖୋଲି ଦେଖୁ ଦେଖୁ କହିଲା–ମାଉସୀ, ଶାଢ଼ୀଟା ତୁଳସୀକୁ ଭଲ ମାନିବ । ସୁମିତ୍ରା ଦେବୀ କହିଲେ–“କିଛି ନାହିଁ ମା’ ମୋର ତାକୁ ଦେବାକୁ-। ଗରିବ ବ୍ରାହ୍ମଣ ଘର, ଆଶ୍ରମର ନା’ ଧରି ଯାହା ଯୁଆଡ଼ୁ ଭିକ୍ଷା ଆସୁଛି, ସେଥିରେ ସମସ୍ତେ ଆମେ ଚଳୁଛୁ । ତୁଳସୀର ମନ ଲାଖି ଜିନିଷଟିଏ ଦେବାକୁ ଶକ୍ତିନାହିଁ ଆମର ମା’ । ଏଥର ଯାଇଥିଲି ଯେ–ଭାଇ ମୋତେ ସେ ଶାଢ଼ୀ ଖଣ୍ଡିକ ଦେଇଥିଲେ । ନଇଲେ–ମୋର ଶ୍ରୀକାନ୍ତକୁ ଭଗବାନ ଭଲରେ ରଖନ୍ତୁ-। ଲୁଗାପଟା ଗହଣାପତ୍ର ତୁଳସୀକୁ କ’ଣ ଅଭାବ ରହିବ ? ମୁଁ ଯାଉଛି, ତୁମ ମଉସାକୁ ଖାଇବାକୁ ଦେବି । ତୁମର ରୋଷେଇ ସରିଲାଣି–ରଜନୀ, ଯାଅ–ଦି’ଟା ଖାଇ ଦେଇ ବାହାରି ପଡ଼ । ସେମାନେ ଷ୍ଟେସନକୁ ବାହାରି ଗଲେ ଆମେ ଅଚିନ୍ତା । ତୁଳସୀ, ଆରେ ତୁ କାନ୍ଦୁଛୁ କାହିଁକି ? ରଜନୀ ! ତୁ ପରା ମୋର ସୁନା ଝିଅ ! ଦି’ଟା ଖୋଇପେଇ ଦେଇ ଲୁଗାପଟା ପିନ୍ଧାଇ ଦେ’–ସେ ବାହାରି ଯା’ନ୍ତୁ ।

 

ସୁମିତ୍ରା ଦେବୀ ଚାଲିଗଲେ । ତୁଳସୀର ମୁଣ୍ଡ ବିନ୍ଧା ସରିଥିଲା । ରଜନୀ ସୁମିତ୍ରା ଦେବୀଙ୍କ ଶାଢ଼ୀ ଓ ଶଙ୍ଖା ସିନ୍ଦୁର ତାକୁ ପିନ୍ଧାଇଦେଲା । ହୀରା ଚମ୍ପା ଆଦି ତିନି ଚାରୋଟି ଝିଅ ଭାତ ବାଢ଼ିଆଣି ଥୋଇଲେ । ସମସ୍ତେ ବହୁତ ବାଧ୍ୟ କଲେ ତୁଳସୀକୁ ଖାଇବାକୁ, କିନ୍ତୁ ସେ ପାରିଲାନି’ ।

 

ତୁଳସୀର ହୃଦୟ ଫାଟି ପଡ଼ୁଥାଏ । ଆଶ୍ରମର ମାୟା, ମେନେଜର–ଗୋପାଳ ବାବୁ ଓ ସୁମିତ୍ରା ଦେବୀଙ୍କର ସ୍ନେହ, ହରଭାଗିନୀ ଭଉଣୀମାନଙ୍କର ଶରଧା–ସରୁ ତାର ଗୋଟି ଗୋଟି ମନେ ପଡ଼ୁଛି । ଏସବୁ ସେ ଭୁଲିଯିବ କିପରି ?

 

ମେନେଜର ବାବୁ ହଠାତ୍ ପହଞ୍ଚି ପାଟି କରି ଉଠିଲେ, କ’ଣ କରୁଛ ରଜନୀ, ଶ୍ରୀକାନ୍ତ ପରା ରିକ୍‍ସାରେ ବସିଲାଣି । ତାଙ୍କୁ ଷ୍ଟେସନରେ ବିଦା କରିଦେଇ ଆସିଲେ ମୋର କାମ ସରିଲା । ରଜନୀ ଉତ୍ତର ଦେଲା, “ସାର୍, ତୁଳସୀ ଜମା ଖାଉନି, ଖାଲି କାନ୍ଦୁଛି । –“ତେବେ ତାକୁ ବାଧ୍ୟ କରନା । ବାଧ୍ୟ କଲେ ବି ସେ ଖାଇ ପାରିବ ନାହିଁ । ତାକୁ ବୁଝାଇ ସୁଝାଇ ବିଦା କରିଦିଅ । ମେନେଜର ବାବୁ ଗେଟ୍ ଆଡ଼କୁ ଚାଲିଗଲେ ।

 

ଆଶ୍ରମର ଗେଟ ପାଖରେ ଦୁଇଟି ରିକ୍‍ସା ଠିଆ ହୋଇଥାଏ । ଗୋଟିକରେ ଜିନିଷପତ୍ର ଥାଏ ଅନ୍ୟଟିରେ ଶ୍ରୀକାନ୍ତ ବସିଥାଏ । ତୁଳସୀକୁ କେତେ ବୁଝାଇ ସୁଝାଇ ଆଶ୍ରମ ବାଳିକାମାନେ ଓ ସୁମିତ୍ରା ଦେବୀ ନେଇ ଆସିଲେ ଗେଟ୍ ପାଖକୁ । ତୁଳସୀ ପ୍ରଣାମ କଲା ବାପୁଜୀଙ୍କର ପ୍ରସ୍ତର ମୂର୍ତ୍ତିକୁ ଆଉ ତାର–ତୁଳସୀ ଚଉରାକୁ । କେତେ ଯତ୍ନରେ ସେ ଗଛଟିକୁ ବଢ଼ାଇଥିଲେ । ନିତି ତାରି ମୂଳେ ସେ ସଞ୍ଜ ଦୀପ ଜାଳି କେତେ ତାର ଅନ୍ତର ବେଦନା ଜଣାଉଥିଲା । ଏବେ କିଏ ତା’ର ଯତ୍ନ ନେବ-? ତୁଳସୀ ବାଷ୍ପାକୁଳ କଣ୍ଠରେ ରଜନୀକୁ କହିଲା, “ରଜନୀ ଅପା, ଏଇ ଚଉଁରାଟି ତୋର । ନିତି ତୁ’ ଏ ଗଛରେ ପାଣିଦେଇ ସଞ୍ଜ ଦେବୁ । ମୁହଁ ଫେରାଇ, ପୁଣି ଚାହିଁଲା ସେ ମେନେଜର ବାବୁ ଓ ସୁମିତ୍ରା ଦେବୀଙ୍କୁ । ଦୁହିଁଙ୍କ ଆଖିରେ ଲୁହ । ସଜଳ ନୟନରେ ସେ ଦୁହିଁଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କଲା । ଆଖିରୁ ଲୁହ ପୋଛୁ ପୋଛୁ ମେନେଜର ବାବୁ କଲ୍ୟାଣ କଲେ–ମା’ ତୋ କାଚ ବଜ୍ର ହେଉ-! ସୁଖରେ ତୁ’ ସଂସାର କର । ଯାଉଛୁ, ଥରେ ତୋ ମାଆକୁ ଏଇଠି ମୁଣ୍ଡ ଲଗାଇ ପ୍ରଣାମ କର । ତାର ଅବିନାଶୀ ଆତ୍ମା ଘୂରି ବୁଲୁଥିବ । ସେ ଆଜି ବଞ୍ଚିଥିଲେ, କେତେ ଖୁସି ହେଉ ନଥାନ୍ତା ।

 

ତୁଳସୀ ମା, ଉଦ୍ଦେଶ୍ୟରେ ଭୁଇଁରେ ମୁଣ୍ଡ ଲଗାଇ ପ୍ରଣାମ କଲା । ତାପରେ ସାଥି ଭଉଣୀମାନଙ୍କୁ ଧରି କେତେ କାନ୍ଦିଲା । ମୂହୁର୍ତ୍ତକ ପାଇଁ ଗୋଟାଏ କ୍ରନ୍ଦନର ଝଡ଼ ବ୍ୟାପିଗଲା ଚତୁର୍ଦ୍ଦିଗରେ । ଆକାଶ କମ୍ପି ଉଠିଲା । ବୃକ୍ଷ ଲତା ଉପରେ ବସି କାଉ କୋଇଲି ଆଦି ପକ୍ଷୀମାନେ ଦୁଃଖରେ ରାବି ଉଠିଲେ । ଗଛରୁ ଫୁଲ ଝଡ଼ି ପଡ଼ିଲା–ତୁଳସୀର ବିଦାୟ ବାରତା ପାଇଁ ତାର କୁକୁର ଛୁଆଟି କିଛି ବୁଝି ପାରୁ ନ ଥାଏ । ଦୌଡ଼ି ଦୌଡ଼ି ଖାଲି ଭୁ, ଭୁ, ହେଉଥାଏ |

 

ସମସ୍ତଙ୍କଠାରୁ ବିଦାୟ ନେଇ, ରିକ୍‍ସାରେ ବସିଲେ ଶ୍ରୀକାନ୍ତ ଓ ତୁଳସୀ । ସମସ୍ତଙ୍କୁ ଆଉ ଥରେ ବିଦାୟକାଳୀନ ପ୍ରଣାମ ଜଣାଇଲା ତୁଳସୀ । ସମସ୍ତଙ୍କ ଉପରେ ଶୋକର ଆକାଶ ଭାଙ୍ଗି ପଡ଼ିଲାକି ଆଉ ? ସୁମିତ୍ରା ଦେବୀ ଦେବୀ ଭୋ’ ଭୋ’ କାନ୍ଦି ପକାଇଲେ । କଲ୍ୟାଣ କଲେ–ମା’ ତୋର ଯାତ୍ରା ଶୁଭ ହେଉ ।

 

ରିକ୍‍ସା ଚାଲିଲା । ମେନେଜର ବାବୁ ସାଇକେଲ୍‌ରେ ପଛେ ପଛେ ଆସୁଥାନ୍ତି । ତୁଳସୀ ପୋଷିଥିବା–କୁକୁର ଛୁଆଟି କୁଆଡ଼େ ଯାଉଛି ବୋଲି–ଦୌଡ଼ି ଦୌଡ଼ି ରିକ୍‍ସା ଆଗରେ ହାଜର । ଭୁ’ ଭୁ’ କରି ଚଢ଼ିଗଲା ରିକ୍‍ସାବାଲା ଉପରକୁ କାମୁଡ଼ିବାକୁ । ମେନେଜର ବାବୁ କହିଲେ–“ମା’ ତା’କୁ ସାଙ୍ଗରେ ନେଇ ଯା, ସେ ରହିବ ନି ଏଠାରେ ।” ତୁଳସୀ ପପି ବୋଲି ଡାକିଦେଲା । ଏକା ଡିଆଁକେ ପପି ଯାଇଁ ତା’ କୋଳରେ । ପାଟି ତାର ଫିଟୁ ନାହିଁ । ଖାଲି ସେ ତା’ ମୁହଁକୁ ଚାହିଁ ଭୁ’ ଭୁ’ ହେଉଛି । ସତେ ଯେପରି କହି ଚାଲିଛି ସେ–ଅପା, ମୋତେ ଛାଡ଼ିଦେଇ ତୁ’ କୁଆଡ଼େ ଯାଇଥିଲୁ ଏକା ଏକା ?

 

ରିକ୍‍ସା ପୁଣି ଛୁଟିଲା ଷ୍ଟେସନ୍ ଅଭିମୁଖେ । ପଛକୁ ଫେରି ଚାହିଁଲା ତୁଳସୀ । ଗେଟ୍ ବାହାରେ ସୁମିତ୍ରା ଦେବୀ ଓ ସବୁ ସାଙ୍ଗସାଥୀମାନେ ଚାହିଁଛନ୍ତି-ତା’ର ଚଲା ବାଟକୁ । ଆଖିରୁ ଲୁହ ଝରିପଡ଼ିଲା ତୁଳସୀର । ହାତ ଯୋଡ଼ିଲା ସେ ପୁଣି ଥରେ ସମସ୍ତଙ୍କୁ । ଏହି ତା’ର ଶେଷ ବିଦାୟ ।

Image

 

(୧୯)

 

ସନ୍ଧ୍ୟା ଛ’ଟା । ପୁରୀ ହାଉଡ଼ା ଏକ୍‍ସପ୍ରେସ୍‍ରେ ଶ୍ରୀକାନ୍ତ ଓ ତୁଳସୀକୁ ଉଠାଇ ଦେଇ ମେନେଜର ଗୋପାଳକୃଷ୍ଣ ବାବୁ ଆଖିରୁ ଲୁହ ପୋଛି ପୋଛି ଆଶ୍ରମକୁ ଫେରିଲେ ।

ଟ୍ରେନଟି ଛୁଟିଛି ଅବିରାମ ଗତିରେ । ଚାନ୍ଦ ଲୁଚକାଳି ଖେଳୁଛି-ତାରକା ଖଚିତ ମହାଶୂନ୍ୟର ଭସା ବଉଦ ସାଥିରେ । ଜ୍ୟୋସ୍ନା ବିଧୌତ ଧରଣୀରାଣୀ ଅପୂର୍ବ ଶୋଭାର ପସରା ମେଲାଇ ଦେଇଛି । ଅନତି ଦୂରରେ ଢେଉ ଢେଉକା ପାହାଡ଼ମାଳା ଜ୍ୟୋସ୍ନାର ପ୍ରାବୃଟ ମଧ୍ୟରେ ମୀନକ୍ଷୀର ଅଞ୍ଜନ ଗାର ପରି ଦେଖାଯାଉଛି । ଯାତ୍ରୀବାହୀ ବାଷ୍ପୀୟ ଶକଟଟି ନିଜ ଦେହକୁ ଆଲୋକମାଳାରେ ବିଭୂଷିତା କରି ସେଇ ସଂସାର ମଧ୍ୟରେ ସାପେଇ ସାପେଇ ପଡ଼ିଥିବା ଲୌହପଥ ଉପରେ ଛୁଟିଛି ଆଗକୁ ।

ରିଜର୍ଭ ଫାଷ୍ଟ କ୍ଳାସ୍ କମ୍ପାଟ୍‍ମେଣ୍ଟରେ ବସିଛନ୍ତି ତୁଳସୀ ଓ ଶ୍ରୀକାନ୍ତ । କୁକୁର ଛୁଆଟି ବେଞ୍ଚ ତଳେ ଶୋଇ ଆନନ୍ଦରେ ଘୁଙ୍ଗୁଡ଼ି ମାରୁଛି । ତୁଳସୀ ବାହାରକୁ ଚାହିଁ ପ୍ରକୃତିର ଶୋଭା ଦର୍ଶନରେ ବିଭୋର । ସତେ ଯେପରି ସେ ଅନ୍ୟ ଏକ ଚଳନ୍ତି ଗ୍ରହରେ ବସି ଶ୍ରୀମଣ୍ଡିତା ପୃଥିବୀ ମଧ୍ୟରେ ପ୍ରଣୟର ନୂତନତ୍ଵ ଉଭାବନ କରୁଛି । ଶ୍ରୀକାନ୍ତ ସେ ପାଖ ବେଞ୍ଚରୁ ଧୀରେ ଧୀରେ ଉଠି ଆସି ତୁଳସୀର ଆଖି ଧରି ପକାଇଲା । ତୁଳସୀ ଧରିନେଲା ତାଙ୍କର ସୁନ୍ଦର କରପଲ୍ଲବକୁ । କହିଲା ଡବା ଭିତରେ ତ ଆମ ବ୍ୟତୀତ ତୃତୀୟ ବ୍ୟକ୍ତି ଆଉ କେହି ନାହାନ୍ତି । ହସିଲା ଶ୍ରୀକାନ୍ତ । ଆଗକୁ ଟିକିଏ ଝୁଙ୍କିପଡ଼ି ପଚାରିଲା–“କଣ ଦେଖୁଚ ତୁଳସୀ !”

–କି ସୁନ୍ଦର ଏ ଜହ୍ନ ରାତି ।

–ହଁ ସେ ରାତିପରି ଏ ନୁହେଁ ।

–ସେ ରାତି ?

–ହଁ, ମନେପଡ଼ୁନି ? ଯେଉଁଦିନ ତୁମେ ତୁମ ବାପାଙ୍କର ମୃତ୍ୟୁ ଓ ଭାଇଙ୍କର ଅନ୍ତର୍ଦ୍ଧାନ ଖବର ପାଇଁ ମେଡିକାଲରେ ଅଚେତ ହୋଇ ପଡ଼ିଥିଲ । ମେଡ଼ିକାଲ୍‍ରୁ ଡିସ୍‍ଚାର୍ଜ ହେବା ପରେ ତୁମର ଚିତ୍ତବିନୋଦନ ପାଇଁ ଏହିପରି ଏକ ମଧୁର ସନ୍ଧ୍ୟାରେ ଆମେ ଦୁହେଁ ବସିଥଲେ ଯୋବ୍ରା ଆନିକଟର ଏକ ପାଷାଣ ସ୍ତମ୍ଭ ଉପରେ । ଚାନ୍ଦ, ବ୍ୟୋମଚାରିଣୀ ଦେବକନ୍ୟାଙ୍କ ସଙ୍ଗେ ମହାନଦୀର ସ୍ଵଚ୍ଛ ଜଳ–ଦର୍ପଣରେ ତା’ର ମୁଖଦର୍ଶନରେ ରତଥିଲା । ତରଳ ଚାନ୍ଦିନୀ ଢେଉ ଖେଳୁଥଲା ନଦୀ ବକ୍ଷରେ । ପ୍ରକୃତି ମାଲୁଣୀ ବୁଢ଼ୀର ଉଦ୍ୟାନରୁ ଭାଷି ଆସୁଥିଲା ହେନାର ମହକ କେତେ ବ୍ୟଥା ଭରା ମରମକୁ ପୁଲକିତ କରିବାପାଇଁ । ତୁମେ ଲାଜରା ହୋଇବସିଥିଲ ମୋଠାରୁ କିଛି ଦୂରରେ । ସହରର କେଉଁ ଏକ ସପନପୁରୀରୁ ଭାଷି ଆସୁଥିଲା–ମୋଟଲ ଏ ଆଜାମ୍-ର ଶ୍ରେଷ୍ଠ ସଙ୍ଗୀତ–“ଯବ୍ ପ୍ୟାରେ କିୟା ତୋ ଡରନା କ୍ୟା । ତୁମେ ତନ୍ମୟା ହୋଇ ପଡ଼ିଥିଲ । କାହିଁକି କେ’ଜାଣି ମୋତେ ଟିକେ ସଲଜ ଆଖିରେ ଚାହିଁ ଦେଇ ମୁହଁ ପୁଣି ଫେରାଇ ନେଲ ।

–ମିଛ କଥା ।

ମୁହଁ ଫେରାଇ ନେଉଥିଲା–ତୁଳସୀ । ଶ୍ରୀକାନ୍ତ ତା’ର ଥରିଲା ଓଠକୁ ଧରି ପକାଇ କହିଲା–ତେବେ ସତ କଥା କ’ଣ ? ସ୍ମିତ ହାସ୍ୟରେଖା ଖେଳିଗଲା ତୁଳସୀର ଗୋଲାପି ଅଧରରେ-। ଢଳି ପଡ଼ିଲା ସେ–ଶ୍ରୀକାନ୍ତର ପ୍ରସସ୍ଥ ଛାତି ଉପରେ ।

ଏଇଟା ତେବେ ସତ୍ୟ ତୁଳସୀ ।

–ହଁ ବାବୁ, ନା ନା...ସବୁ ମିଛ ।

ମିନତୀ ଭରା ନୟନରେ ଶ୍ରୀକାନ୍ତର ମୁହଁ ଚାହିଁ ସେ ଅଳ୍ପ ହସିଦେଲା । ଛାତିରେ ଛାତି, ଆଖିରେ ଆଖି ମିଳନ–କି ମାୟା । ଶ୍ରୀକାନ୍ତ ଆଙ୍କିଦେଲା ତାର ରଙ୍ଗିମା ଗଣ୍ଡରେ ଚୁମ୍ବନର ରେଖା ।

ଜୀବନର ନୂଆ ଅନୁଭୂତି । ଭୟଭୀତା ତୁଳସୀର ଥରିଲା ଛାତିଟା ଶ୍ରୀକାନ୍ତର ଗରମ ଛାତିର ଆକର୍ଷଣରେ ସ୍ଥିର ହୋଇଗଣି । ନିଦ୍ରାଦେବୀଙ୍କ ଶାନ୍ତିମୟ କୋଳରେ ଶୋଇଯାଇଛନ୍ତି–ଦୁହେଁ । ବିଜୁଳି ଆଲୋକରେ ଦୁହିଁଙ୍କ ମୁହଁରେ ଉକୁଟି ଉଠୁଥିବା ଗରମ ଦିନର ସ୍ଵେଦ ମୁକୁତା ବିନ୍ଦୁକୁ ଚୋରା ପବନ ଅପହରଣ କରୁଛି–ଝରକା ଫାଙ୍କଦେଇ । ଚିର ଇପ୍‍ସିତ କାମନାର ପୂରଣ ପରେ ଦୁହେଁ ଭୁଲି ଯାଇଛନ୍ତି–ଜୀବନର କୋଟି ଅବସାଦ; ଭୂତ ଭବିଷ୍ୟତ, ବର୍ତ୍ତମାନ; ଜଗତର ଦୁଃଖ ଶୋକ, ମାନ ଅପମାନ । କିନ୍ତୁ ଭାଗ୍ୟଚକ୍ରର ଗତି କେଉଁ–ଗ୍ରହକୁ । ତାହା ତା’ଙ୍କୁ ଜଣା ନାହିଁ । ରାତି ପ୍ରାୟ–୪ଟା ବାଜିଲା ।

ଏକ୍‍ସପ୍ରେସ୍ ଆସି ବାଲେଶ୍ଵରରେ ପହଞ୍ଚିଲା । ଯାତ୍ରୀ କୋଳାହଳରେ ଶ୍ରୀକାନ୍ତର ନିଦ୍ରା ଭାଙ୍ଗିଗଲା । ଚଟ୍‍ପଟ୍ ଉଠାଇ ଦେଲା ତୁଳସୀକୁ । ପୋଷାକପତ୍ର ପିନ୍ଧା ପିନ୍ଧି କରି ଡବାଟିର କବାଟ ଖୋଲି ଚାହିଁଲା–ପଦାକୁ । ତେଣେ ନୂଆ ହାକିମଙ୍କ ଅପେକ୍ଷାରେ କେତେ ଜଣ ତଳିଆ କର୍ମଚାରୀ ଏପଟ ସେପଟ ଦୌଡ଼ି ବୁଲୁଛନ୍ତି । ସେମାନଙ୍କୁ ଚିହ୍ନାଦେଇ ଓହ୍ଲାଇ ପଡ଼ିଲା ଟ୍ରେନରୁ ।

ନୂଆ ବାବୁବାବୁଆଣି, ନୂଆ ସ୍ଥାନ, ନୂଆ ଜିପ୍ । ସବୁ ନୂଆ ଧରି ଜିପ୍ ଛୁଟିଲା ନୂଆବସା ଆଡ଼କୁ ।

Image

 

(୨୦)

 

ସୁକାନ୍ତ ଶ୍ରୀକାନ୍ତର ମାଉସୀ ପୁଅ ଭାଇ । ଯେଉଁଦିନ ସୁକାନ୍ତର ମେଟ୍ରିକ୍ ପରୀକ୍ଷାର ଫଳ ବାହାରିଲା ସେଦିନ ତା’ର ବାପା ମi’ ଦୁହେଁ ହଇଜାରେ ବାଟ କାଟିଲେ । ଆଉ ତା’ର ଆହା କରିବାକୁ କେହି ସାହା ନାହାନ୍ତି । ଶ୍ରୀକାନ୍ତ ପାଖକୁ ନିଜର ଦୁଃଖ ଜଣାଇ ସେ ଚିଠି ଲେଖିଲା ।

ଉତ୍ତର ଅପେକ୍ଷାରେ ଆଠ ଦିନ ବିତି ଗଲା । ହତାଶର ଶେଷ ମୁହୂର୍ତ୍ତରେ ସୁକାନ୍ତକୁ ପୋଷ୍ଟମ୍ୟାନ୍ ଆଣି ଚିଠି ଖଣ୍ଡିଏ ଦେଲା । ଶ୍ରୀକାନ୍ତ ଲେଖିଛି । ଏତେ ଦିନ ପରେ ଚିଠି ଆସିଛି । ସୁକାନ୍ତ ପଢ଼ିଲା ଚିଠିଟି । ଗର୍ବରେ ଛାତି ଫୁଲିଉଠିଲା ତା’ର । ମା’ଙ୍କର ମୃତ୍ୟୁ ବାରତା ଶୁଣି ସେ ମର୍ମାହତ ହୋଇଛନ୍ତି–ଲେଖିଛନ୍ତି, “ସୁକାନ୍ତ ତୁ ଗାଁ ଛାଡ଼ି ବାଲେଶ୍ଵର ଚାଲିଆ’ । ମୋର ବସାରେ ରହି ପଢ଼ିବୁ । ଆଜିଠୁଁ ଗୋଟେ ଚାକିରୀ କରିବୁ କ’ଣ ? –ଯାହା ପାଇଁ ଚିନ୍ତା କରୁଥିଲୁ–ସେ ଚାଲିଗଲେ । ଆଉ କାହାପାଇଁ- ଚାକିରୀ କରିବୁ । ତୁ ଚିଠିପାଇ ଯେତେ ଶୀଘ୍ରପାରୁ ବାଲେଶ୍ଵର ଚାଲିଆ’ । ଇତି ।

ସୁକାନ୍ତର ବିରସ ବଦନରେ ହାସ୍ୟରେଖା ଫୁଟି ଉଠିଲା । ଆଉ ତାଲା ଖୋଲିବ କ’ଣ–ବ୍ୟାଗଟି ଧରି ବାହାରି ଆସିଲା ରାସ୍ତା ଉପରକୁ । ପାଖରେ ତ ପଇସା ନାହିଁ । ପାଦରେ ଚାଲିବାକୁ ଆରମ୍ଭ କଲା~କଟକ ଷ୍ଟେସନ୍ ପର୍ଯ୍ୟନ୍ତ ।

କଟକରେ ପହଞ୍ଚିଲା ବେଳକୁ ରାତି ପ୍ରାୟ ସାତଟା । ଏପଟ ସେପଟ ହେଉଁ ହେଉଁ, ଦୁଇ ତିନି ଘଣ୍ଟା କଟିଗଲା । ଦଶଟାବେଳେ ଆସିଲା ଜନତା । ସେଇଥିରେ ସେ ଗାର୍ଡ଼କୁ ନିଜର ଦୁଃଖ ଜଣାଇ ବାଲେଶ୍ଵର ପର୍ଯ୍ୟନ୍ତ ଯିବାକୁ ଅନୁମତି ପାଇଲା ।

ବାଲେଶ୍ଵରରେ ପହଞ୍ଚି ବାଟ ପଚାରି ପଚାରି ସୁକାନ୍ତ ଗଲା ଶ୍ରୀକାନ୍ତର ବସାକୁ । ସୁକାନ୍ତକୁ ପାଇ ଶ୍ରୀକାନ୍ତ ଓ ତୁଳସୀର ଆନନ୍ଦ କହିଲେ ନ ସରେ । ଜୀବନର ଘଡ଼ିସନ୍ଧି ବେଳେ ଲକ୍ଷ୍ମଣ ପରି ଭାଇଙ୍କୁ ପାଇ ସୀତା ରାମ ନିଜକୁ ଧନ୍ୟ ମନେ କରିଥିଲେ । ଆଜି ତୁଳସୀ ଶ୍ରୀକାନ୍ତ ମଧ୍ୟ ସୁକାନ୍ତ ପରି ଭ୍ରାତୃଭକ୍ତ ଭାଇକୁ ପାଇ ସମାଜ, ନିଜ ପିତା ମାତାଙ୍କର ନିଷ୍ଠୁର ଅବହେଳା ଓ ଅତ୍ୟାଚାରକୁ ଦିନକୁ ଦିନ ପାଶୋରି ପକାଉଛନ୍ତି ।

ବାଲେଶ୍ୱର କଲେଜରେ ସୁକାନ୍ତ, ନାମ ଲେଖାଇ ପଢ଼ିଲା । ବଡ଼ଭାଇ ବଡ଼ ଭାଉଜଙ୍କ ଠାରୁ ପୁତ୍ରସ୍ନେହ ପାଇ ସେ ପିତା-ମାତାଙ୍କର ବିୟୋଗ ଦୁଃଖ ଭୁଲିଗଲା । ଭାଇଙ୍କୁ ତ ମୁହଁଟେକି କିଛି କହେନା ସୁକାନ୍ତ । ସେଇ ଗରିବ ଅଚ୍ଛବ ଝିଅ ତୁଳସୀ ପାଖରେ ତା’ର ସବୁ ଅଳିଧଳି । ସେଇ ତାର ନମସ୍ୟା । ନାରୀ–ନୁହେଁ ଦେବୀ, ଭାଉଜ ନୁହେଁ–ମା’ ।

Image

 

(୨୧)

 

ଦିନ ବିତି ଯାଏ । ହେମନ୍ତ ସନ୍ଧ୍ୟାଠାରୁ ଭଗ୍ନୀର ବ୍ୟବହାର ପାଇ-ଭୁଲିଯାଏ ସମସ୍ତ ଅତୀତର ଝଡ଼ଝଞ୍ଜାକୁ ।

 

ତା’ର ଯାହା ଅଳି, ଅଭିମାନ ସବୁ ସନ୍ଧ୍ୟା ପାଖରେ ।

 

ସେଦିନ ହେମନ୍ତ ମୁହଁ ପାଖକୁ ଚା’ କପ୍‍ଟି ନେଉ ନେଉ ଥୋଇ ଦେଲା । ସନ୍ଧ୍ୟା ଦୌଡ଼ି ଯାଇ ଚା’ କପ୍‍ଟି ହେମନ୍ତର ମୁହଁ ପାଖକୁ ଉଠାଇ ଧରି କହିଲା-ଭାଇ ତୁମେ ଖାଅ । ଆଜି ବାପାଙ୍କୁ କହି ଚୁଡ଼ି ମଗାଇ ନେବି । କାଲି ମା’ଙ୍କୁ କହିଲି ଯେ–ସେ ମନା କଲେ । କହିଲେ,–“ସ୍କୁଲରେ ପଢ଼ୁଛୁ, ଏକ୍ଷଣି ଚୁଡ଼ି କ’ଣ ଦରକାର । ପାଠ ପଢ଼ି ସାରିଲେ ପିନ୍ଧିବୁ ।”

 

–ଆହୁରି ଦଶବର୍ଷ ପାଠପଢ଼ିବୁ ହାତଦିଟା କ’ଣ ସେତେ ଦିନ ଯାଏଁ -ଫୁଙ୍ଗୁଳା ଥିବ ? ଦେଖୁ ନାହୁଁ ତୋ ସାଙ୍ଗ ସାଥିମାନେ କିପରି ସ୍କୁଲକୁ ଆସୁଛନ୍ତି । ତୁ’ ବାପାଙ୍କଠାରୁ ପଇସା ମାଗି ଆଣ୍ । ତୋ ହାତକୁ ମାନିଲା ଭଳି ଚୁଡ଼ି ମୁଁ ଆଣି ଦେବି ।

 

–ତୁମେ ମୋତେ ପିନ୍ଧାଇ ଦେବ ଭାଇ?

 

–ହଁ, ମୁଁ ପିନ୍ଧାଇ ଦେବି । ବାପା କ’ଣ କରୁଛନ୍ତି ଦେଖିଲୁ ।

 

–ଦେଖି ଆସିଲି ପରା-ଠାକୁର ସେବା କରୁଛନ୍ତି ।

 

–ହଉ ଯା’ ତା’ଙ୍କ ଠାରୁ ପଇସା ମାଗି ରଖିବୁ ।

 

ହେମନ୍ତ ଚା’ କପଟି ସନ୍ଧ୍ୟା ହାତରୁ ନେଇ ଖାଇଲା । ସନ୍ଧ୍ୟା ଆନନ୍ଦରେ ଘରଚଟିଆ ପକ୍ଷୀପରି ଡେଇଁ ଡେଇଁକା’ ପଦାକୁ ବାହାରି ଗଲା ।

 

ଗୋରାଚାନ୍ଦ ବାବୁ ଠାକୁର ସେବାସାରି ପ୍ରସାଦ ପାଉ ପାଉ ଶୁଣୁଥିଲେ–ଦୁହିଁଙ୍କର କଥୋପକଥନ । ବାଜିଲା ତାଙ୍କର କାନରେ ହେମନ୍ତର କଥା ପଦକ-ହଁ ମୁଁ ତୋତେ ଚୂଡ଼ି ପିନ୍ଧାଇ ଦେବି । ବୁକୁ ଭିତରଟା ତାଙ୍କର ଥରିଉଠିଲା ଏକ ଅବ୍ୟକ୍ତ ଆନନ୍ଦରେ ! ପୁଣି ଜଳି ଉଠିଲା ଆନନ୍ଦର ପରିବର୍ତ୍ତେ ବିଷାଦର ବହ୍ନି ।

 

ସନ୍ଧ୍ୟା ବାଳୁତ ବିଧବା । ଅଜ୍ଞାନରେ ମିନା ବାଲ୍ୟ ପୌଗଣ୍ଡ ବିତିଗଲା ବୈଜୟନ୍ତି ବାନା ଟାଣି ବୟସ ଅସିଛି । ତରଳ ଯୌବନର ସ୍ଵର୍ଣ୍ଣରେଖା ମୁଖମଣ୍ଡଳରେ ତା’ର ଫୁଟି ଉଠିଲାଣି । କଥାରେ ତା’ର ମାଦକତା, ନୟନରେ ତା’ର ଲଜ୍ଜାର କଜ୍ଜଳ ରେଖା ପ୍ରକୃତି ଦେଲାଣି ? କିପରି ସେ ସହିବ ଏ ଯୌବନର ଭାର । କିପରି ସେ ଆଚରିବ ତାପସୀ ସଞ୍ଜମ ? ଅଭିଶପ୍ତା ମା’ ମୋର । ଭାବିଥିଲି–ଖ୍ରୀଷ୍ଟିଆନ୍ ଧର୍ମରେ ବିଧବା ବିବାହ ସମ୍ବନ୍ଧରେ କିଛି କଟକଣା ନାହିଁ । କିନ୍ତୁ ଆଜି ମୋ ପ୍ରସ୍ତାବରେ କେହି ରାଜି ହେଉନାହାନ୍ତି କାହିଁକି ? ହେମନ୍ତ କ’ଣ ସବୁ ଜାଣି ଶୁଣି ସନ୍ଧ୍ୟା ହାତରେ ଚୁଡ଼ି ପିନ୍ଧାଇ ପାରିବ ? ହେ ପ୍ରଭୁ । ତୁମେ ମୋତେ କ୍ଷମାକର ! ମୁଁ କ’ଣ ଭାବୁଛି ? ମୋତେ ମରଣ ଦିଅ ପ୍ରଭୁ । ସନ୍ଧ୍ୟାର ଏ ଦୁଃଖ ମୁଁ ନ ଦେଖେ ।

 

ସଜଳ ନୟନରେ ଲୋଟି ପଡ଼ିଲେ ଗୋରାଚାନ୍ଦ ବାବୁ ଦେବତାଙ୍କ ଚରଣ ତଳେ । ସନ୍ଧ୍ୟା–“ବାପା ବାପା” ! ଡାକି ଡାକି ଝପ୍‍ଟି ଆସିଲା । ଦ୍ୱାରରୁଦ୍ଧ । କବାଟରେ ହାତମାରି ଡାକିଲା–‘ବାପା ! ବାପା !!’’ ବୃଦ୍ଧ ଗୋରାଚାନ୍ଦ ବାବୁ ପ୍ରକୃତିସ୍ଥ ହେଲେ । ପାଗଳୀଟା ଅଖିରେ ଯଦି ଲୁହ ଦେଖିବ–କେତେ ପ୍ରଶ୍ନ ପଚାରିବ । ନ ଜାଣୁ–ସେ ବିଧବା ବୋଲି । ଆଖିରୁ ଲୁହ ପୋଛିଦେଇ ଗୋରାଚାନ୍ଦ ବାବୁ କବାଟ ଖୋଲିଲେ–“କ’ଣ କିରେ ସଞ୍ଜୁ’’ ?

 

କବାଟ ବନ୍ଧର ଜଞ୍ଜିରକୁ ଧରି ସନ୍ଧ୍ୟା କହିଲା–ହେମନ୍ତ ଭାଇ କହୁଛନ୍ତି–ମୁଁ ଚୂଡ଼ି ନ ପିନ୍ଧଲେ ସେ ମୋ ହାତରୁ କିଛି ଖାଇବେ ନାହିଁ । ତୁମେ ମୋତେ ଚୂଡ଼ି ଆଣିଦିଅ–ସେ ପିନ୍ଧାଇ ଦେବେ ।

 

–ମା’ଙ୍କୁ କହୁନୁ ।

 

–ମା’ ପରା ମନାକଲେ–କହିଲେ ପାଠ ପଢ଼ୁଛୁ–ଏକ୍ଷଣି ଚୂଡ଼ି କ’ଣ ଦରକାର ।

 

–ଭଲ କହିଛି ।

Unknown

 

–ହଁ–ଅନ୍ୟମାନେ କିପରି ପିନ୍ଧୁଛନ୍ତି ।

 

–ସେ କ’ଣ ତୋ’ଠାରୁ ବେଶି ଭଲ ପଢ଼ୁଚନ୍ତି ?

 

ନିରବ ରହିଲା ସନ୍ଧ୍ୟା । ସେ ତାଙ୍କ କ୍ଲାସରେ ପ୍ରଥମ ହୁଏ । କିନ୍ତୁ ସେ ଭଲ ପଢ଼େ ବୋଲି କେବେ ନିଜର ପ୍ରଶଂସା କରି ଅନ୍ୟର ସମ୍ମାନହାନି କରେନା । କିଛିକ୍ଷଣ ପରେ ପୁଣି ସନ୍ଧ୍ୟା କହିଲା-ମୁଁ କାହାରିକୁ ଅନୁକରଣ କରୁନାହିଁ ବାପା । ଚୂଡ଼ି ନ ପିନ୍ଧିଲେ ଯେ ହେମନ୍ତ ଭାଇ ମୋ ହାତରୁ କିଛି ଖାଇବେନି ।

 

–ଆଚ୍ଛା ଡାକିଲୁ ତାକୁ–

 

ସନ୍ଧ୍ୟା ହେମନ୍ତକୁ ଦୋଷିକରି ଦେଇ ଦୌଡ଼ିଗଲା–ତାକୁ ଡାକି ଆଣିବାକୁ । ବୃଦ୍ଧ ଗୋରାଚାନ୍ଦ ବାବୁ ଠିଆ ହୋଇ–ଲକ୍ଷ୍ୟ କରୁଥାନ୍ତି ତାର ଗତିବିଧି । ଜାଣିଲେ-ହେମନ୍ତ ପାଇଁ ତାର ମନ- କେତେ ବ୍ୟାକୁଳ । ହେମନ୍ତର ଅଭିମାନ ସତେ ଯେପରି ତା’ର କର୍ତ୍ତବ୍ୟ ତୃଟିର ଅଭିଶାପ । ଦୁହେଁ ଆଗ ପଛ ହୋଇ ତାଙ୍କ ପଢ଼ୁ ରୁମରୁ ବାହାରି ଆସୁଥିବାର ଦେଖି ବୃଦ୍ଧ ଭାବନା ରାଜ୍ୟରୁ ଫେରିଆସିଲେ । ଚାହିଁଲେ ଥରେ ତାଙ୍କର ସୁଶୀଳା କନ୍ୟାକୁ ଓ ଆଉ ଥରେ ସୌମ୍ୟବଦନ ହେମନ୍ତକୁ । ଆଖିର ପଲକ ତାଙ୍କର ଚଳନ ଶକ୍ତି ହୀନ ହୋଇପଡ଼ିଲା । ସେ ଭୁଲିଗଲେ ସନ୍ଧ୍ୟାର ବୈଧବ ଦଶା । ଗମ୍ଭୀର ବୁକୁ ତାଙ୍କର ପୁଲକିତ ହୋଇଉଠିଲା । ନିଜ କୋଠରୀରୁ ବାହାରି ଆସି ସେ ଅଧାବାଟରୁ ଦୁହିଁଙ୍କୁ କୋଳ କରିନେଲେ । ଚିତ୍କାର କଲେ–“ସଞ୍ଜୁ ବୋଉ ! ଶୁଣୁଛ ? ରୋଷଘରୁ ବାହାରି ଆସିଲେ ରାଧାରାଣୀ ।

 

–କ’ଣ କହୁଛ ?

 

–ଦେଖିଲ, ପୁଅ ଝିଅକୁ କୋଳରେ ଧରି ମୁଁ କିପରି ସୁନ୍ଦର ଦିଶୁଛି ।

 

–ମଲା ମୋର ! ଏଇ କଥା ଦେଖାଉଛ ?

 

–ନାହିଁ ମ ଆଉରି ଗୋଟିଏ କଥା ।

 

–କ’ଣ ?

 

–ହେମନ୍ତ କହୁଛି, ସଞ୍ଜୁ ଆମର ଚୁଡ଼ି ନ ପିନ୍ଧିଲେ ସେ ତା’ ହାତରୁ ଖାଇବ ନାହିଁ ।

 

ବିଷ୍ଫାରୀତ ନୟନରେ ରାଧାରାଣୀ ଚାହିଁ ରହିଲେ ବୃଦ୍ଧ ଗୋରାଚାନ୍ଦ ବାବୁଙ୍କୁ । ମୁଖରୁ ତାଙ୍କର ବାକ୍ୟସ୍ଫୁରୁ ନାହିଁ । କି ଉତ୍ତର ସେ ଦେବେ ? ତାଙ୍କୁ କିଛି ବୁଦ୍ଧି ଦିଶିଲା ନାହିଁ । କିଛିକ୍ଷଣ ପରେ ଅନ୍ତରର କୋହକୁ ଚାପି ରଖି କହିଲେ–ହେମନ୍ତ ମୋର ପାଗଳା ବାପାର ପାଗଳା ପୁଅ । ଗୋରାଚାନ୍ଦ ବାବୁ ପାଳି ଧରିଲେ ମୁଁ ତ ସେଇ କଥା କହୁଛି । ସଞ୍ଜୁର ଚୂଡ଼ି ପିନ୍ଧା ବେଳ କ’ଣ ଗଡ଼ିଗଲାଣି ବର୍ତ୍ତମାନ ତ ସ୍କୁଲ ଛାତ୍ରୀ- ସୁନ୍ଦର ପୋଷାକ ପତ୍ର, ଚୂଡ଼ି ଫୁଡି କ’ଣ ହେବ ? ପାଠ ପଢ଼ା ସରୁ ଆଗ ।

 

–ହଉ ତାଙ୍କୁ ଛାଡ଼ିଦିଅ । ପିଲାଙ୍କୁ ମୋ’ର ଭୋକ ହେବଣି । ଜଳଖିଆ କରି ଆସିବେ ।

 

–ଯାଆ, ବାପା ମା’ ମୋର–ଆଗ ଖାଇ ଆସ । ତାପରେ ଆମର ଯେଉଁ ଅନାଥ ଆଶ୍ରମ ତିଆରି ହେଉଛି–କାମ ଶେଷହେବା ପର୍ଯ୍ୟନ୍ତ ଆନୁମାନିକ ଖର୍ଚ୍ଚର ତାଲିକା କରିବା । ଯେଉଁଦିନ ଆଶ୍ରମ ଉଦ୍‌ଘାଟନ ହେବ, ସେ ଦିନ ସଞ୍ଜୁ, ମୋର ଚୂଡ଼ି ପିନ୍ଧିବ । କାଚ ଚୂଡ଼ି ନୁହେଁ–ସୁନାଚୂଡ଼ି । ବୃଦ୍ଧ ଗୋରାଚାନ୍ଦ ବାବୁ ଦୁହିଁଙ୍କୁ ମୁକୁଳାଇ ଦେଲେ, ନିଜର ସ୍ନେହାକୁଳ ବାହୁବନ୍ଧନରୁ । ସନ୍ଧ୍ୟା ପବନ ପରି ଛୁଟିଗଲା ମା’ଙ୍କ ପଛେ ପଛେ ରୋଷ ଘରକୁ । ରୋଷ ଘର କବାଟ ବନ୍ଧରେ ଠିଆ ହୋଇ ଶୀଘ୍ର ଆସିବାକୁ ସେ ହାତଠାରି ଡାକୁଥାଏ ହେମନ୍ତକୁ । ହେମନ୍ତ ଚାଲିଛି କଚ୍ଛପ ଗତିରେ ।

 

ଗୋରାଚାନ୍ଦ ବାବୁ ଦୁହିଁଙ୍କର ଅଭିନୟକୁ ଦର୍ଶନ କରି ତନ୍ମୟ ହୋଇ ଠିଆ ହୋଇଚନ୍ତି–ଯେଉଁଠି ସେଇଠି ।

 

ଘୁରିଆସି ପଛରୁ ଡାକିଲା ସନ୍ଧ୍ୟା–‘ବାପା ।

 

ଫେରିପଡ଼ି ସେ କହିଲେ ପାଗଳୀଟା ତୁ ! କ’ଣ କହୁଛୁ–କହ

 

–ତୁମେ କହିଲ ପରା ଆମେ ବୁଲିଯିବୁ ?

 

–କୁଆଡ଼େ ଯିବ

 

–ରେବା କୂଳକୁ ।

 

–ପର୍ବତ ପାହାଡ଼ ଜାଗା, ଭୟ ଲାଗିବ ନାହିଁ ?

 

–ନାହିଁ ବାପା, ଜଳପ୍ରପାତ ଦେଖି, ସିଂହେଶ୍ଵର ମହାଦେବଙ୍କଠାରେ ଭୋଗ ଲଗୋଇ ଫେରି ଆସିବୁ । ବୁଲି ଆସିଲେ ଭାଇଙ୍କ ମନ ଫୁର୍ତ୍ତି ହେବ ।

 

–ହଉ ଯାଅ ।

 

ଗୋରାଚାନ୍ଦ ବାବୁ ଚାଲିଗଲେ ନିଜ କାମରେ । ସନ୍ଧ୍ୟାର ଗୋଡ଼ ତଳେ ଲାଗୁ ନାହିଁ । ହେମନ୍ତକୁ ଟାଣିପକାଇ ସେ ଉଠାଇ ପକାଇଲା । ଜଳଖିଆ ଥାଳି ପାଖରୁ–କାନ୍ଥଘଣ୍ଟାରେ ବାଜିଲା ନଅ ।

Image

 

(୨୨)

 

କେତେ ଢେଉ ଢେଉକା ପାହାଡ଼ ସନ୍ଧିରେ ବସ୍ତ୍ରରେଖା ସଦୃଶ ନାଲିରାସ୍ତା ଉପରେ ଆମ୍ବାସଡ଼ାର କାରଟି ଛୁଟିଛି ମଣିଚୂଳ ସର୍ପପରି । ନିଜେ ଚଳାଉଛି କାର୍‍ଟିକୁ ସନ୍ଧ୍ୟା । ମନ ଆନନ୍ଦରେ ଚିତ୍ତବିନୋଦିଆ ଗୀତ ପଦେ ପଦେ ଗାଇ ଦେଉଛି ସେ । ପ୍ରଭୁ ସିଂହେଶ୍ୱରଙ୍କ ମନ୍ଦିର ଦ୍ୱାରରେ କାର୍‍ଟି ଅଟକିଲା । ଆଉ ପାହାଡ଼ ଉପରକୁ ରାସ୍ତା ପଡ଼ି ନାହିଁ । ସନ୍ଧ୍ୟା ହେମନ୍ତର ହାତଧରି ଓହ୍ଲାଇ ଅସିଲା କାର୍ ଭିତରୁ । ଦୁହେଁ ମହାଦେବଙ୍କ ମନ୍ଦିର ଭିତରକୁ ଗଲେ ।

 

ଦିଅଁ ଦର୍ଶନ ସାରି ଉଠିଲେ ପର୍ବତ ଉପରକୁ । ହେମନ୍ତ ଜୀବନରେ ଏତେ ବଡ଼ ପର୍ବତାରୋହଣ ଏ ହେଉଛି ପ୍ରଥମ । କିନ୍ତୁ ଶିଳା ବନ୍ଧୁର ପଥ ଦ୍ରୁତଗାମୀ ପୋତ ସନ୍ଧ୍ୟାକୁ ଏ କିଛି ନୂଆ ନୁହେଁ । ସେ ହେମନ୍ତର ହାରକୁ ଧରି ଆଗକୁ ଆଗକୁ ବଢ଼ୁଥାଏ ।

 

ପାହାଡ଼ିଆ ସରୁ ରାସ୍ତା । ବୃକ୍ଷଲତାର ଗହଳୀ ଭେଦି ଭୂଇଁ ଉପରେ ସୂର୍ଯ୍ୟକିରଣ ପଡ଼ୁ ନାହିଁ । କେଉଁଠି କପୋତ କପୋତୀ ଲୁଚିରହି ବିଶାଳ ଅରଣ୍ୟର ନିରବତାକୁ ଭଗ୍ନକରି ଘୁମୁରି ଉଠୁଛନ୍ତି । ହରିଣି ଦଳ ରାସ୍ତା ଏପଟରୁ ସେପଟକୁ ଆନନ୍ଦରେ ଡିଆଁ ମାରି ଝପଟି ଯାଉଛନ୍ତି । କଜଳପାତିର “ଝାମ୍ପି ଚିର୍” ଆଉ ହଳଦୀ ବସନ୍ତର “ଟୁକୁକୁଳୁ” ରାବରେ ବିଶାଳ ପର୍ବତ ମଧ୍ୟଦେଶ ମୁଖରିତ ହୋଇଉଠୁଛି । ମୃଦୁ ମଳୟ ପର୍ବତ ଶିଖରୁ ବହି ଆଣୁଛି–ଚନ୍ଦନର ସୁବାସ । ଝାଉଁ ବଣ ଝିଙ୍କାରିର ଝିଁ ଝିଁ ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ସିଂହେଶ୍ୱର ଶୃଙ୍ଗକୁ ଛୁଇଁ ଛୁଇଁ ଭାସି ଯାଉଛନ୍ତି ଘନକୃଷ୍ଣ ମେଘମାଳା କି ସୁନ୍ଦର ସେ ଦୃଶ୍ୟ । ଅପୂର୍ବ ସେ ବନ ସ୍ଥଳି–ସତେ ଅବା ଦୁଃଖ ପାଶୋରା ଅପ୍‍ସରା ଭୁବନ । ଏଇଥିପାଇଁ ବୋଧେ ମୁନିଋଷିମାନେ ଏ ନିର୍ଜନ ସ୍ଥାନ ଛାଡ଼ି ସଂସାରର ଦୁଃଖ ଶୋକ–ରୋଗ ଆଉ ସମାଜର ନିର୍ଯ୍ୟାତନା ଭୋଗିବାକୁ ବିସ୍ତୃତ ଜନପଦରୁ ଓହ୍ଲାଇ ନାହାନ୍ତି ।

 

ଦୁହେଁ ପ୍ରକୃତିର ଶୋଭା ଦର୍ଶନରେ ଆତ୍ମବିଭୋର ହୋଇ ପଡ଼ିଛନ୍ତି । ସନ୍ଧ୍ୟା ପ୍ରସ୍ଫୁଟିତ ବଣମଲ୍ଲୀ ତୋଳି ଆଣି ହେମନ୍ତକୁ ଦେଉଛି, ତାର ବେଣୀରେ ଖୋସି ଦେବାକୁ । ହେମନ୍ତ ସଜାଇ ଦେଉଛି । ତା’ର ଗଭା । ଅତି ଆଦରରେ ମାରି ଦେଉଛି ତା’ର ରକ୍ତିମ ଚିବୁକରେ ସରୁ ଚାପୁଡ଼ାଟିଏ-। ଅଭିମାନରେ ଲୁଚିଯାଉଛି ସନ୍ଧ୍ୟା କେଉଁ କୃଷ୍ଣଶୀଳା ତଳେ–ଅବା କେଉଁ ବୃକ୍ଷ ଅନ୍ତରାଳରେ ହେମନ୍ତର ଭୟାକୁଳ–“ସନ୍ଧ୍ୟା” ଡାକରେ ଦେଖା ଦେଇ ପୁଣି

 

ଲୁଚିଯାଉଛି କେଉଁଠି ।

 

ଲୁଚକାଳି ଖେଳି ଖେଳି ଦୁହେଁ ପହଞ୍ଚିଲେ ସିଂହେଶ୍ଵର ଜଳ ପ୍ରପାତ ନିକଟରେ । ସକଳ କଳୁଷ ହାରିଣୀ, ସକଳ ଶୁଭଦାୟିନୀ ସିଂହେଶ୍ୱର ଜଳପ୍ରପାତରେ ସନ୍ଧ୍ୟା ସ୍ନାନ କରିବାକୁ ଓହ୍ଲାଇଲା-

 

କାମନା ହୀନ ହେମନ୍ତ ଘାଟର ଏକ ବିସ୍ତୃତ ଶୀଳା ଖଣ୍ଡ ଉପରେ ବସି ପ୍ରପାତର ଗୁରୁଭୈରବ ମୂର୍ତ୍ତି ଦର୍ଶନରେ ବିଭୋର । ମନେ ପଡ଼ୁଥାଏ~ତାର ଜନମ ଭୂଇଁ ଓଡ଼ିଶାର ମହାବିନାୟକ ଓ ଚଣ୍ଡିଖୋଲର ଦୃଶ୍ୟ । ସେ ବର୍ଷ ଶିବରାତ୍ରୀକୁ ସେ ବାପା, ମା, ଭାଇ, ଭଉଣୀଙ୍କ ସଙ୍ଗେ ଚଣ୍ଡିଖୋଲ ଯାଇଥିଲା । ପର୍ବତ ଶିଖରବାସୀ ପ୍ରଭୁ ମହାବିନାୟକ ପାଦଧୌତ କରି ବହି ଆସୁଥିବା ଛୋଟ ଝରଣାଟିର ପବିତ୍ର ଜଳରେ ସ୍ନାନକରି ସେ ନିଜକୁ କେଡ଼େ ଭାଗ୍ୟବାନ ମନେ କରୁଥିଲା । ଆଜି ସେ ପୁତଭୂମି କେତେ ଦୂରେ ? ବାପା ମା’ ଭାଇ ଭଉଣୀ ଏମାନେ କେଉଠି ?

 

ନୟନରୁ ତାର ଝରି ପଡ଼ିଲା ଲୋତକ; ଦୀର୍ଘ ନିଶ୍ଵାସ ଛାଡ଼ିଲା ହେମନ୍ତ । ଝୁରି ଝୁରି ମାଟିରେ ମିଶିଲେ ବି ଅତୀତ ଆଉ ବର୍ତ୍ତମାନକୁ ଫେରି ଆସିବନି–ବରଂ ସେ ଚାଲିଯାଉଥିବ ଆହୁରି ସୁଦୁର ଅତୀତକୁ–କେବଳ ସ୍ମୃତିଟି ଖାଲି ପଡ଼ି ରହିଥିବ ।

 

ସନ୍ଧ୍ୟା ସ୍ନାନ ସାରି ଛାଟି ଦେଲା ପାଣି ଚଳେ ହେମନ୍ତ ଉପରକୁ । ଚିନ୍ତାଶୀଳ ହେମନ୍ତର ସ୍ଵପ୍ନ ଭାଙ୍ଗିଗଲା । ଚମକି ପଡ଼ିଲା ସେ । ହସି ଉଠିଲା ସନ୍ଧ୍ୟା, “ଭାଇ ଚମକି ପଡ଼ିଲକି, ଏତେ କଣ ଭାବୁଥିଲ ?”

 

–ଆଜିଯାଏ ତୋର ଦୁଷ୍ଟାମି ଗଲା ନାହିଁ । ଦେଖୁଛୁ ପରା ମୋତେ ଭୀଷଣ ଶୀତ ।

 

–ଭୁଲ ହୋଇଗଲା । ମୁଁ ଭାବିଲି–କବିପ୍ରାଣ ଭାଇ ମୋର କଳ୍ପନା ରାଜ୍ୟରେ ଭାସି ବୁଲିଲେଣି । ପଡ଼ିଯିବେ ଯଦି କେଉଠି–ଗୋଡ଼ହାତ ଭାଙ୍ଗିଯିବ । ମୋର ପାଣି ଚଳାକ ତୁମର କିଛି ଉପକାର କଲା କି ନାହିଁ କହିଲ ? ଆଚ୍ଛା ଭାଇ ତୁମେ ତ କେବେ କବିତା ବି ଲେଖି ନାହିଁ ?

 

–ମୁଁ ତ କବି ନୁହେଁ କବିତା ଲେଖିବି କିପରି ?

 

–ଆଉ କ’ଣ ଭାବୁଥିଲ ?

 

–ଆଶ୍ରମ କଥା । ଆଶ୍ରମଟି ଏହି ସ୍ଥାନରେ ହୋଇଥିଲେ ସୁନ୍ଦର ହୋଇଥାନ୍ତା ।

 

–ହଉ ବାପାଙ୍କୁ କହି ଆଉ ଗୋଟିଏ ଆଶ୍ରମ ଏଠି ତିଆରି କରିବା ।

 

–ତୋର ଭାରି ବୁଦ୍ଧି ସନ୍ଧ୍ୟା !

 

–ମୋର ବୁଦ୍ଧି ବିଦ୍ୟା; ସବୁ–ଭାଇ କେବଳ ତୁମର ଜୀବନ ପଥରେ ସାହାଯ୍ୟ କରିବାକୁ-

 

–କେତେ ଦିନ ତୁ ଆଉ ମୋତେ ସାହାଯ୍ୟ କରିବୁ ?

 

–କାହିଁକି ?

 

–ଶାଶୁଘରକୁ ଯିବୁ ନାହିଁ ?

 

–ବାଜେ କଥା । ଆସ ଯିବା ବାପା ଫେରିବା ପୁର୍ବରୁ ଆମେ ନ ପହଞ୍ଚିଲେ–ମୁସ୍କିଲ୍ ।

 

ଆଗେ ଆଗେ ସନ୍ଧ୍ୟା, ପଛେ ପଛେ ହେମନ୍ତ ପର୍ବତ ଉପରୁ ଖସିଲେ ମଟରକାର୍ ପାଖକୁ । ସନ୍ଧ୍ୟା କାର୍‌ରେ ବସିଲାଣି । ହେମନ୍ତ ଚାହିଁଛି–ପର୍ବତର ପାଦଦେଶର ସବୁଜ ଶସ୍ୟକ୍ଷେତ୍ରକୁ । କି ସୁନ୍ଦର ଦିଶୁଛି ସେ ଦିଗନ୍ତବ୍ୟାପୀ ପ୍ରାନ୍ତରର ଶ୍ୟାମଳିମା । ପ୍ରକୃତିର ଏ ଅପୂର୍ବ ରୁପ ମାଧୁରୀ ଦର୍ଶନରେ ମୂର୍ଖ ଦର୍ଶକର ଅନ୍ତରରେ ମଧ୍ୟ କବିତ୍ଵ ଜାଗରିତ ହେବ । ଧନ୍ୟ ସେ ସୃଷ୍ଟି, ଧନ୍ୟ ତାର କଳା କଉଶଳ । ଶସ୍ୟକ୍ଷେତ୍ର ଉପରୁ ଦୃଷ୍ଟି ଫେରାଇ ପୁଣି ସେ ଚାହିଁଲା–ଦୂରଦିଗ୍‍ବଳୟ ତଳକୁ । ବମ୍ବେ ସହରର ରମ୍ୟ ଦୃଶ୍ୟ । ଲକ୍ଷ ଲକ୍ଷ ପ୍ରାସାଦ ଫୁଟି ଦିଶୁଛି ଶିଳ୍ପପତି ଗୋରାଚାନ୍ଦ ବାବୁଙ୍କ ଶିଳ୍ପ ପୁରୀ । ଶତ ଶତ ଚେମନୀରୁ ନିର୍ଗତ କୃଷ୍ଣଧୁମ୍ର ନୀଳଆକାଶକୁ ବିବର୍ଣ୍ଣ କରି ଦେଉଛି । ଆନନ୍ଦରେ ପ୍ରାଣଟା ତାର ନାଚି ଉଠିଲା । ସନ୍ଧ୍ୟାର ତୃତୀୟ ଡାକରେ ସେ ଜବାବ ଦେଇ ପ୍ରକୃତିର ଚିତ୍ରପଟରୁ ଦୃଷ୍ଟି ଫେରାଇ କାର୍‌ରେ ବସିଲା ।

 

କାର୍ ଷ୍ଟାଟ୍ ହେଲା ।

Image

 

(୨୩)

 

ବହୁଦିନ ପରେ ସରପଞ୍ଚବାବୁ ତାଙ୍କ ବୈଠକଖାନାରେ ମୁଣ୍ଡ ଭରାଦେଇ ବସିଛନ୍ତି । ନ୍ୟାୟପଞ୍ଚ ଗିରା ମହାନ୍ତି ନିର୍ବୋଧକ ପରି ସରପଞ୍ଚ ନରହରି ବାବୁଙ୍କ ମୁହଁକୁ ଚାହିଁଛି । ନରହରି ବାବୁ କହିଲେ–ଦେଖୁଛ ତ ମହାନ୍ତିଏ ! ପୁଅ ଦଗା ଦେଲା ବେଳେ ମାଇପର କହୁଣୀ ଡିହ । ଏଥିରେ ମୁଁ ବଞ୍ଚିବି ନା ମରିବି କୁହ ? ମହାନ୍ତି ସଳକି ବସି କହିଲା ଆପଣ କିଛି ଚିନ୍ତା କରନ୍ତୁ ନାହିଁ । କାଲି ମୁଁ ଯାଉଛି ବାଲେଶ୍ଵର । କଳେ ବଳେ କଉଶଳେ–ସାନବାବୁଙ୍କୁ ଏଠିକି ନେଇ ଆସିଲେ ଗଲା-। ସେଣିକି ଫକୀରା ଝିଅ ଭାଲୁ ଧରୁଥାଉ ।

 

–ତୁମେ ପାରିବ ମହାନ୍ତିଏ ?

 

–ନ ପାରିବ ଯଦି ଆଉ ଏ ଗାଁରେ ମୁହଁ ଦେଖାଇବି ନାହଁ ।

 

ଠିକ୍, ବକ୍‌ସିସ ତୁମର ଟ୧୦୦ଙ୍କା, ଧୋତି ହଳେ ରହିଲା । କାମ ସରିଲେ ଏ ସବୁ ପାଇବ ।

 

–ଟଙ୍କା ଲୁଗା କ’ଣ ହେବ ଆଜ୍ଞା, ଆପଣଙ୍କର କ’ଣ ଖାଉନାହିଁ ?

 

ଖାଅ ବରଂ–ତୁମକୁ ତ ମୁଁ ଦେବି । ତୁମେ ବାଲେଶ୍ଵର ଯାଅ । କାଲି କଥା ଛାଡ଼ । ଆଜି ରାତି ଗାଡ଼ିରେ ଯାଅ ।

 

–ହଁ ଆଜ୍ଞା ଭଲ ହେବ । କାଲି ସକାକୁ ସେଠି ପହଞ୍ଚିବି । ହଁ ଆଜ୍ଞା, ଗୋଟେ କଥା; ମଧୁଆଟା ମୋତେ ରଖି ଦେଉନାହିଁ ।

 

–ତା’ ଟଙ୍କା ତାକୁ ଫେରାଇ ଦିଅ । ଖାସି କଥା କହିଲେ ମୋ ପାଖକୁ ଡାକିଦେବ । ତୁମେ ଯାଅ ! ଡେରି କର ନାହଁ । ନିଅ କୋଡ଼ିଏ ଟଙ୍କା ।

 

–ହଁ ଆଜ୍ଞା ।

 

ଦୁଇଟି ଦଶଟଙ୍କିଆ ନୋଟ ଅଣ୍ଟାରେ ମାରି ଗିରା ମହାନ୍ତି ବୈଠକଖାନା ବାରଣ୍ଡା ତଳକୁ ଖସି ଯାଉଥିଲା । ନରହରି ବାବୁ ମୁଣ୍ଡରେ ହାତ ଦେଇ ବସିଥାନ୍ତି । ହୀରା ଦେଈ ରଣଚଣ୍ଡୀଙ୍କ ପରି ଭିତରୁ ବାହାରିଆସି କହିଲେ, ଦେଖ ଗିରା ମହାନ୍ତି ! ତୁମେ ବାଲେଶ୍ଵର, ଯାଉଛ ଯାଅ ! ମନା ନାହିଁ, ଯଦି ମୋ ପୁଅବୋହୁର କିଛି ଅନିଷ୍ଠ କର ସେଣିକି ମୋତେ ଚିହ୍ନିବ । ହଁ–ସତ କହୁଛି ତୁମକୁ ଜିଅନ୍ତା ଖାଇ ଦେବି । ମୁଁ ଦେଖେଁ ଏ ବୁଢ଼ା ମାଙ୍କଡ଼ ପୁଅ ବୋହୁଙ୍କୁ ଆଣୁଛି କି ନାହିଁ ଘରକୁ ।

 

ଏତିକି କହି ହୀରା ଦେଈ ଘର ଭିତରକୁ ପଶିଗଲା । ନରହରି ବାବୁ ଉଠିଗଲେ–ଅଫିସ୍ ଘର ଆଡ଼କୁ ।

Image

 

(୨୪)

 

ବାଲେଶ୍ଵର । ଶ୍ରୀକାନ୍ତ ବାବୁ ହାକିମଙ୍କ କ୍ଵାଟର । କ୍ଵାଟର ଚାରିପଟେ ବଗିଚା । ଏଇ ଚାରି ମାସ ଭିତରେ ତୁଳସୀର ମେହେନତରେ କେତେଗୁଡ଼ିଏ ନୂଆ ନୂଆ ଫୁଲଗଛ, କଦଳୀବୁଦା, ସାଗପଟାଳି, କଲମି ଆମ୍ବ, ଲେମ୍ବୁ ଆଦି ଉତ୍ତୁରିଛି । ଦାଣ୍ଡ ଦୁଆରେ, ବାରଣ୍ଡା ତଳଠାରୁ ଚାରି ପାଞ୍ଚ ହାତ ଦୂରଯାଏ ଘାସ ସଫା ହୋଇ ଧାରେଧାରେ କେତେ ରକମର ଫୁଲ ଗଛ ଲାଗିଛି । ଦୁଇକଣକୁ ଦୁଇଟି ଗଙ୍ଗଶିଉଳୀ ବୁଦା । ଚତୁର୍ଦ୍ଦିଗରେ ବିଲାତି କଣ୍ଟାବାଡ଼ର ପାଚେରୀ ପ୍ରଧାନ ଫାଟକ ଉପରେ ଶିଆରୀ ଲତା ମାଡ଼ିଛି । ଫାଟକ ପାର ହୋଇଗଲେ ବୈଠକଖାନା । ସେଇଠି କଟକରୁ ଯାଇଥିବା କୁକୁର ଛୁଆଟି ଦିନରାତି ବସି ବଶ୍ଵସ୍ତ ଭୃତ୍ୟର କାର୍ଯ୍ୟ କରୁଛି, କେହି ଆସିଲେ ଜଣାଇ ଦେଉଛି ହାକିମଙ୍କୁ ।

 

ସେ ଦିନ ସକାଳୁ ଆଗ ଶ୍ରୀକାନ୍ତ ଗାଧୋଇ ପଡ଼ି ପୋଷାକ ପିନ୍ଧି ତର ତର ହେଉଛି କୁଆଡ଼େ ଯିବ ବୋଲି । କାନ୍ଥରେ ଟଙ୍ଗା ହେଇଥିବା ବଡ଼ ଅଇନା ପାଖରେ ଠିଆ ହୋଇ ମୁଣ୍ଡ କୁଣ୍ଡାଉଛି । ତୁଳସୀ ତାଟିଆରେ ପାଣି ମନ୍ଦେ ଧରି ପ୍ରବେଶ କଲା; ଶ୍ରୀକାନ୍ତକୁ ପୋଷାକ ପିନ୍ଧୁ ଥିବାର ଦେଖି ଚମକି ପଡ଼ି ପଚାରିଲା, “ତୁମେ କ’ଣ ପୋଷାକ ପିନ୍ଧିଲଣି–ନିଜେ ନିଜେ ?”

 

–ବାହାରେ ଜରୁରୀ କାମ ଅଛି । ଅଧଘଣ୍ଟାକ ଭିତରେ ଫେରି ଆସିବି ।

 

–ତେବେ ମୁଁ ଆଜି ପାଦୁକା ପାଇବିନି ?

 

–ସବୁ ଦିନେ ପାଉଛ; ଆଜି ନ ପାଅ । ଭଗବାନ ତୁମକୁ ସଦ୍‍ବୁଦ୍ଧି ଦିଅନ୍ତୁ । ଯାଅ, ଚା’ କରୁଥାଅ–ମୁଁ ଆସୁଛି ।

 

–ପାଦୁକା ନ ପାଇ ମୁଁ କିଛି କାମ କରିବି ନି । ମୋ କାମ ସାରି ତୁମେ କୁଆଡ଼େ ଯାଉଛ ଯାଅ ।

 

ନଇଁ ପଡ଼ିଲା ତୁଳସୀ ଶ୍ରୀକାନ୍ତର ଗୋଡ଼ ପାଖରେ, ଓହ୍ଲାଇ ଦେଲା ଦକ୍ଷିଣ ଗୋଡ଼ରୁ ବାଟା କମ୍ପାନୀର ପୂରା ଜୋତାକୁ । ପାଦୁକା ପାଇ ପୁଣି ପିନ୍ଧାଇ ଦେଲା । ଟେବୁଲ ଉପରେ ଥୁଆ ହୋଇଥିବା ନେକ୍‍ଟାଇଟିକୁ ଶ୍ରୀକାନ୍ତର ବେକରେ ବାନ୍ଧି ଦେଲା । ଶ୍ରୀକାନ୍ତ ଖାଲି ନିର୍ଜିବ ପରି ଠିଆ ହୋଇ ତା’ର କାର୍ଯ୍ୟକଳାପକୁ ଲକ୍ଷ୍ୟ କରୁଥାଏ । ତାଟିଆଟି ଧରି ଯିବାକୁ ଉଦ୍ୟତ ହେଲା ତୁଳସୀ । କହିଲା ଏଥର ତୁମେ ଯୁଆଡ଼େ ଯାଉଛ ଯାଅ, ମୋର କିଛି ଆପତ୍ତି ନାହିଁ ।

 

–ତୁମର ଆପତ୍ତି ନାହିଁ ?

 

–ନା,

 

ଶ୍ରୀକାନ୍ତର ଦୀର୍ଘବାହୁ ଦୁଇଟି ଭିଡ଼ି ଆଣିଲା ତୁଳସୀକୁ ତାରି ସ୍ପିତ ବକ୍ଷ ଉପରକୁ । ଆଙ୍କି ଦେଲା ସେ ଗୋଟାଏ ସରୁ ଚୁମ୍ବନ ତାର ଥରିଲା ଚିବୁକରେ। ତୁଳସୀ ହାତରୁ ଠଣକରି ତାଟିଆଟି ତଳକୁ ଖସି ପଡ଼ିଲା ।

 

–ଛି, ଚାହିଁଲେ ଅଇନାକୁ–

 

–ତୁମେ, ମୁଁ । ଆଉ ତୁମେ ମୋ ବାହୁବନ୍ଧନରେ ।

 

–ସୁକାନ୍ତ କଲେଜରୁ ଫେରୁଥିବେ ।

 

–ଦେଖୁ-ଦେଖିଲେ ସିନା ଶିଖିବ ।

 

–ତୁମେ ଭାରି–

 

ପପି ଭୁକିଲା । ବୈଠକଖାନାରୁ ଶୁଭିଲା–“ବାବୁ ! ଘରେ ଅଛନ୍ତି ?” ତୁଳସୀ ବିଜୁଳି ପରି ଭିତର ଘରକୁ ଚାଲିଗଲା । ଶ୍ରୀକାନ୍ତ ବାହାରି ଆସିଲା ପଦାକୁ ! “କିଏ ? ମଉସା ! ଆସ ! ତୁଳସୀ ଗାଁର ଗିରା ମଉସା ଆସିଛନ୍ତି” ଡାକ ଶୁଣି ତୁଳସୀ ଦୌଡ଼ି ଆସିଲା; ଦୁହେଁ ମହାନ୍ତିଙ୍କୁ ନମସ୍କାର କଲେ ।

 

–ହଉ ବାପ ! ତୁମକୁ କିଏ ଅକଲ୍ୟାଣ କରୁଛି । ଭଗବାନ ତୁମକୁ ମଙ୍ଗଳରେ ରଖନ୍ତୁ । କୁଆଡ଼େ ବାହାରିଛ

 

ବାପା ?

 

–ମୁଁ ଟିକେ ବାହାରକୁ ଯାଉଛି । ଅଧଘଣ୍ଟାଏ ପରେ ଫେରିବି । ତୁମେ ଗାଧୁଆ ପାଧୁଆ କର~କାଲିଠୁଁ ଆସିଲଣି, ଭୋକ ହେବଣି !

 

–ତୁମକୁ ଦେଖି ମୋର ପେଟ ପୂରି ଉଠୁଛି ବାପା ? ଖାଇବ କ’ଣ ?

 

ତୁମ କଲ୍ୟାଣରୁ ମଉସା ସବୁ ଭଲ । ଘରକୁ ଯାଅ–ଲୁଗା ବଦଳାଇ ଧୋଇ ଧୂଆ ହୁଅ-। ତୁଳସୀ, ମଉସାଙ୍କୁ ଚା’ ଜଳଖିଆ ଦିଅ ?

 

–ନାହିଁ ବାପା–ସେ ସବୁ ଆମର ଚଳେ ନାହିଁ । ଆମର ସେଇ ଭାତ ମୁଠାକ ।

 

–ତେବେ ଶୀଘ୍ର ତୁଳସୀ ରୋଷାଇର ବନ୍ଦୋବସ୍ତ କର–ମୁଁ ଆସୁଛି ।

 

ଶ୍ରୀକାନ୍ତ ଚାଲିଗଲା । ତୁଳସୀ ମହାନ୍ତିର ଛତା, ବାଡ଼ି ନେଇ ଗଲା ଘର ଭିତରକୁ । ସେଣେ ଯାଇ ଖାଇବାର ବ୍ୟବସ୍ଥା କଲା । ମଫସଲି ଲୋକ, ଚା’ ଜଳଖିଆକୁ ତାଙ୍କର ପସନ୍ଦ ନୁହେଁ-। ଭାତତିଅଣ ତାଙ୍କର ଦରକାର ।

 

ଗିରା ମହାନ୍ତି ବୈଠକଖାନାରେ ବସି ବଟୁଆରୁ ପାନଗୁଆ ବାହାର କରି ସଜିଲି କରୁ କରୁ ଭାବୁଥାଏ–ଚା’ ଖାଇବାକୁ ମନାକରି କେଡ଼େ ଭୁଲ କଲି । କେତେବେଳେ ରୋଷେଇ ହେବ ? ଏଣିକି ତେଣିକି–ଭୋକରେ ଚାହୁଁଥାଏ । କି ସୁନ୍ଦର ଭାବରେ ସଜା ହୋଇଛି ଘରଟା । ସୁକାନ୍ତ କଲେଜରୁ ଫେରି ସେଇବାଟେ ନିଜ ପଢ଼ାଘରକୁ ଯାଉଁ ଯାଉଁ ମହାନ୍ତିଙ୍କୁ ପଚାରିଲା–ଆପଣଙ୍କ ଘର-? ମହାନ୍ତିଏ ଜବାବ ଦେବା ପୂର୍ବରୁ–ତୁଳସୀ ରୋଷଇର ଭିତରୁ କହିଲା–ସେ ପରା ଗିରା ମଉସା ! ଆମ ଶଶୁରଙ୍କର ଦକ୍ଷିଣ ହାତ ।

 

–ସତେ, ନମସ୍କାର ମଉସା !

 

–ତୁମେ କିଏ ବାପ, ମୁଁ ତ ଚିହ୍ନି ପାରୁ ନାହିଁ ।

 

–ମୁଁ ପରା ବାବୁଙ୍କର ମଉସା ପୁଅ ଭାଇ । ମୋ ନା’ ସୁକାନ୍ତ ।

 

–ହଁ ବୁଝିଲି । ତୁମେ କେତେଦିନ ହେଲା ଆସିଲଣି ?

 

–ମୁଁ ବାବୁଙ୍କ ଘରେ ରହି କଲେଜରେ ପଢ଼ୁଛି ।

 

–ହଉ ଭଲ । ଯା’ ଲୁଗା ବଦଳା ।

 

ସୁକାନ୍ତ ଲୁଗା ବଦଳାଇ ମହାନ୍ତି ପାଖରେ ବସିଲା । ମଧୁପୁର ଇଲାକାର ଭଲ ମନ୍ଦ, ନରହରି ବାବୁ ହୀରାମଣୀ ଦେଈଙ୍କ ଗପ, ଆଉ କେତେ ଦେଶଦୁନିଆଁର କଥା ପଡ଼ିଲା । ଶେଷକୁ ମହାନ୍ତି ପଚାରିଲା–ଭଲ ଡାକ୍ତର ଏଠାରେ ଅଛନ୍ତି ? ଏ ପେଟ ମରା ରୋଗ ପାଇଁ ଆସିଛି–ଯଦି ଭଲ ହୋଇଯାଏ ।

 

–ହଁ, ଭାଇଙ୍କର ସାଙ୍ଗମାନେ ଏଠି ଡାକ୍ତର । ଭାଇ ଆସନ୍ତୁ ଖାଇ ପିଇ ସାର–ତୁମକୁ ବଡ଼ ଡାକ୍ତରଖାନା ନେଇ ଯିବେ ।

 

–ସେଇ ପେଟ ମରା ପାଇଁ ତ ବାପ ମୁଁ କିଛି କରିପାରୁ ନାହିଁ ।

 

–ଭଲ ହୋଇଯିବ । ଚିନ୍ତାକର ନାହିଁ, ମଉସା ।

 

ଏହାଭିତରେ ଦୁଇଘଣ୍ଟା ବିତିଗଲାଣି । ଗିରା ମହାନ୍ତି ଏଣେ ଭୋକରେ ଛଟପଟ, ତୁଳସୀ ହାତର ପାଣି ଛୁଇଁବ ନାହିଁ ବୋଲି ଯେଉଁ ଆଣ୍ଟ ଥିଲା ବିନାଟିକଟରେ ଗାଡ଼ିରେ ଆସିବାରୁ ଟି: ଟି: ଆଇ ସେ ଆଣ୍ଟ ଭାଙ୍ଗି ଦେଇଛି । ଭୋକରେ ମହାନ୍ତି ଘନ ଘନ ହାଇ ମାରିଲେଣି । ସୁକାନ୍ତ କହିଲା-ମଉସା ଭୋକ–ହେଲାଣି ବୋଧହୁଏ–

 

–ନାହିଁ ବାପ, ସେତେ ଭୋକ ହୋଇନାହିଁ ଯେ–ସକାଳୁ ପଖାଳଖିଆ ଲୋକ । ମୁଁ ଟିକିଏ ଡେରି ହୋଇଗଲାଣି ।

 

–ମୁଁ ଦେଖେ ରୋଷେଇ କେତେ ଦୁର ଗଲାଣି ।

 

ସୁକାନ୍ତ ଉଠିଗଲା ରୋଷେଇ ଘରକୁ । ରୋଷେଇ ସାରି ତୁଳସୀ ଭାତ ବାଢ଼଼ିବ ବୋଲି ବାସନ ଧୋଉଥିଲା । ସୁକାନ୍ତ କହିଲା–ନୂଆ’ଉ ମୁଁ ବର୍ତ୍ତମାନ ଖାଇବିନି, ଭାଇ ଆସନ୍ତୁ–ସାଙ୍ଗ ହୋଇ ଖାଇବୁ । ତୁମେ ମଉସାଙ୍କ ପାଇଁ କେବଳ ବାଢ଼ । ଭୋକରେ ସେ ହାଇ ମାରିଲେଣି ।

 

ସୁକାନ୍ତ ମହାନ୍ତିଙ୍କୁ ଡାକିଦେଇ ପଢ଼ି ବସିଲା । ହାତ ଧୋଉ ଧୋଉ ମହାନ୍ତିଙ୍କର ମଲି ଫୁଲିଆ ଭାତ ଥାଳି ଓ ଥାଳି ଚାରିପାଖ ନ’ ତିଅଣ ଛ’ ଭଜା ଉପରେ ଆଖି ପଡ଼ିଲା । ଶୁଖିଲା ଓଠରେ ତାର ଦରଭଙ୍ଗା ହସ ଖେଳିଗଲା । ଥାଳି ପାଖେ ବସୁ ବସୁ ଜିଭ ତଳର ତରଳ ପଦାର୍ଥରେ ପାଟି ଭରି ଉଠିଲା । ବାବୁଘର ଖାନା । ଜୀବନର ପ୍ରଥମ–ଏ । ଖାଇବ କ’ଣ । ଦେଖୁଦେଖୁ ତ ପେଟ ପୂରିଗଲାଣି । ଆଚମନ ବିଧି ସମାପ୍ତକରି ମହାନ୍ତି ମାଛଝୋଳରୁ ଆଗ ନିଶ୍ଵାସ ବୁଡ଼ା ଶୋଡ଼କାଏ ଟାଣିଦେଲା । ପଛକୁ ପଛ ଅନ୍ୟ ତରକାରୀରେ ହାତ ବାଜିଲା । ଭାତ ଖାଉଛି କିଏ ଖାଲି ତରକାରୀରେ ତ ପେଟ ପୂରିଯିବ । ଭାତ ତ ଅଳପ ବହୁତ ସବୁଦିନେ ମିଳୁଛି; କିନ୍ତୁ ଏ ତରକାରୀ ମିଳିବ କୁଆଡ଼ୁ ? ଖାଇବା ତ ଦୁରର କଥା, ବାପ ଗୋସାପ ବି ନା ଶୁଣି ନ ଥିବେ ।

ଦ୍ଵିତୀୟ ଥର ଭାତ ତିଅଣ ଟେକି ତୁଳସୀ କିଛି ଦୂରରେ କବାଟ ଉଢ଼ାଳରେ ବସିଲା । ବୁଢ଼ାର ସଁ, ସଁ, ସାଡ଼ୁ, ସାଡ଼ୁ ଶବ୍ଦ ଶୁଣି ଶୁଣି କହିଲା–ମଉସା ଡାଲି ତିଅଣ କିପରି ହୋଇଛି ? ମୋତେ ତ ରାନ୍ଧି ଆସେ ନାହିଁ ।

–ମା’ ବାରିବାକୁ ନାହିଁ । ତୁ ଲକ୍ଷ୍ମୀ ! ସବୁ ଭଲ ହୋଇଛି । ତେ। ଶାଶୁ ଶଶୁର ପାଖରେ କହିବି ସବୁ । ପ୍ରକୃତରେ ତୁ’ ବଡ଼ଜେନା ଘରକୁ ଯୋଗ୍ୟ । ଆରେ ଜାତି ଭେଦ ତ ମଣିଷ ଗଢ଼ିଛି, ସେ ପୁଣି ଭାଙ୍ଗି ପାରିବ ନି କାହିଁକି ? ମୁଁ ତାଙ୍କୁ ବନେଇ ଦେବି । ଅଳ୍ପ ଦିନ ଭିତରେ ଆସି ତୋତେ ନେଇଯିବେ । ବର୍ତ୍ତମାନ ସେ ଦୂରେଇ ଦେଇଚନ୍ତି । ହେଉ–ବନସ୍ତରେ ହାତୀ ବଢ଼ିଲେ ରଜାର ତ ?

–ତୁମେ ଆସିଲାବେଳକୁ ବାପା, ମା’ କ’ଣ କରୁଥିଲେ ?

–ତୋ ଶାଶୁ ଶଶୁର ନା’ ? ସେ ତ ମୋତେ ତୁମ ପାଖକୁ ପଠାଇଲେ । ପୁଣି ମୋ ବାହୁଡ଼ାପଥକୁ ଚାହିଁ ରହିଥିବେ–ଚାତକ ପରି । ତୁମର ଭଲ ଶୁଣିଲେ ତାଙ୍କ ମନ ଚଇନି ହେବ ।

–ଯାହହେଉ ମଉସା ! ଏତେ ଦିନକେ ତୁମର ଆମ କଥା ମନେ ପଡ଼ିଲା ।

–ସବୁବେଳେ ମନେ ପଡ଼େ ଲୋ ମା । ହେଲେ ଆସିବାକୁ ସମୟ ନାହିଁ କି ଅର୍ଥ ବି ନାହିଁ । ଏଇ ପେଟଟା ମାରୁଛି ବୋଲି ବାଧ୍ୟ ହୋଇ କାମ ଦାମ ଛାଡ଼ି ଆସିଲି । ତୋ ଶଶୁର ବି କହିଲେ~ତୁ ବାଲେଶ୍ଵର ଯା’ । ଭଲ ମନ୍ଦ ଦେଖି ରୋଗ ଭଲ କରି ଆସିବୁ ।

–ଭଲ କରିଛି ଆସିଛ । ବାବୁଙ୍କର ଡାକ୍ତରମାନେ ଚିହ୍ନା ଅଛନ୍ତି । ଦୁଇ ଦିନ ଭିତରେ ଭଲ କରି ଦେବେ । ଆଉ ଖାଇବ କଣ ?

–ନାହିଁ ମା’ ପେଟ କାହିଁ ? ଆଚ୍ଛା ମା’ ତୋ’ ମାଆ ସାନଭାଇ ତ ଆଶ୍ରମରେ ମରିଗଲେ-। ହେମ କୁଆଡ଼େ ଗଲା ?

 

–ଭାଇଙ୍କର ବର୍ଷେ ହେଲା, କିଛି ଖବର ପାଉ ନାହୁଁ । ସ୍କୁଲରେ ଥିଲେ କୁଆଡ଼େ ଗଲେ ତାଙ୍କର ପତ୍ତା ପାଉ ନାହୁଁ ।

 

–ଆହାଃ–। ଭଗବାନ ଏପରି ନିଷ୍ଠୁର ? ସବୁ ଭାଗ୍ୟ ମା–କହିବୁ କାହାକୁ ?

 

ମହାନ୍ତି ଗ୍ଲାସ୍ ଉଠାଇ ଢକ୍ ଢକ୍ କରି ପାଣି ଗ୍ଳାସ୍‍ଟି ଶେଷକରି ଦେଇ ଆଉ ଗ୍ଲାସେ ପିଉଛି ଶ୍ରୀକାନ୍ତ ବଜାରରୁ ଫେରି, ପଶି ଆସିଲା ଘର ଭିତରକୁ । ତୁଳସୀ ଉଠିଗଲା ତାକୁ ଦେଖି ।

 

–ମଉସା ଖାଉଛ ?

 

–ହଁ ବାବୁ ଖାଇ ସାରିଲିଣି ।

 

–ଆଉ କ’ଣ ଖାଇବ କୁହ ।

 

–ନାହିଁ ବାବୁ ମା’ତ ମୋର ଆଶା ବୋଧ କରି ଦେଇଛି ।

 

–ହଉ ତୁମ ଇଚ୍ଛା–

 

ଶ୍ରୀକାନ୍ତ ଘରକୁ ଚାଲିଗଲା । ମହାନ୍ତି ପେଟକୁ ଓଳିଆ ପରି କରି ହାତ ଧୋଇ ହେବାକୁ ଉଠିଗଲା ।

Image

 

(୨୫)

 

ଚାରିଟା ଦିନ ବିତିଗଲାଣି । ଗିରା ମହାନ୍ତି ମିଛରେ ମିଛରେ ଔଷଧ ଖାଇ ଖଟିଆରେ ଗଡ଼ୁଛି । ଏତେ ବଡ଼ ସୁନାର ସଂସାର ଭାଙ୍ଗିବାକୁ ଛିଦ୍ର ଅନ୍ୱେଷଣ କରୁଛି; କିନ୍ତୁ ପୂଣ୍ୟ ଦେହରେ ପାପର ସ୍ଥାନ କାହିଁ ।

ଦଶ ବାଜିଲାଣି । ଦୁଇଭାଇଙ୍କୁ ଖାଇବାକୁ ଦେଇ ତୁଳସୀ ସିଲେଇ ମେସିନ୍ ପାଖରେ ବସିଲା । ପୂର୍ବରୁ ସୁକାନ୍ତ ପାଇଁ ପେଣ୍ଟ୍ କାମିଜ୍ ସିଲେଇ କରି ସାରିଥିଲା, ବାକିଥିଲା ବୋତାମ ଲଗାଇବାକୁ । ଦୁଇ ଭାଇ ଖାଇସାରି ଉଠିଲାବେଳକୁ ତୁଳସୀର ସିଲେଇ ସରିଲାଣି । ସୁକାନ୍ତ କଲେଜ ଯିବ । ଶ୍ରୀକାନ୍ତ ଯିବ କଚେରୀକୁ । ହାତ ଧୋଇ ହୋଇ ସୁକାନ୍ତ ନିଜ ବଖରାକୁ ଗଲା । ଶ୍ରୀକାନ୍ତ ପୋଷାକ ପିନ୍ଧିଲା । ତୁଳସୀ ତାର ଗୋଡ଼ରେ ଯୋତା, ବେକରେ ଟାଇ ପିନ୍ଧାଇ ଦେଲା । ଶ୍ରୀକାନ୍ତ ଆରାମ ଚେୟାରରେ ବସି ସିଗାରେଟ୍ ପିଉଥାଏ–ତୁଳସୀ ସୁକାନ୍ତକୁ ଡାକିଲା । ଦୌଡ଼ି ଆସିଲା ସୁକାନ୍ତ ।

କ’ଣ ନୂଆ’ଉ ?

–ଆସ, ତୁମ ପାଇଁ ପେଣ୍ଟ୍ କାମିଜି ସିଲେଇ କରିଛି ପିନ୍ଧ ।

–ବେଳ ହେଇଗଲାଣି ନୂଆ’ଉ । କାଲିକୁ ପିନ୍ଧିବି ।

–ପେଣ୍ଟ୍ କାମିଜ ପିନ୍ଧିବାକୁ ଦଶ ଘଣ୍ଟା ଲାଗିବ ନାହିଁ ଯେ–

ସୁକାନ୍ତ ଆଉ ଉତ୍ତର ନ ଦେଇ ନିରବରେ ଦୁଆର ମୁହଁରେ ଠିଆ ହେଲା । ଶ୍ରୀକାନ୍ତକୁ ତାର ଭାରି ଲାଜ । ମୁହଁ ଟେକି ସେ ତାକୁ କଥା ପଦେ କହେ ନାହିଁ । ଶ୍ରୀକାନ୍ତ କହିଲା–କିରେ ପେଣ୍ଟ୍ ସାଟ୍ ପିନ୍ଧୁ ନାହୁଁ ସୁକାନ୍ତ ପୋଷାକ ଦି’ ଖଣ୍ଡ ଧରି ନିଜ ରୁମକୁ ଚାଲି ଯାଉଥିଲା । ତୁଳସୀ କହିଲା ଶୀଘ୍ର ପିନ୍ଧିଆସ, ତୁମ ଭାଇ ଦେଖିବେ ତୁମକୁ କିପରି ମାନୁଛି ।

ତୁଳସୀ ଶ୍ରୀକାନ୍ତ ପାଇଁ ପାନ ଭାଙ୍ଗି ସାରିନାହିଁ । ସୁକାନ୍ତ ପେଣ୍ଟ କାମିଜ୍ ପିନ୍ଧି ହାଜର । ମୁଣ୍ଡ ଲଗାଇ ପ୍ରଣାମ କଲା ଭାଇ ଓ ନୂଆ’ଉଙ୍କୁ । ଶ୍ରୀକାନ୍ତ ତାକୁ କୋଳକୁ ଟାଣି ଆଣି କହିଲା, “ଦେଖିଲୁ ତୋ ନୂଆ’ଉର ତୋ'ଠାରେ କେତେ ସ୍ନେହ ?” ସୁକାନ୍ତ କୃତଜ୍ଞ ପରେ ଲାଜକୁଳି ଝାଉଁଳି ପଡ଼ିଲା ।

 

ଶ୍ରୀକାନ୍ତ ଚାହିଁଲା ଥରେ ତୁଳସୀକୁ, ଆଉ ଥରେ ସୁକାନ୍ତକୁ । ସ୍ନେହ ଆଉ ଭକ୍ତିର ଆଧାର ଦୁଇଟି ମୂର୍ତ୍ତି । ଜଣେ ସୀତା ଆଉ ଜଣେ ଲକ୍ଷ୍ମଣ । ଦୁହିଁଙ୍କ ମଧ୍ୟରେ ମହାନତା ଓ ଉଦାରତା ସ୍ଥାନ ପାଇଛି । ଦୁହିଁଙ୍କୁ ପାଇ ସେ ଧନ୍ୟ-ଆନନ୍ଦରେ ଅସ୍ଥି ର ହୋଇ- ପଡ଼ିଲା ସେ । ଆରାମ ଚେୟାର୍‍ରୁ ଉଠି ବସି ଦୁହିଁଙ୍କୁ ଦୁଇ ବାହୁରେ ଭିଡ଼ି ଧରିଲା । ଆତ୍ମା ତାର ଲୁଚିଗଲା ଈଶ୍ଵରଙ୍କ ଅପାର କରୁଣା ତଳେ । ମୁଦ୍ରିତ ନୟନରେ ସେ ପ୍ରାର୍ଥନା କଲା–ପ୍ରଭୁ ! ମୁଁ ଆଉ କିଛି ମାଗୁ ନାହିଁ, ମାଗୁଛି ଖାଲି–ବିଶ୍ୱବ୍ୟାପୀ ସ୍ନେହ, ଭକ୍ତି ଆଉ ଶାନ୍ତି; ଦୁହିଁଙ୍କୁ ବାହୁବନ୍ଧନରୁ ମୁକୁଳାଇ ଦେଇ ଯୋଡ଼ହସ୍ତେ ପ୍ରଣାମ କଲା–ଶାନ୍ତି ଉପାସକ–ମହାତ୍ମାଗାନ୍ଧୀଙ୍କ ଫଟୋକୁ ।

 

ଶ୍ରୀକାନ୍ତର ଏପରି କାର୍ଯ୍ୟ ଦେଖି ସୁକାନ୍ତ ଓ ତୁଳସୀ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି । ଭାଇର ଅନୁମତି ପାଇ ସୁକାନ୍ତ ଚାଲିଆସିଲା କଲେଜ ଯିବ ବୋଲି–ତୁଳସୀକୁ ବକ୍ଷରେ ଚାପି ଧରି ଶ୍ରୀକାନ୍ତ କହିଲା~ ତୁଳସୀ, ତୁମେ ମାନବୀ ନୁହେଁ–ମୋର ଦେବୀ ।

 

–ତୁମେ ଆଜି କଚେରୀ ଯିବନି କି ?

 

–ନାଁ’

 

–କାହିଁକି ?

 

–ଆଜି ମୋର ଆନନ୍ଦର ଦିନ ।

 

ଶ୍ରୀକାନ୍ତର ହସ ହସ ମୁଖଟି କ୍ରମେ ନଇଁ ଆସିଲା–ପ୍ରାଣର ପ୍ରତିମା–ତୁଳସୀର ଗୋଲପି ଗଣ୍ଡ ଆଡ଼କୁ ।

 

ମନ୍ଦବୁଦ୍ଧି ଗିରା ମହାନ୍ତି କାନଡେରି ଶୁଣୁଥିଲା । ହଠାତ୍ ଆନନ୍ଦରେ ହସି ଉଠି କହିଲା ସୁକାନ୍ତଟାକୁ କାହିଁକି ଏତେ ଭଲ ପାଏ ? ବାଟ ଠିକ୍ ମିଳିଲା ତାକୁ ସେ ଆହୁରି ହସିଲା । ହସରୁ ବାହାରୁ ଥିଲା -ବିଷ ।

Image

 

(୨୬)

 

ପରଦିନ ସକାଳୁ । କୁଆ କା’ ନ କରୁଣୁ ମହାନ୍ତି ବିଛଣା ଛାଡ଼ିଲା । ଗାଧୁଆ ପାଧୁଆ ଶେଷକରି କୋଥଳି ସେବାରେ ବସିଗଲା । ଚାରି ଦିନ ପରେ ଶ୍ରୀକାନ୍ତ କାଲିରାତିରେ ବନ୍ୟାଞ୍ଚଳରୁ ଫେରିଛି । ପୁଣି କୁଆଡ଼େ ଚାଲିଯିବ । କଥାଟା କହି ଦେଇ ଏ ଜାଗାରୁ ପଳାଇ ଯିବା ଉଚିତ ।

 

ମହାନ୍ତି ଚନ୍ଦନ ଘୋରି ମସ୍ତକରେ ରାମାନନ୍ଦୀ ଚିତା ଟାଣୁଛି । ଶ୍ରୀକାନ୍ତ ମୁହଁ ଧୋଇ ହୋଇ ପ୍ରାତଃ ଭ୍ରମଣକୁ ଯାଉଁ ଯାଉଁ କହିଲା ଆଜି କ’ଣ ମଉସା ସକାଳୁ ସକାଳୁ ସବୁ କାମ ସାରି ଦେଲଣି ? ମହାନ୍ତି ଉତ୍ତର ଦେଲେ- ବାପା ଘରୁ ଆସିଲିଣି ଦଶ ବାର ଦିନ ହେଲା–ବନ୍ୟାରେ ଘରଦ୍ଵାର ଥିବ କି ନାହିଁ ସନ୍ଦେହ । ଦେହ ତ ଟିକିଏ ଭଲ ଜଣା ପଡ଼ୁଛି । ଆଉ କାହିଁକି ରହିବି ? ଭାବିଛି ଏଇ ସକାଳ ଗାଡ଼ିରେ ଚାଲିଯିବି । ମୋତେ ଟିକିଏ ବାପ ଷ୍ଟେସନରେ ଛାଡ଼ି ଦେଇ ଆସିବ-

 

–ସୁକାନ୍ତ ଯିବ ତୁମ ସଙ୍ଗରେ–ମୁଁ ତାକୁ କହୁଛି ।

 

–ନାହିଁ ବାପା ! ତୁମ ପାଖରେ ମୋର ଗୋଟିଏ କଥା କହିବାର ଅଛି । ଏଠି କହିବି ନାହିଁ, ଷ୍ଟେସନରେ କହିବି । କିଛି ମନ୍ଦ ନୁହେଁ ତୁମରି ମଙ୍ଗଳପାଇଁ କହିବି ।

 

–ହଉ, ମୁଁ ନଦୀରୁ ଗାଧୋଇ ଆସେ । ତୁମେ ଜଳଖିଆ ଖାଇ ବାହାରି ପଡ଼ ।

 

ଶ୍ରୀକାନ୍ତ ଚାଲିଗଲା । ମହାନ୍ତି ଚାହିଁଲା ଏଣିକି ତେଣିକି, ତଳକୁ ଉପରକୁ ଭାବିଲା କ’ଣ ମୁଁ କରିବାକୁ ଯାଉଛି । କଥା ପଦକରେ ଗୋଟାଏ ସୁନାର ସଂସାରକୁ ନଷ୍ଟ କରିବାକୁ ଯାଉଛି । ସେମାନେ ତ ମୋର କିଛି ଦୋଷ କରି ନାହାନ୍ତି । ବରଂ ଆଦର ଅଭ୍ୟର୍ଥନା କରିଛନ୍ତି । କଥାଟା ଜଣା ପଡ଼ିଲେ ଶ୍ରୀକାନ୍ତ କ’ଣ ଭାବିବ ? କିନ୍ତୁ ନରହରି ବାବୁଙ୍କର ତ ଲୁଣ ଖାଇ ଆଜୀବନ ବଞ୍ଚି ଆସିଛି । ତାଙ୍କୁ ଏତେବେଳେ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ । ଶ୍ରୀକାନ୍ତ ଜାଣିବ କିପରି, ନରମାୟା ତ ନାରାୟଣଙ୍କୁ ଅଗୋଚର ।

 

ତୁଳସୀ ଜଳଖିଆ ଆଣି ଥୋଇଲା । ଚାହୁଁ ଚାହୁଁ ମହାନ୍ତିର ପାଟି ସରତି ଉଠିଲା । ତୁଳସୀ ପାଣି ଦେଉଁ ଦେଉଁ ଅସମ୍ଭାଳ । ଅଧୂଆ ହାତରେ ଖାଇବା ଓ ଆରମ୍ଭ କରିଦେଲା ।

 

ଗ୍ଲାସ୍‍ଟିଏ, ପାଣି ଢାଳେ ମହାନ୍ତି ପାଖରେ ଥୋଇ ଦେଇ ତୁଳସୀ ଗଲା ସୁକାନ୍ତ ପାଇଁ ସାଗୁ ରାନ୍ଧିବାକୁ । ସୁକାନ୍ତକୁ ଜର । କାଲିଠୁ କିଛି ଖାଇ ନାହିଁ ! ଏପର୍ଯ୍ୟନ୍ତ ବି ବିଛଣାରୁ ଉଠି ନାହିଁ ।

 

ଗିରା ମହାନ୍ତି ଖାଇ ସାରି ହାତ ଧୋଇ ହେଉଛି ଶ୍ରୀକାନ୍ତ ଆସି ପହଞ୍ଚିଲା । ତରତରରେ ଦି’ଟା ଜଳଖିଆ ଖାଇଦେଲା ଶ୍ରୀକାନ୍ତ । ଦୁହେଁ ବାହାରିଗଲେ ଷ୍ଟେସନକୁ । ସେତେବେଳକୁ ଗାଡ଼ି ଟାଇମ୍ ହୋଇଗଲାଣି ।

 

ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ଗାଡ଼ି ଆସି ଯାଇଥିଲା । ଶ୍ରୀକାନ୍ତ ଟିକେଟ ଖଣ୍ଡେ କାଟିଆଣି ମହାନ୍ତିକୁ ଦେଇ ଗାଡ଼ିକୁ ଉଠି ଯିବାକୁ କହିଲା । ମହାନ୍ତି କହିଲା, “ବାପା ମୁଁ ତୋର ସବୁ ଭଲ ଦେଖିଲି; କିନ୍ତୁ ତୁ ଯେଉଁମାନଙ୍କୁ ବିଶ୍ୱାସ କରୁଛୁ ସେମାନେ ତୋତେ ବିଷ ଦେଉଛନ୍ତି । ଶ୍ରୀକାନ୍ତ ମୁଖମଣ୍ଡଳକୁ ସନ୍ଦେହର ବାଦଲ ପରଶି ଗଲା । ସେ ପଚାରିଲା, ଏହାର ଅର୍ଥ କ’ଣ ‘ମଉସା ?” ମହାନ୍ତି ଝିଙ୍କି ଆଣିଲା ଶ୍ରୀକାନ୍ତକୁ ଗାଡ଼ି ପାଖରୁ କିଛି ଦୂରକୁ । କହିଲା~

 

–ମୋତେ ତ ବିଶ୍ୱାସ କରିବୁ ବାପା ?

 

–ନିଶ୍ଚୟ

 

ତୁଳସୀ ଭଲଲୋକ ନୁହେଁ । ଚରିତ୍ରହୀନା । ତୁ କ'ଣ ଜାଣିବୁ ? ନର କଥା ନାରୟଣଙ୍କୁ ଅଗୋଚର ।

 

–କ’ଣ କହୁଛ ମଉସା ?

 

–ହଁ ବାପା, ମୁଁ ନିଜେ ସ୍ଵଚକ୍ଷୁରେ ଦେଖିଛି–ସୁକାନ୍ତର ତାର–

 

ଗର୍ଜି ଉଠିଲା ଶ୍ରୀକାନ୍ତ, ଧରିନେଲା ଦୁଇହାତରେ ଗିରା ମହାନ୍ତି ବେକକୁ । କାନ୍ଦି ଉଠିଲା ରାଗରେ–ମୁଁ ତୁମକୁ ମଉସା ବୋଲି ସମ୍ବୋଧନ କରୁଛି ମହାନ୍ତି, ତୁମେ କ’ଣ ମୋତେ କହୁଛ ? ସତ କହିବ ତ କୁହ ? ନଇଲେ ତୁମର ଜୀବନ ଶେଷ କରିଦେବି । ମିଥ୍ୟାବାଦୀ । ସୁବର୍ଣ୍ଣ ଦେହରେ କଳଙ୍କ କଳିମା ବୋଳୁଛ ।

 

ମହାନ୍ତି ଆଖିକାଢ଼ି ଗଁ ଗଁ ହୋଇ କହିଲା–ବାପ ! ତୁମେ ତ ବିଶ୍ଵାସ କରିବ ନାହିଁ, ସେଇଥିପାଇଁ ପରା କହୁ ନ ଥିଲି । ସୁକାନ୍ତକୁ କି ଜର ହୋଇଛି ଜାଣ ? ଚିନ୍ତା ଜର । ଦେଖି ଦେଇଛି-କାଳେ ତୁମ ଆଗରେ କହି ଦେବି । ବାରିଆଡ଼େ ସରକାର କାମରେ ଯାଉଛ ବାପ ! –ଏମିତିକା ଲୋକଙ୍କୁ ଘରେ ରଖିବା ଉଚିତ ନୁହେଁ ।

 

ଶ୍ରୀକାନ୍ତର ଅଙ୍ଗପ୍ରତ୍ୟଙ୍ଗ ଅବଶ ହୋଇଗଲା । ଆପେ ଆପେ ଖସି ଆସିଲା ହାତ ଦୁଇଟି ତାର ମହାନ୍ତିଙ୍କ ବେକମୂଳରୁ । କେତେଲୋକ ରୁଣ୍ଡ ହୋଇପଡ଼ିଲେ । ଦ୍ରୁତପଦକ୍ଷେପରେ ସମସ୍ତଙ୍କୁ କଟାଇ ପ୍ଲାଟଫର୍ମରୁ ବାହାରି ଆସିଲା ଶ୍ରୀକାନ୍ତ । ମହାନ୍ତି ମୁହଁରେ ହାସ୍ୟରେଖା ଫୁଟି ଉଠିଲା ।

 

ଅଣବାହୁଡ଼ା ଶର–ନିଶ୍ଚୟ କାମ ଦେବ ।

Image

 

–୨୭–

 

–‘‘ଦେହ କିପରି ଲାଗୁଛି ସୁକାନ୍ତ ?”

 

–“ଅତି ଦୁର୍ବଳ । ଜ୍ଵର ରାତି ଚାରିଟାରୁ ଯାଇଥିଲେ ମଧ୍ୟ ମୁଣ୍ଡ ଅଦ୍ୟପି ବିନ୍ଧୁଛି ।”

 

–“ହଉ ଛାଡ଼ି ଯିବ ଯେ । ମେଘୁଆ ପାଗ ଯୋଗୁ ଥଣ୍ଡାଟା ଧରି ନେଲା ।’’

 

ଭିକ୍‍ସ ଆଣି ତୁଳସୀ ସୁକାନ୍ତର ଛାତିରେ ମୁଣ୍ଡରେ ମାଲିସ୍ କରୁଛି । ଶ୍ରୀକାନ୍ତ ସେଇ ବାଟ ଦେଇ ଚାଲିଗଲା ତାଙ୍କ ଶୋଇବା ଘରକୁ । ଆଖି ପଡ଼ିଲା ତାର ତୁଳସୀ ଓ ସୁକାନ୍ତ ଉପରେ । କେବେ ତ ଏପରି ତୁଳସୀ ତାର ସେବା କରିନାହିଁ । ମହାନ୍ତି ଯାହା କହିଲା–ତାହା ଅକ୍ଷରେ ଅକ୍ଷରେ ସତ୍ୟ ଏ ତାର ଚାକ୍ଷୁସ ପ୍ରମାଣ ।

 

ଟେବୁଲ୍ ଉପରେ ମୁଣ୍ଡ ଭରା ଦେଇ ବସିଛି ଶ୍ରୀକାନ୍ତ । ତୁଳସୀ ଯାଇ ପଚାରିଲା -କ’ଣ ହେଲା କି ତୁମର ? ହର୍ଷ ନାହିଁ କି ଧର୍ଷ ନାହିଁ ? ଆସିଲ କି ନ ଆସିଲ ମୁଣ୍ଡଭରା ଦେଇ ବସିଛ–କ’ଣ କୁହ ? ଶ୍ରୀକାନ୍ତ କେତେବେଳରେ ଚେୟାରରୁ ଉଠୁ ଉଠୁ କହିଲା–ନାହିଁ, କିଛି ନା, ତୁମେ ସୁକାନ୍ତକୁ କହି ଦିଅ–ସେ ହଷ୍ଟେଲରେ ଯାଇ ରହୁ ।

 

–କାହିଁକି ? କ’ଣ ତାର ଦୋଷ ?

 

–ସେ କୈଫିୟତ୍ ଦେବାକୁ ମୁଁ ବର୍ତ୍ତମାନ ପ୍ରସ୍ତୁତ ନୁହେଁ । ସେ ଘଣ୍ଟାକ ଭିତରେ ଏ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନରେ ରହୁ ।

 

–ଅର୍ଥାଭାବରୁ ଅନ୍ୟ ସ୍ଥାନରେ ରହିପାରିବନି ବୋଲି ତ ସେ ଆମ ପାଖରେ ଅଛି ।

 

–ଅର୍ଥାଭାବ ହେଲେ ନ ପଢ଼ୁ । ଚାଲି ଯାଉ -ଗାଁରେ ମୂଲ ଲାଗୁ । ଯେ ଚରିତ୍ରହୀନ, କୃତଘ୍ନ । ତାର ଏ ଘରେ ସ୍ଥାନ ନାହିଁ ।

 

–କଣ ତୁମେ କହୁଛ ? ମୁଁ ତ କିଛି ବୁଝିପାରୁନାହଁ ।

 

–ନିଜକୁ ଏତେ ବୁଦ୍ଧିମତୀ ମନେକରନା ତୁଳସୀ; ଅନ୍ତରରେ କାଳକୂଟ ଭରି ମୁଖରେ ତୁମେ ଖୁବ୍ ମଧୁର କଥା କହି ଜାଣ ।

 

–କ’ଣ କହୁଛ ତୁମେ ? ଆଜି ଏକି ଅଭୁତ ପରିବର୍ତ୍ତନ ତୁମର । ତୁମେ କ’ଣ ସେ ମଣିଷ ନୁହଁ ?

 

ତୁଳସୀ ପ୍ରଶ୍ନର ଜବାବ କିଛି ନ ଦେଇ ଶ୍ରୀକାନ୍ତ ପୋଷାକ ପିନ୍ଧିଲା । ସେପଟରେ ଥାଇ ସୁକାନ୍ତ ଏ ସବୁ ଶୁଣି ଅତି ଆଶ୍ଚର୍ଯ୍ୟ ହୋଇ ଯାଉଥାଏ । ଭାବୁଥାଏ–କେବେ କେଉଁଠି ମୁଁ ତ କିଛି ତ୍ରୁଟି କରିନାହିଁ । ଭାଇ ଆଉ କାହା ପାଖରେ ମୋର କ’ଣ ଦୋଷ ଶୁଣିଲେ ? କେବେ ତ ଏପରି ବିରକ୍ତ ହୁଅନ୍ତି ନି । ସୁକାନ୍ତ ଖାଲି ଆକାଶ ପାତାଳ ଭାବି ଚାଲିଛି । ଭାଇଙ୍କୁ ତା’ର ଦୋଷ କ’ଣ ପଚାରି ବୁଝିବାକୁ ମନ କହୁଛି କିନ୍ତୁ ସେ ତ ତାଙ୍କ ଆଗରେ କେବେ ମୁହଁଟେକି କଥା କହି ନାହିଁ । ହଉ ସେ ଶାନ୍ତ ହୋଇଯା’ନ୍ତୁ ।

 

ତୁଳସୀ ଜୋତା ପାଲିସ୍ କରୁ କରୁ ଶ୍ରୀକାନ୍ତ ତର ତରରେ ପେଣ୍ଟ ସାର୍ଟ ଦି’ଖଣ୍ଡ ଗଳାଇ ଦେଇ ଚପଲ ମାଡ଼ି ଘରୁ ବାହାରି ଆସିଲା । ତୁଳସୀ ଡାକିଲା–କୁଆଡ଼େ ଯାଉଛ ? ଜଳଖିଆ ଖାଇ ଯାଅ । କିଛି ଉତ୍ତର ଦେଲାନି–ଶ୍ରୀକାନ୍ତ । ସୁକାନ୍ତର କୋଠରୀ ଦ୍ଵାରରେ ଠିଆହୋଇ କହିଲା –ତୁ ଆଜି ଘରକୁ ଚାଲିଯା ସୁକାନ୍ତ; ଘରୁ କିଛି ବ୍ୟବସ୍ଥା କରି ହଷ୍ଟେଲରେ ରହ । ଛ’ ମାସ ଚଳାଇଲି ଆଉ ପାରିବି ନାହିଁ । ତୁ ବର୍ତ୍ତମାନ ଚାଲି ଯା’ ।

 

ସୁକାନ୍ତ ଖାଲି ଶ୍ରୀକାନ୍ତ ମୁହଁକୁ ବଲ ବଲ କରି ଚାହିଁଥାଏ । ଦୋଷ କ’ଣ ପଚାରିବାକୁ ପାଟିରୁ ଭାଷା ଆସୁ ନୀହିଁ । ତୁଳସୀକୁ ପଛରେ ଦେଖି ଶ୍ରୀକାନ୍ତ ଘରୁ ବାହାରିଗଲା । ଭାଉଜ ଦିଅର ଦୁହେଁ ଚାହିଁଥାନ୍ତି–ଶ୍ରୀକାନ୍ତ ଗେଟ୍ ପାର ହୋଇ ରିକ୍‍ସାରେ ବସିଲା ।

 

ସୁକାନ୍ତ ପଚାରିଲା–ନୂଆ’ଉ ଘଟଣା କ’ଣ ? ଭାଇ ମୋ ଉପରେ ଏତେ ବିରକ୍ତ ହେଉଛନ୍ତି କାହିଁକି ?

 

–ସେ ବୋଧେ ତମ ନାମରେ କେଉଁଠି କ’ଣ ଶୁଣିଛନ୍ତି । ତମକୁ ମୋରାଣ, କହିଲ କେଉଁଠି କ’ଣ ଜଣା କିମ୍ବା ଅଜଣାରେ ଭୁଲ କରିଛ ? ସେ ଆସିଲେ ମୁଁ ତାଙ୍କୁ ବୁଝାଇ ଦେବି ।

 

–ତୁମ ପାଦଛୁଇଁ କହୁଛି ନୂଆ’ଉ, କେଉଁଠି ମୁଁ କିଛି ଅପରାଧ କରି ନାହିଁ ।

 

ଆଉ~କାହିଁକି ସେ ଏପରି ହେଉଛନ୍ତି ? ଆଚ୍ଛା ହେଉ ତୁମେ ଆଉ ଶୁଅ ନାହିଁ । ଦେହ ବେଶି ଖରାପ ହେବ। ଦାନ୍ତଘସି ଜଳଖିଆ ଖାଅ–ବହିପତ୍ର ଦେଖା ଦେଖି କର । ସେ ଆସନ୍ତୁ କାହାଠୁଁ କ’ଣ ଶୁଣି ଆମ ଉପରେ ଏପରି ବିରକ୍ତ ହେଉଛନ୍ତି ମୁଁ ପଚାରିବି ।

 

ତୁଳସୀର ସାନ୍ତ୍ଵନା ବାଣୀ ଶୁଣି ସୁକାନ୍ତ ବିଛଣାରୁ ଉଠି ଦାନ୍ତ ଘସିଲା । ଜଳଖିଆ ଖାଇସାରି ପଢ଼ି ବସିଲା । କେତେ ଆଡ଼ୁ କେତେ କଥା ତା’ର ମନେ ପଡ଼ିଲା । ଅନାଥ ସେ । ଖରାରେ ଠିଆ ହୋଇଥିଲେ ଛାଇକୁ ଡାକିବାକୁ କେହି ତାର ନାହାନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ଥିଲା । ଏ ବର୍ଷାରେ ସେ ଭାଙ୍ଗି ପଡ଼ିବଣି । ଯାହାକୁ ବାପ ମା’ କରି ପଡ଼ି ରହିଥିଲି–ସେ ଆଜି ନିଷ୍ଠୁର, କାହିଁକି ଆଜି ରାମ ପରି ଭାଇଙ୍କର ଏ ଅଭୁତ ପରିବର୍ତ୍ତନ ? ଭଗବାନ ତୁମର ଏ କି କୂଟ ଚକ୍ରାନ୍ତ । ଚତୁର୍ଦ୍ଦିଗରୁ ମୋତେ ନିରାଶ କରୁଛ ?

 

ସୁକାନ୍ତର ଆଖିକୋଣରେ ଲୁହ ଜକାଇ ଆସିଲା । ଶତଚିନ୍ତା, ବୁଶ୍ଚିକର ଦଂଶନରେ ମସ୍ତିଷ୍କ ତାର ବିବ୍ରତ ହୋଇଉଠିଲା । ଦୁଃଖ ଗହନ ଜୀବନରେ ଚିର ଶାନ୍ତିର ଆସ୍ପଦ ସେଇ ହୃଦୟହୀନ କାଷ୍ଠ ତଳ୍ପ କୋଳରେ ସେ ଢଳି ପଡ଼ିଲା । ପାଠ୍ୟପୁସ୍ତକଟି ତାର ମୁହଁ ମାଡ଼ି ପଡ଼ିଥାଏ ଟେବୁଲ ଉପରେ ।

 

ଏଗାର ବାଜିଲା । ଶ୍ରୀକାନ୍ତର ଦେଖା ନାହିଁ । ତୁଳସୀ ଚାହିଁ ଚାହିଁ ଜଳଖିଆକୁ ସାଇତି ଦେଲା I ଏତେବେଳେ ଆସିଲେ ସେ ଆଉ ଜଳଖିଆ ଖାଇବେ ନାହିଁ–ଭାତ ଖୋଜିବେ, ତରତରରେ ରୋଷେଇ ବସାଇଲା ସେ ।

 

ଦୁଇଟା ବାଜିଲା । ତୁଳସୀ ରୋଷେଇ ସାରି ଚାହିଁଛି ଶ୍ରୀକାନ୍ତକୁ । ବାହାରେ ରିକ୍‍ସା ଘଣ୍ଟି ବାଜିଲେ, ମଟରହର୍ଣ୍ଣ ଶୁଭିଲେ ଚାହୁଁଚି ଝରକା ଫାଙ୍କରେ; କିନ୍ତୁ ଶ୍ରୀକାନ୍ତର ଦେଖା ପାଉ ନାହିଁ। ନିରାଶ ହୋଇ ଡାକିଲା ସେ ସୁକାନ୍ତକୁ । ପିଲାଲୋକ କେତେବେଳୁ କ’ଣ ଦି’ଟା ଜଳଖିଆ ଖାଇଥିଲା । ସେ କାହିଁକି ଉପବାସ ରହିବ ଆମ ପାଇଁ ?

 

ଅତି ବାଧ କଲାରୁ ସୁକାନ୍ତ ସମସ୍ତ ଦୁଃଖ ଯାତନା ପୋଛି ଦେଇ ଭାତ ଥାଳି ପାଖରେ ବସିଲା । ଡାକିଲା–“ନୂଆଉ’ ଆସ ସାଥି ହୋଇ ଖାଇବା” । ତୁଳସୀ କହିଲା–ତୁମେ ଖାଅ; ତୁମ ଭାଇ ଆସନ୍ତୁ, ତାଙ୍କୁ ଦେଇ ମୁଁ ଖାଇବି । ସ୍ଵାମୀଙ୍କୁ ନ ଦେଇ ସ୍ତ୍ରୀ ଭୋଜନ କରିବା ହିନ୍ଦୁନାରୀର ଧର୍ମ ନୁହେଁ । ତୁମେ ପିଲା ଲୋକ-ତୁମର କ’ଣ ଅଛି, ତୁମେ ଖାଅ ।

 

ସୁକାନ୍ତ ଖାଇ ବସିଛି । ଶ୍ରୀକାନ୍ତ ପହଞ୍ଚି କହିଲା–ତୁ ଏ ପର୍ଯ୍ୟନ୍ତ ଯାଇ ନାହୁଁ ସୁକାନ୍ତ ? ଏଡ଼େ ଅବାଧ୍ୟ କୃତଘ୍ନ ତୁ ? ବାରମ୍ବାର କହିବା ସତ୍ଵେ ତୁ, ମୋ କଥାକୁ କର୍ଣ୍ଣପାତ କରୁ ନାହୁଁ । ବର୍ତ୍ତମାନ ବି ଗାଡ଼ି ସମୟ ଅଛି । ଖାଇସାରି ଚାଲିଯା । ତୋର ଯାହାଅଛି ବନ୍ଧା ବନ୍ଧି କର–ମୁଁ’ ଡାକି ଦେଉଛ ଗୋଟାଏ ରିକ୍‍ସା ।

 

ଶ୍ରୀକାନ୍ତ ଘରୁ ବାହାରି ଗଲା । ଭାତ ଥାଳିଟା ଥୁଆ ହୋଇଛି । ସୁକାନ୍ତ ଆଖିରୁ ଲୁହ ପୋଛି ପୋଛି ଉଠି ଆସିଲା–ହାତ ଧୋଇ ହେବାକୁ । ଏସବୁ ଦେଖି ତୁଳସୀ ବରଡ଼ାପତ୍ର ପରି ଥରୁଛି–କାହାକୁ କିଛି କହିବାକୁ ମୁହଁରୁ ଭାଷା ବାହାରୁ ନାହିଁ । ସେ ଖାଲି ନିର୍ଜୀବ ମୂର୍ତ୍ତି ପରି ଠିଆ ହୋଇଛି କବାଟକୁ ଆଉଜି ।

 

ସୁକାନ୍ତର ନିଜର ବୋଲି କିଛି ସେପରି ଜିନିଷ ନାହିଁ । ବହିପତ୍ର ଗୁଡ଼ାକ ଶ୍ରୀକାନ୍ତ କିଣି ଦେଇଥିଲା । ପୋଷାକପତ୍ର ତୁଳସୀ ହାତରେ ସିଲେଇ କରି ପିନ୍ଧିବାକୁ ଦେଇଥିଲା । ସେଗୁଡ଼ା ସେ ନେବ କାହିଁକି ? ନିଜର ବୋଲି ଚିରା ଧୋତି ଖଣ୍ଡିଏ ପୁରୁଣା କାମିଜ ଖଣ୍ଡେ, ସେତକ ସେ ପିନ୍ଧିଲା-। ବେଗ୍ ଖଣ୍ଡିକରେ ପୁରୁଣା ବହି କେତେ ଖଣ୍ଡ ପୁରାଇ ବାହାରି ପଡ଼ିଲା ।

 

ବାହାରେ ରିକ୍‍ସାଟିଏ ଠିଆ ହୋଇଛି–ଶ୍ରୀକାନ୍ତର ଦେଖା ନାହିଁ । ସୁକାନ୍ତ ତୁଳସୀ ପାଖକୁ ଯାଇ ତାର ପାଦଧୂଳି ନେଇ ମୁଣ୍ଡରେ ମାରିଲା । ବାଷ୍ପାକୁଳ କଣ୍ଠରେ କହିଲା,–‘‘ନୂଆ’ଉ ମୁଁ ଯାଉଛି ।”

 

ତୁଳସୀ ମୁଣ୍ଡରେ ସତେ ଯେପରି ମେଘାସନ ପର୍ବତ ଭାଙ୍ଗି ପଡ଼ିଲା । ତା’ରି ମୁଣ୍ଡଟା ଆପଣାଛାଏଁ ବାଡ଼େଇ ହେଇ ଗଲା କବାଟ ବନ୍ଧରେ ।

 

ସୁକାନ୍ତ କାନ୍ଦି କାନ୍ଦି ଘରୁ ବାହାରି ଆସିଲା । ରିକ୍‍ସାରେ ନ ବସି ସିଧା ଚାଲିଲା ଷ୍ଟେସନ ଆଡ଼କୁ । ପଇସା ତ ନାହଁ । ରିକ୍‍ସାବାଲାକୁ ଦେବାକୁ । ଷ୍ଟେସନରେ ଅପଦସ୍ତ ହେବ କାହିଁକି ? ତୁଳସୀ ଫାଟକ ପାଖକୁ ଦୌଡ଼ିଆସି ଡାକିଲା–ସୁକାନ୍ତ । ପଇସା ନେଇ ଯାଅ–ଗାଡ଼ି ଭଡ଼ା ଦୁରରୁ ହାତ ହଲାଇଲା ସୁକାନ୍ତ । ରାସ୍ତାର ମୋଡ଼ବୁଲି ଅଦୃଶ୍ୟ ହୋଇଗଲା ସେ । ତୁଳସୀ ଆଖିରୁ ଲୁହପୋଛି ଘରକୁ ଫେରିଲା ।

 

ଚାହିଁ ଦେଲା–ସୁକାନ୍ତର ରୁମ୍‍ଟି ଶ୍ରୀହୀନ ପରି ଦିଶୁଛି । ବହିପତ୍ର ଗୁଡ଼ା ଏଣେ ତେଣେ ଥୁଆ ହୋଇଛି । ପ୍ରାଣ କାନ୍ଦି ଉଠିଲା ତାର । ବିଷାଦର ଦୀର୍ଘନିଶ୍ଵାସ ସହିତ ପାଟିରୁ ବାହାରି ପଡ଼ିଲା- ଏ ସୁନାର ସଂସାର କାହିଁକି ଚୁନା କଲ ପ୍ରଭୁ !

 

ତୁଳସୀକୁ ଭୋକ ଶୋଷ ଆଉ ନାହିଁ । ସ୍ୱାମୀଙ୍କର ମନର ଅପୂର୍ବ ପରିବର୍ତ୍ତନ ଲକ୍ଷ୍ୟ କରୁକରୁ ସେ ବିସ୍ମାୟାଭିମୁଢ଼ ହୋଇ ପଡ଼ୁଛି । ଏପରି ହେଲେ ସେମାନେ କିପରି ସୁଖର ସଂସାର ଗଢ଼ିବେ ? ମନରେ କେତେ ପ୍ରଶ୍ନ ଜାଗି ଉଠିଲା–କିଏ ଆଉ କ’ଣ ତାଙ୍କୁ ଲଗାଇ–ଯୋଟାଇ କହିଲା-? ତାଙ୍କର କିପରି ଏ ମନପରିବର୍ତ୍ତନ ହେଲା ? ଗିରା ମହାନ୍ତି କ’ଣ କହିଲା କି ଆଉ ? ନାହିଁ ତ, ଆମେ ତାଙ୍କର ସେବାରେ କିଛି ତ୍ରୁଟି କରି ନାହୁଁ, କାରଣ କିଛି ନ କହି ସେ ବିରକ୍ତି ହେଉଛନ୍ତି କାହିଁକି ?

 

କୌଣସି ପ୍ରଶ୍ନର ଉତ୍ତର ତୁଳସୀ ପାଇ ପାରିଲା ନାହିଁ । ଶ୍ରୀକାନ୍ତକୁ ଅପେକ୍ଷା କରି କରି ପଲଙ୍କ ଉପରେ ଶୋଇ ପଡ଼ିଲା ।

 

ସୁକାନ୍ତ ଷ୍ଟେସନରେ ପହଞ୍ଚି ଦେଖିଲା–ଟି. ଟି. ଆଇ ପାଇଁ ରେଲବାଇର ଉପରିସ୍ଥ କର୍ମଚାରୀ ସେଦିନ ଲୋକ ନେଉଛନ୍ତି । କାଳ ବିଳମ୍ବ ନ କରି ସେ ନିଜର ସୁପାରିଶ ପତ୍ର ଆଦି ଦାଖଲ କରିଦେଲା । ଠିକ୍ ଚାରିଟା ବେଳକୁ ଇଣ୍ଟରଭିଉକୁ ତାକୁ ଡକା ହୋଇଗଲା । ଉପରିସ୍ଥ ଅଫିସର ମାନେ ତାର ଉତ୍ତରରେ ସନ୍ତୁଷ୍ଟ ହୋଇ ତାକୁ ଇମିଡ଼ିଏଟ୍ ଟ୍ରେନିଂକୁ ପଠାଇ ଦେଲେ । ଟ୍ରେନିଂକୁ ନ ଯାଇଁ ସୁକାନ୍ତର ଆଉ ଉପାୟ ନାହିଁ । ଭାଗ୍ୟରେ ଯେତିକିଥିଲା ପଢ଼ିବାକୁ ସେତିକି ହେଲା । ଆତ୍ମାକୁ କଷ୍ଟ ଦେଇ ଆଉ ଅଧିକ ଚେଷ୍ଟା କରି ହେବ ନାହିଁ ।

 

ରାତି ଦଶଟାରେ ସୁକାନ୍ତ ଓ ଆଉ କେତେ ଜଣ ଛାତ୍ର ଟ୍ରେନିଂ ପାଇଁ କଲିକତା ଯାତ୍ରା କଲେ ।

Image

 

(୨୮)

 

ବ୍ରଜ ବାବୁ–ଆସିଷ୍ଟାଣ୍ଟ୍‍ ଇଂଜିନିୟର ରୋଡ୍‍ ଏବଂ ବିଲଡିଂ କହିଲେ- ଶ୍ରୀକାନ୍ତ ତୋର ଏପରି ପାଗଳାମି କେବେଠୁଁ ବାହାରିଲାଣି ? ଆରେ କଥାରେ ଅଛି–ସଂସାର ମଧ୍ୟରେ ଘର କରିଥିଲେ ପଥର ପଡ଼ିଲେ ସହି । ତୁ ବୁଝିବା ଲେକ ହୋଇ ଅବୁଝା ହେଉଛୁ । ଏକଥା ଜାଣିଥିଲେ କାଲି ତୋତେ ମୋ ଘରେ ରବିବାକୁ ସ୍ଥାନ ଦେଇ ନ ଥାନ୍ତି । ମୁଁ ଭାବିଥିଲି ଖୁସିରେ ତୁ ଆମ ଘରକୁ ବୁଲି ଆସିଛୁ । ଦୁଇ ଦିନ ହେଲା–ତୁ ଏଣେ ବୁଲୁଛୁ–ଭାବିଲୁ ତୁଳସୀର ଅବସ୍ଥା କ’ଣ ହେବଣି ? ପେଟରେ ପୁଣି ତାର ପିଲା । ମୁଁ ଜାଣେ–ସେ ମାନବୀ ନୁହେଁ–ଦେବୀ । ଏପରି ନାରୀରତ୍ନକୁ ପାଇ ତୁ ଘର ଚଳାଇ ପାରୁନାହୁଁ ? ମୋ ପରି ଯଦି ରାକ୍ଷସଗଣର ସ୍ତ୍ରୀଟିଏ ପାଇଥାନ୍ତୁ, ତୁ ତ କେବେଠୁ କାଳିଆବୋଦା ମଠରେ ମାଳା ଗଡ଼ାନ୍ତୁଣି, ଦେଖୁଛି । ଯା, ବର୍ତ୍ତମାନ ବସାକୁ । ବିଚରାଣୀ ଦୁଇଦିନ ହେଲା ଉପବାସରେ ବସିଥିବ ।

 

ଶ୍ରୀକାନ୍ତ କହିଲା–ତୁ ବୁଝିନାହୁ ବ୍ରଜ ! ସେ ମୋତେ ଭଲ ପାଏନା । ତାର ଉଦ୍ଦେଶ୍ୟ ଭିନ୍ନ । ତାର ମୃତ୍ୟୁ ମୁଁ ଚାହେଁ । କଥା ଛଡ଼ାଇ ନେଇ ବ୍ରଜବାବୁ କହିଲେ–ଦୁଇ ଦିନ ହେଲା ଆସିଲୁଣି ତ ସେ ତୋତେ ଚାହିଁ ଚାହିଁ ଉପାସରେ ମରିବଣି । ଯା’ ଶବଟାକୁ ଉଠାଇ ଦେବୁ, ଲୋକ ହସା କଥା କହନା–ଶ୍ରୀକାନ୍ତ, ଶୁଣିଲେ ଲୋକମାନେ ଛି’ଛି କହିବେ । ତୁଳସୀକୁ ତୁ ଭୁଲବୁଝିଛୁ–ସେ ମାନବୀ ନୁହେଁ –ଦେବୀ । କଥାପଦକରୁ ମୁଁ ତା’ର ଅନ୍ତର ବୁଝିଛି । ଚାଲିଲୁ ଯିବା ଦେଖିବା ତୁଳସୀ ବଞ୍ଚିଛି କି ନାହିଁ । ତୁଟା ଏପରି ନିଷ୍ଣୁର । ବ୍ରଜବାବୁ ଶ୍ରୀକାନ୍ତକୁ ଟାଣି ନେଇ ରିକ୍‍ସାରେ ବସିଲେ ।

 

ପୂର୍ବ ଦିନ ଦୁଇଟା ବେଳୁ ସୁକାନ୍ତ ପାଇଁ ରିକ୍‍ସାଟେ ଡାକି ଦେଇ ଶ୍ରୀକାନ୍ତ ଯାଇଛି ଯେ ପୁଣି ରାତି ପାହି ଦିନ ଚାରିଟା ବାଜିଲାଣି ଆଉ ଦେଖା ନାହିଁ । ଉପାସରେ ତୁଳସୀ ଛଟପଟ ହେଉଛି । ଭାବୁଛି–“ଏଡ଼ିକି ନିଷ୍ଠୁର ତୁମେ କେଉଁଠି ଖାଇପିଇ ଦିନ କଟାଉଛ; କିନ୍ତୁ ମୁଁ ଏଠି ସନ୍ତୁଳି ହେଉଛି ।” ଘରୁ ବାହାରକୁ ଯା’ ଆସି କରି ତା’ର ପାଦ ଥକିଗଲାଣି । ରାତି ସାରା ଉଜାଗର ପୁଣି ଉପବାସ ଆଉ ଚାଲିବାକୁ ଶକ୍ତି ନାହିଁ । ଖାଲି ପଲଙ୍କ ଉପରେ ପଡ଼ି ଅପେକ୍ଷା କରିଛି–ଶ୍ରୀକାନ୍ତର ଆଗମନକୁ ।

 

ରିକ୍‍ସା ଆସି ଲାଗିଲା ଫାଟକ ପାଖରେ । ଶ୍ରୀକାନ୍ତ ଓ ବ୍ରଜବାବୁ ପଶି ଆସିଲେ ହତା ଭିତରକୁ । ବ୍ରଜବାବୁ ଦାଣ୍ଡ, କବାଟରେ ହାତ ମାରିଲେ । ତୁଳସୀ ଘଟରେ ପ୍ରାଣ ପଶିଲା । ‘ଆସିଲେଣି-କହି ଉଠି ଗଲା ସେ । ଖୋଲି ଭିତରୁ କବାଟ ନମସ୍କାର କଲା ବ୍ରାଜ ବାବୁଙ୍କୁ । ବ୍ରଜବାବୁ ପ୍ରତି ନମସ୍କାର ଜଣାଇ କହିଲେ–ଆପଣମାନେ ଏମିତି ହେଉଛନ୍ତି କାହିଁକି ? ନିଜ ଘର କଳି ତ ଭାଙ୍ଗି ପାରୁ ନାହଁ–ହାକିମ ହୋଇ ପର ଘର କଳି ଭାଙ୍ଗିବ କିପରି ? ତୁଳସୀ କହିଲା ଆଜ୍ଞା–କଥା ନାହିଁ ବାର୍ତ୍ତା ନାହିଁ: ଖାଲିଟାରେ ସେ କାଲି ସକାଳଠାରୁ ବିରକ୍ତ ହେଉଛନ୍ତି ଖାଇନାହାନ୍ତି, କୁଆଡ଼େ ବୁଲୁଛନ୍ତି ଏ ପର୍ଯ୍ୟନ୍ତ । ମୁଁ ଆଉ କୁଆଡେ ଯା’ନ୍ତି ତାଙ୍କୁ ଖୋଜିବାକୁ ।

 

ବ୍ରଜବାବୁ କହିଲେ–କିରେ ଶ୍ରୀକାନ୍ତ, କିଛି କାରଣ ନାହିଁ ତୋର ପାଗଳାମୀ ବାହାରୁଛି କାହିଁକି ? କିଏ ତୋତେ ଗଦ ଶୁଙ୍ଘାଇ ଦେଇଛି କିରେ ? ଭଲ ମନ୍ଦ ନ ବୁଝି ନ ଶୁଝି ବିରକ୍ତ ହେବା, ଘରଛାଡ଼ି ପଳାଇ ଯିବା–ଜଣେ ଅଫିସର ପକ୍ଷରେ ସମୁଚିନ ନୁହେଁ । ଯା’ ଘରକୁ ମୁଁ ଯାଉଛି ।

 

ତୁଳସୀ ଡାକିଲା । ଆପଣ ଆସନ୍ତୁ ଘରକୁ ଚା’ ଖାଇଯିବେ ।

 

–ନାହିଁ ଆଜ୍ଞା, ମୁଁ ଚା’ ବର୍ତ୍ତମାନ ଖାଇ ଆସିଲି । ସମୟ ନାହିଁ ତେଣେ ମୋର ବହୁତ କାମ । କିରେ ଶ୍ରୀକାନ୍ତ ଘରକୁ ଯାଉନାହୁଁ କାହିଁକି ? ବାବୁଆଣୀ ! ତୁମେ ଆସି ବାବୁଙ୍କର ହାତ ଧରି ଟାଣି ନେଇଗଲ ।

 

ଶ୍ରୀକାନ୍ତ ଘରକୁ ଗଲା । ବ୍ରଜବାବୁଙ୍କୁ ଶୁଭ ସନ୍ଧ୍ୟା ଜଣାଇ ତୁଳସୀ ଭିତରୁ କିଳିଣି ଦେଲା-

Image

 

(୨୯)

 

ରାତି ଆଠଟା ହେଲାଣି । ଶ୍ରୀକାନ୍ତ ଆରାମ ଚେୟାର ଉପରେ ମୁହଁ ମାଡ଼ି ଶୋଇଛି । ତୁଳସୀ ଭାତ ବାଢ଼ି ଦେଇ ତାର ଗୋଡ଼ ପାଖରେ ବସି କାନ୍ଦୁଛି । ଶ୍ରୀକାନ୍ତ କହିଲା–ମୁଁ ଖାଇବିନି କହୁଛି , ଭାତ ବାଢ଼ି ଥୋଇଛ କାହିଁକି? ପାର ଯଦି ନିଜେ ଖାଇ ଯା’ ।

 

–ମୁଁ ଖାଉଥିଲେ କାଲିଠୁ ଉପାସରେ ବସିଥାନ୍ତି କାହିଁକି ?

 

–ତମ ପାପ କର୍ମର ଫଳ ତୁମେ ଭୁଞ୍ଜିବ ନାହିଁ ତ ଆଉ କିଏ ଭୁଞ୍ଜିବ ?

 

–କ’ଣ କହୁଛ ତୁମେ ? କି ପାପ କରିଛି ମୁଁ ? ମୋତେ ଜଳାଇ ପୋଡ଼ାଇ ମାରୁଛ କାହିଁକି ?

 

ଧରି ପକାଇଲା ତୁଳସୀ ଶ୍ରୀକାନ୍ତର ପାଦ ଯୋଡ଼ିକୁ । ଠେଲିଦେଇ ଶ୍ରୀକାନ୍ତ କହିଲା–ତୁମେ ଭ୍ରଷ୍ଟା, ପତିତା, ମୋତେ ଛୁଇଁ ପବିତ୍ର ଶରୀରକୁ ମୋର କଳଙ୍କିତ କରନା । ବିଶ୍ଵାସରେ ତୁମେ ବିଷ ଭରିଛ । ମୋ ମୁହଁକୁ ଟିକେ ତ ଚାହିଁଲ ନାହିଁ ସୁକାନ୍ତ ସଙ୍ଗେ ପାପ ପ୍ରଣୟରେ ଲିପ୍ତ ହେବା ପୂର୍ବରୁ ।

 

ତୁଳସୀ ମୁଣ୍ଡରେ ଆକାଶ ଭାଙ୍ଗି ପଡ଼ିଲା । ପୁନଶ୍ଚ ଦୌଡ଼ି ଯାଇ ସେ ଶ୍ରୀକାନ୍ତର ପାଦତଳେ ପଡ଼ିଲା । କହିଲା–କ’ଣ କହୁଛ ତୁମେ ? ପାପ କଥାଗୁଡ଼ା ମୁହଁରେ ଧରୁଛ କିପରି ? କିଏ ତୁମକୁ ଏ ମିଥ୍ୟା ବାରତା ଦେଲା ? ସୁକାନ୍ତ ଯେ ମୋର ଦେବର ନୁହେଁ, ଠିକ୍‍ ପୁତ୍ର ପରି ।

 

“ସ୍ଵଚକ୍ଷୁରେ ଗିରା ମହାନ୍ତି ଦେଖିଛନ୍ତି । ଭୁଲାଇ ପାରିବ ନାହିଁ ତୁମେ ମୋତେ ।’’

 

“ହେ ଭଗବାନ ! କ’ଣ ଶୁଣାଉଛ ତୁମେ ।’’

 

ବାଡ଼େଇ ଦେଲା ତୁଳସୀ ତାର ମୁଣ୍ଡକୁ ଚଟାଣ ଉପରେ । ମଥା ଫାଟି ଧାର ଧାର ରକ୍ତ ବହିବାକୁ ଲାଗିଲା । ତୁଳସୀ ଅଚେତ ।

 

ଶ୍ରୀକାନ୍ତ ଚାହିଁଛି ତୁଳସୀକୁ । ବାହାରୁ ଡାକବାଲା ଡାକିଲା–ବାବୁ ଚିଠି । ଚିଠିଟି ଆଣି ପଢ଼ିଲା ସେ । ବାପା ରୋଗଶଯ୍ୟାରେ ତାକୁ ଦେଖିବାକୁ ଚାହାଁନ୍ତି । ମୁଣ୍ଡ ଘୂରିଗଲା ତାର । ମନସ୍ତ କଲା ନିଶ୍ଚୟ ସେ ଗାଁକୁ ଯାଇ ତା ବାପାଙ୍କୁ ଦେଖିବ । କଳଙ୍କିନୀ ତୁଳସୀଟା ମଲେ, କାଲି ପରି ଆଉ ଗୋଟେ ବିଭା ହେବ; କିନ୍ତୁ ବାପା ମରିଗଲେ ଆଉ ତ ବାପ ମିଳିବ ନାହିଁ । କୃତଘ୍ନ ରାକ୍ଷସୀଠାରୁ ଦୂରେଇ ଯିବା ସହସ୍ର ଗୁଣରେ ଭଲ । ନଇଲେ ପାପର ଜ୍ଵାଳାରେ ନର୍କ ଭୋଗିବାକୁ ପଡ଼ିବ ।

 

ତୁଳସୀ ଅଚେତ ହୋଇ ପଡ଼ିଛି । ଶ୍ରୀକାନ୍ତ ଛୁଟି ଦରଖାସ୍ତ ଖଣ୍ଡେ ଲେଖି ଲେଟର ବାକ୍‍ସରେ ପକାଇ ଦେଲା । କେତେ ଖଣ୍ଡ ପୋଷାକ ଓ ବହିପତ୍ର ବ୍ୟାଗରେ ଭର୍ତ୍ତି କରି ସେ ଛୁଟିଲା ଷ୍ଟେସନକୁ । ଘରଦ୍ଵାର ସବୁ ମେଲା ପଡ଼ିଛି । ଦାଣ୍ଡଦ୍ଵାରେ କୁକୁର ଛୁଆଟି ଭୋକରେ କାଉଁ କାଉଁ ହେଉଛି ତା’ କଥା ଶୁଣୁଛି କିଏ ।

Image

 

(୩୦)

 

କୃଷ୍ଣ ପକ୍ଷର ଅଷ୍ଟମୀ ଚାନ୍ଦ ଉଇଁ ଆସିଲାଣି । ଅସରାଏ ବର୍ଷା ହୋଇ ଛାଡ଼ିଗଲା ପରେ ଗବାକ୍ଷ ଦେଇ ଶୀତୁଆ ବାଆ ପଶି ଆସୁଛି ଘର ଭିତରକୁ । ତୁଳସୀ ଚେତନା ପାଇ ଉଠି ବସିଲା । ମଥାରେ ତାର ରକ୍ତ ଧାର ଜମାଟ ବାନ୍ଧି ଯାଇଥାଏ ।

 

ଘରଟି ସାରା କଟିମିଟିଆ ଅନ୍ଧାର । ବଡ଼ ଭୟ ଲାଗିଲା ତାକୁ । ଲାଇଟି ସୁଇଚ୍ ଟିପି ଆଲୋକିତ କଲା କୋଠରୀଟିକୁ । ଦେଖିଲା ଶ୍ରୀକାନ୍ତ ନାହିଁ । ଲୁଗାପଟା, ବହିପତ୍ର ଅଣବଣ ହୋଇପଡ଼ିଛି । ମୁହୂର୍ତ୍ତକ ମଧ୍ୟରେ ସବୁ କୋଠରୀରେ ଆଲୋକ ଜାଳି ଖୋଜି ପକାଇଲା; କିନ୍ତୁ କେଉଁଠି ଶ୍ରୀକାନ୍ତକୁ ପାଇଲା ନାହିଁ ।

 

ଭୟରେ ଛାତି ତାର ପଡ଼ିଲା ଉଠିଲା । କ’ଣ କରିବ କୁଆଡ଼କୁ ଯାଇ ଆଉ ଏତେ ରାତିରେ ଖୋଜିବ ? ହତାଶ ହୋଇ ବସି ପଡ଼ିଲା ତୁଳସୀ । କେତେ କ’ଣ କଥା ତା ମୁଣ୍ଡରେ ପଶିଲା । ଭବିଲା- କାହାପାଇଁ ଆଉ ଏ ଜୀବନ ରଖିବି ? ଯାହାର ସେବାରେ ମନପ୍ରାଣ ଢାଳି ଦୁଃଖକୁ ସୁଖ ମଣି ଦିନ ବଞ୍ଚୁଥିଲି, ସେ ତ ମିଥ୍ୟା ଅପବାଦକୁ ସତ୍ୟମଣି ପାଦରେ ଠେଲି ଦେଲେ । କେଉଁଠିକି ଆଉ ଏ ପୋଡ଼ା କରମକୁ ନେଇଯିବି ? କିଏ ଆଉ ମୋର ଅଛି ? ଆଶ୍ରମରୁ ଥରେ ଗୋଡ଼ କାଢ଼ି ଆସିଛି-ପୁଣି କେଉଁ ମୁହଁରେ ଫେରିଯିବି । କ’ଣ ଭାବିବେ ସେମାନେ ? ଭଗବାନ ! କି ଦୋଷ କରିଥିଲି ମୁଁ ତୁମର ? ଜୀବନସାରା ମୋତେ ଦୁଃଖ ଦେଇ ତଥାପି ତୁମର ମନ ଶାନ୍ତି ହେଲା ନାହିଁ ?

 

ଗର୍ଭକୁ ତାର ଚାହିଁଲା ତୁଳସୀ । ପାଞ୍ଚ ମାସର ଶିଶୁ ହଲଚଲ ହେଉଛି । ପୁଅ କି ଝିଅ ଜଣା ନାହିଁ । ତାରି ପାଇଁ କ’ଣ ସେ ବଞ୍ଚି ରହିବ ? କିଏ ତାକୁ ଆଶ୍ରା ଦେବ । ନା–ଶେଷ ଉପାୟ ତାର ମୃତ୍ୟୁ । ସ୍ଵାମୀ ଯଦି ତ୍ୟାଗ କଲେ –ଜଗତରେ ବଞ୍ଚିରହି ଲାଭ କ’ଣ ?

 

ଉଠିଗଲା ତୁଳସୀ କାନ୍ଥରେ ଟଙ୍ଗା ହୋଇଥିବା ଶ୍ରୀକାନ୍ତର ଫୋଟୋଟି ପାଖକୁ । ହାତଯୋଡ଼ି ପଚାରିଲା –ସ୍ୱାମୀ ! ତୁମେ ମିଥ୍ୟା ଅପବାଦ ଶୁଣି ମୋତେ ତ୍ୟାଗ କଲ ? ଆଜି ପର୍ଯ୍ୟନ୍ତ ତୁମର ଦାସୀକୁ ଚିହ୍ନିପାରିଲ ନାହିଁ । ହଉ ତୁମେ ସୁଖରେ ସଂସାର କର ମୁଁ ଯାଉଛି । ଚିରଦିନ ପାଇଁ ତୁମଠାରୁ ବିଦାୟ ନେଉଛି । ତୁମେ ଶାନ୍ତିରେ ରୁହ–ଏତିକି ମୋର କାମନା ।

 

ତୁଳସୀର ଅନ୍ତର ତଳୁ ଘନ ଘନ କୋହ ଉଠିଲା । ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ତାର ପ୍ରବଳ ପ୍ରଭଞ୍ଜନରେ ବରଡ଼ା ପତ୍ର ପରି ଥରିବାକୁ ଲଗିଲା । ମସ୍ତକର ଅନୁଭବ କଲା ସେ ଶତବୁଶ୍ଚିକର ଦଂଶନ । କଣ ସେ ଭାବୁଛି ? ଆତ୍ମହତ୍ୟା ଯେ ମହାପାପ; କିନ୍ତୁ ସେ ଯେ ନିରୁପାୟ ।

 

ପାଗଳୀଙ୍କ ପରି ଦୌଡ଼ି ଆସିଲା ତୁଳସୀ ଗେଟ୍ ପାଖକୁ । ଷ୍ଟେସନରୁ ଦିଶୁଛି ଯାତ୍ରୀଗାଡ଼ିର ସାମନା ଆଲୁଅଟି ଏଇକ୍ଷଣି ଷ୍ଟେସନରୁ ବାହାରି ଆସିବ ଶତ ଶତ ଯାତ୍ରୀଙ୍କୁ ଗର୍ଭରେ ଧାରଣ କରି । ଏଣିକି ତେଣିକି ଚାହିଁଲା ସେ । ପାଖ ପଡ଼ୋଶୀମାନେ ନିଘୋଡ଼ ନିଦ୍ରାରେ ଶୋଇଲେଣି । କୁଆ କୋଇଲି ଶବ୍ଦ ନାହିଁ । ବରଷା ରାତି । କୁକୁର ଛୁଆଟି ତାକୁ ଦେଖି ଖାଲି କାଉଁ ବାଉଁ ହେଉଛି ଭୋକରେ । ଠିକ୍ ସମୟ ।

 

ତୁଳସୀ ଛୁଟିଲା ଆଗକୁ । ଭୋକ ଉପାସରେ ଗୋଡ଼କୁ ଗୋଡ଼ ତାର ବାଡ଼େଇ ହେଉଥାଏ । ଡାକେ ବାଟ ଗଲେ ରେଲ୍ ଲାଇନ । –ଘୋଷ ପାର୍କ ସେପଟେ । ଯାତ୍ରୀ ବାହି ଗାଡ଼ିଟି ଭୀଷଣ ଗର୍ଜନ କରି ମାଡ଼ି ଆସୁଛି । ଦୌଡ଼ି ଦୌଡ଼ି ଯାଇ ସେ ଠିଆ ହୋଇଗଲା ରେଲ ଲାଇନ୍ ଉପରେ । ଗାଡ଼ିଟି ତା’ ପାଖରେ ପହଞ୍ଚିବାକୁ ଆଉ ପ୍ରାୟ ଦୁଇଶହ ଗଜ ବାକି । ଲୌହବର୍ତ୍ତଗୁଡ଼ିକ କମ୍ପି ଉଠିଲାଣି । ଏହିକ୍ଷଣି ତୁଳସୀର ପ୍ରାଣବାୟୁ ଚିରଦିନ ପାଇଁ ମିଶି ଯିବ ଅନନ୍ତ ଗଗନ ସାଥିରେ-। ଲୌହବର୍ତ୍ତ ଉପରେ ପଡ଼ି ରହିବ ଖାଲି ତାର କ୍ଷତ ବିକ୍ଷତ ମାଟି ପିଣ୍ଡ ।

 

ହଠାତ୍ କାନ ପାଖରେ ତାର କିଏ କହିଲା–“ଦୁଲ୍ଲଭ ମାନବ ଜନ୍ମ ।” ଠିକ୍ ଯେପରି କାଠଯୋଡ଼ି କୂଳରେ କହିଥିଲା ଶ୍ରୀକାନ୍ତ ସେ ନଦୀ ଗର୍ଭରେ ଝାସ ଦେଉଥିଲା ବେଳେ । ଫେରି ପଡ଼ି ଚାହିଁଲା ପଛକୁ । କେହି କୁଆଡ଼େ ନାହିଁ । କିଛି ଦୂରରେ ଗୋଟିଏ ବୁଢ଼ୀ ପାଛିଆଟିଏ ଧରି ସେ ଆଡ଼କୁ ଆସୁଥିବାର ଦେଖାଯାଉଛି । ମୁହଁ ଫେରାଇ ତୁଳସୀ ସ୍ଵାମୀର ଉଦ୍ଦେଶ୍ୟରେ ଶେଷ ପ୍ରଣତି ଜଣାଇଲା । ଗର୍ଜି ଉଠିଲା ଯାତ୍ରୀ ବାହି ଗାଡ଼ିଟା ଆଉ ପ୍ରାୟ ମିନିଟିଏ ।

 

ବିଜୁଳି ବେଗରେ ଦୌଡ଼ି ଆସିଲା ବୁଢ଼ୀଟି, ଶତ ସିଂହର ବଳ ତାର କମରକୁ ଆସିଲା । ପାଛିଆଟିକୁ ଥୋଇ ଦେଇ କାଳ ବିଳମ୍ବ ନ କରି ସେ ତୁଳସୀକୁ ଟେକି ଆଣିଲା ଲାଇନ୍ ଉପରୁ । ଗାଡ଼ିଟି ବାହାରି ଗଲା ।

 

ବୁଢ଼ୀ କଅଁଳେଇ ପଚାରିଲା–କାହିଁକି ଆତ୍ମହତ୍ୟା କରୁଥିଲୁ ଝିଅ ? ଆତ୍ମହତ୍ୟା ମହାପାପ–ଏତିକି ତୁ ଜାଣି ନାହୁଁ । ତୁଳସୀ ଥରି ଥରି କହିଲା–ମା’ ସ୍ଵାମୀ ଯଦି ତେଜ୍ୟା କଲେ-ଏ ସଂସାରରେ ବଞ୍ଚି ରହି ଲାଭ କ’ଣ ?

 

କ’ଣ କହୁଛୁ ତୁ ଝିଅ ? ମୁଁ ତ କିଛି ବୁଝିପାରୁ ନାହିଁ ।

 

ଗୋଟି ଗୋଟି କରି ତୁଳସୀ ବୁଢ଼ୀକୁ ନିଜର ଦୁଃଖ କଣାଇଲା । ବୁଢ଼ୀ ଦୀର୍ଘ ନିଶ୍ଵାସ ମାରି କହିଲା–ହଉ, ଚାଲ ମା’ ମୋ ଘରେ ରହିବୁ । ମୋର କେହି ନାହିଁ, ମୁଁ ରାଣ୍ଡ ଆଣ୍ଠୁକୁଡ଼ି ମଣିଷ-। କାଠ ବିକି ଚଳୁଛି ମା’, ତୁ ମୋର ଝିଅ । ମୁଁ ଦୁଃଖ କରିବି, ତୁ ଫୁଟାଇ ମୋତେ ମନ୍ଦେ ଦେବୁ । ଏଇ ସହର ତଳକୁ କୋଶେ ବାଟରେ ମୋ ଘର । ତୁ ତ କହୁଛୁ, ତୁ ଗରିବ ଘର ଝିଅ । ଦୁଃଖ କଷ୍ଟ ସହିଛୁ । ଭୋକଉପାସ ଭୋଗିଛୁ । ଭାଗ୍ୟରେ ଥିଲା ଅଢ଼େଇ ଦିନକୁ ବଡ଼ ଘର ବୋହୁ ହୋଇଥିଲୁ । ପୁଣି କର୍ମ ଅଦୃଷ୍ଟରୁ ଯୋଉ କୂଳରୁ ଯାଇଥିଲୁ ସେଇ କୂଳରେ ପହଞ୍ଚିଲୁ । ଦୁଃଖ ତ ଆମର ନିତି ଦିନିଆ ସାଥି । ଆଉ ଭୟ କ’ଣ ? ଯେ କଷ୍ଟ ସହି ନ ଥିବ ସେ ଦୁଃଖରେ ଝଡ଼ି ଯିବ । ଆମର କ’ଣ-? ହାଡ଼ ଭାଙ୍ଗିବା ଖାଇବା । ଚୋରି, ଡକାୟତି କଲେ ସିନା ଲାଜ ମାଡ଼ିବ । ଚାଲ୍ ମା’ ମୋ ସାଙ୍ଗରେ ଚାଲ୍ । ସେ ଯୋଗିନୀଖିଆ ଅନ୍ୟ ଭାରିଯା କରୁ । ତୁଳସୀ ଚମକି ପଡ଼ି କହିଲା–ମାଉସୀ ଗାଳିଦିଅ ନାହିଁ । ବୁଢ଼ୀ ହସିଲା ତୁଳସୀର ସ୍ଵାମୀ ଭକ୍ତି ଲକ୍ଷ୍ୟ କରି ।

 

ଦୁହେଁ ଖସିଲେ ରାସ୍ତାତଳକୁ । ଦୂରରୁ ଶୁଭୁଥାଏ ରେକର୍ଡ଼ ସଙ୍ଗୀତ–କିତନ ବଦଲ ଗୟେ ଇନ୍‍ସାନ

Image

 

(୩୧)

 

ଆଜି ଚଉଠି ରାତି । ଶ୍ରୀକାନ୍ତ ଘରେ ପହଞ୍ଚିଲା ମାତ୍ରେ ଗିରା ମହାନ୍ତି ଓ ନରହରି ବାବୁ ତାକୁ ଦ୍ଵିତୀୟ ଥର ବିବାହ କରିବାକୁ ରାଜି କରାଇ ଦେଲେ । ମହାନ୍ତି ଗୋଟାଏ ଗୁଣିଆ ପାଖରୁ ବ୍ରହ୍ମ କବଚ ଆଣି ଶ୍ରୀକାନ୍ତ ହାତରେ ବାନ୍ଧି ଦେଲା । ଶ୍ରୀକାନ୍ତର ତୁଳସୀ କଥା ଆଉ ମନେ ପଡ଼ିଲା ନାହିଁ । ଯନ୍ତ୍ରବତ୍ ଯେ ତାକୁ ଯେଉଁଆଡ଼େ ଚଳାଇଲା ସେ ସିଆଡ଼େ ଚାଲିଲା । ବିଭାଘରଟା ହେଇଛି ଏହିପରି ଶ୍ରୀକାନ୍ତର ପଦ୍ମାସାଥିରେ ।

 

ରାତି ଗୋଟାଏ । ନୀଳ ଆକାଶ ତଳେ ଅଶିଣ ଚାନ୍ଦ ଘନକୃଷ୍ଣ ମେଘମାଳା ସଙ୍ଗେ ଲୁଚକାଳି ଖେଳୁଛି । ନିରବ ଚାନ୍ଦିନୀ ରାତ୍ରିର ଘନତ୍ଵ ଭରି ଦେଉଛି ସାଥିହରା ପ୍ରାଣେ ଅସୀମ ବ୍ୟାକୁଳତା । ଥରି ଉଠୁଛି ବରହିଣୀର ବେଦନା ଭରା ଛାତି । କାହିଁ ଏକ ସୁଖ ସ୍ଵପ୍ନପୁରିରେ ଜୀବନର ଶତ ଦୁଃଖ ଦୈନ୍ୟକୁ ଦୂରକୁ ଠେଲି ଦେଇ ଆଉ କିଏ ଉପଭୋଗ କରୁଛି ଦାମ୍ପତ୍ୟ ଜୀବନର ମଧୁରତା । କୁମତି, କିଏବା ଲୁଚି ବୁଲୁଛି ଗଳି କି ଗଳି ନିଜର ଅଭିଷ୍ଠ ସାଧନ ଉଦ୍ଦେଶ୍ୟରେ । ଧନ୍ୟରେ ସ୍ରଷ୍ଟା, ଧନ୍ୟ ତୋର ବିଶ୍ଵ ନିୟନ୍ତ୍ରଣ ।

 

କୂଳଦୀପଟି ଜଳୁଛି ଚଉଠି ଘରେ । ଶ୍ରୀକାନ୍ତ ମୁହଁ ମାଡ଼ି ଶୋଇଯାଇଛି ପଲଙ୍କ ଉପରେ-। ଆଖିରୁ ତାର ଲୁହ ଝରି ଭେଦି ଯାଇଛି ତକିଆରୁ ମଳେ । ଦେହରୁ ତାର ସରମ ଝାଳ ବହି ଯାଉଛି । ନାନା ଜାତି ଫୁଲ, ସୁବାସିତ ଅତର ବାସନାରେ କୋଠରୀଟି ମହକି ଉଠୁଛି ।

 

ଗିରା ମା’ ପଦ୍ମାକୁ ଟାଣି ଟାଣି ନେଇ କୋଠରୀ ଭିତରକୁ ପେଲି ଦେଲା । ବାହାର ପଟୁ କବାଟ ବନ୍ଦ କରି କହିଲା ମୁଁ ଯାଉଛି ବାବୁ’ଣି । ରାତି ପାହିଲେ ପୁରସ୍କାର ପାଇଁ ଆସିବି ।

 

ପ୍ରଣାମ କଲା ପଦ୍ମା କୂଳଦୀପକୁ । ଧୀରେ ଧୀରେ ଯାଇଁ ଶ୍ରୀକାନ୍ତର ପଦଧୂଳି ନେଇ ମୁଣ୍ଡରେ ମାରିଲା । ଉତ୍‍ଫୁଲ୍ଲ ହୃଦୟରେ ନିରୀଷଣ କଲା-କି ସୌମ୍ୟ କାନ୍ତି । ବଳିଲା ବଳିଲା ବାହୁ–ସତେ ଅବା କନ୍ଦର୍ପ ପୁରୁଷ । ଆଖି ଫେରାଇ ଚାହିଁଲା ପୁଣି ନିଜକୁ । ଜହ୍ନି ମଞ୍ଜି ଠାରୁ ତୋଫା ଦେହଟା ସାରା ବସନ୍ତ ଚିହ୍ନ–ଆଖିରେ ବସନ୍ତ ଫୁଲା–କେଡ଼େ କୁତ୍ସିତା । ସେଥିପାଇଁ ବୋଧହୁଏ ଆଜିଯାଏ ବାଡ଼ୁଅ ହୋଇଥିଲା ଯାଜପୁର ଜମିଦାର ଘରେ । ଲକ୍ଷେ ଟଙ୍କାର ସମ୍ପତ୍ତି ଆଣିଲେ କ’ଣ ହେବ, ଏପରି ସୁନ୍ଦର ପୁରୁଷ ପୁଣି ବଡ଼ହାକିମ–କ’ଣ ସତେ ମୋତେ ଗ୍ରହଣ କରିବେ ? ହସି ପଦେ କଥା କହିବେ ? ସେ କ’ଣ ଜାଣିବେ ଅନ୍ତର ମୋର ପବିତ୍ର । ହଉ ଭଗବାନ୍ ଅଛନ୍ତି !

 

ଶ୍ରୀକାନ୍ତ କଡ଼ ଲେଇଟାଇଲା । ପଦ୍ମାର ଆଖି ପଡ଼ିଲା ତାର ଦକ୍ଷିଣବାହୁରେ ବନ୍ଧା ହୋଇଥିବା ଡେଉଁରିଆଟି ଉପରେ । ବାହୁର ଡେଉଁରିଅର ଫିତାଟି ଚିପିହୋଇ ଦାଗ କରି ସାରିଲାଣି । ପଦ୍ମା ଭାବିଲା–ବିଂଶ ଶତାଦ୍ଦୀର ଶିକ୍ଷିତ ଯୁବକ ପୁରୁଣା ପ୍ରଥାକୁ ଛାଡ଼ି ନାହାଁନ୍ତି । ବର୍ତ୍ତୁଳବାହୁରେ ଡେଉଁରିଆଟେ ପିନ୍ଧି କେଡ଼େ ଅସୁନ୍ଦର ଦିଶୁଛନ୍ତି । ଫିଟାଇ ଦେଲା ଡେଉଁରିଆଟିକୁ ଶ୍ରୀକାନ୍ତ ବାହୁରୁ ଅତି ସତର୍କରେ- କାଳେ ନିଦ୍ରାଭଗ୍ନ ହେବ ।

 

ସ୍ଵାମୀଙ୍କୁ ଅସୁନ୍ଦର କରି ଦେଇଥିବା ଡେଉଁରିଆଟି ଉପରେ ତାର ଭାରି ରାଗ ହେଲା । ସେ ତାକୁ ପଲଙ୍କ ତଳକୁ ଫିଙ୍ଗି ଦେଇ ପଲଙ୍କ ବାଡ଼କୁ ଆଉଜି ବସିଲା । ଆଖିକୁ ତାର ତନ୍ଦ୍ରା ଆସିଗଲା ।

 

ଶ୍ରୀକାନ୍ତ ନିଦ୍ରିତ । ଅତୀତର ଦରଭୁଲା ସ୍ମୃତି ତାର ମାନସ ପଟରେ ଜାଗ୍ରତ ହୋଇଉଠିଛି । ସଞ୍ଜବେଳ । ସେ ସାଇକେଲ ଚଢ଼ି ଆସୁଛି–ମନ ଉଲ୍ଲାସରେ ଶାଳିଆନଦୀ କୂଳରେ ବନ୍ଧ ଉପରେ ସମ୍ମୁଖକୁ ତାର ନଜର ନାହିଁ । ଉପରକୁ ଚାହିଁ ପ୍ରକୃତିର ଶୋଭାଦର୍ଶନରେ ସେ ବିଭୋର । ତୁଳସୀ ପାଣି ମାଠିଆଟି ଧରି ମନଦୁଃଖରେ ବନ୍ଧ କଡ଼େ କଡ଼େ ଫେରୁଛି ଘରକୁ । ହଠାତ୍ ଶ୍ରୀକାନ୍ତର ସାଇକେଲଟି ଧକ୍‍କା ହେଲା ତୁଳସୀ ଉପରେ । ପାଣି କଳସୀଟି ପଡ଼ି ଭାଙ୍ଗିଗଲା । ତୁଳସୀ ଚମକିପଡ଼ି ଚାହିଁଲା ଶ୍ରୀକାନ୍ତକୁ । ଲାଜୁରା ହୋଇ ଠିଆହେଲା ସେ । ଶ୍ରୀକାନ୍ତ ଉଠି ଝାଡ଼ି ଝୁଡ଼ି

ହୋଇ କହିଲା–ତୁଳସୀ ତୁମର ଭୁଲ ନୁହେଁ–ମୋର । ମାଠିଆଟି ଭାଙ୍ଗିଗଲା, ଏଇ ପଇସା ନିଅ କିଣିବ, ‘ନା’ ବୋଉ ଗାଳିଦେବ’ କହି ତୁଳସୀ ଚାଲିଛି ଆଗକୁ । ଶ୍ରୀକାନ୍ତ ଚିତ୍କାର କରୁଛି–ତୁଳସୀ ତୁଳସୀ...ତୁଳସୀ... ।

ଶ୍ରୀକାନ୍ତର ବାଉଳି ଶୁଣି ପଦ୍ମାର ତନ୍ଦ୍ରା ଭାଙ୍ଗିଗଲା । ସେ ହାତ ମାରିଦେଲା–ଶ୍ରୀକାନ୍ତ ଉପରେ । ସ୍ଵପ୍ନ ଭାଙ୍ଗିଗଲା ତାର ।

–କ’ଣ କରୁଛ ତୁଳସୀ ?

ପଦ୍ମା ମୁହଁ ବୁଲାଇ ଠିଆ ହେଲା ।

ତୁଳସୀ, ଆଜି ଏ’କି ଢଙ୍ଗ ତୁମର ?

“ମୁଁ ପଦ୍ମା ।’’

“ପଦ୍ମା”

“ହଁ ଆପଣଙ୍କ ପଦସେବିକା ପଦ୍ମା । ଆଜି ପରା ଚଉଠି ରାତି ।’’

“ଚଉଠି ରାତି ? ତୁଳସୀ କାହିଁ ?”

ଉଠି ବସିଲା ଶ୍ରୀକାନ୍ତ । ପଦ୍ମା ତାର ବାହୁଦ୍ୱୟ ଧରି କହିଲା–ଛୁଆପିଲାଙ୍କ ପରି ଶିକ୍ଷିତ ଲୋକ ବାଉଳି ହୁଅନ୍ତି ? ଶୋଇପଡ଼ ଉଠ ନାହିଁ । ଦେହ କିପରି ଲାଗୁଛି ? ଶ୍ରୀକାନ୍ତ ନିଜକୁ ଚାହିଁଲା–ଶରୀରଟା ତାର ରୁକ୍ଷ ଶ୍ରୀହୀନ ଦେଖାଯାଉଛି । କ୍ଳାନ୍ତି ଆଉ ଦୁର୍ବଳ ସତେ ଯେପରି ତାର ଅଙ୍ଗପ୍ରତ୍ୟଙ୍ଗରେ ବସା ବାନ୍ଧି ରହିଛନ୍ତି । ଭାବିଲା–ଏକି ମାୟା ? ଦୃଢ଼ସଂକଳ୍ପ କରିଥିଲି ଯେ–ଦ୍ଵିତୀୟ ଦାଗ ଗ୍ରହଣ କରିବି ନାହିଁ । ତାହା ପୁଣି ସମ୍ଭବ ହେଲା କିପରି ? ସବୁ ଚକ୍ରୀର ଚକ୍ରାନ୍ତ....ତେବେ ମୋର ତୁଳସୀ ସତୀ ସାବିତ୍ରୀ....ମୁଁ ଭୁଲ ବୁଝିଲି ତାକୁ । ମୁଁ ଭୁଲ ବୁଝିଲି । ଜାଣିପାରିଲି ନାହିଁ ଗିରା ମହାନ୍ତିର କୁଟୀଳ ଚକ୍ରାନ୍ତ, ତୁଳସୀ ଆଉ କ’ଣ ଜୀବନରେ ଥିବ ? ତୁଳସୀ...ତୁଳସୀ....

ଶ୍ରୀକାନ୍ତ ବାହାରି ଆସିଲା ସେ ଘରୁ । ପଦ୍ମା “ସ୍ଵାମୀ.....ସ୍ଵାମୀ....” ଚିତ୍କାର କରି ବିଚଳିତ ହୋଇ କଚାଡ଼ି ପଡ଼ିଲା ଚଟାଣ ଉପରେ । ବାହାରେ ଥୁଆ ହୋଇଥିଲା ଯୌତୁକ ପାଇଥିବା ଆମ୍ବାସଡ଼ାର୍ କାର୍, ଉଠିଗଲା କାର୍ ଭିତରକୁ ।

କାର୍ ଛୁଟିଲା ଉଲ୍‌କା ଗତିରେ ।

Image

 

(୩୨)

 

ପୂର୍ବ ଦିଗ୍‍ବଳୟ ତଳେ ସିନ୍ଦୁରା ଫାଟିଲାଣି । ଶ୍ରୀକାନ୍ତ ପହଞ୍ଚିଲା ବାଲେଶ୍ଵରରେ । କାର୍‍ଟି ବୈଠକଖାନା ସମ୍ମୁଖରେ ଠିଆ କରାଇ ଦେଇ ଭିତରକୁ ପଶିଗଲା । କବାଟ ଖୋଲି ପ୍ରତ୍ୟେକ କୋଠରୀରେ ସବୁ ବିଜୁଳିବତୀ ଜଳାଇ ଦେଖିଲା, ଜିନିଷ ପତ୍ର ସବୁ ଅନାବନା ହୋଇପଡ଼ିଛି । ଘରେ ଘରଚଟିଆ, ଘର ପାରା ବସା କଲେଣି । ନାନା କାଠି କୁଟା, ଗୁଣ୍ଡିକନା, ପର ଆଦି ପକାଇ କୋଠରୀଗୁଡ଼ିକୁ ଗୋହରୀ କରି ସାରିଲେଣି । ରାକେଟ ଓ ଷ୍ଟାଣ୍ଡ୍‍ରେ ରଖାଯାଇଥିବା ପେଣ୍ଟ ଜାମିଜ ଶାଢ଼ି ଉପରେ ପାରା ହଗି ମଇଳା କରି ସାରିଲେଣି । କେତେ କେତେ ଦାମିକା

 

ପୋଷାକ ଗୁଡ଼ାକୁ ମୁଷା କାଟି ନଷ୍ଟ କରି ଦେଇଛନ୍ତି । ହାଣ୍ଡିରେ ଭାତ ଗୁଡ଼ାକ ସେଇ ପରି ଥୁଆ ହୋଇଛି । ଡାଲି ଡେକ୍‍ଚିଟା ମୁହଁ ମାଡ଼ି ପଡ଼ିଛି, ତରକାରୀ କରେଇରେ ଛାତି ମାରି ଫେଣ ଉଠିଲାଣି ।

 

ଦାର୍ଘନିଶ୍ୱାସ ଛାଡ଼ିଲା ଶ୍ରୀକାନ୍ତ । ଛାତି ଭିତରେ ତାର ଘନ ଘନ କୋହ ଉଠିଲା । ଦୌଡ଼ି ଆସି ସେ ମୁହଁ ମାଡ଼ି ପଡ଼ିଗଲା–ଅଝଡ଼ା ମଇଳା ପଲଙ୍କ ଉପରେ । ଛୁଆପିଲାଙ୍କ ପରି କେତେ କଇଁ କଇଁ ହୋଇ କାନ୍ଦିଲା । ତୁଳସୀ ନାହିଁ, ଅଛି ତା’ର ସ୍ମୃତି । ମନେପଡ଼ୁଛି ତା’ର ପତି ଭକ୍ତି । ଦଶିଯାଉଛି ତା’ର ଚମ୍ପା ବଦନ-ବାଜିପାଉଛି କାନରେ ତାର ଗୁଲୁ ଗୁଲୁ କଥା କୁଆଡ଼େ ଆଉ ଗଲା-?

 

ଉଠିଗଲା ଶ୍ରୀକାନ୍ତ । ଷ୍ଟାଣ୍ଡ୍‍ରୁ ଶାଢ଼ୀ ଖଣ୍ଡିଏ ଆଣି ତନ୍ନ ତନ୍ନ କରି ଦେଖିଲା । ନୟନରୁ ତାର ପୁଣି ଝରିଲା ଲୋତକ । ଚାପି ଧରିଲା ଶାଢ଼ୀ ଖଣ୍ଡିକ ନିଜର ପଜ୍ଵଳିତ ବକ୍ଷ ଉପରେ । କ୍ଷଣକୁ କ୍ଷଣ ବ୍ୟାକୁଳତା ବଢ଼ିବାକୁ ଲାଗିଲା । ପୁନଶ୍ଚ ସେ ଢଳି ପଡ଼ିଲା ଅସନା ପଲଙ୍କ ଉପରେ ।

 

ସୂର୍ଯ୍ୟ ଉଦୟ ହେଲେ ନୀରବ ନିଶବ୍ଦ ବାଲେଶ୍ଵର ସହର ପୁଣି ଜନକୋଳାହଳରେ ମୁଖରିତ ହୋଇଉଠିଲା । ଶ୍ରୀକାନ୍ତ ନିଜର ଅସ୍ଥିରତା ଭଗ୍ନକରି ପାଖ ପଡ଼ୋଶୀମାନଙ୍କୁ ତୁଳସୀ ଖବର ପଚାରିଲା; କିନ୍ତୁ କେହି ସଠିକ୍ ଖବର ଦେଇପାରିଲେ ନାହିଁ । ମଟର ଛୁଟାଇ ଦେଲା ସେ ବ୍ରଜ ବାବୁ ଇଂଜିନିୟରଙ୍କ ବସାଭିମୁଖରେ ।

 

କାରଟିକୁ ଦୁଆରେ ଠିଆ କରାଇ ଦେଇ ପଶିଗଲା ଘର ଭିତରକୁ । ଚା’ ପାନ କରୁଥିଲେ ବ୍ରଜ ବାବୁ । କପ୍ ଥୋଇ ଦେଇ ଆଲିଙ୍ଗନ କଲେ ପ୍ରିୟ ବନ୍ଧୁ, ଶ୍ରୀକାନ୍ତକୁ । ଶ୍ରୀକାନ୍ତ ଆଖରୁ ଲୁହ ଝରି ପଡ଼ିଲା । ମୁଖମଣ୍ଡଳରେ ତାର ଆନନ୍ଦ ପରିବର୍ତ୍ତେ ବିଷାଦର ରେଖା ଖେଳିଗଲା-। ଅବାକ୍ ହେଲେ ଇଂଜିନିୟର ବ୍ରଜବାବୁ ବନ୍ଧୁଙ୍କର ଏପରି ଅବସ୍ଥା ଲକ୍ଷ୍ୟ କରି ପଚାରିଲେ–କ’ଣ ହୋଇଛି ତୋର ଶ୍ରୀକାନ୍ତ ? ଆଖିରୁ ଲୁହ ପୋଛି ଦେଇ ଶ୍ରୀକାନ୍ତ କହିଲା -ତୁଳସୀ ଆଉ ନାହିଁ ।

 

–ଆରେ ତୁଳସୀ ଆଉ ନାହିଁ–ମାନେ କ’ଣ ? ଆଶ୍ଚର୍ଯ୍ୟ ହୋଇ ପଚାରିଲେ ବ୍ରଜବାବୁ ।

 

ସମସ୍ତ ବୃତ୍ତାନ୍ତ ସେ ଶୁଣିଲେ ଶ୍ରୀକାନ୍ତଠାରୁ । ବଡ଼ ବିରକ୍ତ ହୋଇ କହିଲେ- ଜୀବନ୍ତ ପ୍ରତିମାକୁ ତ କଲବଲ କରି ମାରିଲୁ ଏବେ ଫଟୋ ପୂଜା କର । ଆଠ ଦିନ ହେଲା ଯଦି ସେ କୁଆଡ଼େ ଗଲାଣି ଆଉ କ’ଣ ସେ ବଞ୍ଚିଥିବ ତୁ ଭାବୁଛୁ । ଚତୁର୍ଦ୍ଦିଗରୁ ନିରାଶ ହୋଇ ସେ ପ୍ରାଣ ହରାଇ ଥିବ । ଶ୍ରୀକାନ୍ତ ଖାଲି ନିର୍ବୋଧ ପରି ଚାହିଁଥାଏ ବ୍ରଜବାବୁଙ୍କ ମୁହଁକୁ । ଆଠ ଦିନ ତଳର ଖଣ୍ଡିଏ ପୂରଣ କାଗଜ ଟେବୁଲ ଉପରୁ ଟାଣି ଆଣି ଦେଖାଇଲେ ବ୍ରଜବାବୁ । ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ଲେଖାଅଛି–“ଟ୍ରେନ ତଳେ ଯୁବତୀର ଆତ୍ମହତ୍ୟା । ନିରୀକ୍ଷଣ କରି ଦେଖିଲା ଶ୍ରୀକାନ୍ତ । କ୍ଷତ ବିକ୍ଷତ ଶରୀର । ମୁଣ୍ଡଟି କଟି ଯାଇ ରେଳ ଚକ ତଳେ ଧୂଳି ହୋଇଯାଇଛି । ଯୁବତୀଟିକୁ ଚିହ୍ନିବା କଷ୍ଟକର । ଶ୍ରୀକାନ୍ତ ମନକୁ ପାପ ଛୁଇଁଲା । ଏ ନିଶ୍ଚୟ ତୁଳସୀ ବ୍ୟତୀତ ଆଉ କେହି ନୁହେଁ । ଗ୍ରାମକୁ ଯିବାର ଠିକ୍ ଗୋଟାଏ ଦିନ ପରେ ଏ ଦୁର୍ଘଟଣା । ଚିରଦିନ ପାଇଁ ତୁଳସୀର ନାମ ଲୁଚିଗଲା । ବାଷ୍ପୀୟ ଶକଟ ଚକ ତଳେ ଚିତ୍କାର କଲା । ଶ୍ରୀକାନ୍ତ-ତୁଳସୀ ଆଉ ନାହିଁ । ବ୍ରଜ ଭାଙ୍ଗିଲା ମୋର ସୁନାର ସଂସାର । କ'ଣ କରିବି ମୁଁ ବ୍ରଜ ?

 

ବିଚଳିତ ହୋଇ ଶ୍ରୀକାନ୍ତ ବାହାରି ଆସିଲା ଘରୁ । ବ୍ରଜବାବୁ ଦୌଡ଼ି ଦୌଡି ତା’ ପଛରେ ଡାକ ଛାଡ଼ିଛନ୍ତି; କିନ୍ତୁ ସେ କର୍ଣ୍ଣପାତ ନ କରି କାର୍‍ରେ ଷ୍ଟାଟ୍ ଦେଲା । କାର୍ ଛୁଟିଲା ପବନ ବେଗରେ । ବ୍ରଜବାବୁ ରିକ୍‍ସାଟେ ଡାକି ଯାଉଁ ଯାଉଁ କାର୍‍ଟି ରାସ୍ତାର ମୋଡ଼ ବୁଲି ଅଦୃଶ୍ୟ ହୋଇଗଲା । ତଥାପି ସେ ଚାଲିଲେ କାର୍ ପଛେ ପଛେ ଶ୍ରୀକାନ୍ତ ବସାଆଡ଼କୁ । ବିଚରାକୁ ବୁଝାଇ ସୁଝାଇ ନ ଆସିଲେ ଯେପରି ହେଉଛି ପାଗଳ ହୋଇଯିବ । ଶ୍ରୀକାନ୍ତ ଅଧୈର୍ଯ୍ୟ ହୋଇ କାର୍ ଛୁଟାଇ ଦେଲା ବସା ଆଡ଼କୁ । ବାଟରେ କାରଟି ଧକ୍କା କରି ଦେଲା ଗୋଟିଏ ଟ୍ରକ ସାଥିରେ । ନିଜେ କାର୍‍ରୁ ଖସି ପଡ଼ି ଅଚେତ ହୋଇପଡ଼ିଲା ରାସ୍ତା ଉପରେ । ଦୁର୍ଘଟଣା ସ୍ଥଳରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି । ବ୍ରଜବାବୁଙ୍କର ରିକ୍‍ସା ଆସି ଲାଗିଲା ସେଇଠି । ଏତିକିବେଳେ ଗାଁରୁ ଯାଇ ପହଞ୍ଚିଲେ ନରହରି ବାବୁ । ଶ୍ରୀକାନ୍ତକୁ ଅଚେତ ଦେଖି ନରହରି ବାବୁ କଚାଡ଼ି ହୋଇପଡ଼ିଲେ ରାସ୍ତା ଉପରେ । ବ୍ରଜବାବୁ ବୁଢ଼ାକୁ ସାନ୍ତ୍ୱନା ଦେଇ ଶାନ୍ତି କରାଇଲେ । କାର୍‍ଟିର କିଛି ବିଶେଷ କ୍ଷତି ହୋଇ ନ ଥିଲା । ଶ୍ରୀକାନ୍ତକୁ ସଙ୍ଗେ ସଙ୍ଗେ ରାସ୍ତା ଉପରୁ ଉଠାଇ କାର୍‍ରେ ନରହରି ବାବୁ କୋଳରେ ଧରି ବସିଲେ । କାର୍ ଚଳାଇଲେ ବ୍ରଜବାବୁ ଡାକ୍ତରଖାନା ଆଡ଼କୁ ।

 

ବାଲେଶ୍ଵର ଡାକ୍ତରଖାନାରେ କିଛି ପ୍ରାରମ୍ଭିକ ଚିକିତ୍ସା କରାଇ ସମସ୍ତେ ଫେରିଲେ କଟକ ବଡ଼ ଡାକ୍ତରଖାନାକୁ । ମାସକ ପରେ ଶ୍ରୀକାନ୍ତ ଦେହ ମୁଣ୍ଡର କ୍ଷତ ଘା’, ଶୁଖିଲା; କିନ୍ତୁ ତାର ମାନସିକ ରୋଗ ଭଲ ହୋଇପାରିଲା ନାହିଁ । ଦିନକୁ ଦିନ ବଢ଼ିବାକୁ ଲାଗିଲା । ଡାକ୍ତରମାନେ ପରୀକ୍ଷା କରି କହିଲେ କାର୍‌ରୁ ପଡ଼ିଗଲା ପରେ ତାର ମସ୍ତିଷ୍କର କିଛି ଅଂଶ ଓଲଟି ପଡ଼ିଛି । ଅପରେସନ୍ ଏ ସ୍ଥାନରେ ଭଲହେବା ସମ୍ଭବ ନୁହେଁ । ତୁମେ ରୋଗୀକୁ ରାଞ୍ଚିକୁ ନେଇଯାଅ ।

 

ଡାକ୍ତରମାନଙ୍କ ଉପଦେଶ ଅନୁସାରେ ନରହରି ବାବୁ ଶ୍ରୀକାନ୍ତକୁ ବଞ୍ଚି ପାଗଳଖାନାକୁ ନେଇଗଲେ । ଏଣେ ହାକିମ ଚାକିରି ଗଲା । ଶ୍ରୀକାନ୍ତ ନିଜର ଧନ ସମ୍ପତ୍ତି, ସତୀ ସାବିତ୍ରୀ ସ୍ତ୍ରୀ, ମାନ ସମ୍ମାନ ଓ ବୁଦ୍ଧିଜ୍ଞାନ ହରାଇ ଘୃଣ୍ୟ ଅବହେଳିତ ପାଗଳ ଜୀବନକୁ ନେଇ ବଞ୍ଚି ରହିଲା ରାଞ୍ଚି ହସ୍‍ପିଟାଲରେ ।

 

ଶ୍ରୀକାନ୍ତର ଚିନ୍ତାରେ ହୀରା ଦେଈ ବୟସ ଆଉରି ୨୦ ବର୍ଷ ତଳକୁ ଖସିଗଲାଣି–ଦିନ କେଇଟା ଭିତରେ । ସ୍ଵାମୀର ଅଧୋଗତିରେ ସରଳା ଶୁଶିଳା ପଦ୍ମାର ଆଖିରୁ ଅନବରତ ଲୁହ ଝରୁଛି । ପେଟରେ ଭୋକ ନାହିଁକି ? ଆଖିକୁ ନିଦ ନାହିଁ । ବଞ୍ଚିବାର ଆଶ୍ରା ଦେଇ ସେ ଖାଲି ଗୁଣ୍ଡେ ଖାଇ ମନ୍ଦେ ପିଇ ଦିନ କାଟୁଛି । ଗିରା ମହାନ୍ତିର ପେଟମରା ରୋଗ ଦିନକୁ ଦିନ ବଢ଼ି ଚାଲିଛି । ଦୁନିଆଁ ଯାକ ଔଷଧ ଖାଇଲାଣି–ବେମାର ଅଧଲାଟିକର ବି କମୁ ନାହିଁ । ନିଜର ପାପ କର୍ମଗୁଡ଼ାକୁ ଭାବି ଭାବି ପାଗଳ ହୋଇଯାଇଛି । ଯାହାକୁ ଦେଖୁଛି ସେ କହୁଛି କିପରି ଶ୍ରୀକାନ୍ତ ଓ ତୁଳସୀକୁ ଅଲଗା କଲା । ମା’ ବୁଢୀଟା ତା’ର ଅନବରତ ତା’ପାଖରେ ବସି କାନ୍ଦୁଛି । ମହାନ୍ତି ଅପେକ୍ଷା କରିଛି–ତାର ପାପର ପ୍ରାୟଶ୍ଚିତ–ମୃତ୍ୟୁ~କେବେ ଆସିବ ।

Image

 

(୩୩)

 

ବାଲେଶ୍ଵର ଠାରୁ ତିନିମାଇଲ୍ ଦୂରରେ ହରିପୁର ଗ୍ରାମ । ପତରବିକି ନାଣ୍ଡି ବୁଢ଼ୀର ଘର ସେଇ ଗ୍ରାମରେ । କାଠ ପତର ବିକି ଦୁଃଖେ ସୁଖେ ଚଳେ । କାହାର ଲୁଣ ଚିମୁଟାଏ ସେ ଧାରେ ନାହଁ ? ପୁଅ ଗୋସିଆଁ ମଲା ଦିନରୁ ଅଣ୍ଟାରେ ଲୁଗା ଭିଡ଼ି ହାଡ଼ ଭାଙ୍ଗୁଛି । ଖୁବ୍ ସକାଳୁ ବଣକୁ ଯାଏ ଯେ ବେଳ ଲେଉଟକୁ ଫେରେ । ରୋଷେଇ ଦି’ଟା କରି ଗଣ୍ଡିଏ ଖାଇଦେଇ କାଠ ଗୋଛାଏ ପତର ବିଡ଼ାଏ ଧରି ବାଲେଶ୍ଵରରେ ପହଞ୍ଚେ । ନାଗୁଆ ଦେଇସାରି ଫେରିଲାବେଳକୁ ରାତି ଦଶ । ତୁଳସୀ ଆସିଲା ଦିନରୁ ରୋଷେଇ ଘରକୁ ସେ ଆଉ ଯାଉ ନାହିଁ । ଯୁ’ଆଡ଼ୁ ଯାହା ଆଣୁଛି ତାରି ପାଖରେ ପକାଇ ଦେଉଛି । ସେ ରାନ୍ଧି ବାଢ଼ି ବୁଢୀକୁ ଆଗ ସନ୍ତୁଷ୍ଟ କରି ନିଜେ ପଛେ ଦି’ଟା ଖାଉଛି-

 

ନାଣ୍ଡି ବୁଢ଼ୀ ଭୁଲିଯାଉଛି ଦିନକୁ ଦିନ ନିଃସନ୍ତାନ ଦୁଃଖ ।

 

ପ୍ରଭାତରୁ ଉଠି ତୁଳସୀ ଘର କାମରେ ଲଗିଯାଏ । ନାଣ୍ଡି ବୁଢ଼ୀ ବଣରୁ ଫେରି ନାଗୁଆ ଦେବାକୁ ଗଲେ ବେଳବୁଡ଼କୁ ତା’ ହାତରୁ ପାଇଟି ସରେ । ରବି ମା’ କୋଳରେ ଲୁଚିଯା’ନ୍ତି । ପୂର୍ବଦିଗରୁ ଅନ୍ଧାର ମାଡ଼ିଆସେ ଦୁଃଖ ପଶରା ନେଇ । ତୁଳସୀ ଚଉଁରା ମୂଳେ ସଳିତା ଜାଳି ସେ ନିଜର ଅଭିଷ୍ଟ ମନାସେ–“ସେ ପଛେ ମୋତେ ଅନ୍ତର କରନ୍ତୁ ପ୍ରଭୁ ! ତୁମେ ତାଙ୍କର ମଙ୍ଗଳ କର । ମୋ ହାତର ଚୁଡ଼ି ଚିରଦିନ ଲାଗି ଜଳି ଉଠୁଥାଉ ।’’ ତୁଳସୀର ଆଖିରୁ ଲୁହ ଝରେ । ଏତେ କଷ୍ଟ ସହି ମଧ୍ୟ ତାର ଦୁଃଖ ଗଲାନାହିଁ । ମନର ବେଦନା ମନରେ ମାରି ତୁଳସୀ ଫେରେ ଘରକୁ ।

 

ଶୋଇଲା ବିଛଣାରେ କେତେ ଆଡ଼ୁ କେତେ କଥା ମନେ ପଡ଼େ । ବାପା ମା'ଙ୍କ ସ୍ନେହ; ଜୀବନର କେତେ ଉତ୍‍ଥାନ ପତନ । ହସ କାନ୍ଦ ଗୋଟିକ ପରେ ଗୋଟିଏ ନାଚି ଉଠେ ଆଖି ଆଗରେ ତାର । ଧୁଆଁ ନିଆ ଅତୀତ ତଳୁ କେତେ ସ୍ମୃତି ଜାଗି ଉଠେ । ସବୁ କ୍ଷଣିକ ସବୁ ମାୟା ଜୀବନର ମାୟା ତୁଟିଯାଏ । କୋଟି ଦୁଃଖର ଢେଉ ଉଠେ ପ୍ରାଣରେ । ସେତିକିବେଳେ ଗର୍ଭସ୍ଥ ଶିଶୁର ସ୍ପଦନ ଅନୁଭବ କରି ତୁଳସୀର ପ୍ରାଣ ପୁଲକିତ ହୋଇଉଠେ । ଅନାଗତ ସୁଖର ଆଶାରେ ସେ ସବୁ ଦୁଖ, ଯାତନାକୁ ଦୂରରୁ ପେଲିଦିଏ ।

 

କାଲି ପରି ଚାରିଟା ମାସ ବିତିଗଲା । ଜନ୍ମହେଲା ତୁଳସୀ । ଗର୍ଭରୁ ଅତି ସୁନ୍ଦର ପୁଅ । ନାଣ୍ଡି ବୁଢ଼ୀର ପାଦ ଆଉ ତଳେ ନ ଲାଗେ । ପୁଅର ଏକୋଇଶାକୁ ଯେଉଁଠି ଯାହା ରଖିଥିଲା; ସବୁ ବିକିଭାଙ୍ଗି କରି ପୁଅ ପାଇଁ ବଳା କଲା । ସାଇପଡ଼ିଶାକୁ ପେଟ ପୂରାଇ ଖାଇବାକୁ ଦେଲା, ପାଲା କରାଇଲା I ମା’ ତାର ଅତି ଦୁଃଖ ପାଇଥିବାରୁ ନାଣ୍ଡି ବୁଢ଼ୀ ପୁଅଟି ନା ରଖିଲା–“ଦୁଖି” । ତୁଳସୀର ଦୁଃଖର ରାତି ପାଇଥିଲେ ମଧ୍ୟ ଏଡ଼େ ବଡ଼ ଦିନରେ ସେ ସୁଖି ହୋଇପାରିଲା ନାହିଁ । ମନେ ପଡ଼ିଲା ତା’ର ସ୍ୱାମୀଙ୍କ କଥା । ପାଖରେ ଥିଲେ ସେ କେତେ ଖୁସି ହେଉ ନ ଥାନ୍ତେ ? ମୁହଁ ଫିଟାଇ ନାଣ୍ଡି ବୁଢ଼ୀକୁ କହିଲା~ମା’ ବାବୁଙ୍କ ପାଖକୁ ଖଣ୍ଡେ ଚଠି ଦେ’ ବୁଢ଼ୀ ଗର୍ଜି ଉଠିଲା–ମା’ଲୋ ମୋର ଏତେ ଲୋଭ । “ମୁଁ ଝରୁଥାଏଁ ତୋରି ପାଇଁ ମୋ’ଠାରେ ଦୟା ତୋହର ଟିକିଏ ନାହିଁ ।’’ “ଛଟାଟିଏ ମେଲିଦେଇ ବୁଢ଼ୀ ଚାଲିଗଲା ନିଜ କାମରେ । ତୁଳସୀର ମନ ଭାଙ୍ଗିଗଲା । ତୁଳସୀ ଭବିଲା–ସତ କଥା ମିଥ୍ୟା ଅପବାଦ ଶୁଣି ସେ ତ ମୋତେ ତ୍ୟାଗ କରଚନ୍ତି । ପୁନଶ୍ଚ ଏ ବାରତା ଶୁଣିଲେ ଅଧିକ ସେ ଘୃଣା କରିବେ । ଦୁଃଖକୁ ନିଜ ପୁତ୍ର ବୋଲି ଗ୍ରହଣ ନ କରି ସେ କହିବେ ଜାରଜ, ନା ତାଙ୍କୁ ନ ଜଣାଇବା ଶତ ଗୁଣେ ଭଲ ।

 

ନାଣ୍ଡି ବୁଢ଼ୀ ଓ ତୁଳସୀର ଯତ୍ନରେ ଦୁଖି ଚନ୍ଦ୍ର ପରି ଆଜି ବଢ଼ିଲେ କାଲି ବଢ଼ିଲା । ବୁଢ଼ୀ ନାତି ପାଇଁ କେତେ ରକମର କୁଣ୍ଢେଇ ବେଲୁନ୍ ବଜାରରୁ କିଣି ଆଣି ଗଦା କଲା । ନିକମା ବେଳରେ ବୁଢ଼ୀର କାମ ନାତିକୁ ଧରି ଗେଲ କରିବା–“ମୋ ନାତି ବଡ଼ ହୋଇବ, ପାଠ ପଢ଼ିବ, ମନ୍ତିରି ହେବ, ଦେଶ ଜାତି ପାଇଁ ଗାନ୍ଧୀଙ୍କ ପାଇଁ ଜୀବନ ଦେବ....., ବାପ ଗୋସାପର ନାଁ ରଖିବ । ସେ ପାଖରୁ ନାଣ୍ଡୀ ବୁଢ଼ୀର ବଡ଼ ଜା, ଡାକେ–ହଁ ଲୋ ହଁ, ଦୁଖିଆ ତ ମନ୍ତିରି ହେବ–ଛେଳି ଗୋରୁ ଜଗିବ କିଏ ? ବୁଢ଼ୀ କହେ~ଦେଖିବୁ ଲୋ, ରହ । ସେ ମନ୍ତିରି ହେଲେ ତୋତେ ଉଡ଼ାଜାହଜରେ ବସାଇ ତିରଥ କରାଇ ଆଣିବ । ସେ ପାଖରୁ ଉତ୍ତର ଆସେ, ମୁଁ ଆଉ ବଞ୍ଚଥିବି ଲୋ, ସେତେବେଳକୁ । “ତୁ ନ ବଞ୍ଚିବୁ ବୋଲି କଣ ମୋ ନାତି ସେ ପାଇଁ ଦାୟୀ ?” ବୁଢ଼ୀ ପ୍ରତିଉତ୍ତର ଦିଏ ।

 

ଯେଉଁଦିନ ଦୁଖି ମା’ ବୋଲି ବୁଢ଼ୀକୁ ଡାକିଲା, ସେଦିନ ବୁଢ଼ୀର ଆନନ୍ଦ କହିଲେ ନ ସରେ । କେତେ ତାକୁ ଗେଲକରି ବୁଢ଼ୀ ବଣକୁ ଗଲା କାଠ ପାଇଁ; କାଠ ବିକି ଦୁଖି ପାଇଁ ଅଷ୍ଟମୀକୁ ନୂଆ ପେଣ୍ଟ୍ ଜାମା କିଣିବ । ବଣରୁ ଫେରୁଛି, କାଠ ପତର ନେଇ–ବାଟରୁ ଜର ଆସିଲା । ଅତି କଷ୍ଟରେ ଘରେ ପହଞ୍ଚି ଅଚେତ ହୋଇପଡ଼ିଲା । ଖିଆ ନାହିଁ ପିଆ ନାହିଁ । ବୁଢ଼ୀର ଗାଁରେ ହରି ପଧାନ ଗୁଣିଆ ଘର । ପିତାଶୁଣୀଟେ ଲାଗିଛି ବୋଲି କହି ବହେ ଖଣ୍ଡେ ଝାଡ଼ିଫୁଙ୍କି ଗଲା । ଜର ନ କମିବାରୁ ଗାଁ କବିରାଜ ବରଜୁ ମିଶ୍ରେ ଡକା ହୋଇ ଆସିଲେ । ତାଙ୍କରି ଚିକିତ୍ସାରେ ବୁଢ଼ୀ ରହିଲା । ଚାରିଟା ଦିନ ଯାଇଚି, ପାଞ୍ଚଦିନ ରାତି ପାହିଲା ବେଳକୁ ବୁଢ଼ୀ ବାଉଳି ହେଲା । ଜର ଉତ୍ତାପ ଜମା କମୁ ନାହିଁ, ଦେହରେ ଖଇ ଫୁଟିଯିବ । ତୁଳସୀର ମୁହଁକୁ ଅଣ୍ଡାଳି ଦେଇ ବୁଢ଼ୀ ଅଖି ବୁଜିଲା । ତୁଳସୀ ମା’ ବୋଲି ଏକ ରଡ଼ି ଦେଇ ଢଳି ପଡ଼ିଲା ନାଣ୍ଡି ବୁଢ଼ୀର ଛାତି ଉପରେ ।

 

ଆଉ ବା ଥାଏ କ’ଣ ?

Image

 

(୩୪)

 

ନାଣ୍ଡି ବୁଢ଼ୀ ମଲାଦିନରୁ ତୁଳସୀର ଅବସ୍ଥା କହିଲେ ନ ସରେ । ପରେ ଖାଇବାକୁ ଦିନା ପିନ୍ଧିବାକୁ କନା ନାହିଁ । କାଳ ମହରଗ ତ ପଡ଼ିଛି ଯେ ବାପ ଚାହିଁଛି ପୁଅ ଖାଉଛି । ଶୁଖିଲାଟାରେ ତାକୁ କିଏ ବସେଇ ଖୋଇବ । ଆହୁରି ପୁଣି ଗୋଟାଏ ଅଡ଼ୁଆ-କୋଳରେ ଦେଢ଼ ବରଷର ପୁଅ–“ଦୁଃଖିଶ୍ୟାମ” । ବୁଢ଼ୀ ଥିଲାବେଳେ ଉପବାସ କ’ଣ ଜାଣି ନ ଥିଲା । ଭଲ ମନ୍ଦ ଖୋଇ ବୁଢ଼ୀ ତାକୁ ଅତି ଆଦରରେ ନୟନ ପିତୁଳା ପରି ରଖିଥିଲା । ବର୍ତ୍ତମାନ ଉପାସ ଭୋକ ସହୁଛି କୋଉଠି-? ତା ପାଇଁ ଆଉ କେତେ ତୁଳସୀ ବାରଲୋକଙ୍କୁ ମୁହଁ ହରେଇବ ? ଥରେ ସିନା କିଏ ମନ୍ଦେ ଦେବ ? ସବୁ ଦିନେ କ’ଣ ଦେବେ ?

 

ତୁଳସୀ ଭାବିଲା–ମହତ୍ତକୁ ଚାହିଁ ରହିଲେ ପେଟ ଭୋକିଲା ରହିବ; କିନ୍ତୁ କୋଉଠି ପିଲାଟିକୁ ବସାଇ ଦେଇ ଦୁଖକୁ ଯିବି ?

 

–ଦରଜୀ କାମ, ବୁଣାବୁଣି କାମ ବହୁତ ଜାଣିଲେ କ’ଣ ହେବ, କଞ୍ଚାମାଲ କେଉଠୁ ଆସିବ ? ଘରେ ବସି ଦୁଇ ପଇସା ଅର୍ଜନ କରି ହୁଅନ୍ତା । ନା’ ସେ ବାବୁଆଣିଗିରି ଚଳିବ ନାହିଁ । ଦୁଃଖିଶ୍ୟାମକୁ ବଞ୍ଚାଇ ମଣିଷ କରିବାକୁ ପଡ଼ିବ....ଅନ୍ୟଠାରୁ ଗାଳି ମାଡ଼ ଖାଇବାକୁ ପଡ଼ିବ । ଦୁଖ ଧନ୍ଦା କରିବା ତ, ଚୋରୀ ଡକାୟତି ନୁହେଁ ? ଆଉ ଲାଜ କ’ଣ ? ଖଟି ଖାଇବି–ଆଉ ତ କିଛି ନୁହେଁ ? ସେ କହିବ ସେ କ’ଣ ଦେବକି ସେରେ ପାଏ ମୋତେ ?

 

ତୁଳସୀ ଅଣ୍ଟାରେ ଲୁଗାଭିଡ଼ି ଠିଆ ହେଲା ।

 

ସେଇଦିନଠୁ ସେ ବାହାର ଲୋକଙ୍କ ନିନ୍ଦା ଅପବାଦକୁ ଭୃକ୍ଷେପ ନ କରି ଦୁଃଖିକୁ କାଖରେ ବସାଇ ନିତି ଯାଏ ଦୁଖକୁ । ବଣରୁ କାଠପତର ଆଣି ସେଇ ଗାଁ’ରେ ବିକେ । ମହାଜନ ଘର ଗୁହାଳ ପୋଛେ । ଧାନ କୁଟେ । ପଧାନ ଘର ବେଳାଏ ବାସନ ମାଜେ । ଯୋଉଠୁ ଯାହା ଯାଏ, ପେଜ ପଖାଳ କରି ଚଳେ ।

 

ତୁଳସୀ ନିଜ ହାତରେ ଶ୍ରୀକାନ୍ତର ମୂର୍ତ୍ତି ଗଢ଼ି କାନ୍ଥରେ ଗୋଟିଏ ବୈଠିଣିରେ ରଖି ପୂଜା କରୁଥାଏ । ନିତି ପ୍ରତି କାମରୁ ଫେରି ସେ ମୂର୍ତ୍ତିଟି ତଳେ ମୁଣ୍ଡ ନୁଆଁଏ । କହେ-ମୋ କଥା ତୁମର କ’ଣ ମନେପଡ଼େ ନାହିଁ ପ୍ରଭୁ ? ସାରା ଜୀବନର ସୁଖ ସରାଗ ଅଜାଡ଼ି ଦେଲି ତୁମର ଚରଣ ତଳେ; ତଥାପି ତୁମେ ମୋତେ ଭୁଲ ବୁଝିଲ । ତୁମେ ହାକିମ ଆଉ ମୁଁ.... । ଏଇଟା ତୁମକୁ ସୁନ୍ଦର ଦିଶୁଛି ପ୍ରଭୁ ? ତୁଳସୀର ଛାତି ଭିତରୁ କୋହ ଉଠେ । ମନେ ମନେ ଭବେ–ଜୀବନ୍ତ ମୂର୍ତ୍ତି ତ ମନ ଜାଣିଲେ ନାହିଁ, ମାଟିର ପ୍ରତିମା କ’ଣ ଅନ୍ତର କଥା ବୁଝିବ ? ପରୋକ୍ଷ ଭକ୍ତିରେ ଲାଭ କ’ଣ ? ମନ ଭିତରଟା ତା’ର ଅବ୍ୟକ୍ତ ତିକ୍ତତାରେ ଘୁମୁରି ଉଠେ । ସେ ମାଟି ଶ୍ରୀକାନ୍ତର ପାଦୁକା ପାଇ ଚାଲିଯାଏ ନିଜ କାମରେ ।

 

ଦୁଖ କଷ୍ଟେ ଚାରିଟା ବର୍ଷ ପାଣି ପରି ବହିଗଲା । ସେଦିନ ଘରେ ଭାତ ନ ଥାଏ । ଦୁଃଖିଶ୍ୟାମ ତୁଳସୀ କାଖରୁ ଓହ୍ଲାଉ ନାହିଁ । ଗୌରୀ ମା’ ଡାକିଲା–ଝିଅ, ଭାତ ନାହିଁ ବୋଲି କହୁଥିଲୁ–କାମକୁ ଯିବୁ ? ତୁଳସୀ ଉତ୍ତର ଦେଲା–କେଉଁଠିକୁ ମାଉସୀ ?

 

–ଏଇ ସେ ବଣା । ଗୋଟେ କ’ଣ ଅଫିସକୋଠା ତିଆରି ହେଉଛି । ସେଇଠି ମିସ୍ତୀରି ପାଖକୁ ଇଟା ସିମେଟ୍ ବୋହିବା । ଦିନକୁ ଟଙ୍କାଏ ମଜୁରୀ ।

 

–ଯାଆନ୍ତି ମାଉସୀ; କିନ୍ତୁ କାଲିଠୁଁ ପୁଅକୁ ଜର !

 

ତୁଳସୀ ଜରୁଆ ପିଲାଟାକୁ ନେଇ ଗୌରୀ ମା’ ସାଥିରେ ଗଲା । ବସାଇଦେଲା ସେ ଦୁଃଖିଶ୍ୟାମକୁ ଆମ୍ବଗଛ ମୂଳେ । ଜ୍ଵରରେ କାନ୍ଦୁଥାଏ ସେ । ତୁଳସୀ ଯାଇ ସିମେଟ କରେଇ ମୁଣ୍ଡରେ ବସାଇଲା । କଣ୍ଟ୍ରାକ୍ଟର ବାବୁଙ୍କର ଆଖି ତା’ଉପରେ ଖାଲି ପଡ଼ୁଥାଏ । ଏମିତିକା ଝିଅଟେ ମୂଲିଆ କୂଳରେ ଜନ୍ମହେଲା କିପରି ? ଗୌରୀ ମା’କୁ ଡାକି ତୁଳସୀର ପରିଚୟ ପାଇଲାବେଳୁ କଣ୍ଟ୍ରାକ୍ଟର ବାବୁଙ୍କର ମନଟା କାହିଁକି ଚେଙ୍ଗେଇ ଉଠିଲା । କାମରେ ଆଉ ତାଙ୍କର ମନ ଲାଗିଲା ନାହିଁ । କାମ ବଢ଼ାଇବା ଛଳରେ ସେ ଖାଲି ତୁଳସୀ ପଛେ ପଛେ ଗୋଡ଼ାଇବାକୁ ଲାଗିଲେ ।

 

କାମ ଚାଲିଥାଏ । ବାଲେଶ୍ୱରରୁ ବ୍ରଜବାବୁ ଜିପ୍‍ରେ ଆସିଲେ କୋଠା ମାପ କରିବାକୁ । ତୁଳସୀ ଉପରେ ତାଙ୍କର ନଜର ପଡ଼ିଲା । ଦୋ ଦୋ ଚିହ୍ନା ହେଲେ ସେ । ପୁଣି ଭାବିଲେ ଟ୍ରେନ୍ ତଳେ ତ ତୁଳସୀ ପ୍ରାଣ ହରାଇଛି । ଏ ତେବେ ଆଉ କିଏ ଜଣେ । କେତେ ଚିନ୍ତାକରି ସେ ତା’ ପାଖକୁ ଯାଇ ତା’ର ଠିକଣା ପଚାରିଲେ । ତୁଳସୀ ମୁହଁ ଉପରକୁ ମୁଣ୍ଡ ଲୁଗାଟି ଟାଣିଦେଇ ତଳକୁ ଅନାଇ କହିଲା, ବାବୁ ! ଏଇ ହରିପୁର ମୋ ଘର । ମୋ ନା’ ବାଇଆଣି । ଅପ୍ରସ୍ତୁତ ହେଲେ ବ୍ରଜବାବୁ । ମିଛେ ମିଛେ ତା ନା’ଟି ମୂଲିଆଣୀମାନଙ୍କ ନାମ ତାଲିକାରେ ଚଢ଼ାଇବା ଛଳରେ ସେ ସେଠାରୁ ଖସିଗଲା । କୋଠା ମାପିସାରି ଜିପରେ ବସିଲେ, ବ୍ରଜବାବୁ ।

 

ସନ୍ଧ୍ୟା ହେଲା । ଗୁଡ଼ାଏ ବାଲି ସିମେଣ୍ଟ ଗୋଳାହୋଇ ଥୁଆ ହୋଇଛି । କଣ୍ଟ୍ରାକ୍ଟର ବାବୁ ମିସ୍ତ୍ରୀମାନଙ୍କୁ ଡାକି କହିଲେ–ମୁଁ ଘରକୁ ଯାଉଛି । ଗୋଳା ସିମେଣ୍ଟ ବାଲି କାଲିକୁ ରହିଲେ ନଷ୍ଟ ହୋଇଯିବ । ଆଜି ସବୁ ଶେଷ କରି ଘରକୁ ଯାଇ ମଜୁରି ନେଇ ଆସିବ । କଣ୍ଟ୍ରାକ୍ଟର ଚାଲିଗଲେ । ମିସ୍ତ୍ରୀମାନେ ସଞ୍ଜ ହେଲେ । ମଧ୍ୟ ଆଉ ମୂଲିଆ ମୂଲିଆଣୀମାନଙ୍କୁ କାମରୁ ଛୁଟି ଦେଲେ ନାହିଁ । କାମ ସରିଲାବେଳକୁ ରାତି ଆଠ । ସମସ୍ତେ ଧୋଇଧାଇ ହୋଇ ଚାଲିଗଲେ କଣ୍ଟ୍ରାକ୍ଟର ବାବୁଙ୍କ ଘରକୁ । ମଜୁରୀ ନ ନେଲେ ଖାଇବେ କ’ଣ । ତୁଳସୀ ଦୁଃଖିକୁ କାଖେଇ ଚାଲିଲା ତାଙ୍କ ପଛରେ ।

 

କଣ୍ଟ୍ରାକ୍ଟର ବାବୁ ସବୁ ମିସ୍ତ୍ରୀ ମୂଲିଆ, ମୂଲିଆଣୀଙ୍କୁ ଜଣକ ପରେ ଜଣେ ମଜୁରୀ ଦେଇ ଦେଉଛନ୍ତି । ଜାଣି ଶୁଣି ତୁଳସୀକୁ ପଛକୁ ରଖାଇଛନ୍ତି । ସମସ୍ତେ ନିଜ ନିଜର ମଜୁରୀ ପାଇ ଚାଲିଗଲେ । ତୁଳସୀ ବେଳକୁ କହିଲେ–ତୁମେ ଟିକେ ବସ; ପଇସା ସରିଗଲା । ଚାକରକୁ ପଠାଇଛି ଟଙ୍କା ଭଙ୍ଗାଇବାକୁ, ସେ ଏଇକ୍ଷଣି ଆସି ପହଞ୍ଚିବ । ତୁମେ ବାହାରେ ଠିଆ ନ ହୋଇ ଦାଣ୍ଡଘରକୁ ଆସି ବସ । ଏତକ କହି କଣ୍ଟ୍ରାକ୍ଟର ବାବୁ ଭିତରକୁ ଚାଲିଗଲେ ।

 

ନିଷ୍କପଟ ମନରୁ କପଟ ବା ସ୍ପର୍ଶ କରିବ କାହିଁକି ? ତୁଳସୀ କଣ୍ଟ୍ରାକ୍ଟର ବାବୁଙ୍କ ବୈଠକଖାନାରେ ଯାଇ ବସିଲା । ବିଜୁଳିବତୀ ଜଳୁଛି । ଘରଟି ନାନା ଚିତ୍ରରେ ଚିତ୍ରିତ । ମହାତ୍ମା ଗାନ୍ଧୀ, ପଣ୍ଡିତ ନେହୁରୁ ଆଦି ବଡ଼ ବଡ଼ ମଣିଷଙ୍କ ବନ୍ଧେଇ ଫଟୋ କାନ୍ଥ ଦେହରେ ଝୁଲାଯାଇଛି । କୋଠରୀଟି ସାରା ଗାଲିଚା ପଡ଼ିଛି । ଗାଲିଚା ଉପରେ ସୁନ୍ଦର ସୁନ୍ଦର ଚେୟାର ଟେବୁଲ୍ ସଜା ଯାଇଛି । ଟେବୁଲ୍ ଉପରେ ଟେବୁଲ୍ କ୍ଲଥ୍, ତା’ପରେ ଫୁଲ୍‍ଦାନୀ । ବଡ଼ ସୁନ୍ଦର ଦିଶୁଛି କୋଠରୀଟି-। ବଡ଼ ବଡ଼ ଅମଲାମାନେ ଆସିଲେ କଣ୍ଟ୍ରାକ୍ଟର ବାବୁ ତାଙ୍କୁ ଏ କୋଠରୀ ଭିତରେ ପୂରାଇ ସୁମିଷ୍ଟ ଜଳ ପାନ ଦ୍ଵାରା ଆପାୟିତ କରନ୍ତି । ତା'ପରେ ଚାଲେ କଳାବଜାରି କିଳାପୋତେଇ କାରବାର ।

 

ତୁଳସୀର ମନକୁ ଏ ସଜାସଜି ଭଲ ଲାଗୁ ନ ଥାଏ । ତାର ମନେ ପଡ଼ୁଥାଏ ବାଲେଶ୍ଵରରେ ଥିବାବେଳେ ତାଙ୍କର ବୈଠକଖାନାକୁ ସେ କି ସୁନ୍ଦର ଭାବରେ ସଜାଇଥିଲା । ଏଇ ଘରେ ସେ ଶିଳ୍ପୀର ହାତ ବାଜିଲେ ହସିଉଠନ୍ତା ଯେ କିନ୍ତୁ–କାହିଁକି ସେ ତାହା କରିବ ? ବାବୁଙ୍କ ପିଲାଛୁଆ କ’ଣ ଏଠି କେହି ନାହାନ୍ତି ?

 

କାହିଁ, କାହାରି ତ ପାଟି ଶୁଭୁନାହିଁ ।

 

ଦୁଃଖିକୁ ବେଞ୍ଚ ଉପରେ ବସାଇ ଦେଇ ତୁଳସୀ ଚାହିଁଲା କବାଟ ଫାଙ୍କରେ । କଣ୍ଟ୍ରାକ୍ଟର ବାବୁ ଲୁଙ୍ଗିଟେ ପିନ୍ଧି ନାଲି ବୋତଲଟାକୁ ମୁହଁରେ ଲଗାଇ ଢକ ଢକ କରି ନାଲି ପାଣିଗୁଡ଼ା ପିଇ ଯାଉଛନ୍ତି । ଡାକିଲା–ବାବୁ ମୋତେ ମଜୁରୀ ଦିଅ । ବହୁତ ରାତି ହୋଇଗଲାଣି । ମୁଁ ଚାଲିଯିବି ।

 

ବୋତଲଟାକୁ ଥୋଇଦେଇ ଦୌଡ଼ି ଆସିଲେ କଣ୍ଟ୍ରାକ୍ଟର ବାବୁ । ତୁଳସୀର ହାତ ଦୁଇଟାକୁ ଧରିପକାଇ କହିଲେ~ତୁମେ ଯିବ କୁଆଡ଼େ ? ଏଇ ରାତିଟା ତୁମକୁ ଏଠାରେ ରହିବାକୁ ପଡ଼ିବ । କାଲି ସକାଳୁ ଦଶଟି ଟଙ୍କା ଧରି ଘରକୁ ଯିବ । ଆସ, ଭିତରକୁ ଆସ । ସକାଳୁ ତୁମକୁ ଦେଖିଲାବେଳୁଁ କୌଣସି କାମରେ ମୋର ମନ ଲାଗୁ ନାହିଁ । ପ୍ରକୃତରେ ଏ ରୂପଯୌବନ କେବଳ ତୁମର ଆମ୍ଭମାନଙ୍କର ଉପଭୋଗ୍ୟ ପାଇଁ ।

 

କଣ୍ଟ୍ରାକ୍ଟର ବାବୁ ତାକୁ ଭିତର କୋଠରୀକୁ ଟାଣି ନେବା-ପାଇଁ ବଳ ପ୍ରୟୋଗ କଲେ । ତୁଳସୀ ନିରୁପାୟ । ଭୟରେ ଚିତ୍କାର କଲା–ମୋତେ ଛାଡ଼ ପିଶାଚ । ତୋର ଉଦ୍ଦେଶ୍ୟ ମୁଁ ବେଶ୍ ବୁଝିପାରିଲି । ସେଥିପାଇଁ ତୁ ମୋତେ ଏ ପର୍ଯ୍ୟନ୍ତ ରଖାଇଥିଲୁ । ମୁଁ ପର ସ୍ତ୍ରୀ, ତୋର ମା’ ପରି ଭାବି–ମୋତେ ଛାଡ଼ି ଦେ...ମୁଁ ଚାଲିଯାଏ । ଟଙ୍କା ମୋର ଦରକାର ନାହିଁ । କାନ୍ଦି ଉଠିଲା ତୁଳସୀ । ତଥାପି ସେ ମଦ୍ୟପ ତାକୁ ଟାଣିନେବାକୁ ବଳ ପ୍ରୟୋଗ କଲା । ଉପାୟ ନ ପାଇ ତୁଳସୀ ତା’ ହାତକୁ କାମୁଡ଼ି ଦେଇ ଖସି ଆସିଲା । ଦୁଃଖିକୁ କାଖେଇ ପବନ ବେଗରେ ରାସ୍ତା ଉପରକୁ ବାହାରି ଆସିଲା । କଣ୍ଟ୍ରାକ୍ଟର ବାବୁ ରୁମାଲରେ ହାତରୁ ରକ୍ତ ପୋଛୁଥାନ୍ତି ।

 

ତୁଳସୀ ଦୁଃଖିକୁ କାଖେଇ ଆଖିରୁ ଲୁହ ଝରାଇ ଘରକୁ ଫେରୁଛି । ଏଇଥିପାଇଁ ଜରୁଆ ପିଲାଟିକୁ ଶୋଇ ଦେଇ ଦିନସାରା ଖଟି ଥିଲା ? କାହା ଆଗରେ ଏ ଲଜ୍ୟାର କଥା କହିବ ? କିଏ ଆପଣାର ବୋଲି ଅଛି ତା’ ପାଖରେ, ଗୁହାରୀ କରିବ ? ନିଃସହାୟର ସାହା ଏକା ସେହି ଭଗବାନ-। ମନକୁ ସାନ୍ତ୍ଵନା ଦେଇ ଆଖିରୁ ଲୁହ ପୋଛିଲା ତୁଳସୀ ।

 

ଚାଲିଛି ସେ ବାମପଟରେ ରେବଣା ହାଇସ୍କୁଲ ପଡ଼ିଲା । ରାସ୍ତାକୁ ଲାଗି ସ୍କୁଲ ହତା । ହତାଭିତରେ ଏକ ଚାନ୍ଦିନୀ । ମହାତ୍ମା ଗାନ୍ଧୀଙ୍କର ପ୍ରସ୍ତର ମୂର୍ତ୍ତିଟିଏ ଗଢ଼ି ଦିଆଯାଇଛି ତାରି ଉପରେ-। ମୂର୍ତ୍ତିର ଉପରେ ଉଡ଼ୁଛି ଜାତୀୟ ପତାକା । ତୁଳସୀ ଚାହିଁଦେଲା ସେ ମୂର୍ତ୍ତିକୁ । ହରିଜନ ବନ୍ଧୁ ମହାତ୍ମାଗାନ୍ଧୀ ଜନ୍ମ ଭୂଇଁରେ ପୁଣି କଣ୍ଟ୍ରାକ୍ଟର ପରି ପିଶାଚ ଜନ୍ମ ହୋଇଛନ୍ତି । ଆଶ୍ଚର୍ଯ୍ୟାନ୍ଵିତ ହେଲା ତୁଳସୀ । ଭକ୍ତିରେ ମୁଣ୍ଡ ତାର ନଇଁଗଲା । ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଫାଟକ ଦୁଆରମୁହଁରୁ ଫୁଲଟିଏ ଛିଣ୍ଡାଉଛି, ମାଳି ଦୌଡ଼ି ଆସିଲା–କିଏ ଲୋ ତୁ ? ବାହାର ହତାଭିତରୁ । ହଁ ବାବୁ ଯାଉଛି କହି–ତୁଳସୀ ବାହାରି ଆସିଲା ହତା ଭିତରୁ ।

 

ଚାଲିଲା ସେ ନିଜ ବାଟରେ । ଭବିଲା–ଗରିବଙ୍କ ଉପରେ ସମସ୍ତଙ୍କର ଚଢ଼ାଉ । ଗରିବଙ୍କ ପାଇଁ ଆଇନ୍ କାନୁନ । ଯେଉଁ ମଳିମୁଣ୍ଡିଆଙ୍କ ରକ୍ତ ଶୋଷି ଚୌକୀଦାରଠାରୁ ବଡ଼ ଅମଲା ପର୍ଯ୍ୟନ୍ତ ହାଣ୍ଡି ପରି ପେଟ କାଢ଼ି ବୁଲୁଛନ୍ତି, ସେଇ ମଳିମୁଣ୍ଡିଆଙ୍କ ଆଗରେ ସେମାନେ ଦେଖାଉଛନ୍ତି ସେମାନଙ୍କର କର୍ତ୍ତବ୍ୟ ପରାୟଣତା–ଅଧିକା ମାତ୍ରାରେ । ନିଜର ବଡ଼ିମା ସିନା ସ୍ଥାନ କାଳ ପାତ୍ର ନିର୍ବିଶେଷରେ ଦେଖାଇଲେ ଗାନ୍ଧୀ ଦେଶର ମହତ୍ତ ରହନ୍ତା । ଆଜି ମାଳି ମୋତେ ଗରିବ ସ୍ତ୍ରୀ ଲୋକଟିଏ ଦେଖି ଫୁଲ ଛିଣ୍ଡାଇବାକୁ ନ ଦେଇ ହତାରୁ ବାହାର କରିଦେଲା । କିନ୍ତୁ ଯଦି ଜଣେ ହାକିମ କିମ୍ବା ଜମିଦାର ଫୁଲଟିଏ ଛିଣ୍ଡାଇଥାନ୍ତେ ସେ ତାଙ୍କୁ ଛିଣ୍ଡାଇବାରେ ବରଂ ସାହାଯ୍ୟ କରିଥାନ୍ତା । ସେ ବରଂ ଛାତି ପକେଟରେ ଗୁଞ୍ଜନ୍ତୁ, ତାକୁ ସମ୍ମାନ ସହକାରେ ଗୋଟିଏ ଛାଡ଼ି ଦୁଇଟି ଦେଇଥାନ୍ତା । କିନ୍ତୁ ମୁଁ ଯେ ମହାମାନବଙ୍କୁ ଭକ୍ତିର ଅର୍ଘ୍ୟ ସ୍ୱରୂପ ଟେକି ଦେଇଥାନ୍ତି–ସେତକ ତ ସେ ବୁଝିଲା ନାହିଁ । ଏଇ ତ ନ୍ୟାୟ....ଏଇ ତ ଦୁନିଆ ।

 

କ୍ଷୁଦ୍ର ମସ୍ତିଷ୍କରେ କେତେ ବଡ଼ ବଡ଼ କଥା ଭାବୁ ଭାବୁ ତୁଳସୀ ପହଞ୍ଚିଗଲା ହରିପୁର ଗାଁ ମୁଣ୍ଡରେ ।

Image

 

(୩୫)

 

ସାରା ରାତି ଡହଳ ବିକଳ । ଜରୁଆ ଛୁଆଟା ଭୋକରେ ଆଉଟୁପାଉଟୁ ହେଉଛି । ହାଣ୍ଡିରେ ଆମ୍ବିଳା ତୋରାଣୀ ମନ୍ଦେ ବି ନାହିଁ । ଏତେ ରାତିରେ କାହା ଘରକୁ ଆଉ ଭାତ ମାରିବାକୁ ଯିବ ? ଦିନ ସାରା ଖଟିଥିଲା ତ ମୂଲ ପାଇଲା ନାହିଁ । ମାଗଣା କିଏ ମୁଠେ ଦେବ ?

 

ବୁଝାଇ ସୁଝାଇ ତୁଳସୀ ଶୁଆଇ ପକାଇଲା ଦୁଃଖିଆକୁ । ଦୁଖରେ ତାର ପେଟ ପୁରିଉଠୁଛି, ତାକୁ ଭୋକ ଶୋଷ ନାହିଁ । ଖାଲି ସେ ଚାହୁଁଛି–ଏ ସ୍ଥାନ ଛାଡ଼ି କିପରି ସେ କୁଆଡ଼େ ପଳାଇଯିବ । କଣ୍ଟ୍ରାକ୍ଟର ହାତକୁ ଆଘାତ କରିଛି–ରାତି ପାହିଲେ ସେ ଆସି ପହଞ୍ଚିବ । କେହି ତ ତା’ ଦୋଷ ଧରିବେ ନାହିଁ -ସମସ୍ତେ କହିବେ ଏହାର ଭୁଲ । ଫଳରେ ମୁଁ ନିର୍ଦ୍ଦୋଷ ହୋଇ ବି ଦଣ୍ଡ ପାଇବି । ପୁନଶ୍ଚ କଣ୍ଟ୍ରାକ୍ଟରଙ୍କର ଚକ୍ଷୁଶୂଳ ହେବାକୁ ପଡ଼ିବ । ନଇଲେ ନିରୁପାୟ...

 

ମିଞ୍ଜି ମିଞ୍ଜି ଚୁଙ୍ଗି ଆଲୁଅରେ ତୁଳସୀ ଚାହିଁଲା–ବୈଠିଣୀରେ ବସିଥିବା ଶ୍ରୀକାନ୍ତର ମାଟି ମୂର୍ତ୍ତିଟିକୁ । ପେଟ ଭିତରଟା ତା'ର ମନ୍ଥି ହୋଇଗଲା । ଛାତି ଭିତରୁ ଉଠିଲା–କୋହ । ଅଭିମାନ ଭରା ସଜଳ ନୟନରେ ସେ କହିଲା–ତୁମେ ନଟିଆ ବସି ମୋର ନାଟ ଦେଖୁଛ । ମୋର ଜୀବନକୁ ତିଳ ତିଳ କରି ଶୋଷି ଆଶା ମେଣ୍ଟାଇଲ । ମିଠା ଚାଖି ସାରି ସିଠା ଫିଙ୍ଗି ଦେଲ-ଟିକେ ମୋତେ ଅନାଇଲ ନାହିଁ ? କାହା ପାଇଁ ମୁଁ ଏ ଦୁଃଖ ଯାତନା ସହୁଛି ? ତୁମ ହାକିମଗିରି ପୋଡ଼ି ଯାଉ । ତୁଳସୀ ଜିଭ କାମୁଡ଼ି ପକାଇଲା–ପ୍ରଭୁ । ମୋତେ କ୍ଷମା ଦିଅ । ମୋର ମନ କିଛି କହୁନାହିଁ ତୁମକୁ–ମୋର ଅବସ୍ଥା କହୁଛି । ହଉ ତୁମେ ହାକିମ ହୋଇ ସୁଖରେ ରହ-ଶଙ୍ଖା ସିନ୍ଦୁର ନେଇ ଏ ଜୀବନ ଯାଉ ।

ବହୁତ ରାତି ହେଲାଣି । ତୁଳସୀ କାନି ପାରିଦେଇ ଦୁଃଖିଆ ପାଖରେ ଶୋଇପଡ଼ିଲା ।

 

ନିଦ ଆସୁ ନାହିଁ ଆଖିକୁ ଭାବୁଛି–କେଉଁଆଡ଼େ ଯିବ ସେ ? କଟକ ଯା’ନ୍ତା, ଆଶ୍ରମରୁ ଗୋଡ଼ କାଢ଼ି ଆସିଛି । ପୁଣି କେଉଁ ମୁହଁରେ ଯିବ ? ସେମାନେ କ’ଣ ଆଉ ତାକୁ ରଖାଇବେ ? ଜନମ ମାଟିରେ ତ ନିଜର ବୋଲି କେହି ନାହିଁ । ସରପଞ୍ଚ ବାବୁ ଜାଣିଲେ ବାସ ରଖିବେ ଆଉ କୁଆଡ଼େ ଯିବ ? ସ୍ଥିରକଲା ଆଗ ଆଶ୍ରମରେ ପହଞ୍ଚିବ । ତାକୁ ଯଦି ନ ରଖିବେ–ଦୁଃଖିକୁ ତ ରଖିବେ । ତେଣିକି ସେ ଅଚିନ୍ତା ହେବ । କେଉଁଠି ରାହା ନ ମିଳିଲେ ତ କାଠଯୋଡ଼ି ନଦୀ ଅଛି ।

 

ପୂର୍ବାକାଶରେ ସିନ୍ଦୁରା ଫାଟିଲା । ପ୍ରଭାତି ଡଗରା ରାବିଲେ, ତୁଳସୀ ଚାହିଁଲା କାନ୍ଥ ଉପରକୁ । ଚାଳକୁ କାନ୍ଥ ପାଇ ନାହିଁ । ସେଇବାଟରେ ବାହାରର ଆଲୋକ ପଶି ଆସୁଛି । ଅନ୍ଧାର ଘର କ୍ରମେ ଫରଚା ଦିଶିଲାଣି । କାଳିବିଳମ୍ବ ନ କରି ସେ ଉଠି ବସିଲା । ପାଲ୍‍ଟା ଲୁଗା ଦି’ଖଣ୍ଡ, ସିଲିବର ବାସନ ଦି’ଖଣ୍ଡ ଏକାଠି ବାନ୍ଧି ଗଣ୍ଠୁଳି କଲା । ସେତିକି ତା’ର ଧନ । ଆଉ ଭାତ ହାଣ୍ଡିଟା ସେଠାକୁ ନେବ କ’ଣ ? କେହି ଉଠି ନ ଥାନ୍ତି, ଦୁଃଖିଆକୁ କାଖେଇ । ସେ ଚାଲିଲା ଷ୍ଟେସନକୁ ।

 

ସୂର୍ଯ୍ୟ ଉଇଁଲେ । ତୁଳସୀ ଷ୍ଟେସନରେ ପହଞ୍ଚିଲା । ଦୁଇଟି ଯାତ୍ରୀ ଗାଡ଼ି ଦୁଇ ଲାଇନରେ ଠିଆ ହୋଇଛନ୍ତି । ଗାଡ଼ି ଛାଡ଼ିବାକୁ ଘଣ୍ଟି ଦେଲାଣି । ତରତରରେ ସେ ଚଢ଼ିଗଲା ଦୁଃଖିଆକୁ ଧରି–ସେ ଗାଡ଼ିଟିକୁ କଟକ ଗାଡ଼ି ଭାବି ।

 

ଗାଡ଼ି ଛୁଟିଛି ସର୍ପପରି । ଟି: ଟି: ଆଇ ବାବୁ ଟିକେଟ ଚେକ୍ କରି କରି ତୁଳସୀ ପାଖରେ ପହଞ୍ଚିଲେ । ଟିକେଟ୍ ମାଗିଲେ ସେ ମୁଣ୍ଡ ଉପରୁ ମୁହଁ ତଳକୁ ଲୁଗାଟି ଟାଣି ଦେଇ କହିଲା–-

 

–ବାବୁ ! ଟିକେଟ କରି ନାହିଁ । ଗରିବ ଲୋକ, ଟିକେଟ୍ କରିବାକୁ ପଇସା ପାଇବି କେଉଠୁଁ ।

 

–କେତେ ଦୂର ଯିବ ।

 

–କଟକ ।

 

–ଏଟା ତ କଟକ ଗାଡ଼ି ନୁହେଁ । ଏ ଗାଡ଼ିଯିବ କଲିକତା ।

 

–କଲିକତା...ବଡ଼ ଭୁଲ୍ ହୋଇଗଲା ବାବୁ !

 

–ହଉ ବ୍ୟସ୍ତ ହୁଅ ନାହିଁ । ଆଗ ଷ୍ଟେସନରେ ଓହ୍ଲାଇ ଯିବ । ଏଗାରଟାବେଳେ କଟକ ଗାଡ଼ି ଆସିବ । ଗାର୍ଡ଼ ସାହେବଙ୍କୁ କହି ଚାଲିଯିବ–ନଇଲେ ଧରିବେ ଯଦି ହଇରାଣ କରିବେ । ଆଚ୍ଛା କଟକର କେଉଁ ଜାଗାକୁ ତମେ ଯିବ ?

 

–ଅନାଥ ଆଶ୍ରମକୁ ଯିବି ବାବୁ ! ଏଇ ପିଲାଟିକୁ ସେଇଠି ଛାଡ଼ିବି–କାଳ ମହରଗରେ ପିଲାଟାକୁ ଖାଇବାକୁ ଗଣ୍ଡେ ଦେଇ ପାରୁ ନାହିଁ ।

 

ଟି: ଟି: ଆଇ ମର୍ମାହତ ହେଲେ ତୁଳସୀର ଦୁଃଖ କଥାଶୁଣି । କିଛି ସମୟ ନିରବ ରହି କହିଲେ–ଗୋଟାଏ କାମ କରି ପାରିବ ଭଉଣୀ ? କଟକ ନ ଯାଇ ତୁମେ ପିଲାଟିକୁ ନେଇ ବମ୍ବେ ଚାଲିଯାଅ । କାଲି ଖବର କାଗଜରେ ବାହାରିଥିଲା–ସେଠାରେ ଗୋଟାଏ ନୂଆ ଆଶ୍ରମ ଖୋଲିଛି । ସେଠାକୁ ପିଲାଟିକୁ ନେଇଗଲେ ସୁଖରେ ରହିବ । ଅନାଥ ପିଲାଙ୍କର ରହିବା, ଖାଇବା, ପାଠ-ପଢ଼ିବା ଆଦି ସମସ୍ତ ବ୍ୟବସ୍ଥା ହୋଇଛି । ତୁମେ ବି ଆଶ୍ରମ କାମ କରି ରହିପାରିବ ।

 

ତୁଳସୀ କହିଲା ଯା’ନ୍ତି ବାବୁ; କିନ୍ତୁ ବିନାଟିକଟରେ ଏତେ ଗୁଡ଼ାଏ ବାଟଯିବି କିପରି ? ହାତରେ ପାହୁଲାଟାଏ ବି ନାହିଁ । ଟି: ଟି: ଆଇ ବାବୁ କହିଲେ–“ଯେ ତୁମକୁ ଧରିବ, ତୁମେ ତାକୁ ନିଜର ଦୁଖ ଜଣାଇବ । ସେ ଛାଡ଼ି ଦେବ । ଚାକିରୀ କଲୁ ବୋଲି କ’ଣ ଆମେ ମନୁଷ୍ୟତ୍ଵକୁ ହରାଇ ଦେଇଛୁ ? ଏଇ ଗାଡ଼ି ହାବଡ଼ାରେ ଲାଗିଲେ ତୁମେ ଓହ୍ଲାଇ ପଡ଼ି ପଶ୍ଚିମ ଲାଇନ୍ ଗାଡ଼ିରେ ବସିଯିବ-। ସେଇଟା ସିଧ। ଯିବ ବମ୍ବେ । ବମ୍ବେରେ ପହଞ୍ଚି ପଚାରି ପଚାରି ଆଶ୍ରମକୁ ଚାଲିଯିବ ।’’

 

ଗାଡ଼ିଆସି ଷ୍ଟେସନରେ ଲାଗିଲା । ଟି: ଟି: ଆଇ ବାବୁ ତଳକୁ ଓହ୍ଲାଇ ଗଲେ । ମନଟା ତାଙ୍କର କାହିଁକି ଗୋଳେଇ ଘାଣ୍ଟି ହେଲା ସ୍ତ୍ରୀ ଲୋକଟିର ସ୍ଵର ଠିକ୍ ତୁଳସୀ ନୂଆ’ଉଙ୍କ ସ୍ଵର ପରି ତ-। “ସୁକାନ୍ତ” ବୋଲି ଡାକିଲା ବେଳେ–ତାଙ୍କର ସ୍ଵର ଠିକ୍ ଏହିପରି ଶୁଭେ । ତେବେ ସେ ସ୍ତ୍ରୀ ଲୋକଟି କ’ଣ ମୋର ପୂଜ୍ୟା ନୁଆ’ଉ ? ପୁଣି ଭାବେ ସୁକାନ୍ତ–ନା’ ନା’ ମୋର ବୁଝିବା ଭ୍ରମ । ସେ ତ ବଡ଼ ହାକିମର ସ୍ତ୍ରୀ; ସେ’ବା କାହିଁକି ଧୁଳି ଧୂସରିଆ ହୋଇ ବିନାଟିକଟରେ ଗାଡ଼ିରେ ଚଢ଼ିବେ ।

 

ଗାଡ଼ି ଛାଡ଼ିଲା । ଟି: ଟି: ଆଇ ସୁକାନ୍ତବାବୁ ଭାବନା ରାଜ୍ୟରୁ ଫେରି ଏକ ଡବାକୁ ଉଠିଗଲେ ।

 

ଟ୍ରେନଟି କଲିକତାରେ ପହଞ୍ଚିଲା । ବମ୍ବେ ଯାତ୍ରୀମାନେ ପଶ୍ଚିମ ଲାଇନ୍ ଗାଡ଼ିରେ ବସିଲେ । ତୁଳସୀ ମଧ୍ୟ ଦୁଃଖିଆକୁ ଧରି ପଚାରି ପଚାରି ସେ ଗାଡ଼ିକୁ ଉଠିଲା । ଗାଡ଼ି ଛାଡ଼ିବାବେଳ ହେଲାଣି–ଜଣେ ଟିକେଟ୍‍ଚେକର୍ ସେ କୋଠରୀକୁ ପଶି ଆସି ଆଗ ତୁଳସୀକୁ ଟିକେଟ୍ ମାଗିଲେ । ଆଖି ଦୁଇଟା ତାଙ୍କର ଲାଲ ଦେଖା ଯାଉଥାଏ । ମୁହଁରୁ ବିକଟାଳ ମଦ ଗନ୍ଧ ବାହାରୁଥାଏ । ତୁଳସୀ ଟିକେଟ କରି ନାହିଁ ବୋଲି କହି ତାର ଦୁଖ ଜଣାଇବାକୁ ଯାଉଛି, ଚେକରଙ୍କ ମୁଥାଘାତରେ ବେଞ୍ଚ ତଳେ ପଡ଼ିଗଲା । ଅଚେତ୍ । ସଙ୍ଗେ ସଙ୍ଗେ ତାକୁ ନେଇଗଲେ ରେଲୱେ ହସ୍‍ପିଟାଲ୍‍କୁ । ସମସ୍ତେ କହିଲେ ବେମାରିଆ ଲୋକଟା ବସିଥିଲା ଗଡ଼ି ପଡ଼ିଲା । ଦୁଃଖି ରଡ଼ି ଛାଡ଼ି କାନ୍ଦୁଥାଏ । ତୁଳସୀ ଓ ଦୁଃଖିକୁ ଆମ୍ବୁଲାନସରେ ବସାଇ ହସ୍‍ପିଟାଲ୍‍କୁ ନେଇଗଲେ ।

Image

 

(୩୬)

 

ନିୟତୀର ରଥ ଚକ ଗଡ଼ି ଚାଲିଛି-–ଅବିଶ୍ରାନ୍ତ ଗତିରେ, କେତେ ଶିଳାବନ୍ଧୁର ପଥ ଅତିକ୍ରମ କରି । ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତିଯାଉଛି । ପୃଥିବୀର ଆବର୍ତ୍ତନ ଓ ବିବର୍ତ୍ତନ ଗତି ଦ୍ଵାରା ମାଟିର ପ୍ରକୃତି ପରିବର୍ତ୍ତିତ ହେଉଛି । ଅନ୍ଧାର ଯାଉଛି –ଆଲୋକ ଆସୁଛି । ଯୁଗ ବଦଳୁଛି । ମାନବ ସଭ୍ୟତାର ନୂତନ ଆଲୋକଶିଖା ଟେକି ଉଠୁଛି । ସମାଜର କୁସଂସ୍କାରକୁ ପଦଦଳିତ କରି ଯେ ଗଢ଼ୁଛି ନୂତନ ଧର୍ମ । ସେ ହେଉଛି ଜଗତର ଚକ୍ଷୁଶୀଳ । ମଥାପାତି ସହୁଛି ସେ ପାଶବିକ ଅତ୍ୟାଚାର, ଯୁଗବ୍ୟାପି ଏଇ ଲୀଳା ଲାଗିଛି; ଏ ମରତ ଭୁଇଁରେ । ଶ୍ରୀକାନ୍ତ ଅବ। ସେଥିରୁ ବଞ୍ଚିତ ହେବ କିପରି ? ଫଳରେ ସେ ହୋଇଛି ପାଗଳ । ଦାର୍ଘ ଚାରିବର୍ଷ ହେଲା ପାଗଳଖାନାରେ ରହି ସେ ଭୋଗିଛି ନର୍କ ଯନ୍ତ୍ରଣା ।

 

ରାତ୍ରି ଦ୍ଵିତୀୟ ପ୍ରହର । ଶାନ୍ତିରେ ଟିକେ ଶୋଇଯାଇଛି ଶ୍ରୀକାନ୍ତ । ଆତ୍ମା ତାର କାହିଁ ଏକ ନନ୍ଦନ ବନରେ ବିଚରଣ କରୁଛି । ସେ ବନ ମଧ୍ୟରେ କୁଳୁକୁଳୁ ନାଦରେ ବହିଯାଉଛି ପ୍ରେମ ନଦୀ ଉତ୍ତରରୁ ଦକ୍ଷିଣକୁ । ତାର ପୂର୍ବପଟ କୂଳସ୍ଥ ବନାନୀ ମଧ୍ୟରେ ଗତିଶୀଳ ସର୍ପ ପରି ବାଲୁକା ପଥଟିଏ ଲମ୍ବି ଯାଇଛି ଦିଗନ୍ତବ୍ୟାପି । ସେଇ ପଥରେ ପଥିକ ଶ୍ରୀକାନ୍ତ । ବସନ୍ତ ଆସିଛି । ଶିରିଶିରି ବାଆ ବହି ଆଣୁଛି ବଣମଲ୍ଲୀର ସୌରଭ । ପିକ ଗାଉଛି ପଞ୍ଚମ ତାନରେ–ବସନ୍ତର ଆଗମନି, ହରିଣ ହରିଣୀ ଲୁଚକାଳି ଖେଳୁଛନ୍ତି ପ୍ରମୋଦରେ ବନବୁଦା ଅନ୍ତବଳରେ ଦୌଡ଼ି ବୁଲି । ମୟୂର ମୟୂରୀ ପଙ୍ଖା ଟେକି ବସିଛନ୍ତି ଶୀଳାଖଣ୍ଡ ଉପରେ । ଚାହିଁଛନ୍ତି ପୂରବ ଉଠାଣି କଳାମେଘ ଖଣ୍ଡକୁ । ଶ୍ରୀକାନ୍ତ-ତୁଳସୀର ଚିନ୍ତାରେ ଉପଭୋଗ କରିପାରୁନି ପକୃତିକୁ, ଯେଣେ ଚାହୁଁଛି ତେଣେ ଖାଲି ଉତ୍କଟ ପ୍ରେମର ଆଭାଷ ପାଉଛି । ବିବ୍ରତ ହୋଇପଡ଼ୁଛି ସେ । କେଣିକ ନ ଚାହିଁ ଛୁଟିଛି ସେ ଆଗକୁ-। ବନଟା କିପରି ପାର ହେବ, ଏଇ ଚିନ୍ତା ତାର ।

 

ଅନତି ଦୂରରେ ଶୁଣିବାକୁ ପାଇଲା–ଏକ ରମଣୀର ସ୍ପନ୍ଦନ ଧ୍ଵନି । ସେ ସ୍ଵର ଆହୁରି ସ୍ପଷ୍ଟରୁ ସ୍ପଷ୍ଟତର ଶୁଣାଗଲା । ନିରେଖି ଚାହିଁଲା ଶ୍ରୀକାନ୍ତ ତୁଳସୀ ପାଗଳିଙ୍କ ପରି ଏ ଗଛ ମୁଳରୁ ସେ ଗଛ ମୂଳ ବୁଲି କାନ୍ଦୁଛି । ଶ୍ରୀକ।ନ୍ତ ଦୌଡ଼ିଗଲା ଧରିବାକୁ ତାକୁ । କିନ୍ତୁ ଶତଚେଷ୍ଟା କରିସୁଧା ପାରିଲା ନାହିଁ । ତୁଳସୀ ନଦୀ ଜଳକୁ ଲମ୍ଫ ଦେଇ କୁଆଡ଼େ ଉଭେଇଗଲା । “ତୁଳସୀ, ତୁଲସୀ”–ଚିତ୍କାର କରି ନଦୀ ମଧ୍ୟକୁ ଖସିପଡ଼ୁଥିଲା ଶ୍ରୀକାନ୍ତ, ପଛରୁ ଡାକ ଶୁଭିଲା-ବତ୍ସ ।” ଚମକି ପଡ଼ି ଫେରିଚାହିଁଲା–ସ୍ଵୟଂ ଭାରତ ଜନକ ଠିଆ ହୋଇଛନ୍ତି କୂଳରେ, ବିସ୍ମିତ ହୋଇ ସେ ଜଳରୁ ଉଠି ଆସି ପ୍ରଣତି ଜଣାଇଲା ବାପୁଙ୍କୁ ହାତ ଟେକି । ବାପୁଜୀ ଆଶିର୍ବାଦ କଲେ ଯଶସ୍ଵି ହୁଅ ବତ୍ସ । ବୃଥାରେ ଆଉ ମାୟା ମରିଚିକାର ପଶ୍ଚାତ୍‍ଧାବମାନ କର ନାହିଁ । ଯେଉଁ ନରକଙ୍କାଳକୁ ଦେଖି ତୁମେ ଭୟଭୀତ ହୁଅ, ତାରି ଉପରେ ଆଚ୍ଛାଦିତ ଏ ମାଂସର ଆକର୍ଷଣ କ୍ଷଣିକ, ଭୂତର ଅନୁସରଣ ମୂର୍ଖତା ମାତ୍ର । ଜଗତର ମଙ୍ଗଳ ପାଇଁ ନିଜକୁ ନିୟୋଜିତ କର । ଦରିଦ୍ରନାରାୟଣର ସେବା କର । ଏତିକି ମୋର କହିବାର ଥିଲା ।

 

ଅନ୍ତର୍ଦ୍ଧାନ ହୋଇଗଲେ ଜାତିର ପିତା, ହାତଯୋଡ଼ି ମୁଣ୍ଡ ନୁଆଇଁ ଦେଉଛି ଶ୍ରୀକାନ୍ତ–ହଠାତ୍ ବେଡ଼୍‍ର ତଳକୁ ଖସି ପଡ଼ି ତାର ନିଦ ଭାଙ୍ଗିଗଲା । ଚେତନା ଫେରିଆସିଲା ତାର । ବିଜୁଳି ଆଲୋକରେ ପ୍ରତି ବେଡ଼୍‍ରେ ଜଣେ ଜଣେ ପାଗଳ ପଡ଼ିଥିବାର ଦେଖି ଆଶ୍ଚର୍ଯ୍ୟ ହେଲା ସେ–ଏ ପୁଣି କେଉଁ ସ୍ଥାନ ? ବାଲେଶ୍ୱର ତ ନୁହେଁ ? ବିଛଣାରୁ ଉଠି ବସିଲା ଶ୍ରୀକାନ୍ତ ? କିଛି ସମୟ ଏଣିକି ତେଣିକି ଚାହିଁଲା- କିଛି ବୁଝିପାରିଲା ନାହିଁ, ବାହାରକୁ ଯାଇ ଚୌକିଦାରକୁ ପଚାରିଲା–ଏଇଟା କେଉଁ ସ୍ଥାନ ? ସେ ଉତ୍ତର ଦେଲା ଏଇଟା ରାଞ୍ଚି ପାଗଳଖାନା ବାବୁ । ଫେରିଆସିଲା ସେ ମୁରୁକି ହସା ଦେଇ । ବାପୁଜୀ ତେବେ ଦରିଦ୍ରନାରାୟଣଙ୍କ ସେବା ନିମିତ୍ତ ମୋତେ ମୁକ୍ତି କରି ଦେଲେ ? ଆଉ ଶୋଇଲା ନାହିଁ ସେ । ବସି କେତେ ଚିନ୍ତା କରୁଛି ରାତି ପାହିଲା ।

 

ସୂର୍ଯ୍ୟ ତିରିଶ ଡିଗ୍ରୀ ଉପରକୁ ନ ଉଠୁଣୁ ଏ ବାରତା ହସ୍‍ପିଟାଲର ସୁଦକ୍ଷ ଚିକିତ୍ସକଙ୍କ ମଧ୍ୟରେ ପ୍ରଚାରିତ ହୋଇଗଲା । ସମସ୍ତେ ପହଞ୍ଚିଲେ ଶ୍ରୀକାନ୍ତର ବେଡ଼୍ ପାଖରେ । ଶ୍ରୀକାନ୍ତ ସମସ୍ତଙ୍କୁ ନିଜର ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଇଲା । ସର୍ବଶେଷରେ ସେ ଡିସ୍‍ଚାର୍ଯ୍ୟ ହେବାକୁ ଚାହିଁବାରୁ–ଚିକିତ୍ସକମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି କହିଲେ–ଆପଣଙ୍କୁ ଆଉ କିଛି ଦିନ ରହିବାକୁ ପଡ଼ିବ । ପୂର୍ଣ୍ଣ ସ୍ୱାସ୍ଥ୍ୟ ଫେରିଆସିବା ଯାଏଁ ଆପଣ ଏଇଠି ରହିବେ । ଆପଣଙ୍କ ପାଇଁ ସ୍ପେଶାଲ ବେଡ଼୍‍ର ବ୍ୟବସ୍ଥା କରାଯିବ । ଶ୍ରୀକାନ୍ତ ଚିକିତ୍ସକମାନଙ୍କ କଥା ମାନିଲା ।

 

ତାର ଆଉ କାମ କିଛି ନାହିଁ । ପ୍ରଭାତରୁ ସ୍ନାନ କରି ଜଳପାନ ଶେଷ ପରେ ଏଣୁ ସେଣୁ ପଢ଼ି ବସେ । ଠିକ୍ ସମୟରେ ମଧାହ୍ନ ଭୋଜନ ଶେଷ କରି ଟିକିଏ ବିଶ୍ରାମ ନିଏ । ଦିବା ଚାରି ବାଜିଲେ ଖେଳା ବୁଲା ଆରମ୍ଭ ହୁଏ । ରାତ୍ର ଭୋଜନ ଶେଷ ହେଲେ ପ୍ରଭାତ ପର୍ଯ୍ୟନ୍ତ ପୂର୍ଣ୍ଣ ବିଶ୍ରାମ-। ଚିକିତ୍ସକମାନଙ୍କ ନିଜ ଦାୟିତ୍ଵରେ ରହି ଶ୍ରୀକାନ୍ତ କୌଣସି ଅସୁବିଧା ଉପଲବ୍‍ଧ କରିପାରୁ ନ ଥାଏ ।

 

ପ୍ରାୟ ମାସଟିଏ ବିତିଗଲାଣି । ଖବର କାଗଜ ପଢ଼ୁ ପଢ଼ୁ ଶ୍ରୀକାନ୍ତର ଗୋଟିଏ ବିଜ୍ଞାପନ ସ୍ତମ୍ଭ ଉପରେ ଆଖି ପଡ଼ିଗଲା । ବମ୍ବେ ଦରିଦ୍ରନାରାୟଣ ଆଶ୍ରମ ପାଇଁ ଜଣେ ଆରୋଗୀ ମେନେଜର ଦରକାର । ଜଗତର ମଙ୍ଗଳକାଡ୍‍କ୍ଷୀ କେହି ଶିକ୍ଷିତ ଯୁବକ ଚାହୁଁଥିଲେ–ଅତି ଶୀଘ୍ର ଆସି ସଭାପତିଙ୍କୁ ସାକ୍ଷାତ କରନ୍ତୁ । ତାଙ୍କର ରହିବା ଓ ଖାଇବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି ।

 

ଯାହା ସେ ଚାହୁଁଥିଲା ତାହା ପାଇଗଲା । ଚିକିତ୍ସକମାନଙ୍କଠାରୁ ଅନୁମତି ନେଇ ସେ ବାହାରିଗଲା ବମ୍ବେ । କେତେ ଦେଶର ଶିକ୍ଷିତ ଯୁବକ ଇଣ୍ଟରଭିଉରେ ଯୋଗ ଦେଇଥିଲେ । ସଭାପତି ଗୋରାଚାନ୍ଦ ବାବୁ ସେମାନଙ୍କର ଉଦ୍ଦେଶ୍ୟ ବୁଝିପାରି ସେମାନଙ୍କୁ ସ-ସମ୍ମାନେ ବିଦାକରି ଦେଲେ । ମେନେଜର ହେଲା ଶ୍ରୀକାନ୍ତ । ନିଜ ନାମଟିକୁ ଲୁଚାଇ ଦୀନବନ୍ଧୁ ଦାସ ନାମରେ ପରିଚିତ ହେଲା ସେ ସମସ୍ତଙ୍କ ଆଗରେ । ବାପୁଜୀଙ୍କ ଚରଣ ତଳେ ପ୍ରଣତି ଜଣାଇ ଦୀନବନ୍ଧୁ ଦାସ ନେଲା ଦରିଦ୍ରନାରାୟଣ ସେବା ଶ୍ରମର ପରିଚାଳନା ଭାର ।

Image

 

(୩୭)

 

ଗୋରାଚାନ୍ଦ ବାବୁଙ୍କ ଶୋଇବା ଘର । ଭଗବାନ ଯୀଶୁଙ୍କର ଗୋଟିଏ ବଡ଼ ବନ୍ଧେଇ ଫଟୋ ପଲଙ୍କ ମୁଣ୍ଡ ଉପରେ କାନ୍ଥ ଦେହରେ ଟଙ୍ଗା ଯାଇଛି । ବୁଦ୍ଧଦେବ, ଅଶୋକ, ମହାତ୍ମା ଗାନ୍ଧୀ, ମହମ୍ମଦ ଆଦି ମହାପୁରୁଷମାନଙ୍କ ଫଟୋ ମଧ୍ୟ ପଲଙ୍କର ଚତୁର୍ଦ୍ଦିଗରେ କାନ୍ଥ ଦେହରେ ଝୁଲୁଛନ୍ତି । ପ୍ରତ୍ୟେକ ଫଟୋ ଉପରେ ଗଜରାମାଳ ଗୋଟିଏ ଲେଖାଏଁ ଲମ୍ବାଇ ଦେଇଛନ୍ତି । ବିଜୁଳି ଆଲୋକରେ କୋଠରୀଟି ମନୋହର ଦିଶୁଛି । ନିରବତା ଭଗ୍ନକରି ଛାତ ତଳେ ଘୂରୁଛି ବିଦ୍ୟୁତ୍ ବ୍ୟଜନ । କୋଟିପତି ଗୋରାଚାନ୍ଦ ବାବୁ ସନ୍ଧ୍ୟାର ଚିନ୍ତାରେ ଭଗ୍ନ ହୃଦୟରେ ମୁହଁ ମାଡ଼ି ଶୋଇଛନ୍ତି ପଲଙ୍କ ଉପରେ । ହେମନ୍ତ କୋଠରୀ ଭିତରକୁ ପ୍ରବେଶ କଲା ।

 

–ବାପା, ବାପା.....

 

–ଉଁ

 

–କାହିଁକି ଡାକିଲେ ମୋତେ ?

 

–ହଁ ବସ ।

 

ହେମନ୍ତ ବସିଲା ଚେୟାରଟିଏ ଟାଣି ଆଣି । ଗୋରାଚାନ୍ଦ ବାବୁ ଉଠି ବସିଲେ ।

 

–ଶ୍ରମିକମାନଙ୍କୁ ଦରମା ଦେଲ ?

 

~ହଁ ବାପା ?

 

–ଦୀନବନ୍ଧୁ ଦାସଙ୍କ ବ୍ୟବସ୍ଥା ?

 

–ସେ କହିଲେ ଆଶ୍ରମ ପିଲାମାନଙ୍କ ରୋଷେଇରେ ଚଳିବେ । ଅନ୍ୟ ବ୍ୟବସ୍ଥା ଦରକାର ନାହିଁ ।

 

–ବେଶ୍ ସୁନ୍ଦର ଲୋକ ଦୀନବନ୍ଧୁ ଦାସ । ତାଙ୍କ ପରି ଲୋକ ମୋର ଦରକାର ଥିଲା । ଦୀନବନ୍ଧୁ ନାମଟି ତାଙ୍କର ଯଥାର୍ଥ । ଆଉ ସଞ୍ଜୁ ?

 

–ସେ ଆଶ୍ରମକୁ ଯାଇଛି ।

 

–ହଉ, ମୁଁ ତୁମକୁ କଥାଟିଏ ପଚାରିବି ବୋଲି ଡାକିଲି ବାପା । ଆଜକୁ ପାଞ୍ଚ ବର୍ଷ ହେଲା –ତୁମକୁ ପାଇ ମୁଁ ପୁତ୍ର କଷ୍ଟ ଭୁଲଯାଇଛି । ତୁମେ ବି ସଦାସର୍ବଦା ମୋର ଆଦେଶକୁ ହାତପାତି ଆସିଛ, କେବେ ମୁଁ ତୁମର ପିତୃଭକ୍ତିରେ ତ୍ରୁଟି ଦେଖି ନାହିଁ । ମୁଁ ଚାହିଁଥିଲି ତୁମକୁ ମଣିଷ କରି ଗଢ଼ିବାକୁ । ପ୍ରଭୁ ଯୀଶୁଙ୍କ ଦୟାରୁ ଆଜି ତାହାହିଁ କରିପାରିଛି । ତମର ଏ ଶିଳ୍ପପୁରୀ, ତୁମର ଏ ଘରଦ୍ଵାର, ଏ ଦରିଦ୍ରନାରାୟଣ ସେବାଶ୍ରମ । ମୋର ଯାହା କିଛି ଅଛି ସବୁ ତୁମର । ମୁଁ ବୃଦ୍ଧ । ତୁମ ପରି ଗୁଣବନ୍ତ ପୁତ୍ର ଥାଉଁ ଥାଉଁ ଆଉ ଏତେ ଦାୟିତ୍ଵ ବହନ କରି ପାରିବି ନାହିଁ । ମୁଁ ଚାହୁଁଛି ଶାନ୍ତି । ତୁଲ ମା’ ମଧ୍ୟ ତାହା ଚାହୁଁଛନ୍ତି । ସନ୍ଧ୍ୟାକୁ ତୁମେ ପାଠ ପଢ଼ାଇ ମଣିଷ କରିଛ–ସେ ତୁମକୁ ମୁହୁର୍ତ୍ତେ ନ ଦେଖିଲେ ପାଗଳୀ ହୋଇଯାଏ । ତୁମେ ତାକୁ ଚୁଡ଼ି ପିନ୍ଧିବାକୁ ବାରମ୍ବାର କହିଛ; କିନ୍ତୁ ମୁଁ ମନା କରିଛି । ଆଜିପର୍ଯ୍ୟନ୍ତ ସେ ମୋ ମନା ମାନି ଆସିଛି । ସେ ଜାଣି ନାହିଁ ଯେ–ସେ ବାଳୁତ ବିଧବା ।

 

କୋଟିପତି ଗୋରାଚାନ୍ଦ ବାବୁଙ୍କ ଆଖିରୁ ଦୁଖରେ ଝରି ପଡ଼ିଲା ଦୁଇଟୋପା ତତଲା ଲୁହ । ସେ ଆଉ କିଛି କହି କରିପାରିଲେ ନାହିଁ । ରୁମାଲରେ ଖାଲି ଲୁହ ପୋଛୁଥାନ୍ତି । ଏତେଦିନ ପରେ ଆଜି ବୃଦ୍ଧଙ୍କର ଚକ୍ଷୁରେ ଲୁହ ହେମନ୍ତ ମର୍ମ୍ମାହତ ହେଲା । ଦୀର୍ଘନିଶ୍ଵାସ ଛାଡ଼ି କହିଲା–ସନ୍ଧ୍ୟା ତେବେ ବିଧବା ? ଗୋରାଚାନ୍ଦ ବାବୁଙ୍କ ବକ୍ଷଭିତରୁ ବାହାରି ଆସିଲା–ହଁ, ସେ ବିଧବା । ତୁମେ ପୁଣି ତା’ ହାତରେ ଚୁଡ଼ି ପିନ୍ଧାଇ ପାରିବ ନାହିଁ ହେମନ୍ତ ? ହେଇ ଦେଖ–ପ୍ରଭୁ ଯୀଶୁ, ପ୍ରଭୁ ବୃଦ୍ଧ, ମହମ୍ମଦ ଆଉ ପୂଜ୍ୟ ବାପୁଜୀ କିପରି ଏ ପ୍ରସ୍ତାବ ଶୁଣି ହସି ଉଠୁଛନ୍ତି । ଅନ୍ତର ଖୋଲି ଥରେ ପଚାର ତାଙ୍କୁ ମୋର ପ୍ରସ୍ତାବ ଗ୍ରାହ୍ୟ କି ନୁହେଁ ? ତୁମର ଅନ୍ତର ଆତ୍ମାକୁ ପଚାର ଏ ପ୍ରସ୍ତାବ ସଙ୍ଗତ କି ନୁହେଁ ? ହେମନ୍ତ କହିଲା–ବାପା ସନ୍ଧ୍ୟାକୁ ଯେ ମୁଁ ଭଗ୍ନୀ ଦୃଷ୍ଟିରେ ଦେଖି ଆସିଛି–ସବୁ ମୁଁ ଜାଣେ ହେମନ୍ତ, ମୋତେ ଆଉ ବୁଝାଇବାକୁ ପଡ଼ିବ ନାହିଁ । ତାର ଉପଯୁକ୍ତ ତୁମେ, ତୁମରି ପାଇଁ ସେ କେତେ ନିରୋଳାରେ ଚିନ୍ତା କରୁଛି । ମୁଁ ସବୁ ଜାଣି ଅଜଣା ହୋଇ କିନ୍ତୁ ଆଜି ଆଉ ରହି ପାରୁନାହିଁ-। କାରଣ ମୁଁ ବୃଦ୍ଧ, ମରଣର ସିଂହଦ୍ୱାରରେ ପହଞ୍ଚି ଗଲିଣି । ମୁଁ ଚାହେଁ ତୁମର ସୁଖ ଦେଖିବାକୁ । ତୁମେ କୁହ–ତା’ ସୁନ୍ଥାରେ ସିନ୍ଦୁର ଆଉ ହାତରେ ଶଙ୍ଖା ପିନ୍ଧାଇ ଦେଇପାରିବ କି ନାହିଁ-

 

ହେମନ୍ତ ନିରବ ରହିଲା । ଗୋରଚାନ୍ଦ ବାବୁ ପୁଣି କହିଲେ–ବିଧବା ବୋଲି ଘୃଣା କରୁଛ ହେମନ୍ତ ସଞ୍ଜୁକୁ । ମା’ ମୋର ସ୍ୱାମୀର ମୁଖଦର୍ଶନ କରି ନାହିଁ । କି ଅଶୁଭ ମୁହୂର୍ତ୍ତ ସେ–କହିଲେ ହୃଦୟ ବିଦୀର୍ଣ୍ଣ ହୋଇଯାଉଛି I ଛାଡ଼ ଅତୀତକୁ ଫେରି କିଛି ଲାଭ ନାହିଁ । ଯଦି ମୋର ପ୍ରସ୍ତାବକୁ ଅନ୍ୟାୟ ମନେ କରୁଛ –ପାର ଯଦି ସଞ୍ଜୁକୁ ତୁମେ ଉପଯୁକ୍ତ ପାତ୍ର ହସ୍ତରେ ଅର୍ପଣ କର, ମୋର ଆପତ୍ତି ନାହିଁ । ମୁଁ ତୁମର ବିରୁଦ୍ଧାଚରଣ କରିବି ନାହିଁ ପୁତ୍ର–

 

ହେମନ୍ତ ଆଖି ବୁଲାଇ ଆଣିଲା କ୍ଷଣିକ ମଧ୍ୟରେ, ଦୁନିଆଁ ଉପରେ । କାହିଁ, କେହି ତ ଦିଶୁ ନାହାନ୍ତି । ସମସ୍ତେ ସ୍ୱାର୍ଥର ଦାସ । ବିଂଶ ଶତାବ୍ଦୀର ନୂତନ ସଭ୍ୟତା ସୃଷ୍ଟ ଶିକ୍ଷିତ ରକ୍ଷଣଶୀଳ ଯୁବକ ସଂଘ ମଧ୍ୟରେ କିଏ ଆଉ ଶାନ୍ତି ଦୁତ ନିଷ୍ଠୁର ସମାଜ ବନ୍ଧନ ଛିନ୍ନ କରି ଏକ ବିଧବା ବିଧର୍ମୀ କନ୍ୟାର ପାଣି ଗ୍ରହଣ କରିବ ? ଭେଦାଭେଦର ଉତ୍ତୁଙ୍ଗ ଶିଖରୀ ଲଙ୍ଘି ହେବ ଜଣେ ସଂସ୍କାରକ ? ନା’ ନା’ ଜାଣି ଶୁଣି ବୃଥା ଚେଷ୍ଟା କରିବା ଉଚିତ ନୁହେଁ । ଅନ୍ୟକୁ ପ୍ରବର୍ତ୍ତାଇବା ପୂର୍ବରୁ ନିଜେ ଜଗତକୁ ଆଦର୍ଶ ଦେଖାଇବାକୁ ହେବ । ଆଉ ଅନ୍ୟ ଦିଗରେ ଊପକାରୀର ପ୍ରତ୍ୟୁପକାର କରିବାକୁ ହେବ । ପ୍ରକୃତରେ ଏ ପ୍ରସ୍ତାବ କିଛି ଅନ୍ୟାୟ ନୁହେଁ ।

 

–କଣ ଭାବୁଛ ହେମନ୍ତ !

 

–ଆପଣଙ୍କ ଆଦେଶ ହିଁ ମୋର ଶିରୋଧାର୍ଯ୍ୟ ବାପା.... ।

 

–ବେଶ୍ ଆଜି ମୋର ଆନନ୍ଦର ଦିନ । ପ୍ରଭୁ ଯୀଶୁ, ବୁଦ୍ଧ, ମହମ୍ମଦ ତୁମେ ହିଁ ସହାୟ ହୁଅ ମୋର ଧନ ଜୀବନ ଦୁଇଟିକୁ ।

 

ଆଣ୍ଠୁ ମାଡ଼ି ବସି ହାତ ଯୋଡ଼ିଲେ ଗୋରାଚାନ୍ଦ ବାବୁ । ମିନିଟିକ ପରେ ଆଖି ଖୋଲିଲେ । ସନ୍ଧ୍ୟା ଆସି ଦୁଆର ମୁହଁରେ ଠିଆ ହୋଇଚି କ’ଣ କହିବ ବୋଲି । କହିଲେ–ମା’ତୁ ଆସିଗଲୁଣି, ତୋତେ ମୋର ଦରକାର ଥିଲା । ରାତି ପାହିଲେ ତୋର ବିଭାଘର ହେବ ମୋର ହେମନ୍ତ ସାଥିରେ । ତୋର କିଛି କହିବାର ଅଛି ?

 

ବିସ୍ମାୟାଭିଭୂତ ହୋଇ ଚାହିଁଲା ସନ୍ଧ୍ୟା ଥରେ ବୃଦ୍ଧ ପିତାଙ୍କୁ ଆଉ ଥରେ ଭାବି ସ୍ଵାମୀ ହେମନ୍ତଙ୍କୁ । ହେମନ୍ତ ନାଁରେ ଆପତ୍ତି କରିବାକୁ ଆସି ଶୁଣିଲା ପୁଣି ଏ’କି କଥା । ପବନ ପରି ବାହାରି ଆସିଲା ସେ କୋଠରୀ ଭିତରୁ । ଉଠିଲା ଯାଇଁ ପାର୍କ ମଧ୍ୟରେ ।

 

ଆଜି ତା’ର ଗୌରବର ଦିନ । ଏତେ ଦିନର ସେବାର ଫଳ ସେ ପାଇଛି । ଆନନ୍ଦରେ ନାଚି ଉଠିଲା ତାର ପ୍ରାଣ ! ଅନ୍ତର ବୀଣାର ମିଳନ ଝଙ୍କାର ତୋଳି ସେ ନାନାଜାତି ଫୁଲ ସଂଗ୍ରହ କରି ଗୁନ୍ଥି ବସିଲା- ପାର୍କର ଗୋଟିଏ ବେଞ୍ଚ ଉପରେ ଜୀନବନ୍ଧୁଙ୍କୁ ପ୍ରିତୀ ଉପହାର ଦେବ କୋଲି । ମଧୁଯାମିନୀ ହସି ଉଠୁଥାଏ । ସମ୍ମୁଖ ପୁଷ୍କରିଣୀରେ ଜ୍ୟୋସ୍ନା ପ୍ରିୟ ହଂସ-ହଂସୁଲୀ ଜଳ କ୍ରୀଡ଼ା କରୁଥାନ୍ତି ପଛରୁ ଡାକ ଶୁଭିଲା–“ସଞ୍ଜୁ..... । ଚମକି ପଡ଼ିଲା ସନ୍ଧ୍ୟା । ଚିତ୍କାର କଲା-ହେମନ୍ତ ଭାଇ । ଏଇଠି ମୁଁ–ଆସ– ।

 

ଅକାଶରୁ ଝଡ଼ ପଡ଼ୁଥିଲା ମିଳନ ମଧୁର ଶିଶିର ବିନ୍ଦୁ ।

Image

 

(୩୮)

 

ସନ୍ଧ୍ୟାର ବିଭାଘର । ଶିଳ୍ପପୁରୀ ଛୁଟି । ଶ୍ରମିକମାନେ ନିମନ୍ତ୍ରୀତ ହୋଇ ଆସିଛନ୍ତି । ପାଗଳ ଦାସ ସେବା ଶ୍ରମର ଛାତ୍ରଛାତ୍ରୀମାନକୁ ସଙ୍ଗରେ ଧରି ପହଞ୍ଚିଛନ୍ତି । ବମ୍ବେ ସହରର ବଶିଷ୍ଠ ଭଦ୍ର ଲୋକମାନେ ନିମନ୍ତ୍ରୀତ ହୋଇ ଆସିଛନ୍ତି । ଗରିବ ଦୁଃଖି ଭିକାରୀଙ୍କୁ ମଧ୍ୟ ଅନ୍ନଛତ୍ର ଦିଆ ଚାଲିଛି । ନାନାଜାତି ବାଦ୍ୟ ଶବ୍ଦରେ ଗଗନ ପବନ କମ୍ପି ଉଠୁଛି ।

 

ବିଭାଘର ସରିଗଲା । ବର କନ୍ୟା ନିମନ୍ତ୍ରିତ ଭଦ୍ରବ୍ୟକ୍ତିଙ୍କୁ ଦର୍ଶନ ଦେବା ନିମିତ୍ତ ସଭା ମଧ୍ୟକୁ ଅଣାଗଲେ । ସଭାମଣ୍ଡପ ଉପରୁ ପ୍ରଣାମ କଲେ ସଭାସଦ୍‍ବର୍ଗଙ୍କୁ ।

 

ତା’ପରେ ଜଣକ ପରେ ଜଣେ ଆଶୀର୍ବାଦ ପୂର୍ବକ ଆଣି ଦେଇଗଲେ ଉପହାର ସାମଗ୍ରୀ । ପ୍ରାୟ ଦଶ ହଜାର ଟଙ୍କା ଅଧଘଣ୍ଟାକ ମଧ୍ୟରେ ମୁହଁଚୁହାଁ ମିଳିଗଲା । ବୃଦ୍ଧ ଗୋରାଚାନ୍ଦ ବାବୁ ସଭାମଣ୍ଡପକୁ ଉଠି ଆସିଲେ ହେମନ୍ତକୁ ନିମନ୍ତ୍ରିତ ଭଦ୍ରବ୍ୟକ୍ତିଙ୍କ ସହିତ ପରିଚୟ କରାଇଦେବା ପାଇଁ । ହେମନ୍ତ ଓ ସନ୍ଧ୍ୟା ଦୁହେଁ ଆଣ୍ଠୁମାଡ଼ି ବସିଲେ–ଆଜି ଏ ଶୁଭଦିନରେ ବୃଦ୍ଧଙ୍କୁ ଭୂମିଷ୍ଠ ପ୍ରଣାମ କରିବା ଉଦ୍ଦେଶ୍ୟରେ । ବୃଦ୍ଧ ଦୁହିଁଙ୍କୁ ତୋଳିଧରି ଚିତ୍କାର କଲେ ତୁମେ ସେ ମହାମାନବର ସମାଧିକୁ ପ୍ରଣାମ କରିଛ ପୁତ୍ର ? ଦୁହେଁ ନିରୁତ୍ତର । ପୁଣି ଗୋରାଚାନ୍ଦ ବାବୁ ଆରମ୍ଭ କଲେ–ସେ ତୁମର ଶ୍ରେଷ୍ଠ ଗୁରୁ । ତାଙ୍କର ଅବିନାଶ ଆତ୍ମା ଚକ୍ରାବର୍ତ୍ତି ହୋଇ ଘୁରି ବୁଲୁଥିବ ପବନରେ । ମୋତେ ଅଭିଶାପ ଦେବ । ନା, ନା, ତୁମେ ଚାଲ, ତାକୁ ଭକ୍ତିଭରା ପ୍ରଣାମ ଜଣାଇ ଆସ । ତା’ପରେ ଯାଇ ମୁଁ..... । ସେ ଆଗ ମୁଁ ପଛ । ସେ ବଡ଼ ମୁଁ ସାନ ।

 

ଆଗେ ଆଗେ ଚାଲିଲେ ଗୋରାଚାନ୍ଦ ବାବୁ ଫୁଲମାଳଟି ଧରି । ତାଙ୍କ ପଛେ ପଛେ ସନ୍ଧ୍ୟା ଓ ହେମନ୍ତ । ସମାଧି ମନ୍ଦିରରେ ଯେଉଁଠି ନିତି ସଞ୍ଜବତୀ ଜାଳେ ହେମନ୍ତ, ସେଇଠି ଦୀପଟିଏ ଜାଳି ଫୁଲମାଳଟିକୁ ଲମ୍ବାଇ ଦେଲେ ବୃଦ୍ଧ ଗୋରାଚାନ୍ଦ ବାବୁ ଇଙ୍ଗିତରେ ତାଙ୍କର ଭୂମିଷ୍ଠ ପ୍ରଣାମ କଲେ ସମାଧିକୁ ସନ୍ଧ୍ୟା ଓ ହେମନ୍ତ । ତା’ପରେ ଆଶୀର୍ବାଦ କଲେ ସେ ହାତଟେକି ନବଦମ୍ପତ୍ତିଙ୍କୁ ।

 

ହେମନ୍ତ ପ୍ରଶ୍ନ କଲା ବାପା କହିଲ ନାହିଁ ଏ ସମାଧି କେଉଁ ମହାମାନବଙ୍କର । ଆମେ ଖାଲି ପ୍ରଣାମ କରୁଛୁ ଅଥଚ–ତାଙ୍କର ନାମଟି ଜାଣ ନାହୁଁ । ବୃଦ୍ଧ ଟିକେ ହସି ଦେଇ କହିଲେ-ହଁ, ଠିକ୍ ମନେପକାଇ ଦେଇଛ । ତୁମେ ବହୁତଥର ପଚାରିଛ ମୋତେ; କିନ୍ତୁ ମୁଁ ଜାଣିଶୁଣି ତୁମକୁ ଭୁଲାଇ ଦେଇଥିଲି । ତୁମେ ଚିହ୍ନିପାରିବ ତାଙ୍କୁ ?
 

ଗୋରାଚାନ୍ଦ ବାବୁ କବାଟ ଖୋଲି ପଶିଗଲେ ସମାଧି ମନ୍ଦିର ଭିତରକୁ । ଚାବି ଖୋଲି ଛୋଟ ବାକ୍‍ସଟି ଭିତରେ ଥିବା ବନ୍ଧେଇ ଫଟୋଟିଏ ବାହାର କରି ଆଣି ଦେଖାଇଲେ ହେମନ୍ତକୁ–ଏହି ସେ ମହାମାନବଙ୍କର ଫଟୋ । ହେମନ୍ତ ନିରୀକ୍ଷଣ କରି ଦେଖିଲା । ଅର୍ଦ୍ଧଦଗ୍‍ଧ ଶରୀରର ଫଟୋରୁ ଚିହ୍ନିଲା–ସେ ଆଉ କେହି ନୁହନ୍ତି, ତାର ଜନ୍ମଦାତା-ପିତା ଫକୀର ଦାସ । ଚକ୍ଷୁ ତାର ବିସ୍ପାରିତ ହୋଇଗଲା । ମୁଣ୍ଡରେ ତା’ର ଶତ ବଜ୍ରପାତ ହେଲା । ଢଳି ପଡ଼ିଲା ସେ ବୃଦ୍ଧ ଗୋରାଚାନ୍ଦବାବୁଙ୍କ ପାଦତଳେ ବୃଦ୍ଧ ତୋଳି ଧରିଲେ ତାଙ୍କୁ । କହିଲେ ହେମନ୍ତ ମୁଁ ଋଣ ମୁକ୍ତ ।

 

ମୁଁ ଆଜି ଋଣ ମୁକ୍ତ ।

 

ତୁଳସୀ ହସ୍‍ପିଟାଲରେ ପଡ଼ି ପଡ଼ି ମାସକ ପରେ କିଏ ସୁସ୍ଥ ହେଲା । ନିତିପ୍ରତି ଲୁହ ଝରାଇ ଝରାଇ ଆଖିରୁ ତାର ପାଣି ମରି ଯାଇଥିଲା । ପୁଣି ଟିକେଟ୍ ଚେକର୍‍ଙ୍କ ଆଘାତରେ ବେଞ୍ଚରୁ ତଳକୁ ମୁହଁ ମାଡ଼ି ପଡ଼ିଲା ଯେ–ଆଖିପତାରେ ବିଶେଷ ଆଘାତ ଲାଗିଲା । ଘା’ ସିନା ଶୁଖିଲା–ଆଖିକୁ ଆଉ ତାର ଭଲ ଦେଖାଗଲା ନାହିଁ ।

 

ସେଦିନ ରେଲ୍‍ୱେ ହସ୍‍ପିଟାଲରୁ ତାକୁ ଡିସ୍‍ଚାର୍ଜ କରି ଦିଆଗଲା । ଦୁଃଖିଆକୁ ଆଗରେ ଧରି ବାଟ ପଚାରି ପଚାରି ତୁଳସୀ ଗଲା ଷ୍ଟେସନକୁ । ଭାବିଲା–କେତେ ଅନ୍ଧ, ଛୋଟା ତ ବିନାଟିକେଟରେ ଗାଡ଼ିରେ ବୁଲି ଭିକ ମାଗୁଛନ୍ତି । ଅକର୍ମଣ୍ୟ ଲୋକଙ୍କୁ ଗାଡ଼ି ଛାଡ଼ । ତେବେ ଏଥର ମୁଁ ଦୁଃଖିକୁ ବମ୍ବେ ଅନାଥାଶ୍ରମରେ ପହଞ୍ଚାଇ ଦେଇ ପାରିବି ।

 

ବମ୍ବେ ମେଲ ଷ୍ଟେସନରେ ଲାଗିଲା । ତୁଳସୀ ଦୁଃଖିଆକୁ ଉଠାଇଦେଇ, ନିଜେ ଅଣ୍ଡାଳି ଅଣ୍ଡାଳି ଗାଡ଼ି ଉପରକୁ ଉଠିଲା ।

 

ଦୁଇଟି ଦିନ ପରେ ।

 

ଫୁଲ ସଞ୍ଜ । ଆଶ୍ରମର ଛାତ୍ରଛାତ୍ରୀମାନଙ୍କୁ ନେଇ ସନ୍ଧ୍ୟା ବସିଛି ପ୍ରାର୍ଥନା ସଭାରେ । କିଛିକ୍ଷଣ ପୂର୍ବରୁ ହେମନ୍ତ ଓ ପାଗଳ ଦାସ ଚାଲି ଯାଇଛନ୍ତି ଛାତ୍ରଛାତ୍ରୀମାନଙ୍କ ପାଇଁ ୟୁନିଫର୍ମ ଡ୍ରେସ୍ ବରାଦ ଦେବାକୁ । ତୁଳସୀ ଦୁଃଖିଆକୁ ଧରି ବୁଲି ବୁଲି ଆଶ୍ରମରେ ପହଞ୍ଚିଲା ।

 

ପ୍ରାର୍ଥନା ସରିଗଲା । ଛାତ୍ରଛାତ୍ରୀମାନେ ଉଠିଗଲେ ରୋଷଘରକୁ ଜଳଖିଆ ଖାଇବାକୁ । ସନ୍ଧ୍ୟା ବସିଥାଏ-ମାଆ ଓ ପୁଅ ଦୁହେଁ ଆସି ନମସ୍କାର କଲେ । ସନ୍ଧ୍ୟା ପ୍ରତି ନମସ୍କାର ଜଣାଇ କହିଲା–ଭଉଣୀ ବସ । ଆସନ ଖଣ୍ଡିଏ ଘୁଞ୍ଚାଇ ଦେଲା ତୁଳସୀ ପାଖକୁ । ତୁଳସୀ ଅଣ୍ଡାଳି ଅଣ୍ଡାଳି ବସିଲା । କହିଲା–ଦିଦି ! ଆପଣଙ୍କ ନାମ ଶୁଣି ମୁଁ ବହୁତ ଦୁରରୁ ଦୌଡ଼ି ଆସିଛି । ଦୟାକରି ଏ ପିଲାଟିକୁ ଆପଣଙ୍କ ଆଶ୍ରମରେ ରଖନ୍ତେ ଯଦି... । ତୁଳସୀର କଥା ନ ସରୁଣୁ ସନ୍ଧ୍ୟା କହିଲା–ତାଙ୍କରି ପାଇଁ ତ ଏ ଆଶ୍ରମ । ଯଦିରେ ପ୍ରଶ୍ନ ନାହିଁ ଭଉଣୀ ! ମେନେଜର ବାବୁ ବାହାରକୁ ଚାଲିଯାଇଛନ୍ତି ଆଉ ଟିକକ ପରେ ଆସି ପହଞ୍ଚିବେ । ତୁମେ ଅପେକ୍ଷା କର । କେଉଠୁଁ ଆସିଲ ଭଉଣୀ । ତୁମ ଘର ?

 

–ଓଡ଼ିଶାରେ ଆମର ଜନ୍ମ । କିନ୍ତୁ ଘରଦ୍ଵାର କିଛି ନାହିଁ । ବୁଲି ବୁଲି ଆପଣଙ୍କ ନା’ ଶୁଣି ଏଠିକି ଆସିଛୁ ।

 

–ମେନେଜର ବାବୁ ତ ଆମର ଓଡ଼ିଶାର ଲୋକ । ବେଶ୍ ଭଲ ହୋଇଛି । ଆରେ ବାପା । ମୋ ପାଖକୁ ଆସିଲୁ ।

 

ସନ୍ଧ୍ୟା ହାତ ବଢ଼ାଇ ଦେଉ ଦେଉ ଦୁଃଖିଶ୍ୟାମ ଚାଲିଗଲା ତା’ପାଖକୁ । କୋଳରେ ବସାଇ ସନ୍ଧ୍ୟା ପଚାରିଲା–ବାପ, ତୁମ ନା’ କଣ ?

 

–ଦୁଃଖିଶ୍ୟାମ

 

–ବାପାଙ୍କ ନାମ?

 

–ହେଇ ପରା ମୋର ମା’, ମୋ ମା’କୁ ଆଉ ଦିଶୁ ନାହିଁ । ଆଚ୍ଛା ହେଉ । ତୁମେ ମୋର ପୁଅ ହୋଇ ଏଇଠି ରହିବ ।

 

–ମା’ ରହିବ ନାହିଁ ।

 

–ନା’ ସେ ଚାଲିଯିବେ । ତୁମେ ଏକା ରହିବ । ମା’ ରହିବାକୁ ପରା ଏଠି ଆମର ଘର ନାହିଁ । ଏଇ ଦେଖୁନ, ତୁମରି ପରି କେତେ ପିଲା ଅଛନ୍ତି -କାହାରି ମା’ ଏଠି ନାହାନ୍ତି । ତୁମେ ତାଙ୍କ ସଙ୍ଗରେ ରହିବ, ଖେଳିବ, ବୁଲିବ, ପାଠପଢ଼ିବ, ନୂଆ ଜାମା ପେଣ୍ଟ କିଣିଆଣି ତୁମକୁ ଦେବି–ପିନ୍ଧିବ-। ଆଉ ମା’ ରହିବ କାହିଁକି ? ଆମେ ପୁଣି ଚଠି ଦେଲେ ତୁମ ମା’ ଆସିବେ । କ’ଣ କହୁଛ-?

 

ଦୁଃଖିଶ୍ୟାମ ଚାହିଁ ରହିଲା ତୁଳସୀ ମୁହଁକୁ । ତୁଳସୀ କହିଲା–ବାପା ! ହଁ କର, ତୁ ଏଇଠି ରହିବୁ । ମୁଁ ପ୍ରତିଦିନ ଆସି ତୋତେ ଦେଖି ଯାଉଥିବି । ହଁ କଲା ଦୁଃଖିଶ୍ୟାମ ।

 

ସନ୍ଧ୍ୟା ଅତି ଆଦରରେ ତାକୁ ରୋଷଘରକୁ ନେଇଗଲା ଜଳଖିଆ ଖୋଇବାକୁ । ତୁଳସୀ ବସିଥାଏ ଆଶ୍ରମ ବାରଣ୍ଡାରେ । ରୋଷେଇ ଘରେ ତାକୁ ପିଲାଙ୍କ ମେଳରେ ଖାଇବାକୁ ଦେଇ ଆସିଲା ପୁଣି ତୁଳସୀ ପାଖକୁ ଗୋଟିଏ ରେଜିଷ୍ଟାର ଧରି । କହିଲା–ଭଉଣୀ, ମେନେଜର ବାବୁ ଏପର୍ଯ୍ୟନ୍ତ ଆସିଲେ ନାହିଁ–ମୁଁ ତାର ନାମ ଲେଖାଇ ଦେଉଛି । ତୁମର ଠିକଣା କ’ଣ କହିଦିଅ-। ଦରକାର ପଡ଼ିଲେ ଚିଠି ଦିଆଯିବ ।

 

ବିବ୍ରତ ହୋଇପଡ଼ିଲା ତୁଳସୀ । କି ଠିକଣା ଦେବ ସେ । କୋଉଠି ତାର ଘର ଅଛି ? ପଶୁପକ୍ଷୀମାନଙ୍କର ନିର୍ଦ୍ଦିଷ୍ଟ ବୃକ୍ଷ, ଗୁମ୍ଫା ଆଦିରେ ରହିବାକୁ ବସା ଅଛି, କିନ୍ତୁ ତା’ର ମୁଣ୍ଡ ଗୁଞ୍ଜିବାକୁ ରାହା କେଉଁଠି ନାହିଁ । ଶ୍ମଶାନ ତାର ଶାନ୍ତି କୁଟୀର । କେତେ ବେଳକରେ କହିଲା ଦିଦି । ମୋର ନିଜର ଘର ନାହିଁ, ମୋର ସ୍ଵାମୀ ମୋତେ ତ୍ୟାଗ କଲାଦିନରୁ, ମୁଁ ବାଲେଶ୍ଵରରେ ଜଣେ ବାବୁଙ୍କ ବସାରେ କାମଦାମ କରି ରହିଥିଲି । ମାସେ ହେଲା ଆଖିକୁ ଭଲ ଦେଖାଗଲା ନାହିଁ । ସେ ମୋ କାମରେ ଅନ୍ୟ ଜଣକୁ ରଖିଲେ । ମୁଁ ବୁଲି ବୁଲି ମାଗି ଖାଉଛି । ମୋର ଠିକଣା ପଚାରୁଛନ୍ତି କ’ଣ-? ମୋତେ ସବୁଦିନେ ମୁସାଫିରଖାନାରେ ପାଇବେ । ପେଟ ନିମନ୍ତେ ମୁଁ ଯୁଆଡ଼େ ଗଲେ ବି ସେଟା ମୋର ରାତ୍ରି ଆଶ୍ରୟସ୍ଥଳ । ତୁଳସୀ ଲୁଚାଇଲା ନିଜର ଅଙ୍ଗେ ନିଭାଇଲା କଥାଗୁଡ଼ାକୁ ।

 

ଲେଖିଲା ସନ୍ଧ୍ୟା ।

 

–ମୁଁ ଯାଉଛି ଦିଦି ଏଥର । ପୁଅ ଦେଖିଲେ ଆଉ ଛାଡ଼ିବ ନାହିଁ, ବେଶି ଅନ୍ଧାର ହେଲେ ମୋତେ ମୋଟେ ଦେଖାଯିବ ନାହିଁ । ଷ୍ଟେସନରେ ପହଞ୍ଚିଲେ ଚିନ୍ତାଯିବ ।

 

–ଭଉଣୀ, ଚାଲ–ଆମ ଘରେ ରାତିଟା କଟାଇ ଦେବ । ସକାଳୁ ଉଠି ଚାଲିଯିବ ?

 

–ଦିନେ ସୁଖର ଗଣ୍ଡେ ଖାଇ, ଶାନ୍ତିରେ ଟିକିଏ ଶୋଇଲେ ମୋର ଦୁଖ ଯିବ ନାହିଁ ଦିଦି-? –ନିତି ଯାହା; ଆଜି ତାହା । ପିଲାଟି ଆପଣଙ୍କୁ ଲାଗିଲା । ଗୋଟିଏ କଥା ଦିଦି । ଯେଉଁ ବାବୁଙ୍କ ଘରେ ଥିଲି ସେ ମୋତେ ତାଙ୍କ ଜନ୍ମଦିନକୁ ମୁଦିଟିଏ ଉପହାର ଦେଇଥିଲେ । ଦୟାକରି ରଖନ୍ତୁ, ଦୁଃଖିଶ୍ୟାମର କ’ଣ ଦରକାର ପଡ଼ିଲେ–ଏହାକୁ ବିକି ଗୁଜୁରାଣ ମେଣ୍ଟାଇବେ-

 

ଅଣ୍ଟିରେ କନା ପୁଡ଼ିଆଟିଏ ବାହାର କରି ତୁଳସୀ ସନ୍ଧ୍ୟା ହାତକୁ ବଢ଼ାଇ ଦେଲା । ସନ୍ଧ୍ୟା ପୁଡ଼ିଆଟିକୁ ଖୋଲି, ମୁଦିଟିକୁ ଦେଖି ପୁଣି ବାନ୍ଧି ଦେଇ କହିଲା–ହଉ ଯଦି ନ ରହିବ, ତେବେ ଶୀଘ୍ର ଷ୍ଟେସନକୁ ଚାଲିଯାଅ, ରାତି ବେଶି ହେଲେ ଅସୁବିଧା; ପୁଣି ତୁମକୁ ଦିଶୁ ନାହିଁ ।

 

ତୁଳସୀ ସନ୍ଧ୍ୟାକୁ ଶୁଭ ବିଦାୟ ଜଣାଇ ବାହାରି ଆସିଲା ଆଶ୍ରମ ହତାର ବାହାରକୁ । ବିସ୍ତୃତ ପିଚ୍ ପକା ରାସ୍ତା ପଡ଼ିଛି ଷ୍ଟେସନକୁ । ଯାନବାହନ ଛୁଟିଛନ୍ତି ତା’ରି ଉପରେ–ଶାନ୍ତିରେ ନିଶ୍ଵାସ ମାରିଲା ତୁଳସୀ । ଆଉ କାହାପାଇଁ ସେ ଦୁଃଖ ଭୋଗିବା ? ସୃଷ୍ଟିରେ କେତେ ଜଣ ତା’ପରି ଦୁଃଖିନୀ ଅଛନ୍ତି ? ମୃତ୍ୟୁହିଁ ତାର ଏକମାତ୍ର ଉପାୟ । ତା’ପରେ ଶାନ୍ତି ।

 

ତୁଳସୀ ବାଟ ଠଉରାଇ କେତେ କ’ଣ ଭାବି ଆଗେଇ ଚାଲିଛି ରାଜଦାଣ୍ଡ ଉପରେ; ସନ୍ଧ୍ୟା ତାର ଗତିପଥକୁ ଏକ ଦୟାର୍ଦ ନୟନରେ ଚାହିଁଛି । ସେ ରାସ୍ତାର ବାଙ୍କ ବୁଲି ଅଦୃଶ୍ୟ ହୋଇଗଲା । ସନ୍ଧ୍ୟା ତୁଳସୀର ପ୍ରଦତ୍ତ ମୁଦ୍ରିକାଟି ନେଇ ଦୀନବନ୍ଧୁ ଦାସଙ୍କ ବାକ୍‍ସ ଭିତରେ ରଖିଲା-

 

ମଟର ହର୍ଣ୍ଣ ବାଜିଲା–ଆଶ୍ରମର ଦୁଆର ମୁହଁରେ । ସନ୍ଧ୍ୟା ଦୌଡ଼ି ଆସିଲା ବାହାରକୁ । ଆଗେ ଆଗେ କହି ପକାଇଲା–ଏତେ ଡେରି କଲେ କ’ଣ ମେନେଜର ବାବୁ ?

 

ହେମନ୍ତ କାର୍ ଭିତରେ ସନ୍ଧ୍ୟାକୁ ଅପେକ୍ଷା କରି ବସିଥାଏ, ଓହ୍ଲାଇ ଆସୁ ଆସୁ ଦୀନବନ୍ଧୁ ଦାସ କହିଲେ–ଟିକେ ଆଜ୍ଞା ସମୁଦ୍ର କୂଳକୁ ବୁଲି ଚାଲିଗଲୁ ? ଆପଣ ଏଥର ଯା’ନ୍ତୁ ବସାକୁ । ପିଲାଙ୍କ ଖବର ମୁଁ ନେଉଛି–

ସନ୍ଧ୍ୟା କହିଲା ହଁ, ଆପଣଙ୍କ ଆଶ୍ରମକୁ ଆଜି ଗୋଟିଏ ନୂଆ ପିଲା ଆସିଛି ।

 

–କାହିଁ ?

 

–ହେଇ ପରା ରୋଷେଇ ଘରେ ।

 

ମା’ ମା’ ଡାକି ଦୁଃଖିଶ୍ୟାମ ବାହାରି ଆସୁଥିଲା ରୋଷଘରୁ, ଦୀନବନ୍ଧୁ ଦାସ ତାକୁ କାଖେଇ ପକାଇ ପଚାରିଲେ–

 

–“ବାପା ମା’ଙ୍କୁ କାହିଁକି ଖୋଜୁଛ ?

 

–ମା’ ପରା ଉପାସ ଅଛି । ମୋ ସାଙ୍ଗରେ ଖାଇବ ।

 

–“ସେ ତୁମ ପାଇଁ ଛବି ବହି କିଣିବାକୁ ଗଲେଣି । ଆସନ୍ତୁ !

 

–ମୁଁ ଯିବି ।

 

–ହଁ ମୁଁ ତୁମକୁ ତୁମ ମା’, ପାଖକୁ ନେଇଯିବି, ମୋତେ ଭୋକ ହେଲାଣି, ଭାତ ମୁଠେ ଖାଇ ଦିଏଁ–ଯିବା ?

 

–ମୁଁ ଭାତ ନେଇ ଆସେ ।

 

–“ହଉ ଯା”

 

କାଖରୁ ଓହ୍ଲାଇ ଦେଲେ ପାଗଳ ଦାସ । ଦୁଃଖିଶ୍ୟାମ ଦୌଡ଼ି ଦୌଡ଼ି ରୋଷଘରକୁ ଯାଉଥିଲା । ପାଗଳ ଦାସ ତାର ଗତି ବିଧି ଲକ୍ଷ କରି ବାତ୍ସଲ୍ୟ ମମତାରେ ଉଲ୍ଲସି ଉଠୁଥିଲେ । ସନ୍ଧ୍ୟା ଆଣି ପୁଡ଼ିଆଟି ତାଙ୍କ ହାତରେ ଦେଇ କହିଲା–ଏହାକୁ ଦୁଃଖିଶ୍ୟାମର ମା’ ଦେଇଯାଇଛି; ଦରକାର ପଡ଼ିଲେ ଦୁଃଖି ପାଇଁ ଖର୍ଚ୍ଚ କରିବେ–-ରଖନ୍ତୁ ମୁଁ ଯାଉଛି ।

 

ସନ୍ଧ୍ୟା ଚାଲି ଯାଉଥିଲା । ପୁଡ଼ିଆଟି ଖୋଲି ଦେଇ ନିଜର ନାମାଙ୍କିତ ମୁଦ୍ରିକାଟି ଦେଖି ଦୀନବନ୍ଧୁ ଦାସ ଚିତ୍କାର କଲେ–ଦିଦି ? କୁଆଡ଼େ ଗଲା ଦୁଃଖିଶ୍ୟାମର ମା’ ? ତୁଳସୀ ମୋର ବଞ୍ଚିଛି....ତାକୁ କେଉଁଠି ପାଇବି ମୋତେ କହିଦିଅ ।’’ ବିଚଳିତ ହୋଇ ଦୀନବନ୍ଧୁ ଦାସ ଦୌଡ଼ିଗଲେ ସନ୍ଧ୍ୟା ପାଖକୁ । ସନ୍ଧ୍ୟା ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲେ କ’ଣ ତୁମେ କହୁଛ ମେନେଜର ବାବୁ ?

 

–ତୁଳସୀ ମୋର ସ୍ତ୍ରୀ । ଏ ମୋର ନାମାଙ୍କିତ ମୁଦ୍ରିକା ।

 

“ସେ ସ୍ତ୍ରୀ ଲୋକଟି ନାମ ଯେ ବାୟାଣୀ, ଆଉ ଅନ୍ଧୁଣୀ, ସେ–ମୁଦ୍ରିକାଟି ବାଲେଶ୍ଵରର ଜଣେ ଡେପୁଟି ମାଜିଷ୍ଟ୍ରେଟ ତାଙ୍କୁ ଉପହାର ଦେଇଥିଲେ ତାଙ୍କ ଜନ୍ମଦିନକୁ । ଶ୍ରୀକାନ୍ତ କହିଲା–ସବୁ ଘଟଣା ମୁଁ ପରେ କହିବି ଦିଦି ? ତୁମେ ଆଗ କୁହ ସେ କୁଆଡ଼େ ଗଲା ।

 

ଆଶ୍ଚର୍ଯ୍ୟ ହେଲା ସନ୍ଧ୍ୟା ନିର୍ବାକ୍ ଦୃଷ୍ଟିରେ ଖାଲି ଚାହିଁ ରହିଲା ସେ ଦୀନବନ୍ଧୁ ଦାସଙ୍କ ମୁହଁକୁ । କାର୍ ଭିତରୁ ଦୌଡ଼ି ଆସିଲା–ହେମନ୍ତ । କହିଲା–“ଶ୍ରୀକାନ୍ତ ବାବୁ ଆପଣ ମୋତେ ପରିଚୟ ଦେଉ ନାହାନ୍ତି । ମୁଁ ଯେ ହେମନ୍ତ । ଆପଣଙ୍କୁ ବନ୍ଧୁ । ତୁଳସୀ କାହିଁ ?”

 

କୁଣ୍ଢାଇ ପକାଇଲା ଦୀନବନ୍ଧୁ ଦାସ–ହେମନ୍ତକୁ କହିଲା–“ମୁଁ ମହାଅପରାଧୀ, ମୋତେ କ୍ଷମା ଦିଅ ।’’ ହୃଦୟ ଭାଙ୍ଗି ପଡ଼ିଲା ଦୀନବନ୍ଧୁ ଦାସଙ୍କର । ସେ ଭୋ ଭୋ ହୋଇ କାନ୍ଦି ପକାଇଲେ-

 

ଗୋରାଚାନ୍ଦ ବାବୁ ଶିଳ୍ପପୁରୀରୁ ବସାକୁ ଫେରୁଥିଲେ । କିଏ କାନ୍ଦିଲା ବୋଲି ସେ ଆଶ୍ରମ ଭିତରକୁ ପଶିଲେ । ହେମନ୍ତ ଗୋରାଚାନ୍ଦ ବାବୁଙ୍କୁ ଦେଖି–କହିଲା–ବାପା । ଆମ ମ୍ୟାନେଜର ବାବୁ ଦୀନବନ୍ଧୁ ଦାସ ନୁହଁନ୍ତି–ସେ ଆମ ଜମିଦାର ନରହରି ବଡ଼ଜେନାଙ୍କର ପୁଅ–ଶ୍ରୀକାନ୍ତ । ବୃଦ୍ଧ ବାହୁ ପ୍ରସାରଣ କରି ଚିତ୍କାର କଲେ–ଆରେ ମୋର ପୁତୁରା ଶ୍ରୀକାନ୍ତ–ମୁଁ ଯେ–ଗୌରହରି ବଡ଼ଜେନା–ଗୋରାଚାନ୍ଦ ନୁହେଁ । କାହିଁକି କାନ୍ଦୁଛୁ ।

 

ହେମନ୍ତ କହିଲା ମୋର ଭଗ୍ନୀ ତୁଳସୀ ସେ ବିବାହ କରି ତ୍ୟାଗ କରିଥିଲେ ସମାଜର ଦାଉରେ । ପୁଣି ତାକୁ ଖୋଜି ପାଉ ନଥିଲେ । ତାର ସନ୍ଧାନ ଆଜି ମିଳିଛି । ସେ ଆଶ୍ରମକୁ ଆସି ଚାଲିଯାଇଛି । ତାର ସନ୍ଧାନ ନେବା ଚାଲନ୍ତୁ । ତା’ପରେ ଆଉ ସବୁ କହିବି ।

Image

 

(୪୦)

 

ସନ୍ଧ୍ୟା ଚଲାଉଛି କାର୍ । ଶ୍ରୀକାନ୍ତ ଓ ହେମନ୍ତ ଦୁହେଁ ରାସ୍ତାର; ଦୁଇ ପାଖକୁ ଚାହିଁଛନ୍ତି । କାଳେ କେଉଁଠି ତୁଳସୀ ଯାଉଥିବ । ପଛରେ ବସିଛନ୍ତି ଗୋରାଚାନ୍ଦ ବାବୁ । ଦୁରରୁ ଦେଖିଲେ ଷ୍ଟେସନ ବଜାର ଛକ ଉପରେ ଥୋଡ଼ାଏ ଲୋକ ରୁଣ୍ଡ ହୋଇ କ’ଣ ଦେଖୁଛନ୍ତି । ରାସ୍ତାର କଡ଼କୁ ଲାଇଟ୍ ଖୁଣ୍ଟତଳେ ନୀଳ ରଙ୍ଗର କାରଟିଏ ଥୁଆ ହୋଇଛି । ଟ୍ରାଫିକ୍ ପୋଲିସ୍ ଦୁଇଜଣ କାରର ଦୁଇ ପାଖରେ ଠିଆ ହୋଇ ଡ୍ରାଇଭର ସଙ୍ଗେ କଥାବାର୍ତ୍ତା ହେଉଛନ୍ତି ।

 

ସନ୍ଧ୍ୟାର କାରଟା ପହଞ୍ଚିଲା ଘଟଣା ସ୍ଥଳରେ । ଶ୍ରୀକାନ୍ତ ଓ ହେମନ୍ତ ଓହ୍ଲାଇ ପଡ଼ି ଦର୍ଶକଙ୍କୁ ଆଡ଼େଇ ଦେଇ ଭିତରକୁ ପଶିଗଲେ । ତୁଲସୀ କାର୍ ଚାପାରେ ଜୀବନ ହରାଇପଡ଼ିଛି ରାସ୍ତା ମଝିରେ । ତାର ଛାତି ଉପରେ କାର୍ ଚକଚଢ଼ି ଯାଇଛି । ଶ୍ରୀକାନ୍ତ ‘ତୁଲସୀ’ ବୋଲି ଥରଟିଏ ଡାକି ଗଛ କଟିଲା ପରି ପଡ଼ିଗଲା ଶବଟା ଉପରେ । ହେମନ୍ତର ପଥର ଛାତିରୁ ଉଠୁଥାଏ କୋହ–ତଥାପି ସେ ଶ୍ରୀକାନ୍ତକୁ ଭିଡ଼ି ଧରିଲା । ପ୍ରକୃତିସ୍ଥ ହେଲା ଶ୍ରୀକାନ୍ତ । ଉଠିବସି ଚିତ୍କାର କଲା–‘କାହିଁ ସେ କାର୍ ଡ୍ରାଇଭର ? ମୁଁ ତାର ପ୍ରତିଶୋଧ ନେବି ।

 

ଦୌଡି ଆସିଲା ଧରା ଯାଇଥିବା କାରଟି ପାଖକୁ । ତା ଭିତରେ ବସିଥାନ୍ତି, ଜଣେ ପୌଢ଼ା, ଆଉ ଜଣେ ବିଷର୍ଣ୍ଣବଦନା ଯୁବତୀ ଆଉ ଷାଠିଏ ବର୍ଷର ବୃଦ୍ଧ ଚାଳକ । ସ୍ତମ୍ଭିଭୂତ ହେଲା ଶ୍ରୀକାନ୍ତ ଚାଳକକୁ ଚାହିଁ ଦେଇ । ଚାଳକ ଯେ ଆଉ କେହି ନୁହେଁ–ତାର ଜନ୍ମଦାତା–ନରହରି ବଡ଼ଜେନା । ରାଞ୍ଚିରୁ ସେ ଖବର ପାଇ ଆସିଛନ୍ତି ବମ୍ବେକୁ ତାକୁ ନେଇଯିବା ପାଇଁ । ଦରଜାଟାକୁ ଜୋରକରି ଟାଣି ଦେଇ ଶ୍ରୀକାନ୍ତ ପଡ଼ିଗଲା ବୃଦ୍ଧଙ୍କ ପାଦତଳେ । “ଆରେ ମୋର ଶ୍ରୀକାନ୍ତ” କହି ବୃଦ୍ଧ ତୋଳି ଧଇଲେ ତାକୁ ।

 

ହେମନ୍ତ ପ୍ରଣାମ କଲା–ଶୋକାତୁରା ନରହରି ବାବୁଙ୍କୁ ପାଖକୁ ଟାଣିନେଲେ ବୃଦ୍ଧ ହେମନ୍ତକୁ । ଏ ଦୃଶ୍ୟ ଦେଖି ସବୁ ଦର୍ଶକମାନେ ଅବାକ ହୋଇ ଯାଉଛନ୍ତି । ଗୋରାଚାନ୍ଦ ବାବୁ ନିଜର ସାନଭାଇ ନରହରି ଜେନାକୁ ଚିହ୍ନି ପାରି ନିଜ କାରରୁ ଛୁଟି ଆସିଲେ । କୋଳ କରି ନେଲେ ନରହରି ବାବୁଙ୍କୁ ।

 

କୋଟରଗତ ଚକ୍ଷୁଦ୍ଵୟରୁ ଲୁହ ପୋଛି ଦେଇ ଗୋରାଚାନ୍ଦ ବାବୁ ଓ ନରହରି ବାବୁ ଓହ୍ଲାଇ ଆସିଲେ ତୁଲସୀ–ଶବ ପାଖକୁ । ରକ୍ତାକ୍ତ ହୋଇପଡ଼ିଛି ତୁଲସୀ । ମସ୍ତକରେ ତାର ସଧବାର ଚିହ୍ନ-ସିନ୍ଦୁର ଟିପାଟି ମଳିନ ଦିଶୁଛି । ଦୁଇ ହାତରେ ଦୁଇ ପଟି ଶସ୍ତା ନାଇଲେନ୍ ଚୁଡ଼ି ଭାଙ୍ଗିଯାଇ ଲାଖିଛି । ଦକ୍ଷିଣ ପାଦର ମଝି ଆଙ୍ଗୁଠିରେ ପିତ୍ତଳ ମୁଦିଟି–ଅଧା ଘୋରି ହୋଇ–ଗଲାଣି-। କିଛି ଦୂରରେ ପଡ଼ିଛି–ଛିଣ୍ଡାଲୁଗା ବୁଜୁଳାଟିଏ । ବୁଜୁଳାଟି ଭିତରେ ସିଲବର ବାସନ ଖଣ୍ଡେ । ବୃଦ୍ଧ ନରହରି ବଡ଼ଜେନାଙ୍କର ପଥର ହୃଦୟ ବିଦୀର୍ଣ୍ଣ ହୋଇଗଲା । ରଡ଼ି ଛାଡ଼ିଲେ–‘ମା’ ମୋର ସଧବାର ଚିହ୍ନ ନେଇ ମରିଛି । ଏତେ କଷ୍ଟ ସହି ବି ସ୍ଵାମୀଙ୍କୁ ତାର ମନ୍ଦ ପାଞ୍ଚି ନାହିଁ ।‘ ସେ ଜାଣେ ସ୍ଵାମୀ ତା’ର ହାକିମ; କିନ୍ତୁ ଜାଣି ତ ପାରିଲାନି, ଶ୍ରୀକାନ୍ତ ତାକୁ ତେଜ୍ୟା କରି ଆଜି ପାଗଳ ହୋଇଛି-। ମୋର ଘରକରଣା ଭାଙ୍ଗି ଯାଇଛି ।

 

ବୃଦ୍ଧ ନରହରି ବାବୁ ତୁଳସୀର ଲୁଗାପଟା ସଜାଡ଼ି ଦେଇ ତାକୁ ଉଠାଇ ଆଣିଲେ–କାର୍ ଉପରକୁ । ଶ୍ରୀକାନ୍ତ ଓ ହେମନ୍ତ ମୁଣ୍ଡ ବାଡ଼େଇ ଦେଉଥାନ୍ତି । ଶ୍ରୀକାନ୍ତ ଅଚେତା ହୋଇ ପଡ଼ିଥାଏ ତୁଳସୀର କଥା ମନେ ପକାଇ । ହୀରାଦେଇ ପଦ୍ମା ଓ ସନ୍ଧ୍ୟା ତିନିହେଁ–ଦୁଖରେ ଅଧିରା ହୋଇ ପଡ଼ୁଥାନ୍ତି ।

 

ବୃଦ୍ଧ ନରହରି ବାବୁ ହେମନ୍ତ ଓ ଶ୍ରୀକାନ୍ତକୁ କେତେ ସାନ୍ତ୍ଵନା ଦେଇ କହିଲେ–ଏ ଶବକୁ ମୁଁ ନେଉଛି ତାର ଜନ୍ମ ମାଟିକୁ । ମୋର କୁଳ ଲକ୍ଷ୍ମୀକୁ ମୁଁ ସେଇଠି ସମାଧି କରିବି । ମୋତେ ଡକାଇ ଗିରା ମହାନ୍ତି ମୃତ୍ୟୁ ଶଯ୍ୟାରେ ତୁଳସୀର ଗୁଣ ଗାନ କରି ମଲା । ସେଇ ଦିନଠୁଁ କେତେ ମୁଁ ଖୋଜିଲି ; କିନ୍ତୁ ପାଇ ନ ଥିଲି । ଆଜି ପୁଣି ନିଜେ ହତ୍ୟା କଲି । ମୁଁ ମହାପାପୀ । ପ୍ରଭାତରୁ ଉଠି ସତୀର ସମାଧି ଦର୍ଶନ କଲେ ମୁଁ ନର୍କକୁଣ୍ଡରୁ ଉଦ୍ଧାର ପାଇବି । ଯେଉଁ ଦିନଠୁ ତୁଳସୀ ଏ ଘରୁ ଦୁଃଖର ଭାରାରେ ଗୋଡ଼ କାଢ଼ି ଚାଲିଗଲା–ସେହି ଦିନଠୁଁ ବିପଦ ଘୋଟି ଆସିଲା–ଏ ବଡ଼ଜେନା ଘର ଉପରକୁ । ଶ୍ରୀକାନ୍ତ ହେଲା ପାଗଳ, ମୋର ସରପଞ୍ଚଗିରି ଗଲା ; ଶୂନ୍ୟରୁ ନିଆଁ ବାହାରି ଘର ପୋଡ଼ିଲା । ଶେଷକୁ ମୋର ଫାଳେ ଅଙ୍ଗ ଅଚଳ–ହାପ୍ ପାରାଲିସ୍‍ସ । ଗୋଟେ ଗୋଡ଼ ଗୋଟେ ହାର ଅଚଳ । ତୁଳସୀ ସତୀ । ସତୀର ନିଶ୍ଵାସରେ ରାବଣର ବଂଶଧ୍ଵଂସ–ଆଉ କୌରବ ବଂଶ ନିପାତ, ଜୀବନରେ ଥା’ନ୍ତା କି ଏକା–। ନା’ ନା’ ମୁଁ ତାର ଶବକୁ ମୋ ଗ୍ରାମକୁ ନେଇଯିବି । ମୁଁ ଥିଲି ଅନ୍ଧ, ତୁଳସୀ ମତେ ଚକ୍ଷୁ ଦେଇ ଯାଉଛି । ମୋତେ ଶିକ୍ଷାଦେଇଛି–ସାମ୍ୟବାଦ, ଦେଖାଇ ଦେଇଛି ଆଦର୍ଶର ପଥ । ତୁମେ ଯାଅ ସବୁ ଆଶ୍ରମକୁ ।

 

ଗୋରାଚାନ୍ଦ ବାବୁଙ୍କ ଉଦ୍ଦେଶ୍ୟରେ କହିଲେ–ଭାଇ ! ମୁଁ ଆଜି ଚାଲିଯାଉଛି । ପୁଣି ଆସି ସବୁ ଦେଖି ଯିବି । ଗୋରାଚାନ୍ଦ ବାବୁ କହିଲେ ଆରେ ତୁ ମଧ୍ୟ ପାଗଳ ହେଲୁ । ସେ ବୃଥା ଚେଷ୍ଟା କରନା, ଆମର ଆଶ୍ରମ ନିକଟରେ ତାର ବାପାଙ୍କ ସମାଧି ପାଖରେ ତୁଳସୀ ସମାଧି କରିବା ।

 

ବୃଦ୍ଧ ବିଚଳିତ ସ୍ଵରରେ ପ୍ରଶ୍ନ କାଲେ–ବାପା କିଏ ? ଫକିର ?

 

–ହଁ ।

 

–ଆରେ ସେ ବିଚରା ଏଇଠି ବି ପ୍ରାଣ ହରାଇଛି । ମୁଁ ମହା ଅପରାଧି–ମୋରି ପାଇଁ ସେ ଜନ୍ମ ମାଟି ଛାଡ଼ିଥିଲା । ଚାଲ ମୁଁ ତାକୁ କ୍ଷମା ମାଗିବି । ସେ କବର ତଳୁ ମତେ କ୍ଷମା ଦେବ ।

 

ଦୁଇଟି ଯାକ କାର୍ ଚୁଟିଲା ଫକୀର ଦାସର ସମାଧି ମନ୍ଦିର ଅଭିମୁଖେ । ନରହରି ବାବୁ କାର୍‍ରୁ ଓହ୍ଳାଇ ପଡ଼ି ସେ ମନ୍ଦିର ପାଖରେ ଠିଆହୋଇ ଆଗ ନିଜର ମନ୍ଦକର୍ମ ପାଇଁ କ୍ଷମାଭିକ୍ଷା କାଲେ । ତା’ ପରେ ଆଦେଶ ଦେଲେ ତୁଳସୀର ଯୂଇ ସଜାଡ଼ିବାକୁ ।

 

ତୁଲସୀର ଯୂଇ ଧୂ-ଧୂ ଜଳୁଛି । ଅଗ୍ନିଶିଖା ତା’ର ସର୍ବଗ୍ରାସୀ ଜିହ୍ଵା ବିସ୍ତାରକରି ତୁଳସୀର ମାଟିପିଣ୍ଡଟାକୁ ଦଗ୍‍ଧ କରିବାରେ ଲାଗିଛି । ନରହରି ବାବୁ ଓ ଗୋରାଚାନ୍ଦ ବାବୁ ଅଶ୍ରୁବର୍ଷଣ କରି ଅଗ୍ନିରେ ଘୃତ ଓ କାଷ୍ଠ ସଂଯୋଗ କରୁଛନ୍ତି । ହେମନ୍ତ ଓ ଶ୍ରୀକାନ୍ତ ଦୁହେଁ ଟିକିଏ ଦୂରରେ ଠିଆହୋଇ ପିଲା ଛୁଆଙ୍କପରି କଇଁ କଇଁ ହୋଇ କାନ୍ଦୁଛନ୍ତି ।

 

ସନ୍ଧ୍ୟାର କାରଟି ଫେରିଛି ପଦ୍ମା ଓ ହୀରା ଦେଇଙ୍କୁ ନେଇ ଆଶ୍ରମ ଅଭିମୁଖେ ।

 

କିନ୍ତୁ ଦୁଃଖଶ୍ୟାମ ଏ ପର୍ଯ୍ୟନ୍ତ କିଛି ବୁଝିନାହିଁ । ବୁଝିବାକୁ ମଧ୍ୟ ଚେଷ୍ଟା କରିନାହିଁ । ସେ ଆଶ୍ରମ ବାରଣ୍ଡାରେ ଠିଆହୋଇ ଚାହିଁଛି ସେଇ ଉଦ୍ୟାନ ଭିତରେ ଜଳୁଥିବା ନିଜର ମା’ ତୁଳସୀର ଯୁଇଆଡ଼କୁ । ଯୂଇ ଯେତିକି ଜୋରରେ ଜଳୁଛି–ସେ ତାଳି ମାରି ନାଚୁଛି–ହେଇ ଜାଳିଲାରେ , ଜାଳିଲା ।

 

ସନ୍ଧ୍ୟାର କାର୍ ଅଟକିଲା ଆଶ୍ରମର ଦୁଆରେ । ସନ୍ଧ୍ୟା ଡାକିଦେଲା–ଦୁଃଖୀଶ୍ୟାମ ତୋର ମା’ ଆସିଛି । ‘କାହିଁ’ ବୋଲି କହି ଦୌଡ଼ି ଆସିଥିଲା ଦୁଃଖିଶ୍ୟାମ । ପଦ୍ମା ତାକୁ ଉଠାଇନେଲା ନିଜର ଦଗ୍‍ଧ ବକ୍ଷ ଉପରକୁ । ଦୁଃଖିଶ୍ୟାମ ପଚାରିଲା ମୋ ମା’ କାହିଁ ?

 

ପଦ୍ମାର ଚକ୍ଷୁରୁ ଖାଲି ଝରିପଡୁ ଥିଲା ଶ୍ରାବଣର ଧାରା ।

Image